Article 142 and Vice President: ଏହି ଧାରା ନ୍ୟାୟପାଳିକାକୁ ବିବେକାଧିକାର କ୍ଷମତା ପ୍ରଦାନ କରିଥାଏ ଯାହାର ଅର୍ଥ ହେଉଛି କୋର୍ଟ ଯେ କୌଣସି ମାମଲାରେ ତା’ର ବିଚାରବୋଧ ଅନୁସାରେ ନିଷ୍ପତ୍ତି ନେଇପାରିବେ। ଏହି ଧାରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୂର୍ଣ୍ଣ ନ୍ୟାୟ ସୁନିଶ୍ଚିତ କରିବା। ଏହି ଧାରା ବିଭିନ୍ନ ପରିସ୍ଥିତିରେ କୋର୍ଟକୁ ନମନୀୟ କରାଇଥାଏ।
ୱାକଫ୍ ସଂଶୋଧନ ବିଲକୁ ନେଇ ଏବେ ସାରାଦେଶରେ ପ୍ରତିବାଦର ନିଆଁ ଜଳୁଛି। ଇତିମଧ୍ୟରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚି ସାରିଛି । ମାମଲାର ଶୁଣାଣି କରି ଏହା ଉପରେ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରି ୱାକଫ୍ ବୋର୍ଡର ନୂଆ ନିଯୁକ୍ତି ଉପରେ ମଧ୍ୟ ରୋକ ଲଗାଇଛନ୍ତି ସୁପ୍ରିମେକାର୍ଟ। ନୂଆ ଆଇନକୁ ନେଇ ଦୁଇପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ କେନ୍ଦ୍ରକୁ ଏହାର ରୂପରେଖ ବିଷୟରେ ପଚାରିଛନ୍ତି। ବିଶେଷ କରି ‘ୱାକଫ୍ ବାଇ ୟୁଜର’ ସମ୍ପତ୍ତି ବାବଦରେ ପଚାରିଛନ୍ତି କୋର୍ଟ। ସେହିପରି ୱାକଫ୍ କାଉନସିଲରେ ଅଣମୁସଲିମମାନଙ୍କ ନିଯୁକ୍ତିକୁ ନେଇ ମଧ୍ୟ ପ୍ରଶ୍ନ କରିଥିଲେ କୋର୍ଟ। ହିନ୍ଦୁ ଏଣ୍ଡାମେଣ୍ଟ ବୋର୍ଡରେ ମୁସଲିମ ରହିପାରିବେ କି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ। ପକ୍ଷ ରଖିବାକୁ କେନ୍ଦ୍ର ସରକାର କୋର୍ଟଙ୍କୁ ସମୟ ମାଗିଥିଲେ। ଏ ନେଇ ସୁପ୍ରିମକୋର୍ଟ କେନ୍ଦ୍ରକୁ ୭ ଦିନର ସମୟ ଦେଇଛନ୍ତି।
ଏପଟେ ୱାକଫ୍ ସଂଶୋଧନ ବିଲ ଉପରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ପ୍ରତିକ୍ରିୟା ରଖି ଏମିତି କିଛି କହିଛନ୍ତି ଯାହାକୁ ନେଇ ଏବେ ସବୁଆଡ଼େ ନୀରବତା ଛାଇଯାଇଛି। ତାଙ୍କ ବକ୍ତବ୍ୟକୁ ନେଇ ଚିନ୍ତା କରିବାର ସମୟ ଆସିଛି। ଧନଖଡ଼ଙ୍କର ଏହି କଥା ଲୋକତନ୍ତ୍ର ଏବଂ ସମ୍ବିଧାନ ଦ୍ୱାହି ଦେଉଥିବା ବ୍ୟକ୍ତିଙ୍କୁ ଅସହଜ ଲାଗିଥାଇପାରେ। ଧନଖଡ଼ ଅଳ୍ପରେ କହିଛନ୍ତି ସମ୍ବିଧାନର ‘ଆର୍ଟିକିଲ ୧୪୨ ଏପରି ଏକ ନ୍ୟୁକ୍ଲିୟର ମିସାଇଲ ପାଲଟି ଯାଇଛି ଯାହା ଗଣତନ୍ତ୍ରକୁ ଚବିଶ ଘଣ୍ଟା ଧମକ ଦେଉଛି।’ ତେବେ ସମ୍ବଧାନର ଏହି ୧୪୨ ଧାରା କ’ଣ ? କାହିଁକି ଏହାକୁ ନ୍ୟୁକ୍ଲିୟର ମିସାଇଲ ସହ କାହିଁକି ତୁଳନା କଲେ ଧନଖଡ଼?
କ’ଣ କହିଲେ ଉପରାଷ୍ଟ୍ରପତି
ଧନଖଡ଼ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ନ୍ୟାୟପାଳିକାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ରାଷ୍ଟ୍ରପତିଙ୍କର କୌଣସି ନିଷ୍ପତ୍ତି ବିରୋଧରେ ବିଚାର କରାଯାଇ ନ୍ୟାୟ ଦିଆଯାଉଛି। ହେଲେ ଜଣେ ଜଜଙ୍କ ଘରେ କୋଟି କୋଟି ଟଙ୍କାର ଟଙ୍କା ମିଳିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ସେ ଦେଶର ନ୍ୟାୟ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ କହିଥିଲେ, ଏବେ ସଂସଦ ଯେତେବଡ଼ ଆଇନ ପାରିତ କରୁ ନା କାହିଁକି, ଗୋଟିଏ ଯାଚିକା ଉପରେ ଏହାକୁ କୌଣସି ନା କୌଣସି ଜଣେ ବିଚାରପତି ଅଟକାଇ ଦେଉଛନ୍ତି। ତେଣୁ ଦିନକୁ ଦିନ ନିରଙ୍କୁଶ ହୋଇପଡ଼ୁଥିବା ନ୍ୟାୟପାଳିକାକୁ ଯଦି ଉତ୍ତରଦାୟୀ କରାନଯାଏ, ତେବେ ସରକାର କେବଳ ନାମକୁ ମାତ୍ର ରହିବ, ପ୍ରମୁଖ ନିଷ୍ପତ୍ତି କେବଳ ସୁପ୍ରିମକୋର୍ଟ ନେବେ।
ଉପରାଷ୍ଟ୍ରପତି ଧନଖଡ଼ ନ୍ୟାୟପାଳିକାକୁ ନେଇ ଯେପରି ନିଜର କ୍ଷୋଭ ପ୍ରକାଶ କଲେ ତାହା ଜାଣିବା ପରେ ଏବେ ଏହି ଧାରା ୧୪୨ କ’ଣ ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍ସୁକତା ବଢ଼ୁଥିବ। ମନରେ ପ୍ରଶ୍ନ ଉଠୁଥିବ ଇଏ କେଉଁ ଧାରା ଯାହା ନ୍ୟାୟପାଳିକାକୁ ଏମିତି ବିଶେଷ ଅଧିକାର ଦେଇଛି।
ଭାରତୀୟ ସମ୍ବିଧାନର ଧାରା ୧୪୨ ଏମିତି ଏକ ପ୍ରାବଧାନ ଯାହା ସୁପ୍ରିମକୋର୍ଟକୁ ଏକ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରିଛି। ଏହି ଧାରା ଜରିଆରେ ଯେଉଁ ମାମଲା ଉପରେ ଆଜିଯାଏ କୌଣସି ଆଇନ ତିଆରି ହୋଇନାହିଁ ସେହି ମାମଲାରେ ସୁପ୍ରିମକୋର୍ଟ ତାଙ୍କର ନିଷ୍ପତ୍ତି ଶୁଣାଇ ପାରିବେ। ତେବେ ଏହି ରାୟ ସମ୍ବିଧାନ ଉଲ୍ଲଘଂନ କରିବା ପରି ନ ହେବା ଉଚିତ।
ଧାରା ୧୪୨ କ’ଣ?
ଏହି ଧାରା ସୁପ୍ରିମକୋର୍ଟକୁ ଯେ କୌଣସି ମାମଲାରେ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିଛି। ଏହି ଧାରା ବଳରେ ନ୍ୟାୟର ସ୍ୱାର୍ଥ ରକ୍ଷା ପାଇଁ ଆଇନ ଅନୁଯାୟୀ ଯେକୌଣସି ନିର୍ଦ୍ଦେଶ ଦେବାକୁ କୋର୍ଟକୁ ଅନୁମତି ମିଳିଛି। ଏହି ଧାରା ନ୍ୟାୟପାଳିକାକୁ ବିବେକାଧିକାର କ୍ଷମତା ପ୍ରଦାନ କରିଥାଏ ଯାହାର ଅର୍ଥ ହେଉଛି କୋର୍ଟ ଯେ କୌଣସି ମାମଲାରେ ତା’ର ବିଚାରବୋଧ ଅନୁସାରେ ନିଷ୍ପତ୍ତି ନେଇପାରିବେ। ଏହି ଧାରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୂର୍ଣ୍ଣ ନ୍ୟାୟ ସୁନିଶ୍ଚିତ କରିବା।
କାହିଁକି ମହତ୍ତ୍ୱପୂର୍ଣ୍ଣ ଏହି ଧାରା?
ଏହି ଧାରାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିଗଟି ହେଉଛି, ଏହା ନ୍ୟାୟର ନୀତିକୁ ସୁରକ୍ଷା ଦେଇଥାଏ। ଅନେକ କ୍ଷେତ୍ରରେ, ସୁପ୍ରିମକୋର୍ଟ ସାମାଜିକ ପରିବର୍ତ୍ତନ ଆଣିବା ପାଇଁ ମଧ୍ୟ ଏହି ଧାରା ବ୍ୟବହାର କରିଛନ୍ତି। ଏହା ବ୍ୟତୀତ ଏହି ଧାରା ଆଇନରେ ଉନ୍ନତି ଆଣିବାରେ ମଧ୍ୟ ସାହାଯ୍ୟ କରେ।
ଏହାକୁ ନେଇ କାହିଁକି ବଢ଼ୁଛି ସମସ୍ୟା ?
ଧାରା ୧୪୨ ଅନୁସାରେ ନିଆଯାଇଥିବା କିଛି ନିଷ୍ପତ୍ତି ନ୍ୟାୟାଳୟର ବିବେକାଧିକାର କ୍ଷମତା ଉପରେ ଅନିଶ୍ଚିତତା ସୃଷ୍ଟି କରୁଛି। ଯାହା ଲୋକମାନଙ୍କର ମୌଳିକ ଅଧିକାରକୁ ବି ଅଣଦେଖା କରୁଛି।
ଧାରା ୧୪୨ ସହ ଜଡ଼ିତ କିଛି ଐତିହାସିକ ରାୟ
ବାବ୍ରୀ ମସଜିଦ-ରାମ ଜନ୍ମଭୂମି ମାମଲା (୨୦୧୯)
ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ବାବ୍ରୀ ମସଜିଦ –ରାମ ଜନ୍ମଭୂମି ମାମଲାରେ ଏହି ଧାରାର ପ୍ରୟୋଗ କରି ରାମଲଲାଙ୍କୁ ଜମି ଦେବାକୁ ଆଦେଶ ଦେଇଥିଲେ। ଏଥିସହିତ ମୁସଲିମ ପକ୍ଷଙ୍କୁ ଏହାର ବିକଳ୍ପଭାବେ ୫ ଏକର ଜମି ଦେବାକୁ ଆଦେଶ ଦେଇଥିଲେ। ଏହି ରାୟରେ ଅଦାଲତ ସ୍ପଷ୍ଟ କହିଥିଲେ ଯେ, ଏହା ପୂର୍ଣ୍ଣ ନ୍ୟାୟ ଦେଇଛି।
ବୋଫର୍ସ ଦୁର୍ନୀତି ସମ୍ପର୍କିତ ଆଦେଶ
ବୋଫର୍ସ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଜଣେ ଅଭିଯୁକ୍ତଙ୍କୁ ଆଶ୍ୱସ୍ତି ଦେଇ କହିଥିଲେ ଯେ, ମାମଲାଟି ଦୀର୍ଘ ସମୟ ଧରି ଲାଗି ରହିଛି। ବିଚାର ବିଳମ୍ବ ହେତୁ ଅଭିଯୁକ୍ତଙ୍କ ମୌଳିକ ଅଧିକାର ପ୍ରଭାବିତ ହେଉଛି।
ସାହରା-ସେବି ମାମଲା
ଯେଉଁମାନେ ସାହାରରେ ଟଙ୍କା ନିବେଶ କରିଥିଲେ ସେମାନଙ୍କୁ ସାହାରା ଗ୍ରୁପର ସମ୍ପତ୍ତି ବିକ୍ରି କରି ଫେରାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କୋର୍ଟ ଧାରା ୧୪୨ ବଳରେ ଦେଇଥିଲେ।
ସୁପାରି କିଲିଂ ମାମଲାରେ ଦଣ୍ଡ ଛାଡ଼
ୟୁନିଅନ୍ କାର୍ବାଇଡ୍ ଗ୍ୟାସ୍ ଦୁର୍ଘଟଣା ମାମଲାରେ କୋର୍ଟ ଧାରା ୧୪୨ ଅନୁଯାୟୀ କମ୍ପାନୀଗୁଡ଼ିକୁ ଆଶ୍ୱସ୍ତି ଦେଇଥିଲେ। କୋର୍ଟଙ୍କର ଏହି ରାୟ ସେ ସମୟରେ ବହୁତ ବିବାଦୀୟ ହୋଇପଡ଼ିଥିଲା।
ଅଯୋଧ୍ୟା ରାୟ ପରେ ଶାନ୍ତି ବଜାୟ ରଖିବାକୁ ନିର୍ଦ୍ଦେଶ
ଅଯୋଧ୍ୟା ରାୟ ପରେ ଶାନ୍ତି ଏବଂ ଶୃଙ୍ଖଳା ସୁନିଶ୍ଚିତ କରିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ମଧ୍ୟ କୋର୍ଟ ଧାରା ୧୪୨ ଅନୁସାରେ ନେଇଥିଲେ।
କାହିଁକି ଏହି ଧାରାକୁ ବିଶେଷ ଗୁରୁତ୍ୱ ମିଳୁଛି?
ଧାରା ୧୪୨ ଅନୁସାରେ, ସୁପ୍ରିମକୋର୍ଟ କେବଳ ଆଇନ ଅନୁସାରେ ନୁହେଁ, ବରଂ ନ୍ୟାୟ ଆଧାରରେ ନିଷ୍ପତ୍ତି ନେଇପାରିବେ। ଏହା କୋର୍ଟର ଏକ ମନୋବୈଜ୍ଞାନିକ ସନ୍ତୁଳନ କରୁଥିବା ଅସ୍ତ୍ର ଅଟେ। ଏହାର ଅର୍ଥ ଯେଉଁଠି ଆଇନ ନୀରବ ହୋଇଯାଏ ସେଠି ନ୍ୟାୟର ସ୍ୱର ଶୁଣିବାକୁ ମିଳେ।
Also readhttps://purvapaksa.com/caste-based-divide-lobbying-begins-for-votes-in-odisha/
