ନବେ ଦଶକର ଓଡ଼ିଆ ସିନେମା ‘ପରଦେଶୀ ଚଢ଼େଇ’ର ସେଇ ଗୀତଟି ଆଜି କାହିଁକି ମନେପଡ଼ୁଛି। ବିଦେଶୀ ଭାଉଜଙ୍କୁ ଭାଷା ଶିଖାଉଥିବା ନଣନ୍ଦର ଗୀତ ଓ ଗୀତର ଛନ୍ଦ ଏବେକାର ରାଜନୀତିକ ପରିବେଶକୁ ବେଶ୍ ଖାପ୍ ଖୁଆଉଥିବା ପରି ମନେହୁଏ। ଓଡ଼ିଆ କ୍ଲାସିକ୍ ସିନେମାରେ ଯଦି ଆପଣ ରୁଚି ରଖୁଥାଆନ୍ତି ତେବେ ମୁଁ କହୁଥିବା ଗୀତଟି ବାବଦରେ ଆପଣ ଠଉରେଇ ପାରୁଥିବେ। ଗୀତଟି ଏମିତି ଥିଲା- ‘ହରିଣ ନ ଦିଏ ଧରା.. ଦଉଡ଼ ନା ବଡ଼ ଖରା..’ ଶିଖିବାକୁ ହେଲେ ମୋ ସାଥେ କୁହ ଆଗେ ଖରା, ତରା ଧରା…।
ଓଡ଼ିଶାର ପ୍ରମୁଖ ଆଞ୍ଚଳିକ ଦଳ ବିଜେଡିରେ କିଛି ନେତା ଯେମିତି ଦଉଡ଼ୁଛନ୍ତି ଏବଂ ଯେଉଁପରିଭାବେ ତାଙ୍କ କଥା ଶୁଣିବାକୁ କେହିବି ଆସୁ ନାହାନ୍ତି। ଏହାକୁ ଦେଖିଲେ ଏ ଗୀତଟି ବେଶ୍ ଖାପ ଖାଉଛି। ସେତେବେଳେ ମୁଣ୍ଡ ଉପରେ ପ୍ରଚଣ୍ଡ ଖରା ଯୋଗୁ ଗୀତିକାର କ୍ଷୀପ୍ର ଗତିରେ ନ ଦଉଡ଼ିବାକୁ କହୁଥିଲେ। ଆଜି ଯେମିତି ଏପ୍ରିଲ ମାସର ଖରାରେ ନେତା ଛଟପଟ ହେଉଛନ୍ତି ସିନା ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସେମାନଙ୍କୁ ମାଧ୍ୟମ ମିଳୁ ନାହିଁ। ତାହାକୁ ଦେଖିଲେ ଏ ବିଷୟ ସହିତ ଗୀତଟିର ସାମଞ୍ଜସ୍ୟ ଥିବା ସ୍ପଷ୍ଟ ହେଉଛି। ଏହି ବିଷୟକୁ ଆଧାର କରି ଆଜିର ଆଲୋଚନା।
ଏଠି ବିଜେପିକୁ ହରିଣ ସହ ତୁଳନା କରିବାର କାରଣ ଅନେକ ରହିଛି। ନିକଟରେ ବିଜେପି ହାସଲ କରିଥିବା କ୍ଷମତା ଏବଂ ଏହାର ଭୟ। ଆପଣ କହିପାରନ୍ତି, କେନ୍ଦ୍ରରେ ତ ବିଜେପି କ୍ଷମତାରେ ରହିଛି, ରାଜ୍ୟରେ ବି କ୍ଷମତାକୁ ଆସିଛି। ରାଜ୍ୟରେ ବିରୋଧୀ ଦଳ ଭାଗଭାଗ ହୋଇଥିବାରୁ କ୍ଷମତା ସହିତ ବୋନ୍ସ ମିଳିଛି। ଏମାନଙ୍କ ଭିତରେ ବିଧାନସଭାରେ ଏକତା ରହୁନାହିଁ, ଏଣୁ ବିଜେପି ନେତାଙ୍କ ମନରେ ଭୟ କାହିଁକି ରହିବ?
ଉତ୍ତର କିନ୍ତୁ ସର୍ବଜନବିଦିତ। ସବୁଠାରୁ ବଳିଷ୍ଠ ଉତ୍ତର ହେଉଛି ଯେଉଁ କ୍ଷମତା ବିଜେପି ପାଇଛି ତାହା କେବଳ ‘ବାଏ ଚାନ୍ସ ’ ବୋଲି କୁହାଯାଇପାରେ। ଏଠି ୨୪ ବର୍ଷ ଶାସନ କରିବା ପରେ ତତ୍କାଳୀନ ଶାସକ ଦଳରେ ଫାଟ ହେତୁ ବିଜେପି ଏହି ସୁଯୋଗ ପାଇଛି। ପୁଣି ଯେତିକି ଭୋଟ୍ ବିଜେପି ପାଇଛି ତାହା ପ୍ରମୁଖ ବିରୋଧୀ ଦଳ ବିଜେଡିଠାରୁ ମାତ୍ର ୩ ପ୍ରତିଶତ ଅଧିକ।
ଏବେ ବିରୋଧୀ ଦଳରେ ବିସିଥିବା ନେତା ଆଜି ଯଦି ସଂଗଠିତ ହୋଇଯାଆନ୍ତି ତେବେ ଶାସନରେ ବସିଥିବା ବିଜେପି ନେତାଙ୍କ ରକ୍ତ ପାଣି ଫାଟିଯିବା ଥୟ। ଏଣୁ ବିଜେପିର ମନ୍ତ୍ରୀ, ତନ୍ତ୍ରୀ, ସନ୍ତ୍ରୀ ସମସ୍ତେ ହରିଣ ଭଳି କେବଳ ଚପଳତା ପ୍ରକାଶ କରୁଛନ୍ତି। ସ୍ଥିତପ୍ରଜ୍ଞ ହୋଇ କୌଣସି ଯୋଜନା ପ୍ରଣୟନ କରିବା ଦେଖିବାକୁ ମିଳୁ ନାହିଁ। ଅର୍ଥାତ୍ ନିଜ ଭିତରେ ଆତ୍ମ ବିଶ୍ୱାସ ନାହିଁ।
ପୁଣି ଯାହାଙ୍କୁ ହରାଇ ବିଜେପି କ୍ଷମତାକୁ ଆସିଛି ସେମାନେ ପୂର୍ବରୁ ମେଣ୍ଟ ସରକାରରେ ଥିଲେ। ଯେତେବେଳେ କେନ୍ଦ୍ରରେ ସଠଖ୍ୟା ବଳ ଆବଶ୍ୟକତା ହେଉଛି ବିଜେଡି ବି ବିଜେପିକୁ ସହାୟତାର ହାତ ବଢ଼ାଇଥାଏ। ବେଳେ ବେଳେ ସଭାପତିଙ୍କ ନିଷ୍ପତ୍ତି ବି ଅନ୍ତିମ ମୁହୂର୍ତ୍ତରେ ବଦଳିଯାଏ ଯାହା ୩ ତାରିଖ ରାତିରେ ରାଜ୍ୟସଭାରେ ଓ୍ୱାକଫ୍ ବିଧେୟକ ପାରିତ ହେବା ସମୟରେ ଦେଖିବାକୁ ମିଳିଥିଲା।
ଏ ଦୁଇ କାରଣରୁ ଏହା ସ୍ପଷ୍ଟ ଯେ ରାଜ୍ୟରେ ବିଜେପି ବଡ଼ ଭାଇ ନୁହେଁ
ଏବେ କବିତାର ଦ୍ୱିତୀୟ ଧାଡ଼ିକୁ ଆସିବା ଯାହା ବିଜେଡି ପାଇଁ ବେଶ୍ ପ୍ରଯୁଜ୍ୟ। ତାହା ହେଲା ‘ଦଉଡ଼ ନା ବଡ଼ ଖରା’। ପରିସ୍ଥିତି ଏମିତି ହୋଇଛି ଯେ ଏବେ ସୂର୍ଯ୍ୟଙ୍କ ପ୍ରକୋପବି ମୁଣ୍ଡ ଉପରେ ରହିଛି। ଅର୍ଥାତ୍ ଏ ଟାଣ ଖରାରେ ଦେହରୁ ସୋଡ଼ିୟମ କମିବ ଏବଂ ଆପଣ ଦଉଡ଼ିଲେ ଅଂଶୁଘାତ ହେବାର ଆଶଙ୍କା ଅଧିକ। ଏଭଳି ଏକ ମୁହୂର୍ତ୍ତରେ ବିଜେଡିରେ ଧାଁଧପଡ଼ ବେଶ୍ ଚାଲିଛି। କିଏ କେତେବେଳେ କାହା ବିପକ୍ଷରେ କ’ଣ କହୁଛି ତାହାର ପୂର୍ବାନୁମାନ କରିବା ସମ୍ଭବ ହୋଇପାରୁନାହିଁ। କିଏ ଅଭିଯୋଗ କରୁଛି ଦଳରେ ଦୁଇଟି କ୍ଷମତା କେନ୍ଦ୍ର। ଉତ୍ତର ଆସୁଛି ଦ୍ୱିତୀୟ କ୍ଷମତାକେନ୍ଦ୍ର ସକ୍ରିୟ ନାହିଁ।
ଅଭିଯୋଗ ହେଉଛି ଦ୍ୱିତୀୟ କ୍ଷମତା କେନ୍ଦ୍ର ସଭାପତିଙ୍କୁ ବନ୍ଦୀ କରି ରଖିଛନ୍ତି। ତାଙ୍କୁ ନିଜ ଭାଷା କହିବାକୁ ବାଧ୍ୟ କରୁଛନ୍ତି. ଏମିତି ଅନେକ କିଛି। କିନ୍ତୁ ଏ ଯୁକ୍ତିକୁ ଗ୍ରହଣ କରିବା ପୂର୍ବରୁ ଜଣେ ସଚେତନ ନାଗରିକଭାବେ ଆମ ମନରେ ବି ପ୍ରଶ୍ନ ଉଠୁଛି ଯେ, ଜଣେ ୨୪ବର୍ଷ ମୁଖ୍ୟମନ୍ତ୍ରୀ ୨ ବର୍ଷ କେନ୍ଦ୍ରରେ ମନ୍ତ୍ରୀ ରହିବା ପରେ କ’ଣ ଏତେ ବୋକା ହୋଇପାରିବେ? ପୁଣି ଏ ଅଭିଯୋଗ ତ ଆଜିକାର ନୁହେଁ। ବରଂ ଆଜି ଏତିକି ହୋଇଛି ଯେ, ନବୀନ ରାଜନୀତିରେ ଅଧିକ ପୋଖତ ଖେଳାଳୀ ହୋଇଛନ୍ତି।
୨୦୧୨ରେ ପ୍ୟାରୀବାବୁଙ୍କୁ ଦଳରୁ ବାହାର କରି ୨୦୧୪ରେ କ୍ଷମତା ପାଇଥିଲେ କିନ୍ତୁ ଏବେ ଦଳରେ ପାଣ୍ଡିଆନ୍ଙ୍କୁ ଅଧିକ ସମର୍ଥନ ଦେଇ ଲୋକଙ୍କ ଭରସା ଜିତିବାକୁ ଚାହିଁଛନ୍ତି। ଅର୍ଥାତ୍ ସେ ଜଣାଇ ଦେବାକୁ ଚାହିଁଛନ୍ତି ଯେ, ଯେଉଁବ୍ୟକ୍ତି ଥରେ ନବୀନ ପଟ୍ଟନାୟକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ତାଙ୍କୁ ସେ ରାଜନୀତିକ ଫାଇଦା ପାଇଁ କେବେ ଛାଡ଼ିପାରିବେ ନାହିଁ।
ଏହି ସମୀକରଣରେ କେନ୍ଦ୍ରୀୟ ବିଜେପି ନେତାଙ୍କ ସହ ଅତ୍ୟନ୍ତ ନିବିଡ଼ ସମ୍ପର୍କ ରକ୍ଷା କରିଛନ୍ତି ନବୀନ ଏବଂ ତାଙ୍କ ସହଯୋଗୀ ପାଣ୍ଡିଆନ୍। ସେଇଥିପାଇଁ ତ କେନ୍ଦ୍ରରେ ତାଙ୍କ ବିରୋଧୀ ବିଜେପି ଶାସନରେ ଥିଲେ ବି ପାଣ୍ଡିଆନ୍ ଏବଂ ତାଙ୍କ ପତ୍ନୀଙ୍କ ସ୍ୱେଚ୍ଛାକୃତ ଆବେଦନକୁ ସଙ୍ଗେ ସଙ୍ଗେ ଗ୍ରହଣ କରାଯାଇ ପାରିଛି। ସେଇଥିପାଇଁ ତ ରାଜ୍ୟ ନେତା ପୂର୍ବ ସରକାରର ଦୁର୍ନୀତି ପେଡ଼ି ଖୋଲିପାରୁ ନାହାନ୍ତି। ସେଇଥିପାଇଁ ତ ନବ ଦାସ ହତ୍ୟା ଘଟଣାର ମାମଲାକୁ ସିବିଆଇ ହାତକୁ ଦେଇପାରୁ ନାହାନ୍ତି। ସୋଇଥିପାଇଁ ତ ରାଜ୍ୟସଭାରେ ରାଜ୍ୟରୁ ଜଣେ ସଂଖ୍ୟା ଲଘୁଙ୍କୁ ଜାଣିଶୁଣି ବିଜେପି ବିଧେୟକ ସପକ୍ଷରେ ଭୋଟ୍ ଦେବାକୁ ଅନୁମତି ଦେଇଛନ୍ତି ନବୀନ। ଏମିତି ଅନେକ ଉଦାହରଣ ରହିଛି ଯାହା ଅନେକ ସମୟରେ ଆଲୋଚନା ହୋଇଛି। ଏପରିକି ନିକଟରେ ଦୁଇ ବିଜେଡି ସାଂସଦ ବିଜେପିରେ ଯୋଗଦେଇ ପୁଣି ରାଜ୍ୟସଭାକୁ ନିର୍ବାଚିତ ହେବା ବି ଏହି ସମୀକରଣ ଯୋଗୁ ସମ୍ଭବ ହୋଇଛି ବୋଲି କୁହାଯାଏ।
କେନ୍ଦ୍ରୀୟ ନେତାଙ୍କ ସହ ନିବିଡ଼ ସମ୍ପର୍କ ଯୋଗୁ ବିଜେଡିରେ ବିଦ୍ରୋହ ସୃଷ୍ଟି କରୁଥିବା ନେତାଙ୍କୁ ସୁରକ୍ଷାବଳୟ ମିଳୁ ନାହିଁ। ଏବେ ତ ନିର୍ବାଚନ ନାହିଁ। ପୁଣି ରାଜ୍ୟରେ ବିଜେଡି ବିରୋଧୀ ହୋଇ ବି ସରକାରଙ୍କୁ ଅଡ଼ୁଆରେ ପକାଉ ନାହିଁ। ଏଣୁ ବିରୋଧୀ ଦଳକୁ ଭାଙ୍ଗିବାର କି ଆବଶ୍ୟକତା ରହିଛି? ଏପରିକି ସ୍ୱଇଚ୍ଛାରେ ବିଜେଡି ବିଧାୟକ ଯୋଗ ଦେଲେ ବି ଅସୁବିଧା ହେବ, କାରଣ ସେମାନଙ୍କୁ ଥଇଥାନ କରିବା ବି ଦଳ ପକ୍ଷେ ସମ୍ଭବ ନୁହେଁ।
ଅପରପକ୍ଷେ ଅଣକଂଗ୍ରେସ ରାଜନୀତିରୁ ଜନ୍ମ ନେଇଥିବା ବିଜୁ ଜନତା ଦଳ ଭାଙ୍ଗିଲେ କଂଗ୍ରେସକୁ ଏହାର ବିଧାୟକମାନେ ଯିବାକୁ ପସନ୍ଦ କରିବେ ନାହିଁ। କାରଣ କେନ୍ଦ୍ରରେ କଂଗ୍ରେସର ଯେଉଁ ପରିସ୍ଥିତି, ଏ ନେତାଙ୍କୁ ନେବାର ଶକ୍ତି ରଖି ନାହିଁ। ଆଉ ରାଜ୍ୟ ନେତା ବି ଏଠାରେ ବାର ଭାଇ ୨୪ ଆଖଡ଼ା ସଦୃଶ।
ଅର୍ଥାତ୍ ଅସନ୍ତୁଷ୍ଟ ବିଜେଡି ନେତାଙ୍କ ପାଇଁ ପରିସ୍ଥିତି ଏବେ ପ୍ରବଳ ଗ୍ରୀଷ୍ମ ଋତୁ ଭଳି। ବର୍ଷା ଅଭାବରୁ ବିହନ ଗଜା ହେବା ଯେମିତି କଷ୍ଟକର ଠିକ୍ ସେମିତି ପ୍ରସଙ୍ଗ ଓ କନ୍ଦଳ ଯେତେ ଉଗ୍ର ହେଲେ ବି ବିଜେପି ସହାୟତାର ହାତ ବଢ଼ାଇବା ସେତିକି କଠିନ ବ୍ୟାପାର। ଏପରି ପରିସ୍ଥିତିରେ ମାୟା ହରିଣ ପଛରେ ନ ଦଉଡ଼ି ନିଜ ଭିତରେ ପ୍ରଶମିତ ହେବାକୁ ବି କିଛି ନେତା ଉଚିତ ଭାବିଛନ୍ତି। ଯାହା ତାଙ୍କୁ ଆଗକୁ ଫାଇଦା ନ ଦେଲେ ବି ପ୍ରତିଚ୍ଛବି ରକ୍ଷା କରିବାରେ ସହାୟକ ହେବ।
Also readhttps://purvapaksa.com/who-was-the-mysterious-burqa-girl-who-became-the-shadow-of-tahbur-in-india/
କିଏ ଥିଲା ସେହି ରହସ୍ୟମୟୀ ବୁର୍ଖା ଗର୍ଲ, ଯିଏ ଭାରତରେ ସାଜିଥିଲା ତହବୁରର ଛାଇ?


