ଏହି କାହାଣୀ ୧୯୬୯ ମସିହାରୁ ଆରମ୍ଭ ହୁଏ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଜମ୍ମୁ-କାଶ୍ମୀରର ଜଣେ ଛାତ୍ରୀଙ୍କୁ ତାଙ୍କ ବାପା ହଠାତ୍ ଘରକୁ ଡାକିଥିଲେ। ବାପାଙ୍କର ଶେଷ ଇଚ୍ଛା ଥିଲା ତାଙ୍କ ଝିଅକୁ ଦେଶ ସେବା ପାଇଁ ପ୍ରସ୍ତୁତ କରିବା। ବାପାଙ୍କର ଦେଶଭକ୍ତିର ଉତ୍ସାହକୁ ସେହି ଝିଅ ଅସ୍ୱୀକାର କରିପାରିଲା ନାହିଁ। ଏହି ଝିଅ ପରେ ‘ସେହମତ’ ନାମରେ ପରିଚିତ ହେଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଯେତେବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ଥାଏ, ସେତେବେଳେ ସେହମତଙ୍କ କାହାଣୀ ମନେପଡ଼େ, ଯିଏ ୧୯୭୧ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ବାପା ମଧ୍ୟ ଗୁପ୍ତଚର
ହରିନ୍ଦର ସିଂହ ସିକ୍କାଙ୍କ ଉପନ୍ୟାସ ‘କଲିଂ ସେହମତ’ ଅନୁସାରେ, ସେହମତଙ୍କ ବାପା ଭାରତୀୟ ଗୁପ୍ତଚର ସଂସ୍ଥା R&AW ପାଇଁ କାମ କରୁଥିଲେ। ବ୍ୟାପାର କାରଣରୁ ସୀମା ପାର ପର୍ଯ୍ୟନ୍ତ ତାଙ୍କର ସମ୍ପର୍କ ଥିଲା। ଏହାର ସହାୟତାରେ ୧୯୬୫ ଯୁଦ୍ଧ ସମୟରେ ସେ ପାକିସ୍ତାନରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ସଂଗ୍ରହ କରି ଭାରତୀୟ ସଂସ୍ଥାକୁ ପହଞ୍ଚାଇଥିଲେ। ତାଙ୍କୁ କର୍କଟ ରୋଗ ହୋଇଥିଲା ଏବଂ ରୋଗ ଏକ ଏପରି ପର୍ଯ୍ୟାୟରେ ପହଞ୍ଚିଥିଲା ଯେ ଚିକିତ୍ସା ସମ୍ଭବ ନ ଥିଲା। ସେ ଚାହୁଁଥିଲେ ଯେ ତାଙ୍କ ପରେ ତାଙ୍କ ଝିଅ ଦେଶ ପାଇଁ କାମ କରୁ।
ପାକିସ୍ତାନରେ ବିବାହ
ସେତେବେଳେ ମାତ୍ର ୨୦ ବର୍ଷ ବୟସର ସେହମତ ଗ୍ରାଜୁଏସନ ସହିତ ଶାସ୍ତ୍ରୀୟ ନୃତ୍ୟ ଓ ଭାୟୋଲିନ ବାଦନ ଶିଖୁଥିଲେ। ବାପାଙ୍କ କହିବାରେ ସେ ପାଡପଢ଼ା ଛାଡ଼ି ଗୁପ୍ତଚର ହେଲେ। ତାଙ୍କୁ ଏକ ମିଶନ ପାଇଁ ପାକିସ୍ତାନ ପଠାଯାଇଥିଲା। ତାଙ୍କୁ ଜାଣିବାର ଥିଲା ଯେ, ପାକିସ୍ତାନୀ ସେନାର ଉଚ୍ଚ ଅଧିକାରୀମାନଙ୍କ ମଧ୍ୟରେ କେଉଁ ଯୋଜନା ତିଆରି ହେଉଛି। ଏହି ମିଶନ ପାଇଁ ସେହମତଙ୍କୁ ପାକିସ୍ତାନୀ ସେନା ଅଧିକାରୀ ଇକ୍ବାଲ ସେୟଦଙ୍କ ସହ ବିବାହ କରିବାକୁ ପଡ଼ିଥିଲା। ଇକ୍ବାଲଙ୍କ ବାପା ବ୍ରିଗେଡିୟର ପରଭେଜ ସେୟଦ ମଧ୍ୟ ସେନାରେ ଜଣେ ବରିଷ୍ଠ ଅଧିକାରୀ ଥିଲେ। ସେହମତଙ୍କୁ କୁହାଯାଇଥିଲା ଯେ ସେନା ଅଧିକାରୀମାନଙ୍କ କଥାବାର୍ତ୍ତା ଶୁଣିବାକୁ ହେବ। ତାଙ୍କୁ ମୋର୍ସ କୋଡ୍ ମାଧ୍ୟମରେ ଜରୁରୀ ସନ୍ଦେଶ ପଠାଇବା ଓ ଗ୍ରହଣ କରିବା ପାଇଁ ମୌଳିକ ତାଲିମ ମଧ୍ୟ ଦିଆଯାଇଥିଲା।
ସେନାରେ ପ୍ରବେଶ
ସେହମତ କେବଳ ତାଙ୍କ ଶାଶୁଘର ଲୋକଙ୍କ ନୁହେଁ, ଆର୍ମି କ୍ୱାର୍ଟରରେ ରହୁଥିବା ଅନ୍ୟ ପରିବାରଙ୍କ ବିଶ୍ୱାସ ମଧ୍ୟ ଜିତିଥିଲେ। ତାଙ୍କର ସଙ୍ଗୀତ ଓ ନୃତ୍ୟ କଳା କାମରେ ଲାଗିଥିଲା। ସେ ଆର୍ମି ସ୍କୁଲରେ ପିଲାମାନଙ୍କୁ ତାଲିମ ଦେବା ଆରମ୍ଭ କରିଥିଲେ। ଏହି ସ୍କୁଲରେ ଜେନେରାଲ ଯାହୟା ଖାନଙ୍କ ନାତି-ନାତୁଣୀ ସହିତ ପାକିସ୍ତାନୀ ସେନାର ଉଚ୍ଚ ଅଧିକାରୀମାନଙ୍କ ପିଲାମାନେ ମଧ୍ୟ ପଢ଼ୁଥିଲେ। ଧୀରେ ଧୀରେ ସେହମତ ପାକିସ୍ତାନୀ ପ୍ରତିରକ୍ଷା କ୍ଷେତ୍ର ଓ ଗୁପ୍ତଚର ମହଲ ପର୍ଯ୍ୟନ୍ତ ପହଞ୍ଚ ସ୍ଥାପନ କରିଥିଲେ। ତାଙ୍କ କାରଣରୁ ତାଙ୍କ ଶ୍ୱଶୁର ବ୍ରିଗେଡିୟର ପରଭେଜ ସେୟଦଙ୍କୁ ମଧ୍ୟ ପଦୋନ୍ନତିର ସୁଯୋଗ ମିଳିଥିଲା।
ଗାଜୀର ବିନାଶ
ଏହି ସମୟରେ, ୧୯୭୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପ୍ରାୟ ନିଶ୍ଚିତ ହୋଇସାରିଥିଲା। ସେତେବେଳେ ଭାରତ ପାଖରେ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର INS ବିକ୍ରାନ୍ତ ଥିଲା। ଭାରତର ବିଜୟ ଓ ବାଙ୍ଗଲାଦେଶର ସ୍ୱାଧୀନତାରେ ଏହି କ୍ୟାରିୟର ରଣନୀତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ପାକିସ୍ତାନ ଏହାର ମହତ୍ତ୍ୱ ବୁଝିଥିଲା ଏବଂ ବଙ୍ଗୋପସାଗରରେ ମୁତୟନ ଭାରତୀୟ ଯୁଦ୍ଧଜାହାଜକୁ ନିଶାନା କରିବା ପାଇଁ ଯୋଜନା କରିଥିଲା। ପାକିସ୍ତାନ ମିସାଇଲ ସଜ୍ଜିତ ନିଜର ବୁଡ଼ା ଜାହଜ PNS ଗାଜୀକୁ ଭାରତୀୟ ଯୁଦ୍ଧଜାହାଜ ଧ୍ୱଂସ ମିଶନ ଦେଇଥିଲା। ସେହମତଙ୍କୁ ଏହାର ସୂଚନା ମିଳିଗଲା। ସେ PNS ଗାଜୀର ଅବସ୍ଥାନ ସମ୍ବନ୍ଧୀୟ ସୂଚନା ଭାରତକୁ ପଠାଇଥିଲେ ଏବଂ ଭାରତୀୟ ନୌସେନା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଶାଖାପାଟଣା ବନ୍ଦର ନିକଟରେ ପାକିସ୍ତାନୀ ବୁଡାଜାହଜକୁ ଡୁବାଇ ଦେଇଥିଲା। ଏଥିରେ ଥିବା ସମସ୍ତେ ମୃତ୍ୟୁବରଣ କରିଥିଲେ।
ଦେଶକୁ ପ୍ରତ୍ୟାବର୍ତ୍ତନ
ସେୟଦ ପରିବାରର ଜଣେ ଘନିଷ୍ଠ ସହଯୋଗୀ ଅବଦୁଲଙ୍କୁ ସେହମତଙ୍କ ଉପରେ ସନ୍ଦେହ ହୋଇଥିଲା। ସେହମତ ତାଙ୍କୁ ଟ୍ରକଦ୍ୱାରା ଚାପି ମାରି ଦେଇଥିଲେ। ସେହମତଙ୍କ ସ୍ୱାମୀ ଇକ୍ବାଲଙ୍କୁ ମଧ୍ୟ ସତ୍ୟତା ଜଣାପଡ଼ିଥିଲା। ସେହମତଙ୍କ ହ୍ୟାଣ୍ଡଲରମାନେ ତାଙ୍କୁ ମଧ୍ୟ ଖତମ କରି ଦେବାକୁ ଚେଷ୍ଠା କରିଥିଲେ। ସେହମତ ଗର୍ଭବତୀ ଥିଲେ, ଏବଂ ସେତେବେଳେ ତାଙ୍କର ଭାରତକୁ ନିରାପଦ ଫେରି ଆସିଥିଲା। ଏହାପରେ ସେ ପଞ୍ଜାବର ମାଲେରକୋଟଲାରେ ଜୀବନ ଯାପନ କରିବାକୁ ନିଷ୍ପତ୍ତି ନେଇଥିଲେ। ଡିୟୁରେ ଯେଉଁ ଯୁବକଙ୍କ ସହ ତାଙ୍କର ପ୍ରଥମ ପ୍ରେମ ହୋଇଥିଲା, ସେ ତାଙ୍କୁ ଏବେ ମଧ୍ୟ ଅପେକ୍ଷା କରୁଥିଲେ। କିନ୍ତୁ, ସେହମତ ପ୍ରସ୍ତୁତ ହୋଇନଥିଲେ। ସେହି ଯୁବକ ପରେ ସେହମତଙ୍କ ପୁଅକୁ ପାଳିଥିଲେ, ଯିଏ ପରେ ଜଣେ ସୈନ୍ୟ ଅଧିକାରୀ ହୋଇଥିଲେ। ୨୦୧୮ରେ ସେହମତଙ୍କର ମୃତ୍ୟୁ ହୋଇଥିଲା ଏବଂ ତାଙ୍କର ପ୍ରକୃତ ପରିଚୟ ଆଜି ପର୍ଯ୍ୟନ୍ତ ଗୋପନ ରଖାଯାଇଛି ଯାହା ଫଳରେ ତାଙ୍କ ପୁଅ ଉପରେ କୌଣସି ବିପଦ ନ ଆସେ।
Also readhttps://purvapaksa.com/rohit-sharma-test-career-performed-brilliantly-in-the-second-innings/
ରୋହିତ ଶର୍ମା: ୨ୟ ଇନିଂସରେ ଚମତ୍କାର ପ୍ରଦର୍ଶନ କରିଥିବା ଟେଷ୍ଟ କ୍ୟାରିୟର
