Pahalgam Terror Attack: ପହଲଗାମ ଆକ୍ରମଣ ପରେ ପାକିସ୍ତାନ ଭୟଭୀତ ହୋଇପଡ଼ିଛି। ଭାରତୀୟ ସେନାର ପ୍ରତିଶୋଧାତ୍ମକ ଆକ୍ରମଣକୁ ନେଇ ପାକିସ୍ତାନ ଚିନ୍ତିତ ଅଛି। ଏବେ ଅରବ ସାଗରରେ ଭାରତୀୟ ନୌସେନାର କ୍ୟାରିଅର ବ୍ୟାଟଲ ଗ୍ରୁପର ଉପସ୍ଥିତି ପାକିସ୍ତାନର ଅବସ୍ଥାକୁ ଆହୁରି ଖରାପ କରିଦେଇଛି। କାରଣ, ଏକ ସମ୍ପୂର୍ଣ୍ଣ ବ୍ୟାଟଲ ଗ୍ରୁପ ଯେ କୌଣସି ସମୟରେ ଖେଳକୁ ପୂରାପୂରି ବଦଳାଇ ଦେଇପାରେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସ୍ପଷ୍ଟ କହିଛନ୍ତି ଯେ କାହାକୁ ଛଡ଼ାଯିବ ନାହିଁ। ଘଟଣା ପୂର୍ବରୁ ହିଁ ପାକିସ୍ତାନ ନିଜର ରକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା। ସମୁଦ୍ର ମାର୍ଗରେ କୌଣସି ଆକ୍ରମଣ ନ ହେଉ ସେଥିପାଇଁ ପାକିସ୍ତାନ କରାଚୀରୁ ଗ୍ୱାଦର ପର୍ଯ୍ୟନ୍ତ ଅଞ୍ଚଳ ପାଇଁ ଦୁଇ ଦିନିଆ NAVAREA WARNING ଜାରି କରିଛି। ଏହି ଦୁଇ ଦିନ ପାଇଁ ଲାଇଭ୍ ଫାୟାରିଂ ଅଭ୍ୟାସ ପାଇଁ ଏହି ଚେତାବନୀ ଜାରି କରାଯାଇଛି। ଏହି ଅଭ୍ୟାସ ୨୪ ଏପ୍ରିଲରୁ ୨୫ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ଏହି ଚେତାବନୀରେ କରାଚୀ ଓ ଗ୍ୱାଦର ନିକଟବର୍ତୀ ଅଞ୍ଚଳରେ ବିମାନ, ବ୍ୟାପାରିକ ଜାହାଜ ଏବଂ ଅନ୍ୟ ଦେଶର ଯୁଦ୍ଧ ଜାହାଜମାନଙ୍କୁ ଅଭ୍ୟାସ ଅଞ୍ଚଳରୁ ଦୂରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅର୍ଥାତ୍ ସ୍ପଷ୍ଟ ଯେ ପାକିସ୍ତାନ ଏବେ ରକ୍ଷଣାତ୍ମକ ମୋଡ଼କୁ ଚାଲିଯାଇଛି।
କ୍ୟାରିଅର ବ୍ୟାଟଲ ଗ୍ରୁପ କ’ଣ?
ଏକ ଏୟାରକ୍ରାଫ୍ଟ କ୍ୟାରିଅର କେବେ ଏକାକୀ ଗତି କରେ ନାହିଁ। ଏହା ସହିତ କ୍ୟାରିଅର ପାଖରେ ପହଞ୍ଚୁଥିବା ଯେକୌଣସି ବିପଦକୁ ଦୂର କରିବା ପାଇଁ ଅନେକ ଯୁଦ୍ଧ ଜାହାଜ ଏବଂ ସବମାରିନ ଉପସ୍ଥିତ ରହିଥାନ୍ତି। ଶତ୍ରୁ ଦେଶର ନଜର ସର୍ବପ୍ରଥମେ ଏୟାରକ୍ରାଫ୍ଟ କ୍ୟାରିଅର ଉପରେ ରହିଥାଏ, କାରଣ ଏହାକୁ ଟାର୍ଗେଟ କଲେ ନୌସେନାର ମେରୁଦଣ୍ଡ ଭାଙ୍ଗିଯାଏ। ତେଣୁ ଏହାର ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ କ୍ୟାରିଅର ବ୍ୟାଟଲ ଗ୍ରୁପ ବିଷୟରେ କହିବାକୁ ଗଲେ, ଏକ ଗ୍ରୁପରେ ଡେଷ୍ଟ୍ରୟର, ଫ୍ରିଗେଟ, ସବମାରିନ ଏବଂ ସପୋର୍ଟ ଶିପର ସଂଖ୍ୟା ୮ରୁ ୧୨ ହୋଇଥାଏ। ଅପରେସନ ଅନୁଯାୟୀ ଏହାର ସଂଖ୍ୟା କମ ବା ଅଧିକ ହୋଇପାରେ।
ଏହା ବ୍ୟତୀତ ମିସାଇଲ ବୋଟ, କର୍ଭେଟ, ତୈଳ ଟ୍ୟାଙ୍କର ଶିପ ମଧ୍ୟ ଗତି କରିଥାଏ। ପ୍ରତ୍ୟେକ ଯୁଦ୍ଧ ଜାହାଜ, ଫାଇଟର ଏୟାରକ୍ରାଫ୍ଟ, ହେଲିକପ୍ଟର ପରସ୍ପର ସହ ସଂଯୁକ୍ତ ଥାଏ ଏବଂ ସମସ୍ତ ପ୍ରକାରର ଟାର୍ଗେଟ ବା ବିପଦକୁ ମୁକାବିଲା କରିଥାଏ। ଏହି ସମସ୍ତ ଏୟାରକ୍ରାଫ୍ଟ କ୍ୟାରିଅରର ୩୦ରୁ ୪୦ ନଟିକାଲ ମାଇଲ ବ୍ୟାସାର୍ଦ୍ଧ ମଧ୍ୟରେ ଭିନ୍ନ ଭିନ୍ନ ପ୍ରକାରେ ଅବସ୍ଥାନ କରିଥାନ୍ତି। ଭାରତୀୟ ନୌସେନାର କ୍ୟାରିଅର ବ୍ୟାଟଲ ଗ୍ରୁପର ପ୍ରଭାବଶାଳୀ ପରିସର ବିଷୟରେ କହିବାକୁ ଗଲେ, ସାଧାରଣତଃ ୨୦୦ରୁ ୨୫୦ ନଟିକାଲ ମାଇଲ ପର୍ଯ୍ୟନ୍ତ ଅଞ୍ଚଳକୁ ଏହି ବ୍ୟାଟଲ ଗ୍ରୁପ ସୁରକ୍ଷିତ ରଖିବାରେ ସକ୍ଷମ, ଏବଂ ଯୁଦ୍ଧ ସମୟରେ ଏହା ଆହୁରି ବୃଦ୍ଧି ପାଇଥାଏ।
INS ବିକ୍ରାନ୍ତ କ୍ୟାରିଅର ବ୍ୟାଟଲ ଗ୍ରୁପର ବିଶେଷତ୍ୱ
INS ବିକ୍ରାନ୍ତ କ୍ୟାରିଅର ବ୍ୟାଟଲ ଗ୍ରୁପ ମାଧ୍ୟମରେ ଆଣ୍ଟି-ସବମାରିନ ଯୁଦ୍ଧ ଅପରେସନ, ଆଣ୍ଟି-ଶିପ ଅପରେସନ, ଏୟାର ଡିଫେନ୍ସ, ନିରୀକ୍ଷଣ, ଏବଂ ସର୍ଚ ଆଣ୍ଡ ରେସକ୍ୟୁ ଅପରେସନ ପରିଚାଳନା କରାଯାଇପାରେ। ଏବେ INS ବିକ୍ରାନ୍ତରେ ମିଗ-୨୯ K ବିମାନ ପରିଚାଳିତ ହେଉଛି। ଏହି ଏୟାରକ୍ରାଫ୍ଟ କ୍ୟାରିଅର ପାଇଁ ଫ୍ରାନ୍ସରୁ ୨୬ଟି ରାଫେଲ ବିମାନର ଚୁକ୍ତି ଏହି ମାସରେ ହେବାକୁ ଯାଉଛି। ହେଲିକପ୍ଟର ମଧ୍ୟରେ ଆମେରିକାରୁ ଆମଦାନୀ କରାଯାଇଥିବା ରୋମିଓ ହେଲିକପ୍ଟର, ଚେତକ, ଏବଂ ସିକିଂ ହେଲିକପ୍ଟର ମଧ୍ୟ ଉପସ୍ଥିତ ଅଛି। ଯେହେତୁ ଏହି ଏୟାରକ୍ରାଫ୍ଟ କ୍ୟାରିଅର ଏକ ଜଳସମ୍ମୁଖରେ ଭାସୁଥିବା ଏୟାରଫିଲ୍ଡ ସଦୃଶ, ଶତ୍ରୁର ମିସାଇଲରୁ ନିଜକୁ ରକ୍ଷା କରିବା ପାଇଁ ଏହା କ୍ଲୋଜ-ଇନ ଓ୍ୱେପନ ସିଷ୍ଟମରେ ସଜ୍ଜିତ।
ଏହା ଯେକୌଣସି ଶତ୍ରୁର ସ୍ୱଳ୍ପ-ପରିସର ମିସାଇଲ, ଯାହା ଏୟାରକ୍ରାଫ୍ଟ କ୍ୟାରିଅର ଆଡ଼କୁ ଅଗ୍ରସର ହେଉଛି, ତାହାକୁ ଚିହ୍ନଟ କରି ଧ୍ୱଂସ କରିବାରେ ସକ୍ଷମ। ବିକ୍ରାନ୍ତରେ ୩୨ ଟ୍ୟୁବ ବିଶିଷ୍ଟ ୨ଟି ଭର୍ଟିକାଲ ଲଞ୍ଚିଂ ସିଷ୍ଟମ ଲାଗିଛି। ଏହା ଏକ ଉନ୍ନତ ମିସାଇଲ ଫାୟାରିଂ ସିଷ୍ଟମ, ଯେଉଁଥିରେ ଇଜରାଏଲର ୬୪ଟି ବରାକ-୮/ ମିଡିୟମ ରେଞ୍ଜ ସର୍ଫେସ-ଟୁ-ଏୟାର ମିସାଇଲ ନିକ୍ଷେପ କରାଯାଇପାରେ। ଏହା ଅଧା କିଲୋମିଟରରୁ ୧୫୦ କିଲୋମିଟର ପର୍ଯ୍ୟନ୍ତ ଯେକୌଣସି ଆକ୍ରମଣକୁ ଧ୍ୱଂସ କରିପାରେ। ଏହା ବ୍ୟତୀତ ଚାରୋଟି ଓଟୋବ୍ରେଡା ୭୬ ମିମି ଗନ ଏବଂ ୪ଟି କ୍ଲୋଜ-ଇନ ଓ୍ୱେପନ ସିଷ୍ଟମ ସହିତ ସଜ୍ଜିତ, ଯାହା ଶତ୍ରୁର ମିସାଇଲକୁ ଏୟାରକ୍ରାଫ୍ଟରେ ଆଘାତ କରିବା ପୂର୍ବରୁ ଧ୍ୱଂସ କରିଦେଇଥାଏ।
ଦୁଇ ଡଜନ ଯୁଦ୍ଧ ଜାହାଜ ଦେଖି ପାକିସ୍ତାନର ଆତଙ୍କ
ପାକିସ୍ତାନୀ ନୌସେନା ବିଷୟରେ କହିବାକୁ ଗଲେ, ୫୦ ବର୍ଷ ପରେ ମଧ୍ୟ ପାକିସ୍ତାନ ତା’ର ଯୁଦ୍ଧ ଜାହାଜର ସଂଖ୍ୟାକୁ ୫୦ ପାର କରିପାରି ନାହିଁ। ଶକ୍ତି ବୃଦ୍ଧି କରିବାରେ ତାକୁ ବନ୍ଧୁ ଚୀନ ସାହାଯ୍ୟ କରୁଛି। ପାକିସ୍ତାନ ବେଶ ଦ୍ରୁତଗତିରେ ନିଜ ନୌସେନାକୁ ଶକ୍ତିଶାଳୀ କରିବାରେ ଲାଗିପଡ଼ିଛି। ନୌସେନାକୁ ବିକଶିତ କରିବା ପାଇଁ ଚୀନ ସବୁଠାରୁ ଆଗରେ ରହିଛି। ବର୍ତ୍ତମାନ ପାକିସ୍ତାନ ପାଖରେ ପ୍ରାୟ ୨୪ଟି ଯୁଦ୍ଧ ଜାହାଜ ଅଛି, ଏବଂ ଆଗାମୀ ଦିନରେ ପାକିସ୍ତାନୀ ନୌସେନା ଏହାର ସଂଖ୍ୟାକୁ ଦ୍ୱିଗୁଣିତ କରିବା ପଥରେ ଅଛି। ପାକିସ୍ତାନ ୨୦୩୫ ସୁଦ୍ଧା ନିଜ ଯୁଦ୍ଧ ଜାହାଜର ସଂଖ୍ୟା ୫୦କୁ ବୃଦ୍ଧି କରିବାକୁ ଚାହୁଁଛି।
ସିମଲା ଚୁକ୍ତି ବାତିଲ କରି ପାକିସ୍ତାନ ଭାରତକୁ ପିଓକେ ଅଧିକାରର ସୁଯୋଗ ଦେଇଛି !