ଖୁବ୍ ଶୀଘ୍ର ବନ୍ଦ ହେବ ରେଜିଷ୍ଟ୍ରଡ୍ ପୋଷ୍ଟାଲ ସର୍ଭିସ୍ । କାରଣ ଭାରତୀୟ ଡାକ ବିଭାଗ ଏହାର ପଞ୍ଜିକୃତ ଡାକ ସେବାକୁ ବନ୍ଦ କରିବାକୁ ଯୋଜନା କରୁଛି । ବିଭାଗ ଏହି ସେବାକୁ ସ୍ପିଡ୍ ପୋଷ୍ଟ ସହିତ ମିଶ୍ରଣ କରିବାକୁ ଯୋଜନା କରୁଛି । ଡାକ ବିଭାଗ ବନ୍ଦ କରିବ ୫୦ ବର୍ଷ ପୁରୁଣା ଏହି ରେଜିଷ୍ଟ୍ରୀ ଡାକ ସେବା । ଏହାଫଳରେ ଆଉ ପଠାଇ ହେବନି ଦୀର୍ଘ ଦିନ ହେବ ପ୍ରଚଳିତ ରେଜିଷ୍ଟ୍ରି ଚିଠି ବ୍ୟବସ୍ଥା । କାର୍ଯ୍ୟକୁ ଦ୍ରୁତ , ଚିଠିକୁ ସହଜରେ ଟ୍ରାକ୍ କରିବା ଏବଂ ସେବାକୁ ଆଧୁନିକ କରିବା ଲକ୍ଷ୍ୟରେ ଡାକ ବିଭାଗ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି । ତେଣୁ ଏହି ରେଜିଷ୍ଟ୍ରୀ ଡାକ ସେବା ସେପ୍ଟେମ୍ବର ପହିଲାରୁ ବନ୍ଦ ହୋଇଯିବ । ଯଦି ଆପଣ ୭୦, ୮୦ କିମ୍ବା ୯୦ ଦଶକରେ ଜନ୍ମଗ୍ରହଣ କରିଛନ୍ତି, ତେବେ ଆପଣ ପୋଷ୍ଟ ଅଫିସରେ ରେଜିଷ୍ଟ୍ରୀ ଡାକ ସେବା ପାର୍ସଲ କାରବାର ଦେଖିଥିବେ । ଏହି ରେଜିଷ୍ଟ୍ରୀ ଚିଠି ପଠାଇବା ପାଇଁ ପୂର୍ବରୁ ଏକ ପୃଥକ୍ କାଉଣ୍ଟର ଥିଲା । ଡାକ ବିଭାଗର କର୍ମଚାରୀ ଆପଣଙ୍କୁ ଏହାର ରସିଦ ଦେଉଥିଲେ। ସେହି ଚିଠି ବିତରଣ ହେବା ସମୟରେ ଆପଣଙ୍କୁ ଏକ ସ୍ବୀକୃତି ମଧ୍ୟ ମିଳୁଥିଲା । ସାମଗ୍ରିକ ଭାବରେ ପୋଷ୍ଟ ଅଫିସର ଏହା ଏକ ପ୍ରିମିୟମ୍ ସେବା ଥିଲା । ବର୍ତ୍ତମାନ ଡାକ ବିଭାଗ ଏହି ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।

ଭାରତୀୟ ଡାକ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ସର୍କୁଲାର ଅନୁଯାୟୀ, ଡାକ ବିଭାଗ ରେଜିଷ୍ଟ୍ରୀ ଡାକ ସେବାକୁ ସେପ୍ଟେମ୍ବର ପହିଲାରୁ ଏହାର ସ୍ପିଡ୍ ପୋଷ୍ଟ ସହିତ ସଂଯୁକ୍ତ କରିବାକୁ ଯାଉଛି । ସରକାର ଦାବି କରୁଛନ୍ତି ଯେ ଏହା କରିବା ଦ୍ୱାରା କାମ କରିବାର ପଦ୍ଧତି ଆହୁରି ଆଧୁନିକ ହୋଇଯିବ । ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ହେଉ କି ବିଦେଶରେ ପଢ଼ୁଥିବା ପିଲାମାନଙ୍କୁ ବ୍ୟାଙ୍କ ଡ୍ରାଫ୍ଟ ପଠାଇବା ହେଉ କିମ୍ବା ରକ୍ଷା ବନ୍ଧନରେ ରାକ୍ଷୀ ପଠାଇବା ହେଉ ଏସବୁ ପାଇଁ ରେଜିଷ୍ଟ୍ରୀ ଡାକ ସେବା ବ୍ୟବହାର କରାଯାଇଥାଏ ।

ସ୍ଵାଧୀନତା ପରଠାରୁ ରେଜିଷ୍ଟ୍ରୀ ଡାକ ସେବାକୁ ବହୁତ ନିର୍ଭରଯୋଗ୍ୟ ବୋଲି ବିବେଚନା କରାଯାଉଥିଲା । ନିଯୁକ୍ତି ପତ୍ର ପଠାଇବା ପାଇଁ ମଧ୍ୟ ସରକାର ଏହାକୁ ବ୍ୟବହାର କରିଆସୁଛନ୍ତି । ଏହାସହିତ, କୋର୍ଟ ଏହା ମାଧ୍ୟମରେ ଆଇନଗତ ନୋଟିସ୍ ପଠାଉଥିଲେ। ନୂଆ ପରିବର୍ତ୍ତନକୁ ନଜରରେ ରଖି ଡାକ ବିଭାଗର ସଚିବ ଏବଂ ମହାନିର୍ଦ୍ଦେଶକ ସମସ୍ତ ବିଭାଗ, କୋର୍ଟ, ପ୍ରତିଷ୍ଠାନ ଏବଂ ସର୍ବସାଧାରଣଙ୍କୁ ସେପ୍ଟେମ୍ବର ୧ ସୁଦ୍ଧା ନୂତନ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ କହିଛନ୍ତି । ଉଭୟ ସେବା ଅଗଷ୍ଟ ୩୧ ପର୍ଯ୍ୟନ୍ତ ପୂର୍ବ ପରି ଜାରି ରହିବ, କିନ୍ତୁ ସେପ୍ଟେମ୍ବର ୧ରୁ ଲୋକମାନଙ୍କୁ ସ୍ପିଡ୍ ପୋଷ୍ଟ ଦ୍ୱାରା ସେମାନଙ୍କର ଜିନିଷ ପଠାଇବାକୁ ପଡ଼ିବ । ଏହିପରି ଭାବରେ, ରେଜିଷ୍ଟ୍ରୀ ଡାକ ସେବାର ଏକ ଯୁଗ ଶେଷ ହେବ ।
ALSO READ https://purvapaksa.com/will-something-big-happen-regarding-jammu-and-kashmir/


