ରାଜ୍ୟରେ ବଡ଼ କଷ୍ଟରେ ସରକାର ଗଠନ କରିଛି ବିଜେପି। ଇତି ମଧ୍ୟରେ ପ୍ରଥମ ବିଜେପି ସରକାରକୁ ଏକ ବର୍ଷ ବି ପୂରିଛି। କିନ୍ତୁ ଯେଉଁ ରୋଗରେ ଆକ୍ରାନ୍ତ ହୋଇ ଅଢ଼େଇ ଦଶନ୍ଧି ତଳେ ନିଜର ନିପାତର ବିଷମଞ୍ଜି ବୁଣିଥିଲା କଂଗ୍ରେସ ସେହି ବିଷମଞ୍ଜିକୁ ବିହନ କରିଛି ବିଜେପି। ଅର୍ଥାତ୍ କଂଗ୍ରେସ ରୋଗ ସରକାରୀ ଦଳକୁ ବ୍ୟାପିଛି। ଏଠାରେ ନେତା ଆଗ ନେତା ହୋଇ ନାହାନ୍ତି। ପୁଣି ମନ୍ତ୍ରୀ କେବଳ ପଦକୁ ମାତ୍ର। ଅଫିସରଙ୍କୁ ନିୟନ୍ତ୍ରଣ କରିପାରୁ ନାହାନ୍ତି ସରକାର। ହାତ ଟେକି ଦେଇ ମନ୍ତ୍ରିମଣ୍ଡଳ ଅପେକ୍ଷା କରୁଛନ୍ତି କେନ୍ଦ୍ରୀୟ ନିଷ୍ପତ୍ତିକୁ। ଆଉ ମୁଖ୍ୟମନ୍ତ୍ରୀ କୌଣସି ସୁପର ପାଓ୍ୱାରଙ୍କ ନିର୍ଦ୍ଦେଶକୁ।
ଆଜି ରଜର ପ୍ରଥମ ଦିନ। ରାଜ୍ୟର ବିଭିନ୍ନ ଆଡ଼େ ହର୍ଷ ଓ ଉଲ୍ଲାସର ବାତାବରଣ। ସରକାର ବି ଏହି ଅବସରରେ ନିଜର ପ୍ରଚାର କରିବାକୁ ଭୁଲି ନାହାନ୍ତି। ବିଜେପି ରଙ୍ଗରେ ବିଭିନ୍ନ ଖବରକାଗଜରେ ଆଜି ସରକାରଙ୍କ ପକ୍ଷରୁ ବିଜ୍ଞାପନ ଛପାଯାଇଛି। କିନ୍ତୁ ସରକାରରେ ସବୁକିଛି ଠିକ୍ ଚାଲିଲା ଭଳି ଜଣାପଡ଼ୁନି। ମନ୍ତ୍ରୀମାନଙ୍କ ଭିତରୁ ଅନେକ ଏବେ ହତୋଽତ୍ସାହିତ ହୋଇ ରହିଛନ୍ତି। ସରକାରରେ ଅଧିକାରୀ ଓ ମନ୍ତ୍ରୀଙ୍କ ଭିତରେ ପଡ଼ୁ ନାହିଁ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟମାନଙ୍କ କଥା ରହୁଥିବା କୁହାଯାଉଛି। କିନ୍ତୁ ବାହାରକୁ କୌଣସି ନାଁ ଲେଖା କାର୍ଯ୍ୟକ୍ରମ ହେଲେ ମୁଖ୍ୟମନ୍ତ୍ରୀ ସଜବାଜ ହୋଇ ବାହାରୁଛନ୍ତି। ଯେମିତି ଅତୀତରେ ୟୁପିଏ ସରକାର ସମୟରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନିଜର ନିଷ୍ପତ୍ତି ନେବାପାଇଁ ୧୦ ଜନପଥର ନିର୍ଦ୍ଦେଶକୁ ଅପେକ୍ଷା କରୁଥିଲେ ସେମିତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ଚତୁରତାର ସହ ବିନା ନିର୍ଦ୍ଦେଶରେ ପତ୍ରଟିଏ ବି ତୋଳୁ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି।
ଏହା ତାଙ୍କ ପଦ ବଞ୍ଚାଇବା ପାଇଁ ଉଦ୍ଦିଷ୍ଟ ହୋଇପାରେ କିନ୍ତୁ ରାଜ୍ୟ ପାଇଁ ଏହା ଏକ ସୁସ୍ଥ ଗଣତନ୍ତ୍ରର ପରିଚୟ ଦେଉ ନାହିଁ। କାରଣ ମୁଖ୍ୟମନ୍ତ୍ରୀ କେବେ ଚାକିରିଆ ହୋଇ ନ ପାରନ୍ତି। ସେ ସାଢ଼େ ଚାରିକୋଟି ଲୋକଙ୍କ ପ୍ରତିନିଧି। ଅବଶ୍ୟ ଏହି ରୋଗ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ପାଖରେ ନାହିଁ। ସେଠି ନିଷ୍ପତ୍ତି ନେବାରେ ଅସ୍ପଷ୍ଟତା ଦେଖିବାକୁ ମିଳେ ନାହିଁ। କିନ୍ତୁ ଆମ ରାଜ୍ୟରେ ଏପରି ଘଟଣା ପୂର୍ବରୁ ଘଟିଛି। ଯେଉଁଠି ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖି ନିଷ୍ପତ୍ତି ନିଆଯାଇଛି। ରାତି ନ ପାହୁଣୁ ତାଙ୍କ କୁର୍ସିକୁ ହଡ଼ପ କରିବାକୁ ଷଡ଼ଯନ୍ତ୍ର ହୋଇଛି। ବିଶେଷକରି କଂଗ୍ରେସ ଶାସନରେ ଏହି ଅବସ୍ଥା ଦେଖିବାକୁ ମିଳିଥିଲା। ବିଜୁ ବାବୁଙ୍କ ସମୟର କଂଗ୍ରେସ ଶାସନ କଥା କୁହନ୍ତୁ ବା ନନ୍ଦିନୀ ଶତପଥିଙ୍କର ଅଥବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ସମୟରେ ବି ଏପରି ଦୋହରି ମୁରବୀ ବ୍ୟବସ୍ଥା ଦେଖିବାକୁ ମିଳିଥିଲା।
ଆପଣଙ୍କୁ ରୋଗ କଥା କହିବା ପୂର୍ବରୁ ରୋଗର ଲକ୍ଷ୍ଣ ବାବଦରେ କିଛି ସୂଚନା ଦେଉଛି। ପ୍ରଥମ କଥା ହେଉଛି ଏ ରୋଗ ବ୍ୟାପିଲେ କ୍ଷମତାସୀନ ମନ୍ତ୍ରୀଙ୍କ ଆସନ ବି ଟଳମଳ ହେଉଥାଏ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିଛି ମେଣ୍ଟ ଯାଇ କେନ୍ଦ୍ରୀୟ ନେତାଙ୍କ ଘରେ, କାର୍ଯ୍ୟାଳୟରେ, କଫି ହାଉସରେ ବସି ଗପ କରନ୍ତି। ତାଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଲବି କରନ୍ତି। ସ୍ୱାଧୀନତା ପରେ ସରକାର ଗଠନ ବେଳରୁ ହିଁ ଏହି ସମସ୍ୟା ଚାଲି ଆସିଛି।
ପ୍ରଥମ ବିଧାନସଭା କଥା ଟିକେ ମନେପକାଉଛି। ଏହା ଏକ ବିସ୍ତୃତ ଅଧ୍ୟାୟ କିନ୍ତୁ ସଂକ୍ଷେପରେ ଏ ବିଷୟକୁ କହିବା ଲାଗି ଚାହେଁ। ଏହି ସମୟରେ କଂଗ୍ରେସ ୬୭ ଆସନରେ ଜିତିଥିଲା। ଆଉ ମୁଖ୍ୟମନ୍ତ୍ରୀ ହୋଇଥିଲେ ନବକୃଷ୍ଣ ଚୌଧୁରୀ। ହେଲେ ହରେକୃଷ୍ଣ ମହତାବଙ୍କ ମୁଖ୍ୟମନ୍ତ୍ରୀ ହେବାର ନିଶା ଜୋର ରହିଥିଲା। ସ୍ୱାଧୀନ ଓଡ଼ିଶାର ଶେଷ ପ୍ରଧାନମନ୍ତ୍ରୀ ଓ କାମଚଳା ମୁଖ୍ୟମନ୍ତ୍ରୀ ସେ ଥିଲେ। ଏଣୁ ୧୯୫୨ ନିର୍ବାଚନ ପରେ ସେ ହିଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହିଁଥିଲେ।
ହେଲେ ବିଧି ଅଲଗା ଚାହୁଁଥିଲା। ଓଡ଼ିଶା ରାଜନୀତିରୁ ଦୂରେଇ ରଖିବା ପାଇଁ କଂଗ୍ରେସ କର୍ତ୍ତୃପକ୍ଷ ତାଙ୍କୁ ବମ୍ବେ ରାଜ୍ୟପାଳ କରି ପଠାଇଥିଲା। ହେଲେ ଛାଡ଼ିବା ଲୋକ ନ ଥିଲେ ମହତାବ। ଏମିତି ଅଙ୍କ ତିଆରି କଲେ ଯେ ତାହାର ସମାଧାନ ସୂତ୍ର କେବଳ ମହତାବଙ୍କ ହାତରେ ହିଁ ରହିଥିଲା। ନବକୃଷ୍ଣ ଚୌଧୁରୀ ମାତ୍ର ଦୁଇବର୍ଷ ମୁଖ୍ୟମନ୍ତ୍ରୀ ହେବା ପରେ ହରେକୃଷ୍ଣ ମହତାବ ବମ୍ବେ ରାଜ୍ୟପାଳ ପଦବୀ ଛାଡ଼ି ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ।
ଦ୍ୱିତୀୟ ବିଧାନସଭାରେ ମିଳିତ ମନ୍ତ୍ରିମଣ୍ଡଳ ହୋଇଥିଲା। ତାହା ବି ଦୁଇବର୍ଷ ନ ପୂରୁଣୁ ଭାଙ୍ଗିଲା। କେନ୍ଦ୍ର ସରକାର ଓଡ଼ିଶାରେ ପ୍ରଥମ ରାଷ୍ଟ୍ରପତି ଶାସନ ଲାଗୁ କରିଥିଲେ।
ସେହିପରି ୧୯୬୧ ମସିହାରେ ରାଜ୍ୟରେ ୮୨ ଆସନ ଜିତି ମୁଖ୍ୟମନ୍ତ୍ରୀ ହୋଇଥିବା ବିଜୟାନନ୍ଦ ପଟ୍ଟନାୟକ ଓରଫ୍ ବିଜୁ ପଟ୍ଟନାୟକ ବି ଏମିତି ଷଡ଼ଯନ୍ତ୍ରର ଶିକାର ହୋଇଥିଲେ। ଫଳରେ ମାତ୍ର ଦୁଇବର୍ଷ ଶାସନରେ ରହି ଇସ୍ତଫା ଦେଇଥିଲେ। ସେତେବେଳେ କାମରାଜ ପ୍ଲାନ୍କୁ ଲାଗୁ କରିବା ନେଇ ଏପରି ବିରଳ ଘଟଣା ସୃଷ୍ଟି ହୋଇଥିଲା।
ବିଜୁଙ୍କ ଇସ୍ତଫା ପରେ ବୀରେନ୍ ମିତ୍ର ମୁଖ୍ୟମନ୍ତ୍ରୀ ହେଲେ। ତାଙ୍କୁ ବିଜୁଙ୍କ ଭଲ ବନ୍ଧୁଭାବେ ଗ୍ରହଣ କରାଯାଏ। ହେଲେ ସେ ବି ଅଧିକ ଦିନ ତିଷ୍ଠି ପାରିଲେ ନାହିଁ। ଫଳରେ ପାଞ୍ଚବର୍ଷର ବିଧାନସଭାରେ ତିନିଜଣ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳ ଶାସନ କରିଥିଲେ। ଏହି ସମୟରେ ତୃତୀୟ ମନ୍ତ୍ରିମଣ୍ଡଳର ପୁରୋଧା ତଥା ମୁଖ୍ୟମନ୍ତ୍ରୀ ହେଲେ ସଦାଶିବ ତ୍ରିପାଠୀ।
କଂଗ୍ରେସର ଏହିପରି ରାଜ୍ୟପ୍ରତି ବୈମାତୃକ କ୍ଷମତା ପ୍ରୟୋଗକୁ ରାଜ୍ୟବାସୀ ପସନ୍ଦ କଲେ ନାହିଁ। ଫଳରେ ଚତୁର୍ଥ ନିର୍ବାଚନରୁ ରାଜ୍ୟରେ ଆରମ୍ଭ ହେଲା ଅଣ କଂଗ୍ରେସ ରାଜନୀତି। କିନ୍ତୁ ଆଜିର ୟୁପିଏ ମେଣ୍ଟ ଏବଂ ଏହା ପୂର୍ବ ତୃତୀୟ ସାମ୍ମୁଖ୍ୟ ଭଳି ସେତେବେଳେ କଂଗ୍ରେସ ମେଣ୍ଟର ଅବସ୍ଥା ଥିଲା। ପ୍ରତିଟି ଦଳ ଚାହୁଁଥିଲେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେବେ। ଏହିକ୍ରମରେ ରାଜନୀତି ଜଟିଳତା ଦେଇ ଗତି କଲା।
ପଞ୍ଚମ ବିଧାନସଭାରେ ଦେଖିବାକୁ ମିଳିଲା କେନ୍ଦ୍ରୀୟ କଂଗ୍ରେସ ନେତୃତ୍ୱଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ। ଏହି ସମୟରେ ବିଶ୍ୱନାଥ ଦାସଙ୍କ ସରକାରକୁ ଉଚ୍ଛେଦ କରି କଂଗ୍ରେସ ରାଜ୍ୟସଭା ସାଂସଦ ନନ୍ଦିନୀ ଶତପଥିଙ୍କ ନେତୃତ୍ୱରେ ସରକାର ଗଠନ ପାଇଁ ଚାହିଁଲା। ତାହା ମଧ୍ୟ ବାସ୍ତବରେ ପରିଣତ ହେଲା। ନନ୍ଦିନୀ ଏହି ସମୟରେ ଏକ ବର୍ଷରୁ କମ୍ ସମୟ ଶାସନ କରିଲେ। କିନ୍ତୁ ରାଜ୍ୟରେ ଆଇରନ୍ ଲେଡି ଭାବେ ପରିଚୟ ନେଇ ପୁଣି ନିର୍ବାଚନ ଜିତିଲେ। ୧୯୭୪ ମସିହା ଫେବୃୟାରୀରେ ଶପଥ ଗ୍ରହଣ କରିଥିଲେ। କିନ୍ତୁ ସବୁକିଛି ଠିକ୍ ଚାଲିଲା ନାହିଁ।
କେନ୍ଦ୍ରର ହସ୍ତକ୍ଷେପ ପରେ ରାଜ୍ୟରେ ରାଜନୀତିକ ଅସ୍ଥିରତା ଲାଗି ରହିଲା। ଆଉ ନନ୍ଦିନୀ ଶତପଥିଙ୍କ ମନ୍ତ୍ରିମଣ୍ଡଳ ୧୯୭୬ ଡିସେମ୍ବର ମାସରେ ଅର୍ଥାତ୍ ପ୍ରାୟ ୨ ବର୍ଷ ଶାସନ ପରେ ଇସ୍ତଫା ଦେଇଥିଲେ। ଏହାପରେ ବିନାୟକ ଆଚାର୍ଯ୍ୟ ହୋଇଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ସେ ବି କଂଗ୍ରେସ କନ୍ଦଳକୁ ପ୍ରଶମିତ କରିବାରେ ସକ୍ଷମ ହୋଇପାରିନଥିଲେ। ଫଳରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା।
ଏହାପରେ କଂଗ୍ରେସ ସଂଗଠନ ଖିନଭିନ୍ ହୋଇଯାଇଥିଲା। ନେତୃତ୍ୱ ନେବା ପାଇଁ ନେତାଙ୍କ ଅଭାବ ରହିଥିଲା। ସମସ୍ତେ କିନ୍ତୁ ଚାହୁଁଥିଲେ ମୁଖ୍ୟମନ୍ତ୍ରୀ ହେବେ। ଯେମିତି ରାଜ୍ୟରେ ଏବେ ବିଜେପି ଶାସନରେ ଦେଖିବାକୁ ମିଳୁଛି। ଏଠାରେ ନେତାଙ୍କ ଅଭାବ ନାହିଁ କିନ୍ତୁ ନେତାଙ୍କୁ ନେତା ବୋଲି ମାନିବା ଲାଗି ଲୋକଙ୍କ ଅଭାବ ରହିଛି। ଫଳରେ ଆଜି ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶାସନ କରୁଥିଲେ ବି ଅଫିସର ବି ତାଙ୍କ କଥା ଶୁଣୁ ନାହାନ୍ତି ବୋଲି ଅଭିଯୋଗ ହେଉଛି। ବାରମ୍ବାର ମୁଖ୍ୟମନ୍ତ୍ରୀ ଏ ବିଷୟରେ ପରୋକ୍ଷରେ ସ୍ପଷ୍ଟ କରିଛନ୍ତି।
ଜନ ପ୍ରତିନିଧିଙ୍କ କଥା ନ ଶୁଣୁଥିବାରୁ କାର୍ଯ୍ୟାନୁଷ୍ଠାନର ଧମକ ଦେଇଛନ୍ତି। ଆଉ ଯେତେବେଳେ ମୁଖ୍ୟମନ୍ତ୍ରୀ କୌଣସି ଆଇଏଏସ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ କେନ୍ଦ୍ରକୁ ପଠାଉଛନ୍ତି, କେନ୍ଦ୍ର ସରକାର ତାଙ୍କୁ ପୁଣିଥରେ ଓଡ଼ିଶା ଦାୟିତ୍ୱ ଦେଇ ପଠାଇ ଦେଉଛନ୍ତି। ଏହା ମୁଖ୍ୟମନ୍ତ୍ରୀଙ୍କ ପାଇଁ ହତାଶା ନୁହେଁ ତ ଆଉ କ’ଣ? ଆଇଏଏସ୍ ଅଧିକାରୀ ବୀର ବିକ୍ରମ ଯାଦବ ଏବଂ ଭିନୀଲ କ୍ରିଷ୍ଣାଙ୍କୁ କେନ୍ଦ୍ର ସରକାର ପୁଣିଥରେ ଓଡ଼ିଶା ଦାୟିତ୍ୱରେ ଫେରାଇବା ଏହାର ସ୍ପଷ୍ଟ ଉଦାହରଣ ହୋଇପାରେ।
ମୁଁ ଆଉଥରେ ଆପଣଙ୍କୁ ଟିକେ ଇତିହାସ ଆଡ଼କୁ ନେଉଛି। କଂଗ୍ରେସରେ କିପରି ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ନେଉଥିଲା ଓ ପ୍ରତିଦିନ କେହି ନା କେହି କଂଗ୍ରେସର ବଡ଼ ନେତାଙ୍କ ପ୍ରଭାବ ଓଡ଼ିଶା ଶାସନରେ ପଡ଼ୁଥିଲା ସେ ବିଷୟକୁ ଏହା ଅଧିକ ସ୍ପଷ୍ଟ କରିବ।
ଏ ବିଷୟଟି ଜାନକୀ ବାବୁଙ୍କ ଶାସନ କାଳର। ୧୯୮୦ ମସିହାରେ କଂଗ୍ରେସକୁ ପୁଣିଥରେ ରାଜ୍ୟ ଶାସନକ ଫେରାଇ ଆଣିଲେ ଜାନକୀ ବାବୁ। ଦୁଇଥର ଲଗାତାର ମୁଖ୍ୟମନ୍ତ୍ରୀ ହେଲେ। କିନ୍ତୁ ଗୋଷ୍ଠୀ ବିବାଦକୁ ସାମ୍ନା କରିବାରେ ବିଫଳ ହୋଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ। ୧୯୮୯ ମସିହାରେ ତାଙ୍କ ଇସ୍ତଫା କଂଗ୍ରେସକୁ ଆହୁରି ଦୁର୍ବଳ କଲା। ୧୯୯୦ରେ ବିପୁଳ ବିଜୟ ଲାଭ କଲା ଜନତା ପାର୍ଟି। ହେଲେ ୧୯୯୫ ମସିହାରେ ପୁଣି ଦଳକୁ ଫେରାଇ ଆଣିଲେ ଜାନକୀ। ମୁଖ୍ୟମନ୍ତ୍ରୀ ହେଲେ।
କିନ୍ତୁ ପ୍ରତିଦିନ ଏଆଇସିସି ଅଫିସରେ ଓଡ଼ିଶ ନେତାଙ୍କ ଲବି, କେନ୍ଦ୍ରୀୟ ନେତାମାନଙ୍କୁ ପ୍ରଭାବିତ କରିବାର ଉଦ୍ୟମ ପ୍ରଭୃତି ଜାନକୀଙ୍କୁ ବଡ଼ ଦ୍ୱନ୍ଦ୍ୱରେ ପକାଇଥିଲା। ୧୯୯୫ ମସିହାରେ ଗୋଷ୍ଠୀ କନ୍ଦଳକୁ ପ୍ରଶମିତ କରିବା ପାଇଁ ପ୍ରଥମ ଥର ପାଇଁ ରାଜ୍ୟରେ ଡେପୁଟି ମୁଖ୍ୟମନ୍ତ୍ରୀ ପଦବୀ ସୃଷ୍ଟି କରାଗଲା। ବସନ୍ତ ବିଶ୍ୱାଳ ଉପ ମୁଖ୍ୟମନ୍ତ୍ରୀ ହେଲେ।
ଏବେ ଏହି ଇତିହାସର ପନରାବୃତ୍ତି ହୋଇଛି। କଂଗ୍ରେସରେ ଗୋଷ୍ଠୀକନ୍ଦଳ ରୋକିବା ଲାଗି ସେତେବେଳେ ଜଣେ ଉପମୁଖ୍ୟମନ୍ତ୍ରୀ ଥିଲେ ଏବେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ। ତଥାପି ଅସନ୍ତୋଷ କମୁ ନାହିଁ। ଅସନ୍ତୋଷ ଏମିତି ଚରମ ହୋଇଛି ଯେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚାହିଁଲେ ଜଣେ ମନ୍ତ୍ରୀଙ୍କୁ ନୂଆକରି ନିଯୁକ୍ତି କରିପାରୁ ନାହାନ୍ତି କି କାହାକୁ ମନ୍ତ୍ରିମଣ୍ଡଳରୁ କାଢ଼ିପାରୁ ନାହାନ୍ତି। ସେକଥା ଛାଡ଼ନ୍ତୁ ମନ୍ତ୍ରିମଣ୍ଡଳର ଦାୟିତ୍ୱ ବଦଳାଇବାକୁ ବି ମୁଖ୍ୟମନ୍ତ୍ରୀ କ୍ଷମତାପନ୍ନ ନୁହନ୍ତି।
ଅର୍ଥାତ୍ ସବୁକିଛି କେନ୍ଦ୍ରୀୟ ନେତୃତ୍ୱଙ୍କ ହାତରେ ରଖି ଜଣେ ସଖି କଣ୍ଢେଇ ସାଜିଥିବା ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା କଂଗ୍ରେସ ଶାସନରେ ଯେମିତି ହେଉଥିଲା ଏବେ ଠିକ୍ ସେମିତି ହେଉଛି । ଇତିହାସରେ ଏମିତି ସରକାରଙ୍କୁ ଲୋକେ କେବେ କ୍ଷମା କରିନାହାନ୍ତି। ଏଣୁ କଂଗ୍ରେସ ରୋଗ ଉପଶମ ନ ହେଲେ ରାଜ୍ୟରେ ବିଜେପିବି ସମାନ ଅବସ୍ଥା ଭୋଗିପାରେ, ନା କ’ଣ କହୁଛନ୍ତି?
Also readhttps://purvapaksa.com/sakaal-behind-khabar-bjd-sponsored-newspaper-in-dire-straits/