ଗତ ନିର୍ବାଚନରେ କ୍ଷମତାଚ୍ୟୁତ ହେବା ପରଠାରୁ ବିଜେଡି ଆଉ ଏକ ହୋଇ ନାହିଁ। ଭିନ୍ନ ଭିନ୍ନ ଭାଗ ଓ ଉପଭାଗରେ ଏହାର ବିଭାଜନ ଘଟିଛି। ଯେଉଁ ଦଳ ଦିନେ ରାଷ୍ଟ୍ରୀୟ ରାଜନୀତିର ଏକ ପ୍ରମୁଖ ବିନ୍ଦୁ ଥିଲା ଆଜି ତାହା ଦେଶର ପ୍ରତିଟି ଘଟଣାରେ ଭାଗ ବାଣ୍ଟି ହୋଇଯାଇଥିବା ନଜରକୁ ଆସିଛି। ବିଶେଷକରି ମୁସଲମାନ ତୋଷଣ ନୀତିରେ ବିଜେଡି ନିଜକୁ ତଳିତଳାନ୍ତ କରୁଥିବା ସ୍ପଷ୍ଟ ହେଉଛି।
ବିଜେଡିରେ ଏପରି କିଛି ନେତା ଯେଉଁମାନେ ଅତୀତରେ କିମ୍ବା ବର୍ତ୍ତମାନରେ ନିର୍ବାଚନ ରାଜନୀତି ସହ ସମ୍ପର୍କ ହିଁ ରଖନ୍ତି ନାହିଁ। ସେମାନେ ଏହି ଦଳକୁ ଅକଳ ଅବସ୍ଥାରେ ପକାଇ ସର୍ବସାଧାରଣରେ ନିନ୍ଦିତ କରୁଛନ୍ତି। ଏମିତି ନେତାଙ୍କ ତାଲିକାରେ ସଦ୍ୟତମ ଭାଗିଦାର ହେଉଛନ୍ତି ସାଂସଦ ସୁଲତା ଦେଓ, ଯାହାଙ୍କ ଯୋଗୁ ବରିଷ୍ଠ ବି ହରଡ଼ଘଣାରେ ପଡ଼ିଛନ୍ତି।
ସୁଲତା ଦେଓ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ କ୍ୟାମ୍ପର ଅନ୍ୟତମ ପ୍ରବକ୍ତା ତଥା ହିତାଧିକାରୀ। ଯେତେବେଳେ ବିଜେଡି ରାଜନୀତିରେ ପାଣ୍ଡିଆନ୍ ସର୍ବସମ୍ମୁଖରେ ରହିବାକୁ ପସନ୍ଦ କରୁଥିଲେ, ସେତେବେଳେ ସୃଷ୍ଟି ହୋଇଥିବା ହିତାଧିକାରୀ ନେତାଙ୍କ ଭିତରେ ଶ୍ରୀମତୀ ଦେଓଙ୍କ ନାଁ ଆସେ। ଏଠାରେ ‘ହିତାଧିକାରୀ’ ନେତା ଶବ୍ଦଟି ଆପଣଙ୍କୁ ଅଡ଼ୁଆ ଲାଗୁଥାଇପାରେ! କାରଣ ଦଳିତ, ଗରିବ ତଥା ନିଷ୍ପେଷିତ ବ୍ୟକ୍ତି ଯେଉଁମାନେ କୌଣସି ଯୋଜନାରେ ସହାୟତା ପାଆନ୍ତି ତାଙ୍କୁ ହିତାଧିକାରୀଭାବେ ଗଣାଯିବାର ଉଦାହରଣ ରହିଛି କିନ୍ତୁ ଜଣେ ରାଜ୍ୟସଭା ସାଂସଦଙ୍କୁ ହିତାଧିକାରୀ କହିବାର କାରଣ କ’ଣ?
ମୁଁ ଏଠାରେ ଆପଣଙ୍କୁ ସ୍ପଷ୍ଟ କରିଦେବାକୁ ଚାହେଁ, ଯେ, ସୁଲତା ଦେଓଙ୍କର ରାଜ୍ୟ ରାଜନୀତିରେ ଆବିର୍ଭାବ ୨୦୧୯ ନିର୍ବାଚନ ପରେ ହିଁ ହୋଇଛି। ଅର୍ଥାତ୍ ଯେତେବେଳେ ବିଜେଡି ରାଜନୀତିରେ ପାଣ୍ଡିଆନ୍ଙ୍କ ପ୍ରଭାବ ସାର୍ବଜନୀନ ହୋଇଛି ଠିକ୍ ସେହି ସମୟରେ। ଅବଶ୍ୟ ଶ୍ରୀ ପାଣ୍ଡିଆନ୍ ସେତେବଳେ ଅଧିକାରୀଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ, କିନ୍ତୁ ଅଭିଯୋଗ ଅନୁସାରେ ସହିଁ ସବୁ ରାଜନୀତିକ କାର୍ଯ୍ୟକୁ ସମ୍ପାଦନ କରୁଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସହାୟତା ନାଁରେ ବିଭିନ୍ନ ନିର୍ବାଚନମଣ୍ଡଳୀ ଗସ୍ତ କରି ସେଠାରେ ଲୋକଙ୍କ ଅଭିଯୋଗ ଶୁଣୁଥିଲେ, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ନାଁରେ ସମସ୍ତ ବିଭାଗର ଫାଇଲ୍ ତାଙ୍କରି ବାଟ ଦେଇ ଯିବାକୁ ବାଧ୍ୟ କରୁଥିଲେ। ଏପରିକି ଦଳରେ କିଏ କେଉଁ ନିର୍ବାଚନ ଲାଗି ଟିକଟ ପାଇବ ତାହା ସେ ହିଁ ସ୍ଥିର କରୁଥିଲେ।
୨୦୧୯ ନିର୍ବାଚନରେ ଦଳର ସଫଳତା ପରେ ତାଙ୍କର ପ୍ରଭାବ ସାର୍ବଜନୀନ ପ୍ରସ୍ଫୁଟିତ ହୋଇଥିଲା। ଯାହାକୁ ଅନ୍ୟ ରାଜନୀତିକ ଦଳ ହଜମ କରିପାରିନଥିଲେ। ତାଙ୍କୁ ଚାକିରି ଛାଡ଼ି ରାଜନୀତିକୁ ଆସିବାକୁ ଆହ୍ୱାନ ଦେଇଥିଲେ। ଏହାକୁ ସ୍ୱୀକାର କରି ୨୦୨୩ ଅକ୍ଟୋବରରେ ବିଜେଡି ରାଜନୀତିରେ ପ୍ରବେଶ କରି ନିର୍ବାଚନ ଛାଡ଼ିଲା ପରେ ସକ୍ରିୟ ରାଜନୀତିରୁ ଦୂରରେ ରହିଥିବା ଘୋଷଣା କରିଥିଲେ। ଏହି ସମୟରେ କିନ୍ତୁ ଶ୍ରୀ ପାଣ୍ଡିଆନ୍ ଅନେକ ନେତାଙ୍କ ପର ଛେଦନ କରିବା ସହ ଅନେକ ନୂଆ ନେତାଙ୍କୁ ସୃଷ୍ଟି କରିଥିବା କୁହାଯାଏ। ଖାଲି ସୃଷ୍ଟି କରିଥିଲେ, ତା’ ନୁହେଁ ସେମାନଙ୍କୁ ବିଜେଡି ଟିକଟ ଦେଇ ରାଜସଭାକୁ ବି ପଠାଇଥିଲେ। ଆଉ ଏହିକ୍ରମରେ ମାନସ ରଞ୍ଜନ ମଙ୍ଗରାଜ, ସସ୍ମିତ ପାତ୍ର, ନିରଞ୍ଜନ ବିଶି, ସୁଜିତ କୁମାର, ଶୁଭାଶୀଷ ଖୁଣ୍ଟିଆ, ସୁଲତା ଦେଓଙ୍କ ଭଳି ନେତାଙ୍କ ଆବିର୍ଭାବ ହୋଇଥିଲା। ଅର୍ଥାତ୍ ପୂର୍ବରୁ ବିଜେଡିର ଛୋଟ ମୋଟ କାମରେ ନିଯୁକ୍ତ ଥିବା କର୍ମଚାରୀ ଜନପ୍ରତିନିଧିଭାବେ ମନୋନୀତ ହୋଇଥିଲେ। ଏହା ପାଣ୍ଡିଆନ୍ଙ୍କ ହାତମୁଠାକୁ ଟାଣ କରିବା ଲାଗି ଉଦ୍ଦିଷ୍ଟ ଥିଲା କିନ୍ତୁ ପ୍ରକାରନ୍ତେ ସୃଷ୍ଟି କରିଥିଲା ବିଜେଡିରେ ହିତାଧିକାରୀ ନେତାଙ୍କ ତାଲିକା।
ଆଜି ଏହି ହିତାଧିକାରୀ ନେତାଙ୍କ ଭିତରୁ କିଛି ନେତାଙ୍କୁ ଦିଆଯାଇଥିବା ପଦବୀର କାର୍ଯ୍ୟକାଳ ଶେଷ ହେବାକୁ ଆସିଛି। ଏହି ସମୟରେ ତାଙ୍କ ପାଇଁ ଆଉଥରେ ନିର୍ବାଚିତ ହେବା ସମ୍ଭାବନା କ୍ଷୀଣ ପ୍ରାୟ। ଅବଶ୍ୟ ଯଦି ତିନିଟି ପଦବୀ ଲାଗି ନିର୍ବାଚନ ହୁଏ ତେବେ ବିଜେଡିର ଜଣେ ପ୍ରାର୍ଥୀ ନିର୍ବାଚତ ହେବେ କିନ୍ତୁ ସେଥିରେ ଏ ହିତାଧିକାରୀ ନେତାଙ୍କ ଭିତରେ ପ୍ରତିଦ୍ୱନ୍ଦ୍ୱିତା ହେବା ସ୍ୱାଭାବିକ। ଏଣୁ ସେମାନେ ଚର୍ଚ୍ଚାରେ ରହିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ବୋଲି କୁହାଯାଉଛି। ଏଣୁ କିଛି ନେତା ସାଜିଥିବା ସାଂସଦ ଏବେ ଚହଲା ପାଣିରେ ପାଦ ରଖି ଚର୍ଚ୍ଚାକୁ ଆସିବାକୁ ଚାହୁଁଛନ୍ତି।
କୁହାଯାଉଛି ସେମିତି ଜଣେ ନେତା ହେଉଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ। ସୁଲତାଙ୍କ କାର୍ଯ୍ୟକାଳ ଆଉ ପ୍ରାୟ ୧ ବର୍ଷ ରହିଲା। ଏଣୁ ଏବେଠାରୁ କ୍ଷେତ୍ର ପ୍ରସ୍ତୁତି କରିବା ଆବଶ୍ୟକ। ଏଣୁ ସେ କୌଣସି ସୁଯୋଗ ଛାଡ଼ିବାକୁ ଚାହୁଁ ନାହାନ୍ତି। ଟିଭି ମାଇକଟେ ପାଇଲେ ଯାହା ଗୋଟେ କହି ଚର୍ଚ୍ଚା ପରିଧିକୁ ଆସିବାକୁ ଚାହୁଁଛନ୍ତି। ଏହିକ୍ରମରେ ସେ ପହଲଗାମ ଗଣହତ୍ୟାରେ ସାରାଦେଶକୁ ଭୁଲ ବୋଲି କହିବାକୁ ପଛାଇ ନାହାନ୍ତି। ଧର୍ମ ପଚାରି ହିନ୍ଦୁଙ୍କୁ ଗୁଳି କରିଛନ୍ତି ବୋଲି ସାରାଦେଶ କହୁଥିବାବେଳେ ସୁଲତା କହିଛନ୍ତି ଏତେ କମ୍ ସମୟରେ କ’ଣ ଧର୍ମକଥା କେହି ପଚାରିଥିବେ? ଅର୍ଥାତ୍ ତାଙ୍କର ଏଥିପ୍ରତି ସନ୍ଦେହ ରହିଛି।
ସୁଲତାଙ୍କ ଏହି ବୟାନକୁ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ସମାଲୋଚନା କରିଛନ୍ତି। ଏହା ପୂର୍ବରୁ ପ୍ରସନ୍ନ ବିଜେଡିରେ ବାହ୍ୟ ଶକ୍ତିର ପ୍ରଭାବ ଥିବା କହି ଚର୍ଚ୍ଚା ପରିସରକୁ ଆସିଥିଲେ। ୱାକ୍ଫ ବିଧେୟକରେ ବିଜେଡିର ସାଂସଦମାନେ ବିଭାଜିତ ହୋଇ ଭୋଟ ଦେବାକୁ କେନ୍ଦ୍ର କରି ସେ ଏହି କଥା କହିଥିଲେ। ଯେଉଁ ବିଷୟକୁ ନେଇ ପ୍ରବଳ ତମ୍ବିତୋଫାନ ହୋଇଥିଲା। ସାଧାରଣ କର୍ମୀମାନେ ପାଣ୍ଡିଆନ୍ଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। କିନ୍ତୁ ନବୀନ ପାଣ୍ଡିଆନ୍ଙ୍କୁ ସୁରକ୍ଷା ଦେବାରୁ ସେ ଚର୍ଚ୍ଚା ଏବେ ବନ୍ଦ ରହିଛି।
ହେଲେ ଦେଶର ସୁରକ୍ଷା, ସାରର୍ବଭୌମତ୍ୱକୁ ନେଇ ସାରାଭାରତରେ ସରକାରଙ୍କ ପକ୍ଷରେ ମତ ସୃଷ୍ଟି ହୋଇଥିବା ବେଳେ ସୁଲତାଙ୍କ ଦ୍ୱନ୍ଦ୍ୱ ସୃଷ୍ଟିକାରୀ ବୟାନ ଓ ପରେ ଏଥିନେଇ କ୍ଷମା ପ୍ରାର୍ଥନା ଅନେକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ମୁସଲମାନଙ୍କୁ ତୋଷାମଦ କରିବାକୁ ସୁଲତା ଆତଙ୍କବାଦୀଙ୍କ ଧର୍ମ ନାହିଁ ବୋଲି କହିଥିଲେ ବୋଲି ଅଭିଯୋଗ ହୋଇଛି। କିନ୍ତୁ ଦେଶର ମୁସଲମାନ ସମ୍ପ୍ରଦାୟ ଏବେ ଆତଙ୍କବାଦୀଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି। କୌଣସି ପ୍ରକାରେ ଧର୍ମକୁ ଟାର୍ଗେଟ କରି ଗଣହତ୍ୟା କରିବାଲାଗି ଇସ୍ଲାମ ପ୍ରଶ୍ରୟ ଦିଏ ନାହିଁ ବୋଲି କହିଛନ୍ତି। ଏମିତି କି ମୁସଲମାନ ସାଂସଦମାନେ ମଧ୍ୟ ଏ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବାବେଳେ ସୁଲତା କେବଳ ମିଡିଆ ଆକର୍ଷଣ ଲାଗି ଏପରି କରିଥିବା କୁହାଯାଉଛି।
ସୁଲତାଙ୍କ ଏପରି ବୟାନ ଆଉଥରେ ସ୍ପଷ୍ଟ କରୁଛି ଯେ, ବିଜେଡିରେ ସବୁକିଛି ଗୋଟିଏ ବାଟରେ ଚାଲୁ ନାହିଁ। ଏଠାରେ ଶାସନ ଢିଲା ହୋଇଯାଇଛି। ଦଳର ସଭାପତି ନୀରବତା ରକ୍ଷା କରୁଥିବାରୁ ଦଳ ଏବେ ଛ’ଫାଳ ହୋଇଥିବା କୁହାଯାଉଛି।
Alsao readhttps://purvapaksa.com/district-collector-in-fear-dmf-funds-not-being-spent/
