ଠିକ୍ ଏମିତି କିଛି ହୋଇଛି ପାକିସ୍ତାନୀ ଫିଲ୍ଡ ମାର୍ଶାଲ ସେନାମୁଖ୍ୟ ଅସୀମ ମୁନିରଙ୍କ ସହିତ। ପାକିସ୍ତାନରେ ପ୍ରକୃତ ‘ବସ୍’ କିଏ ତାହା ସମସ୍ତଙ୍କୁ ଜଣା। ସେନାମୁଖ୍ୟଙ୍କ ଇଶାରାରେ ପାକିସ୍ତାନରେ ପ୍ରଧାନମନ୍ତ୍ରୀ, ଆସନ୍ତି ଓ ଯାଆନ୍ତି। ଏମିତିରେ ମୁନିରଙ୍କ କୃପାରୁ ପ୍ରଧାନମନ୍ତ୍ରୀ ହୋଇଥିବା ସରିଫ୍,ମୁନିରଙ୍କୁ ପ୍ରଂଶାସ କରିବାକୁ ଯାଇ ବିଦେଶୀ ମାଟିରେ ନିଜ ଦେଶର ପୋଲ୍ ଖୋଲି ଦେଇଛନ୍ତି। କହୁ କହୁ କହିଦେଇଛନ୍ତି ଭାରତ ପଟୁ କେମିତି ମାଡ଼ି ବସିଥିଲା। କେତେ ମାଡ଼ି ବସିଥିଲା। ଆଉ ବିଚରା ମୁନିରଙ୍କ ପାଖରେ ନିଜ ପୋଷା ଶୁଆର କଥା ଚୁପଚାପ୍ ଶୁଣିବା ଛଡ଼ା ଆଉ କିଛି ବାଟ ନ ଥିଲା। ଏବେ କିନ୍ତୁ ମୁନିର ଭାବୁଥିବେ ଏମିତି ପ୍ରଶଂସା ଶୁଣିବା ଅପେକ୍ଷା ନିନ୍ଦା ଶୁଣିବା ଭଲ। କଥା ହେଲା, ଭାରତ ଉପରେ ଆକ୍ରମଣ କଥା ଭାବିବା ପୂର୍ବରୁ ଭାରତ ବ୍ରହ୍ମୋସ ମାଡ଼ କରି ପାକିସ୍ତାନୀ ନେତା ଓ ସେନାକୁ ତାବଦା କରିଦେଇଥିଲା ବୋଲି ସରିଫ୍ ବିଦେଶରେ କହିଛନ୍ତି। ଆସନ୍ତୁ ଜାଣିବା ପୁରା ମାମଲା କ’ଣ ଥିଲା।
ପାକିସ୍ତାନର ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଏବେ ଚାରିଟି ଦେଶର ଯାତ୍ରାରେ ଅଛନ୍ତି। ବୁଧବାର ଅଜରବୈଜାନରେ ସେ ଭାରତ ସହିତ ସମ୍ପ୍ରତି ସଂଘର୍ଷ ବିଷୟରେ ଅନେକ କଥା କହିଛନ୍ତି। ଏହି ସମୟରେ ସେ ଅଜରବୈଜାନ ଓ ତୁର୍କୀର ନେତାମାନଙ୍କ ସାମ୍ନାରେ ନିଜ ସରକାର ଓ ସେନାର ଖୁବ୍ ପ୍ରଶଂସା କରିଛନ୍ତି। ଯଦିଓ ପ୍ରଶଂସା କରୁଥିବାବେଳେ ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ କିପରି ତାଙ୍କ ସେନା ଭାରତଠାରୁ ମାଡ଼ ଖାଇଛି। ସରିଫ ଅସୀମ ମୁନୀରଙ୍କ ସାମ୍ନାରେ କହିଛନ୍ତି ଯେ ଆମେ ୧୦ ମେ ତାରିଖ ସକାଳେ ଭାରତ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଥିଲୁ, କିନ୍ତୁ ଭାରତୀୟ ସେନାର ଆକ୍ରମଣ ଆମକୁ ଆଶ୍ଚର୍ଯ୍ୟ କରି ଦେଇଥିଲା।
ଅଜରବୈଜାନର ଲାଚିନ ସହରରେ ସେହବାଜ ସରିଫ କହିଛନ୍ତି ଯେ ୯ ମେ ରାତିରେ ଆମେ ଭାରତକୁ ପ୍ରତିକ୍ରିୟା ଦେବାକୁ ନିଷ୍ପତ୍ତି ନେଇଥିଲୁ। ଆମେ ନିଷ୍ପତ୍ତି ନେଇଥିଲୁ ଯେ ୧୦ ମେ ତାରିଖରେ ଫଜର ନମାଜ ପରେ, ଅର୍ଥାତ୍ ପ୍ରାୟ ସକାଳ ୪:୩୦ରେ, ଅସୀମ ମୁନୀରଙ୍କ ନେତୃତ୍ୱରେ ପାକିସ୍ତାନ ସେନା ଭାରତ ଉପରେ ଆକ୍ରମଣ କରିବ। କିନ୍ତୁ ପାକିସ୍ତାନ ସେନା ଆକ୍ରମଣ କରିବା ପୂର୍ବରୁ ଭାରତର ଆକ୍ରମଣ ହୋଇଗଲା। ଭାରତ ବ୍ରହ୍ମୋସ ମିସାଇଲ ଦ୍ୱାରା ପାକିସ୍ତାନର ଏୟାରବେସକୁ ଆଘାତ କରିଥିଲା। ଏଥିରେ ରାୱଲପିଣ୍ଡିର ଏୟାରବେସ ଓ ଅନ୍ୟ ସ୍ଥାନଗୁଡ଼ିକ ଥିଲା।
ପାକିସ୍ତାନର ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଏହି ସମୟରେ କହିଛନ୍ତି ଯେ ଏହି ସଂଘର୍ଷର କାରଣ ଥିଲା ଭାରତର ଆକ୍ରମଣାତ୍ମକ ମନୋଭାବ। ଭାରତ ପକ୍ଷରୁ ଆକ୍ରମଣ ହେବାରୁ ଆମ ପାଖରେ ନିଜ ଦେଶର ରକ୍ଷା କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥିଲା। ସରିଫ ଏହି ସମୟରେ ସେନା ମୁଖ୍ୟ ଅସୀମ ମୁନୀରଙ୍କର ଖୁବ୍ ପ୍ରଶଂସା କରିଥିଲେ। ସରିଫ କହିଛନ୍ତି ଯେ ଅସୀମ ମୁନୀର ତାଙ୍କୁ ଯୁଦ୍ଧବିରତି ବିଷୟରେ କହିଥିଲେ, ଯାହା ଉପରେ ମୁଁ ତାଙ୍କୁ କହିଥିଲି ଯେ ଆମେ ଏହି ସଂଘର୍ଷକୁ ଅଧିକ ଦୀର୍ଘ କରିବା ଉଚିତ ନୁହେଁ।
ଭାରତ ପାକିସ୍ତାନର ଆତଙ୍କବାଦୀ ଠିକଣାଗୁଡ଼ିକୁ ନିଶାନା କରି ୬-୭ ମେ ରାତିରେ ଆକ୍ରମଣ କରିଥିଲା। ଅପରେସନ ସିନ୍ଦୁର ଅଧୀନରେ କରାଯାଇଥିବା ଏହି ଆକ୍ରମଣ ପରେ ପାକିସ୍ତାନ ମଧ୍ୟ ଭାରତ ଉପରେ ପ୍ରତିଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭାରତର ଏୟାର ଡିଫେନ୍ସ ଏହି ଆକ୍ରମଣଗୁଡ଼ିକୁ ବିଫଳ କରି ଦେଇଥିଲା। ଚାରି ଦିନର ସଂଘର୍ଷ ପରେ ୧୦ ମେ ତାରିଖରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧବିରତି ହୋଇଥିଲା। ଏହା ପରେ ସରିଫ ବିଦେଶକୁ ଯାଇ ନିଜର ପ୍ରଶଂସା ନିଜେ କରୁଛନ୍ତି।
ଭାରତ ସହିତ ସଂଘର୍ଷ ସମୟରେ ତୁର୍କୀ ଓ ଅଜରବୈଜାନ ଖୋଲାଖୋଲିଭାବେ ପାକିସ୍ତାନକୁ ସମର୍ଥନ କରିଥିଲେ। ଏହି ପରିପ୍ରେକ୍ଷୀରେ ସେହବାଜ ସରିଫ ଓ ଅସୀମ ମୁନୀର ଏହି ଦେଶଗୁଡ଼ିକୁ ଯାଇ ସେମାନଙ୍କୁ ଧନ୍ୟବାଦ ଜଣାଉଛନ୍ତି। ଶରିଫ ଓ ମୁନୀର ତୁର୍କୀ, ଅଜରବୈଜାନ, ଇରାନ ଓ ତାଜାକିସ୍ତାନର ଯାତ୍ରାରେ ଅଛନ୍ତି। ସରିଫ ବିଶେଷ ଭାବେ ତୁର୍କୀ ଓ ଅଜରବୈଜାନକୁ ସେମାନଙ୍କର ସମର୍ଥନ ପାଇଁ ଧନ୍ୟବାଦ ଦେଇଛନ୍ତି।
Also readhttps://purvapaksa.com/the-chief-minister-was-wearing-a-sari-at-night/
The Chief Minister was wearing a sari at night! ।। ମୁଖ୍ୟମନ୍ତ୍ରୀ ରାତିରେ ପିନ୍ଧୁଥିଲେ ଶାଢ଼ୀ!
