ଗୁଜରାଟ ଷ୍ଟାର୍ଟଅପ୍ ମଡେଲରେ ଓଡ଼ିଶା ଷ୍ଟାର୍ଟଅପ୍ ତଥା ଓ’ ହବ୍କୁ ଅଧିକ କ୍ରିୟାଶୀଳ କରାଯିବ। ଛାତ୍ରଛାତ୍ରୀଙ୍କୁ ଷ୍ଟାର୍ଟଅପ୍ ପ୍ରତି ଅଧିକ ଆକର୍ଷିତ କରାଯିବ। ପାଠପଢ଼ା ସମୟରୁ ଷ୍ଟାର୍ଟଅପ୍ ମନସ୍ତ କରାଯିବ। ଏହାକୁ ଆପଣାଇ କିପରି ଅଧିକ ରୋଜଗାରକ୍ଷମ ହୋଇପାରିବେ ସେଥି ଲାଗି ଗୁରୁତ୍ବ ଦିଆଯିବ। ଏଥି ପାଇଁ ଆଇଟିଆଇଠୁ ଆରମ୍ଭ କରି ଡିପ୍ଲୋମା, ଇଞ୍ଜିନିୟରିଂ ଓ ସାଧାରଣ ଶିକ୍ଷା ସମୟରୁ ପିଲାଙ୍କ ମଧ୍ୟରେ ଷ୍ଟାର୍ଟଅପ୍ର ପ୍ରଚାର ପ୍ରସାର କରାଯିବ। ଇନୋଭେସନ୍, ଇନ୍କ୍ୟୁବେସନ ସେଣ୍ଟରକୁ ଅଧିକ ମାତ୍ରାରେ ଗୁରୁତ୍ବ ଦିଅଯିବ। ଏଥି ପାଇଁ ରାଜ୍ୟରେ ଆସିପାରେ ଷ୍ଟୁଡେଣ୍ଟ୍ ଷ୍ଟାର୍ଟଅପ୍ ପଲିସି । ଯେଉଁଥି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପ୍ରତିନିଧିଦଳ ଗୁଜରାଟ ସ୍ଥିତ ଆଇ-ହବ୍ ପରିଦର୍ଶନରେ ଯାଇଛନ୍ତି । ସେଠାରେ ଏହି ପ୍ରତିନିଧି ଦଳକୁ ଷ୍ଟୁଡେଣ୍ଟ ଷ୍ଟାର୍ଟଅପ୍ ପଲିସି ବିଷୟରେ ଆଇ-ହବ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହିରଣ୍ମୟ ମହନ୍ତ ବୁଝାଇଛନ୍ତି ।
ଖବର ଅନୁଯାୟୀ, ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ୩ ଦିନିଆ ଗୁଜରାଟ ପରିଦର୍ଶନରେ ଯାଇଛନ୍ତି । ଏଥିରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଅମୀୟ କୁମାର ରଥ, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ସାହୁ, ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ଵାଳ ରହିଛନ୍ତି । ଏହି ବିଶ୍ୱବିଦ୍ୟାଳୟଗୁଡିକର ଅଧ୍ୟାପକ, ବିପିୟୁଟି ଅଧୀନରେ ଥିବା ବିଭିନ୍ନ କଲେଜ କର୍ତ୍ତୃପକ୍ଷ ଓ ଉଦ୍ୟୋଗୀମାନେ ଯାଇଛନ୍ତି। ପ୍ରଥମ ଦିନରେ ଗୁଜରାଟରେ ଥିବା ଆଇ-ହବ୍ ପରିଦର୍ଶନ କରିଥିବାବେଳେ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହିରଣ୍ମୟ ମହନ୍ତଙ୍କୁ ଭେଟିଛନ୍ତି। ଆଇ-ହବ୍ର ବିଭିନ୍ନ କାର୍ଯ୍ୟକ୍ରମକୁ ଦେଖିଛନ୍ତି । ଶ୍ରୀ ମହନ୍ତ ଷ୍ଟୁଡେଣ୍ଟ ଷ୍ଟାର୍ଟଅପ୍ ପଲିସି ସଂପର୍କରେ ବୁଝାଇଛନ୍ତି। ଆଇ-ହବ୍ରେ ଥିବା ସଫଳ ଷ୍ଟାର୍ଟଅପଙ୍କ ସହ ଓଡ଼ିଶାର ପ୍ରତିନିଧି ଦଳ ଆଲୋଚନା କରିଥିଲେ ।
ଏହି ଅବସରରେ ବିପିୟୁଟି କୁଳପତି ପ୍ରଫେସର ରଥ କହିଛନ୍ତି, ଗୁଜରାଟ ସରକାର ନିଜ ରାଜ୍ୟରେ ଷ୍ଟାର୍ଟଅପକୁ ଅଧିକ ମାତ୍ରାରେ ପ୍ରଚାରପ୍ରସାର କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକଙ୍କ ଦ୍ଵାରା ଏହାକୁ ପ୍ରଚାର ପ୍ରସାର କରାଯାଉଛି। ଏହି ଷ୍ଟାର୍ଟଅପକୁ ଆଇଟିଆଇ ସ୍ତରରୁ ଡିପ୍ଲୋମା, ଇଞ୍ଜିନିୟରିଂ ସ୍ତର ପର୍ଯ୍ୟନ୍ତ ପ୍ରଚାର ପ୍ରସାର କରାଯାଉଛି। ପିଲାଙ୍କ ଜ୍ଞାନ ପରିସର ସହ ଚିନ୍ତାଧାରାକୁ ବୃଦ୍ଧି କରାଯାଉଛି । ଏକ କମିଟି ରହିଛି ଯାହା ଚୟନ କରେ ଯେ, ପିଲାମାନଙ୍କ ଦ୍ଵାରା ବିକଶିତ ହୋଇଥିବା ଚିନ୍ତାଧାରାକୁ ଆଗକୁ ନେବା ପାଇଁ ପାଣ୍ଠି ଯୋଗାଇବେ କି ନାହିଁ । ଭଲ ଚିନ୍ତାଧାରା ନେଇ କରିଥିବା ପ୍ଲାନିଂକୁ ପାଣ୍ଠି ଯୋଗାଇ ଦିଆଯାଇଥାଏ। ସାଟେଲାଇଟ୍ଠୁ ଆରମ୍ଭ କରି ସ୍ବାସ୍ଥ୍ୟସେବା, ଶକ୍ତି ଭଳି କ୍ଷେତ୍ରରେ ପିଲାମାନେ ନିଜର ଷ୍ଟାର୍ଟଅପ୍ ଚିନ୍ତାଧାରାକୁ ବିକଶିତ କରୁଛନ୍ତି। ବ୍ୟାଟେରୀ ଦ୍ୱାରା ଚାଳିତ ସାଇକେଲ ହେଉ କି ଅଟୋ ରିକ୍ସା ଭଳି ଷ୍ଟାର୍ଟଅପ୍ କରି ପିଲାମାନେ ଭଲ ରୋଜଗାର କରୁ ଛନ୍ତି । ଗୁଜୁରାଟରେ ଷ୍ଟାର୍ଟଅପ୍ ପଲିସିକୁ ଅଧିକ ମାତ୍ରାରେ ପ୍ରଚାର ପ୍ରସାର କରାଯାଉଛି । ଏଥିରୁ କିପରି ପିଲାମାନେ ଫାଇଦା ପାଇପାରିବେ ସେଥିଲାଗି ମଧ୍ୟ କାର୍ଯ୍ୟକ୍ରମ କରାଯାଉଛି। ଗୁଜରାଟ ଆଇ-ହବ୍ରେ କେବଳ ଗୁଜରାଟ ପିଲା ନୁହେଁ ସାରା ଭାରତବର୍ଷରୁ ପିଲାମାନେ ଆସି ଷ୍ଟାର୍ଟଅପ୍ କରୁଛନ୍ତି। ଓଡ଼ିଶା ପିଲାମାନେ ମଧ୍ୟ ଆସି ଏଠାରେ ଷ୍ଟାର୍ଟଅପ୍ କରିଛନ୍ତି।
ଉଦ୍ୟୋଗୀ ବିନୋଦ ଦାସ କହିଛନ୍ତି, ଏଠାରେ ଆପଣଯାଇଥିବା ପଲିସି ଆମ ରାଜ୍ୟରେ କିପରି ଭାବେ ଲାଗୁ କରାଯାଇ ଅଧିକ ମାତ୍ରାରେ ଷ୍ଟାର୍ଟଅପକୁ ପ୍ରଚାର ପ୍ରସାର କରାଯିବ ସେଥିଲାଗି ସରକାରଙ୍କୁ ପରାମର୍ଶ ଦେବୁ। ଏଥିସହ ବିଭାଗୀୟ ମନ୍ତ୍ରୀ, ସଚିବଙ୍କୁ ଏହି କେନ୍ଦ୍ର ବୁଲିବାକୁ ଅନୁରୋଧ କରିବୁ। ଓୟୁଟିଆର୍ କୁଳପତି ପ୍ରଫେସର ବିଶ୍ଵାଳ କହିଛନ୍ତି, ସେମାନେ ଭାରତୀୟ ଉଦ୍ୟୋଗ ବିକାଶ ପ୍ରତିଷ୍ଠାନ, ଆଇଆଇଏମ୍, ଗୁଜରାଟରେ ଥିବା ଓ ବିଭିନ୍ନ ଫାର୍ମାସୀ ଶିକ୍ଷାନୁଷ୍ଠାନ, ଏନଆଇଡି ଏବଂ ବିଭିନ୍ନ ବିଶ୍ଵବିଦ୍ୟାଳୟ ଆଦି ପରିଦର୍ଶନ କରିବେ ।
Also Readhttps://purvapaksa.com/indians-lost-rs-580-crore-to-digital-payment-frauds-in-last-5-yrs/


