ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନବଯୌବନ ବେଶର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ରାତି ପାହିଲେ ରଥଯାତ୍ରା। ଆପଣଙ୍କୁ ଆଜି ଓଡ଼ିଶା ରାଜନୀତି କଥା କହିବାକୁ ବିଷୟ ବାଛିବାବେଳେ ଅନ୍ତର୍ବେଦୀ ରାଜା ଜୟଚନ୍ଦ୍ରଙ୍କ କଥା ମନେପଡ଼ୁଛି। ସେହି ଜୟଚନ୍ଦ୍ର ଯିଏ ଗଙ୍ଗାକୂଳରେ କନୌଜ ଓ ବାରଣାସୀ ଭଳି ସହରକୁ ଶାସନ କରୁଥିଲେ। ଯାହାଙ୍କ ରାଜ୍ୟରେ ଅନେକ ବିଦ୍ୱାନ ପ୍ରତିଦିନ ଗଢ଼ା ହେଉଥିଲେ, ସାରାଦେଶର ହିନ୍ଦୁ ପଣ୍ଡିତମାନଙ୍କର ଏଥିପ୍ରତି ଆକର୍ଷଣ ଥିଲା। ଆଜିକା ବିହାର ଓ ଉତ୍ତର ପ୍ରଦେଶର ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିଲା ତାଙ୍କ ରାଜ୍ୟ ଅନ୍ତର୍ବେଦୀ। ହେଲେ ୧୧୯୪ ମସିହାରେ ଯମୁନା ନଦୀକୂଳରେ ଘୋରୀ ବଂଶର ସେନାଧ୍ୟକ୍ଷ କୁତବୁଦ୍ଦିନ୍ ଆଇବାକଙ୍କ ସହ ଯୁଦ୍ଧରେ ତାଙ୍କ ଜୀବନ ଚାଲିଯାଇଥିଲା।
ମୃତ୍ୟୁର ଅନେକ ବର୍ଷ ପରେ ଗୋଟିଏ କବିତା ସାମ୍ନାକୁ ଆସିଲା; ଯେଉଁଥିରେ ତାଙ୍କର ସବୁଗୁଣ ପାଣିରେ ପଡ଼ି ଅସାର ହୋଇଗଲା। ସେ ପରିଚିତ ହେଲେ ଜଣେ କୃତଘ୍ନ ଧୋକାବାଜ୍ ଭାବରେ। ଏହି କବିତା ଅନୁସାରେ ପୃଥ୍ୱୀରାଜ ଚୌହାନଙ୍କୁ ପରାଜିତ କରିବା ଲାଗି ସେ ଖୋଦ୍ ଘୋରୀ ବଂଶର ସମ୍ରାଟ୍ମାନଙ୍କୁ ପ୍ରଲୋଭନ ଦେଖାଇ ଭାରତ ଆଣିଥିଲେ। ଆଜି ବିଜେଡିରେ ସେମିତି ପରିସ୍ଥିତି ସୃଷ୍ଟି ହେବାପରି ପ୍ରତୀତ ହେଉଛି। ନିଜର କିଛି କ୍ଷୁଦ୍ର ଲାଭ ଲାଗି ଓଡ଼ିଶାର ସ୍ୱାର୍ଥକୁ ବାଜି ଲଗାଉଛନ୍ତି କିଛି ନେତା। କିଏ ଏଠାରେ ପୃଥ୍ୱୀରାଜ, କିଏ ଚୟଚନ୍ଦ୍ର ଆସନ୍ତୁ ଜାଣିବା।
ବିଜୁ ଜନତା ଦଳରେ ଥିବା ପ୍ରାୟ ୨୦ଜଣ ପାଣ୍ଡିଆନ୍ ପନ୍ଥୀ ନେତାମାନେ ଗତକାଲି ମୁମ୍ବାଇରେ ଚିକିତ୍ସିତ ହେଉଥିବା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଯାଇଥିଲେ। ଦଳର ସଦସ୍ୟମାନେ ତାଙ୍କ ଦଳର ସଭାପତି ନବୀନଙ୍କୁ ଭେଟିବାରେ କୌଣସି ଅସୁବିଧା ନାହିଁ। ଅସୁବିଧାଟି ହେଉଛି ବିଜୁ ପଟ୍ଟନାୟକ ବଞ୍ଚିଥିବା ସମୟରୁ ନବୀନଙ୍କ ୨୪ ବର୍ଷର ଶାସନକାଳ ଭିତରେ ଯିଏ ରାଜ୍ୟ ରାଜନୀତିରେ ଆଦୌ ମୁଣ୍ଡ ପୁରାଇବାକୁ ଅନିଚ୍ଛୁକ ଥିଲେ ତାହାଙ୍କୁ ଏହି ନେତାମାନେ ଭେଟି ଦଳର ରାଜନୀତି କଥା ଆଳୋଚନା କରିଛନ୍ତି। ସେ ହେଲେ ବିଜୁଙ୍କ ବଡ଼ ପୁଅ ପ୍ରେମ ପଟ୍ଟନାୟକ। ପ୍ରେମ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କର ଅନ୍ତିମ ସମୟରେ ତାଙ୍କର ଦାୟିତ୍ୱ ନେଇନଥିଲେ। ତେଣୁ ବିଜୁ ବାବୁଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ଦିଲ୍ଲୀପ ରାୟ ତାଙ୍କର ଅନ୍ତିମ ସମୟରେ ସେବା ଶୁଶ୍ରୁଷା କରିଥିଲେ। ଏପରିକି ବିଜୁଙ୍କ ଚିତାଭସ୍ମ ପ୍ରମ ପଟ୍ଟନାୟକ କିମ୍ବା ନବୀନ ପଟ୍ଟନାୟକଙ୍କ ପାଖରେ ନ ଥିଲା। ତାହା ଥିଲା ବିଜୟ ମହାପାତ୍ରଙ୍କ ପାଖରେ। ଏକଥା ସର୍ବଜନ ବିଦିତ।
ବିଜୁ ଜନତା ଦଳ ଗଠନ ହେବା ପରେ ପ୍ରତିଷ୍ଠାତା ସଦସ୍ୟମାନେ ନିଜର କ୍ଷମତା ଓ ସାମର୍ଥ୍ୟ ଉପରେ ଭରଷା କରିପାରିନଥିଲେ। ତେଣୁ ସେମାନେ ନବୀନ ପଟ୍ଟନାୟକଙ୍କୁ ଡାକି ଆଣି ବିଜୁ ଜନତା ଦଳର ନେତା କଲେ। ନବୀନ ନେତା ହେବା ପରେ ପ୍ରଥମେ ତାଙ୍କୁ ଡାକି ଆଣିଥିବା ନେତାମାନଙ୍କୁ ଦଳରୁ ବାହାର ରାସ୍ତା ଦେଖାଇଥିଲେ। ଏପରିକି ତାଙ୍କୁ ସରକାରରେ ସହାୟତା କରୁଥିବା ଅଧିକାରୀମାନଙ୍କୁ ମଧ୍ୟ ବିପଦରେ ପକାଇଛନ୍ତି। ଏଥିରୁ ବିଜୁ ଜନତା ଦଳର ନେତାମାନେ କିଛି ଶିକ୍ଷା ଲାଭ କରିନାହାନ୍ତି। ତେଣୁ ସେମାନେ ଆଉ ଗୋଟିଏ ଭୁଲ କରିବାକୁ ଯାଉଛନ୍ତି।
ସେ ଭୁଲଟି ହେଉଛି ରାଜ୍ୟ ରାଜନୀତି କିମ୍ବା ବିଜୁ ଜନତା ଦଳର ବ୍ୟାପାରରେ ଆଦୌ ମୁଣ୍ଡ ପୁରାଉ ନ ଥିବା ବିଜୁଙ୍କ ବଡ଼ ପୁଅ ପ୍ରେମ ପଟ୍ଟନାୟକଙ୍କ ଶରଣକୁ ଯାଇଛନ୍ତି ପାଣ୍ଡିଆନ୍ ପନ୍ଥୀ ନେତାମାନେ। ଏହି ନେତାମାନଙ୍କ ବକ୍ତବ୍ୟ ଅନୁସାରେ ସେମାନେ ଦଳୀୟ ବ୍ୟାପାର ନେଇ ପ୍ରେମ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଛନ୍ତି। କିନ୍ତୁ କ’ଣ ଆଲୋଚନା କରିଛନ୍ତି ତାହା ସେମାନେ କହୁନାହାନ୍ତି। ଯାହାକି ରାଜ୍ୟବାସୀଙ୍କ ମନରେ ସନ୍ଦେହ ଓ ଆଶଙ୍କା ସୃଷ୍ଟି କରୁଛି।
ଏଠାରେ ଆଉ ଗୋଟି କଥା ଆପଣମାନଙ୍କ ନଜରକୁ ଆଣିବି। ଗତ ୨୪ ବର୍ଷ ଧରି ପ୍ରେମ ପଟ୍ଟନାୟକ ତାଙ୍କ ସାନ ଭାଇ ନବୀନଙ୍କ ହାନୀ ଲାଭ ଉପରେ କୌଣସି ମନ୍ତବ୍ୟ ଦେଇନାହାନ୍ତି। ଏପରିକି ନବୀନ ପଟ୍ଟନାୟକ ମୁମ୍ବାଇ ଚିକିତ୍ସା ପାଇଁ ଯିବା ପୂର୍ବରୁ ବିଜୁ ଜନତା ଦଳର କର୍ମୀ ଓ ରାଜ୍ୟବାସୀଙ୍କୁ କୌଣସି ବାର୍ତ୍ତା ଦେଇନଥିଲେ ସେ ହଠାତ୍ ନବୀନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଏକ ଭିଡିଓ ବାର୍ତ୍ତା ଜାରୀ କରିଥିଲେ। ନବୀନଙ୍କ ଚିକିତ୍ସା କରୁଥିବା ଡା. ରମାକାନ୍ତ ପଣ୍ଡା ସୂଚନା ଦେବା ପରେ ପ୍ରେମ ପଟ୍ଟନାୟକଙ୍କ ସୂଚନା ଆଉ କ’ଣ ଆବଶ୍ୟକତା ଥିଲା? କାହା ପାଇଁ ବା କାହାର ହିତସାଧନ ସେ ଏପରି ବାର୍ତ୍ତା ଦେଇଥିଲେ ତାହା ଏବେ ରାଜନୀତିକ ମହଲରେ ଆଲୋଚନାର ବିଷୟବସ୍ତୁ ପାଲଟିଛି।
ଏପରିକି ପ୍ରେମ ପଟ୍ଟନାୟକ ପାଣ୍ଡିଆନ୍ଙ୍କ ଦ୍ୱାରା ଲେଖାଯାଇଥିବା ବାର୍ତ୍ତାକୁ ପଢ଼ି ଭିଡିଓ କରିଛନ୍ତି ବୋଲି କୁହାଯାଉଛି। କାରଣ ପ୍ରେମ ପଟ୍ଟନାୟକ ନିଜେ ରାଜନୀତିକୁ ଆସିବେ ନାହିଁ ବୋଲି ପୂର୍ବରୁ କହିସାରିଛନ୍ତି। ଏପରିକି ତାଙ୍କ ପୁଅ ଅରୁଣ ପଟ୍ଟନାୟକ ମଧ୍ୟ ରାଜନୀତିରେ ରୁଚି ରଖୁନାହାନ୍ତି। ଏଭଳି ପରିସ୍ଥିତିରେ ସେ ରାଜ୍ୟବାସୀଙ୍କୁ ନବୀନଙ୍କ ସ୍ୱାସ୍ଥାବସ୍ଥା ନେଇ ବାର୍ତ୍ତା ଦେବା ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ନିଜର ରାଜନୈତିକ ସ୍ଥିତିକୁ ଦୃଢ଼ କରିବା ପାଇଁ ପାଣ୍ଡିଆନ୍ ପ୍ରେମ ପଟ୍ଟନାୟକଙ୍କୁ ନିଜ ଫାଶରେ ପକାଇ ସାରିଲେଣି ବୋଲି ଆଲୋଚନା ହେଉଛି।
ଏପରି ପରିସ୍ଥିତିରେ ପାଣ୍ଡିଆନ ପନ୍ଥୀ ବିଜୁ ଜନତା ଦଳର ନେତାମାନେ ପ୍ରେମ ପଟ୍ଟନାୟକଙ୍କୁ ଭେଟିବା ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ସେଥିମଧ୍ୟରୁ ମୁଖ୍ୟ କଥାଟି ହେଲା ପାଣ୍ଡିଆନ୍ କିମ୍ବା ତାଙ୍କ ପତ୍ନୀ ସୁଜାତାଙ୍କୁ ଦଳର ଦାୟିତ୍ୱ ଦେବା ପାଇଁ ଏହି ନେତାମାନେ ପ୍ରେମ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଛନ୍ତି ବୋଲି ନିଜ ନାମ ଗୋପନ ରଖିବା ସର୍ତ୍ତରେ ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା କହିଛନ୍ତି। ତାଙ୍କ କହିବା ଅନୁସାରେ ଏହି ପାଣ୍ଡିଆନ୍ ପନ୍ଥୀ ନେତାମାନେ ପନିଜର ବ୍ୟବସାୟ ଓ ରାଜନୀତିକୁ ବଞ୍ଚାଇ ରଖିବା ପାଇଁ ପାଣ୍ଡିଆନ୍ଙ୍କୁ ଦଳର ମୁଖିଆ ଭାବରେ ନିଯୁକ୍ତି କରିବାକୁ ଯୁକ୍ତି କରୁଛନ୍ତି। ସେମାନଙ୍କ ଯୁକ୍ତି ଅନୁସାରେ ନବୀନଙ୍କ ପରେ ପାଣ୍ଡିଆନ୍ ହିଁ ଦଳକୁ ଏକଜୁଟ୍ ରଖିପାରିବେ। ଅନ୍ୟ କେହି ହେଲେ ଅତୀତର ଜନତା ଦଳ ଏବଂ ଜନମୋର୍ଚ୍ଚା ଭଳି ବିଜୁ ଜନତା ଦଳ ଖଣ୍ଡ ବିଖଣ୍ଡିତ ହୋଇଯିବ।
ଯଦି ବିଜେଡିରେ ଏପରି ରାଜନୀତି ଚାଲେ ତେବେ ଦଳରେ ବିଦ୍ରୋହ ହେବା ଓ ଦଳ ଖଣ୍ଡବିଖଣ୍ଡିତ ହେବା ଥୟ ବୋଲି ଅନେକ ପାଣ୍ଡିଆନ୍ ବିରୋଧୀ ଦୃଢ଼ୋକ୍ତି ପ୍ରକାଶ କରିୁଛନ୍ତି। ଏହି ନେତାମାନଙ୍କ ମତରେ ଏବେ ବିଜୁ ଜନତା ଦଳରେ ପାଣ୍ଡିଆନ୍ଙ୍କ ବଳରେ କିଛି ଜୟଚନ୍ଦ୍ରମାନଙ୍କର ଉତ୍ପାତ ବଢ଼ିଛି। ସେମାନେ କେବଳ ପାଣ୍ଡିଆନ୍ ନାମକୁ କଣ୍ଠମାଳୀ କରି ଜପ କରୁଛନ୍ତି। ପାଣ୍ଡିଆନ୍ଙ୍କ ଯୋଗୁ ବିଜୁ ଜନତା ଦଳ ନିର୍ବାଚନ ହାରିଥିଲେ ମଧ୍ୟ ତାଙ୍କ ଚେଲାଚାମୁଣ୍ଡାମାନେ ତାଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି। ତେଣୁ ସେମାନେ ନବୀନଙ୍କ ଅନ୍ତେ ପାଣ୍ଡିଆନ୍ଙ୍କୁ ଦଳର ନେତାଭାବେ ଉପସ୍ଥାପିତ କରିବାକୁ ଚାହୁଁଛନ୍ତି।
ଇତିହାସ ସାକ୍ଷୀ ରହିଛି। ସ୍ୱାଭିମାନୀ ଓଡ଼ିଶାର ଜନସାଧାରଣ କେବେ ବି ରାଜ୍ୟ ସ୍ୱାର୍ଥ ବିରୋଧୀ ନେତାଙ୍କୁ କ୍ଷମା ପ୍ରଦାନ କରିନାହିଁ। ଯଦି ବିଜେଡିର ଜୟଚନ୍ଦ୍ରମାନେ ଦଳର ବରିଷ୍ଠ ତଥା ପ୍ରତିଷ୍ଠାତା ସଦସ୍ୟମାନଙ୍କୁ ଅସମ୍ମାନ କରି ବାହ୍ୟଶକ୍ତି ହାତରେ ଦଳର କ୍ଷମତା ଅର୍ପଣ କରନ୍ତି ତେବେ ସେମାନେ ଅତୀତ ଭଳି ସମାନ ଦଶା ଭୋଗିବେ। ନାଁ ଆପଣମାନେ କ’ଣ କହୁଛନ୍ତି।
Also readhttps://purvapaksa.com/how-did-nandini-get-ruined-by-sycophancy/
How did Nandini get ruined by sycophancy? ।। ନନ୍ଦିନୀ କେମିତି ତୋଷାମଦ କରି ବରବାଦ ହେଲେ
