Dolo-650 : ଭାରତୀୟମାନେ ଡୋଲୋ ୬୫୦କୁ କ୍ୟାଡବରୀ ଜେମ୍ସ ପରି ଖାଆନ୍ତି… ଏକ ପୋଷ୍ଟ ଏକ୍ସ ପ୍ଲାଟଫର୍ମରେ ହଇଚଇ ସୃଷ୍ଟି କରିଛି। ଆମେରିକୀୟ ଡାକ୍ତର ପାଲାନିଆପ୍ପାନ ମାନିକମ ଡୋଲୋ ସମ୍ବନ୍ଧରେ ଭାରତୀୟମାନଙ୍କ ମାନସିକତା ନେଇ ଏକ ପୋଷ୍ଟ କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି, ‘ଭାରତୀୟମାନେ ଡୋଲୋ ୬୫୦କୁ କ୍ୟାଡବରୀ ଜେମ୍ସ ପରି ଖାଆନ୍ତି।’
ଏହା ପରେ ସୋସିଆଲ ମିଡିଆରେ ଲୋକଙ୍କ ପ୍ରତିକ୍ରିୟାର ସୁଅ ଛୁଟିଛି। ଅନେକେ ଏହାକୁ ନେଇ ଖୁସି ପ୍ରକାଶ କରିଛନ୍ତି। ସ୍ୱାସ୍ଥ୍ୟ ସେବା ପେସାଦାରମାନେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଯଦିଓ ଲୋକେ ଏହାକୁ ମଜାଳିଆ ଭାବେ ଗ୍ରହଣ କରିଛନ୍ତି, ତଥାପି ଅନେକେ ଚିନ୍ତା ପ୍ରକାଶ କରିଛନ୍ତି ଯେ ଲୋକେ ସାଧାରଣ ଜ୍ୱର ଓ ମୁଣ୍ଡବିନ୍ଧାରେ ଏହି ଔଷଧ ଖାଆନ୍ତି। ଏହାର ପାର୍ଶ୍ୱ ପ୍ରତିକ୍ରିୟା ନେଇ ମଧ୍ୟ ଚିନ୍ତା ଉତ୍ପନ୍ନ ହୋଇଛି।
ପ୍ରତ୍ୟେକ ଦୋକାନରେ ମିଳେ ଡୋଲୋ
ଡୋଲୋ-୬୫୦ ହେଉଛି ଏକ ପାରାସିଟାମଲ ଔଷଧ, ଯାହା ଏକ ସାଧାରଣ ସଲ୍ଟ ଭାବେ ବ୍ୟଥା ନିବାରକ ରୂପେ କାମ କରେ। ଏହା ଭାରତରେ ବିକ୍ରି ହେଉଥିବା ଏକ ଜଣାଶୁଣା ଔଷଧ। ଏହା କାଲପୋଲ, କ୍ରୋସିନ୍, ସୁମୋ, ପାରାସିପ୍, ଫେବ୍ରିନିଲ ଆଦି ଭିନ୍ନ ବ୍ରାଣ୍ଡ ନାମରେ ମଧ୍ୟ ଉପଲବ୍ଧ। ଏହି ଔଷଧ ପ୍ରତ୍ୟେକ ଭାରତୀୟ ଘରେ ଏବଂ ନିକଟସ୍ଥ ଔଷଧ ଦୋକାନରେ ସହଜରେ ମିଳିଯାଏ।
କୋଭିଡ ପରେ ଡୋଲୋର ଚାହିଦା ବୃଦ୍ଧି
କୋଭିଡ-୧୯ ମହାମାରୀ ପରେ ଏହି ଔଷଧର ଚାହିଦା ନାଟକୀୟ ଭାବେ ବୃଦ୍ଧି ପାଇଛି। ସାମାନ୍ୟ ଜ୍ୱର ଓ ଶରୀର ଯନ୍ତ୍ରଣାରେ ଲୋକେ ତୁରନ୍ତ ଡୋଲୋ-୬୫୦ ଖାଆନ୍ତି। ଆଜି ମଧ୍ୟ ଏହି ଔଷଧ ଆମ ଔଷଧ ବାକ୍ସରେ ରହିଥାଏ। ସାଧାରଣ ଲୋକଙ୍କ ମଧ୍ୟରେ ଏହା ଖୁବ୍ ଲୋକପ୍ରିୟ। ଲୋକେ ସାମାନ୍ୟ ଜ୍ୱର କିମ୍ବା ଯନ୍ତ୍ରଣାରେ ଡାକ୍ତରଙ୍କ ପରାମର୍ଶ ନ ନେଇ ଡୋଲୋ ଖାଇ ଆରାମ କରିବାକୁ ପସନ୍ଦ କରନ୍ତି।
ଆମେରିକା ଡାକ୍ତରଙ୍କ ଏକ୍ସ ପୋଷ୍ଟ ପରେ ଭାରତୀୟ ୟୁଜର୍ସଙ୍କ ପ୍ରତିକ୍ରିୟା ପର୍ବ ଆରମ୍ଭ ହୋଇଥିାଲ । ଜଣଣେ ଉପଭୋକ୍ତା ଲେଖିଛନ୍ତି ଯେ, ‘କି ପାଗଳାମୀ… ମୁଁ ଏବେ ଡୋଲୋ ଖାଇଲି ଆଉ ସାମ୍ନାରେ ଏହି ପୋଷ୍ଟ ଦେଖିଲି।’ ଆଉ ଜଣେ ଉପଭୋକ୍ତା ବିସ୍ତୃତ ଭାବେ କହିଛନ୍ତି, ‘ଏହା ନିରାପଦ, ଏହା ଭଲ, ଏହା ସ୍ୱାସ୍ଥ୍ୟକର, ଏହା ଜ୍ୱର ଓ ମୁଣ୍ଡବିନ୍ଧା କମାଇଥାଏ, ଯାହା କ୍ୟାଡବରୀ ଜେମ୍ସ ଦେଇପାରେ ନାହିଁ।’
କୋଭିଡ ସମୟରେ ଭାରତରେ ଗୁଗଲ ଟ୍ରେଣ୍ଡ
କୋଭିଡ ମହାମାରୀ ସମୟରେ ଭାରତୀୟମାନଙ୍କ ଗୁଗଲ ସର୍ଚ୍ଚ ଓ ଟ୍ରେଣ୍ଡରୁ ସ୍ପଷ୍ଟ ହେଉଛି ଯେ ଏହି ଔଷଧ କାହିଁକି ଏବେ ଚର୍ଚ୍ଚାରେ ରହିଛି। କୋଭିଡ ସମୟରେ ଗୁଗଲରେ ଏଭଳି ପ୍ରଶ୍ନ ପଚରାଯାଇଥିଲା:
– ଯଦି ମୁଁ ୨ଟି ଡୋଲୋ ୬୫୦ ଟାବଲେଟ୍ ଖାଏ, ତେବେ କ’ଣ ହେବ?
– ଜ୍ୱର ନଥାଇ ଡୋଲୋ ୬୫୦ ଖାଇଲେ କ’ଣ ହେବ?
– ଡୋଲୋ ୬୫୦ କମ୍ପାନୀର ନାମ କ’ଣ?
– ଦିନକୁ କେତେ ଡୋଲୋ ୬୫୦ ଖାଇହେବ?
କୋଭିଡରେ ଡୋଲୋର ଚାହିଦା ବୃଦ୍ଧି
ମହାମାରୀ ସମୟରେ ଡୋଲୋ ଭାରତରେ ୩୫୦ କୋଟିରୁ ଅଧିକ ବଟିକା ବିକ୍ରି କରିଥିଲା। ଗବେଷଣା ସଂସ୍ଥା IQVIA ଅନୁସାରେ, କୋଭିଡ-୧୯ ପୂର୍ବରୁ ଡୋଲୋର ୭.୫ କୋଟି ଷ୍ଟ୍ରିପ୍ ବିକ୍ରି ହୋଇଥିଲା, କିନ୍ତୁ ୨୦୨୧ ନଭେମ୍ବର ସୁଦ୍ଧା ଏହି ପାରାସିଟାମଲ ଟାବଲେଟର ବିକ୍ରୀ ୧୪.୫ କୋଟି ଷ୍ଟ୍ରିପ୍କୁ ଛୁଇଁଥିଲା।
ଡୋଲୋ ୬୫୦ (ପାରାସିଟାମଲ) ଏକ ସାଧାରଣ ବ୍ୟଥା ନିବାରକ ଓ ଜ୍ୱର ହ୍ରାସକାରୀ ଔଷଧ, ଯାହା ସାଧାରଣତଃ ନିରାପଦ ବୋଲି ବିବେଚିତ ହୋଇଥାଏ। ତଥାପି, ଅତ୍ୟଧିକ ବ୍ୟବହାର ବା ଅନୁପଯୁକ୍ତ ଡୋଜ୍ରେ ଏହାର କିଛି ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇପାରେ। ଯେମିତି ଅତ୍ୟଧିକ ଡୋଜ୍ ଅର୍ଥାତ ଦିନକୁ ୪,୦୦୦ ମିଲିଗ୍ରାମରୁ ଅଧିକ ବା ଦୀର୍ଘ ସମୟ ଧରି ବ୍ୟବହାର କରିବା ଯୋଗୁଁ ଯକୃତ କ୍ଷତିଗ୍ରସ୍ତ ହୋଇପାରେ।
ଏହାର ଲକ୍ଷଣ ହୋଇଛି , ଆଖିହଳଦିଆ ପଡିବା ଗାଢ଼ ପରିସ୍ରା ଓ ଅତ୍ୟଧିକ ଦୁର୍ବଳତା ଲାଗିବା । ସେହିଭିଳି ଗୁରୁତର ଆଲର୍ଜି ପ୍ରତିକ୍ରିୟା ହେଉଛି ,- ଶ୍ୱାସକ୍ରିୟାରେ ଅସୁବିଧା, ମୁଖ, ଓଠ ବା ଗଳା ଫୁଲିବା ଓ ଏନାଫାଇଲାକ୍ସିସ୍ (Anaphylaxis) ପରି ଗୁରୁତର ଅବସ୍ଥା। ବିରଳ କ୍ଷେତ୍ରରେ ରକ୍ତରେ ପ୍ଲାଟେଲେଟ୍ କମିବା ବା ଲୋହିତ ରକ୍ତ କଣିକା ସମସ୍ୟା ଦେଖାଦେଇପାରେ।
ଡୋଲୋ ୬୫୦ ଖାଉଥିଲେ କ’ଣ କରିବେ ଓ କ’ଣ କରିବେ ନାହିଁ ଆସନ୍ତୁ ଜାଣିବା । ଆପଣ ଯଦି ଡୋଲୋ ୬୫୦ ଖାଉଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶରେ ଖାଆନ୍ତୁ । ଯକୃତ ରୋଗ, ମଦ୍ୟପାନର ଅଭ୍ୟାସ, କିମ୍ବା ଅନ୍ୟ ଔଷଧ ବ୍ୟବହାର କରୁଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସେହିଭଳି ଅନ୍ୟ ପାରାସିଟାମଲ ଧାରଣ କରୁଥିବା ଔଷଧ ସହ ଡୋଲୋ ୬୫୦ ନେବା ଏଡ଼ାନ୍ତୁ, କାରଣ ଏହା ଅତ୍ୟଧିକ ଡୋଜ୍ର ଆଶଙ୍କା ବଢ଼ାଇଥାଏ।ଲଗାତାର କିମ୍ବା ଏହାର ଅନୁଚିତ ବ୍ୟବହାର ଏଡ଼ାନ୍ତୁ, କାରଣ ଏହା ଯକୃତ ଓ କିଡନୀ ଉପରେ ପ୍ରଭାବ ପକାଇପାରେ।
ALSO READ: https://purvapaksa.com/how-much-heat-can-our-body-tolerate-its-less-than-what-you-think/