ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୂରିବାକୁ ଯାଉଛି। କିନ୍ତୁ ଗତ ବର୍ଷେ ହେଲା ଯେଉଁ ପ୍ରକାର ଶାସନ ଥିଲା ତାହା ଆଉ ଆସନ୍ତା ବର୍ଷକୁ ରହିବ ନାହିଁ। ଲୋକଙ୍କ ସରକାରରେ ଅଫିସରଙ୍କ ଭୂମିକାକୁ ଗୌଣ କରିବାକୁ ସରକାର ଆଗକୁ ଅଧିକ କଠୋର ହେବେ ବୋଲି ସୂଚନା ଦେଇ ସାରିଲେଣି। ବିଶେଷକରି ମନ୍ତ୍ରି ପରିଷଦ ବୈଠକରେ ଆଉ ବିଭାଗୀୟ ସଚିବଙ୍କ ଉପସ୍ଥିତି ରହିବ ନାହିଁ କହି ସରକାର ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନର ଆଭାସ ଦେଇଛନ୍ତି। ତେବେ ପ୍ରଶ୍ନ ଉଠୁଛି ଏହା ଶାସନକୁ ଲୋକାଭିମୁଖୀ କରିବ ନା ଶାସନରେ ଅବିଶ୍ୱାସ ଆଣିବ?
ପ୍ରଶାସନର ଦୁଇଟି ପ୍ରମୁଖ ଅଙ୍ଗ ହେଉଛନ୍ତି ମନ୍ତ୍ରୀ ଓ ସଚିବ। ଅର୍ଥାତ୍ ଲୋକପ୍ରତିନିଧି ଏବଂ ସରକାରୀ ବାବୁ। ଶାସନ ବ୍ୟବସ୍ଥାକୁ ଯଦି ଇଞ୍ଜିନ୍ ଭାବେ ଗ୍ରହଣ କରାଯାଏ, ତେବେ ଏ ଦୁଇ ବ୍ୟବସ୍ଥା ଭିତରେ ସନ୍ତୁଳନ ରହିଲେ ହିଁ ସରକାର ଯାହା ଚାହିଁବେ ତାହା ବାସ୍ତବରେ ରୂପାୟନ ହୋଇପାରିବ। କେତେବଳେ ବି କିଏ ଭାରୀ ହେଲେ ସନ୍ତୁଳନ ହରାଇବା ସ୍ୱାଭାବିକ। ଗତ ସରକାରରେ ଏମିତି ହେଉଥିଲା ବୋଲି ଅନେକ ଅଭିଯୋଗ କରିଛନ୍ତି। ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କିଛି ବାବୁ ନିୟନ୍ତ୍ରଣ କରୁଥିବା ନେଇ ବି ଚର୍ଚ୍ଚା ହୋଇଛି।
ବିରୋଧୀ ଦଳରେ ଯେତେବେଳେ ବିଜେପି ରହିଥିଲା ସେତେବେଳେ ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ଙ୍କୁ ଏଥିପାଇଁ ଦାୟୀ କରିଥିଲା। ଏପରିକି ଯଦି ରାଜନୀତିକୁ ନିୟନ୍ତ୍ରଣ କରିବାରେ ଅଛି ତେବେ ଚାକିରି ଛାଡ଼ି ପ୍ରତ୍ୟକ୍ଷ ରାଜନୀତିକୁ ଆସିବା ଲାଗି ପାଣ୍ଡିଆନ୍ଙ୍କୁ ଆହ୍ୱାନ ଦେଇଥିଲା। ସେ ମଧ୍ୟ ସେହି ଆହ୍ୱାନକୁ ରକ୍ଷା କରି ୨୦୨୩ ଦଶହରାବେଳକୁ ଚାକିରି ଛାଡ଼ି ବିଜେଡିର ଚର୍ଚ୍ଚିତ ସର୍ବେସର୍ବା ହୋଇଥିଲେ। ମତଦାତାମାନେ କିନ୍ତୁ ସେ ବାବୁଙ୍କ ରାଜନୀତିରେ ପ୍ରବେଶକୁ ଭଲରେ ସ୍ୱୀକାର କରିଲେ ନାହିଁ। ଏଣୁ ବିଜେଡି ତା’ର ଦଶା ଭୋଗିଲା ବୋଲି ଅଭିଯୋଗ ହୋଇ ଆସିଛି। ଏପରିକି ତାଙ୍କ ଦଳ ଲୋକ ମଧ୍ୟ ସେଇ କଥା କହିଛନ୍ତି।
ଏବେ ସରକାର ବଦଳିଲା ପରେ ରାଜ୍ୟରେ ଅଫିସର ନୁହେଁ ଜନ ପ୍ରତିନିଧିଙ୍କୁ ଗୁରୁତ୍ୱ ମିଳିବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ତାହା ହୋଇପାରି ନାହିଁ। ଏହି ଏକ ବର୍ଷର ସରକାର ବିଜେଡି ଭଳି ଚାଲିଛି। ଫରକ ଏତିକି ଯେ ତାହା ସିଧା ଅମଲା ଭିତ୍ତିକ ସରକାର ଥିଲା, ଏଠାରେ ମନ୍ତ୍ରୀଙ୍କ ମାଧ୍ୟମ ଦେଇ ସଚିବଙ୍କ କଥା ଚାଲିଛି। ଏହାକୁ ସମ୍ପୂର୍ଣ୍ଣ ବଦଳାଇବା ଲାଗି ଓଡ଼ିଶା ସରକାର ମଙ୍ଗଳବାରଦିନ ଏକ କଠୋର ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତିରେ କ୍ୟାବିନେଟ୍ ବୈଠକରେ ସଚିବଙ୍କ ହସ୍ତକ୍ଷେପକୁ ରୋକାଯିବାକୁ ବ୍ୟବସ୍ଥା କରାଯାଇଛି।
ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନ ଚାହିଁଛନ୍ତି କୌଣସି ବିଭାଗର ସଚିବ କ୍ୟାବିନେଟ୍ ବୈଠକରେ ଯୋଗ ଦେଇପାରିବ ନାହିଁ। ପୁଣି ଯେତେବେଳେ ତାଙ୍କ ଉପସ୍ଥିତିକୁ ଅନୁମତି ମିଳିବ ସେ ଚୁପ୍ ହୋଇ ବୈଠକରେ ବସିବେ। ଯେପର୍ଯ୍ୟନ୍ତ ମତାମତ ମଗାଯାଇ ନାହିଁ ଶବ୍ଦଟିଏ ବି କହିବେ ନାହିଁ। ଯଦି ତାଙ୍କୁ ବୈଠକ ପ୍ରକୋଷ୍ଠକୁ ଡକାଯାଇ ନାହିଁ ତେବେ ସେ ଅଧିକାରୀ ବା ସଚିବ ଅନ୍ୟ ଏକ କୋଠରୀରେ ବସି ରହିବେ। ପ୍ରସ୍ତାବ ପାରିତ ହେବା ପରେ ତାହାକୁ କିପରି ତ୍ୱରିତ ରୂପରେ କାର୍ଯ୍ୟାନ୍ୱୟନ କରାଯିବ ତାହା ମନ୍ତ୍ରୀଙ୍କ ଦାୟିତ୍ୱ ରହିବ।
ଖାଲି ସେତିକି ନୁହେଁ ପୂର୍ବରୁ ମନ୍ତ୍ରୀ ଜାଣୁନଥିଲେ କ୍ୟାବିନେଟରେ ତାଙ୍କ ବିଭାଗୀୟ ପ୍ରସ୍ତାବ ଆଗତ ହୋଇ ଯାଉଥିଲା। ତାଙ୍କୁ କେବଳ ସନ୍ତକ ପକାଇବା ଲାଗି ଡକାଯାଉଥିଲା। ସେଥିଲାଗି କ୍ୟାବିନେଟ ବୈଠକ ଦୁଇ-ତିନି ମିନିଟରେ ବି ଶେଷ ହୋଇଯାଇଥିବା ନଜୀର ରହିଛି। ହେଲେ ଏବେ ମନ୍ତ୍ରିପରିଷଦରେ କୌଣସି ପ୍ରସ୍ତାବ ଆଣିବା ପୂର୍ବରୁ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନେବାକୁ ହେବ। ଅର୍ଥାତ୍ ବିଭାଗୀୟ ସଚିବମାନେ ପ୍ରଥମେ ମନ୍ତ୍ରୀମାନଙ୍କ ଅନୁମତି ନେଇ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ପ୍ରସ୍ତାବ ଅନୁମୋଦନ ଲାଗି ପଠାଇବେ। ଏହି ପ୍ରସ୍ତାବ ଅନୁମତି ପାଇବା ପରେ ତାହା ବୈଠକରେ ଆଗତ ହେବ। ମନ୍ତ୍ରୀମାନେ ବୈଠକରେ ବସି ସବୁ ବିଷୟକୁ ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇବେ। ଏହି ସମୟରେ ସଚିବଙ୍କ ଟିପ୍ପଣୀ ଲାଗି କୌଣସି ସୁଯୋଗ ରହିବ ନାହିଁ।
ସଂସଦୀୟ ବ୍ୟାପାର ସଚିବଙ୍କ ଏହି ଚିଠିକୁ ନେଇ ରାଜ୍ୟର ବୁଦ୍ଧିଜୀବୀ ଓ ରାଜନୀତିକ ମହଲରେ ଚର୍ଚ୍ଚା ଚାଲିଛି। କେହି କେହି ଏହାକୁ ମୋହନଙ୍କ ମାଷ୍ଟର ଷ୍ଟ୍ରୋକ୍ ବୋଲି କହୁଛନ୍ତି। ଆଉ କେହି କହୁଛନ୍ତି ଅବିଶ୍ୱାସରର ବାତାବରଣ। ଅନ୍ୟ କେହି ତ ଏହି ପ୍ରସ୍ତାବ ଦ୍ୱାରା ଓଏଏସ୍ମାନେ କ୍ଷମତାଶାଳୀ ହେବେ ବୋଲି କୁହାଯାଉଛି। ଆସନ୍ତୁ ସେଗୁଡ଼ିକ ସମ୍ବନ୍ଧରେ ବିଶ୍ଳଷଣ କରିବା।
ଦୈନିକ ଧରିତ୍ରୀ ଏ ପ୍ରସଙ୍ଗରେ ମୁଖ୍ୟ ପୃଷ୍ଠାରେ ଏକ ପୂର୍ଣ୍ଣାଙ୍ଗ ଖବର ପ୍ରକାଶ କରିଛି। ଏହାର ଶୀର୍ଷକ ରହିଛି ‘କ୍ୟାବିନେଟରେ ମନ୍ତ୍ରୀଙ୍କୁ ଗୁରୁତ୍ୱ। ସମ୍ବାଦ ଏ ଖବରରେ ନିଜକୁ ନୀରବ ରଖିଥିବାବେଳେ ପ୍ରମେୟ ମୁଖ୍ୟ ପୃଷ୍ଠାରେ ଏ ପ୍ରସଙ୍ଗର ଶୀର୍ଷକ ଦେଇଛି ‘ମନ୍ତ୍ରୀଙ୍କୁ କ୍ଷମତା, ସଚିବଙ୍କୁ ଅଙ୍କୁଶ’। ସକାଳ କହିଛି ‘ସରକାରରେ ଅବିଶ୍ୱାସର ବାତାବରଣ’। ସମାଜ ପୃଷ୍ଠା ୪ରେ ଏହି ଖବର ପ୍ରକାଶ କରି କହିଛି‘ ସଚିବ ସଙ୍କୁଚିତ, ମନ୍ତ୍ରୀଙ୍କୁ ଗୁରୁତ୍ୱ’। ସେହିଭଳି ନିର୍ଭୟ କହିଛି ସଚିବଙ୍କ କ୍ଷମତା ସଂକୁଚିତ, ଚାବି ମୋହନଙ୍କ ହାତରେ। ପ୍ରଗତିବାଦୀ ତା’ର ୭ମ ପୃଷ୍ଠାରେ ଲେଖିଛି ମନ୍ତ୍ରିମଣ୍ଡଳ ବ୍ୟବସ୍ଥାର ପୁନଃସ୍ଥାପିତ ହୋଇଛି।
ଏସବୁ ଖବର ପଢ଼ିଲେ ଏହା ସ୍ପଷ୍ଟ ଯେ, ପୂର୍ବରୁ ମନ୍ତ୍ରୀଙ୍କୁ କ୍ୟାବିନେଟରେ ଉଚିତ ସମ୍ମାନ ମିଳୁ ନ ଥିଲା। ସଚିବମାନେ ମନ୍ତ୍ରିପରିଷଦର ପ୍ରମୁଖ ସାଜୁଥିଲେ। ହେଲେ ଏବେ ମନ୍ତ୍ରୀଙ୍କୁ ଗୁରୁତ୍ୱ ଦେବାକୁ ଚିଠି ଲେଖାଯାଇଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ସଭାସମିତିରେ ଆଇଏଏସ୍ ଓ ଓଏଏସ୍ଙ୍କୁ ପରିବର୍ତ୍ତିତ ସରକାରର ଚରିତ୍ର ସହ ଭାଗିଦାର ହେବାକୁ କହୁଥିଲେ। ଲୋକପ୍ରତିନିଧିଙ୍କୁ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ତାଗିଦ କରିଥିଲେ। ଏବେ ଏହି ଚିଠି ତାହାର ଆଉ ଏକ ବିକଳ୍ପ। ସାମ୍ବିଧାନିକ ବ୍ୟବସ୍ଥାରେ ଏହା ଏକ ଆଇନଗତ ପଦକ୍ଷେପ। କିନ୍ତୁ ଏହାଦ୍ୱାରା ଅଫିସର ଗୋଷ୍ଠୀଙ୍କ ଭିତରେ ଲଢ଼େଇ ହେବ କି?
ଏବେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୬ଜଣ ମନ୍ତ୍ରୀ ରହିଛନ୍ତି। ସେମାନଙ୍କ ଭିତରୁ ୧୦ ଜଣ ହେଉଛନ୍ତି କ୍ୟାବିନେଟ ସଦସ୍ୟ। ଏହି ମନ୍ତ୍ରୀଙ୍କ ପାଖରେ ଏକାଧିକ ଦାୟିତ୍ୱ ରହିଛି। ମନ୍ତ୍ରିମଣ୍ଡଳକୁ ଏକବର୍ଷ ପୁରିବାକୁ ଯାଉଥିଲେ ମଧ୍ୟ ମନ୍ତ୍ରୀମଣ୍ଡଳ ନା ସମ୍ପ୍ରସାରଣ କରାଯାଉଛି ନା ଦାୟିତ୍ୱ ଅଦଳବଦଳ। ଅର୍ଥାତ୍ ମନ୍ତ୍ରୀମାନେ ଏବେ ଅନେକ ଚାପରେ ରହୁଛନ୍ତି। ଅର୍ଥାତ୍ ସେମାନଙ୍କୁ ବାଧ୍ୟ ହୋଇ ବିଭାଗୀୟ କାର୍ଯ୍ୟ ପାଇଁ ଅଧିକାରୀଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏହି ସମୟରେ ବିଭାଗୀୟ ସଚିବମାନେ ମୁଖ୍ୟ ଭୂମିକା ନେଉଛନ୍ତି।
ଏବେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ତିନି ଦିନ ପୂର୍ବରୁ ନିଷ୍ପତ୍ତି ସମ୍ପର୍କୀୟ ଫାଇଲ ଆସିବ। ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବା ପୂର୍ବରୁ ଏ ଫାଇଲ ସମ୍ପୃକ୍ତ ମନ୍ତ୍ରୀଙ୍କ ପାଖରେ ଏହା ବିଶ୍ଳେଷଣ ହେବ। ଏସବୁ ଲାଗି ସଚିବ ଏବେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଉପରେ ନିର୍ଭର କରିବେ। ପୁଣି ବ୍ୟକ୍ତିଗତ ସଚିବମାନେ ସାଧାରଣତଃ ଓଏଏସ୍ ଅଧିକାରୀ। ଅର୍ଥାତ୍ ଏବେ ବିଭାଗୀୟ ସଚିବ ଆଇଏଏସ୍ ବାବୁ ମନ୍ତ୍ରୀଙ୍କ ସଚିବ ଓଏଏସ୍ ବାବୁଙ୍କୁ ପରୋକ୍ଷଭାବେ ରିପୋର୍ଟ କରିବେ। ଏହା ଏକ ଅବିଶ୍ୱାସର ପରମ୍ପରା ସୃଷ୍ଟି କରିବ ବୋଲି ସକାଳ ଯାହା ଆଶା କରିଛି ତାହା ବି ଅନ୍ୟଥା ନ ହୋଇପାରେ।
ଏଣୁ ସାମ୍ବିଧାନିକ ବ୍ୟବସ୍ଥା ଓ ସରକାରଙ୍କ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ଲାଗି ମନ୍ତ୍ରିମଣ୍ଡଳରେ ଆବଶ୍ୟକ ରହିଛି ଶିକ୍ଷିତ, ଅଭିଜ୍ଞ ଓ ଡାଇନାମିକ ମନ୍ତ୍ରୀମାନଙ୍କର। ଏହାସହ ମନ୍ତ୍ରୀଙ୍କ ଦାୟିତ୍ୱ ବି କମାଇବା ଆବଶ୍ୟକତା ରହିଛି। ହେଲେ ବର୍ତ୍ତମାନର ମନ୍ତ୍ରୀମାନଙ୍କୁ କାମ ଅପେକ୍ଷା ମିଡିଆରେ ଅଧିକ ଧ୍ୟାନ ଦେଉଥିବା ଲକ୍ଷ୍ୟ କରାଯାଉଛି। ଏଣୁ ଏ ଚିଠିର ଏ ଉଦ୍ଦେଶ୍ୟ, ଚିଠିରେ ରହିବ ନା ବାସ୍ତବ ହେବ ତାହାକୁ ଅପେକ୍ଷା କରିବା ହିଁ ସବୁଠାରୁ ବଡ଼ ବିଚାର ହେବ।
Naxal Encounter: ୩୦ ନିହତଙ୍କ ମଧ୍ୟରେ ୧ କୋଟି ଟଙ୍କା ପୁରସ୍କାର ରାଶି ଥିବା ଶୀର୍ଷ ନକ୍ସଲ ନେତା ବାସଭରାଜ
