ୱାକଫ୍ ବିଲ୍ ବିବାଦକୁ ନେଇ ଗତକାଲି ପ୍ରଭାତ ତ୍ରିପାଠୀଙ୍କୁ ନେଇ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ପରେ ଆଜି ସେ ପ୍ରତିଆକ୍ରମଣ କରିଛନ୍ତି। ପ୍ରଭାତ ତ୍ରିପାଠୀ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ ପଚାରି ବିଜେଡିର ଅନ୍ତର୍ଦ୍ୱନ୍ଦ୍ୱକୁ ଆହୁରି ପଦାରେ ପକାଇଛନ୍ତି। ସେ କହିଛନ୍ତି ଓ୍ୱାକଫ୍ ସଂଶୋଧନ ବିଧେୟକ ଆଲୋଚନାବେଳେ ବିଜେଡି ରାଜନୀତିକ ପ୍ରତିବଦ୍ଧତାରୁ ଓହରିଥିଲା। ‘ବିବେକାନୁମୋଦିତ’ ଭୋଟ୍ କଥା କହି କାହିଁକି ଦଳ ଏପରି ଆଭିମୁଖ୍ୟ ନେଲା ଏବଂ ଏହା ପଛରେ କିଏ ନିର୍ଦ୍ଦେଶ ଦେଇଛନ୍ତି ତାହା ସ୍ପଷ୍ଟ କରିବାକୁ ନବୀନଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଭାତ।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି, ଗତକାଲି ଯାଏ ସେ ବିଜେଡିର ସଦସ୍ୟ ଥିଲେ। ୨୦୨୪ ନିର୍ବାଚନ ସମୟରେ ସେ ଦଳର ପ୍ରଚାର କରିଥିଲେ। କଟକର ବିଭିନ୍ନ ସଭାସମିତିରେ ସେ ଜଣେ ସାଧାରଣ କର୍ମୀଭାବେ ଯୋଗ ଦେଇଛନ୍ତି। ତାଙ୍କ ଉପରୁ ଦଳ ୨୦୧୭ ମସିହା ନଭେମ୍ବର ୧୦ତାରିଖରେ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଥିଲାବେଳେ ଦଳର ସଭାପତି ତାଙ୍କୁ ଦଳରୁ ବହିଷ୍କାର କରିଥିବା କହିବା ଅଯୁକ୍ତିକର। ଚିଟ୍ଫଣ୍ଡ ଠକେଇ ମାମାଲାରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ପ୍ରଭାତ ତ୍ରିପାଠୀ କହିଛନ୍ତି, ମୁଁ ଦୋଷୀ ନୁହେଁ, ଦୋଷୀ ସାବ୍ୟସ୍ତ ହୋଇନାହିଁ। ଭବିଷ୍ୟତ ନ୍ୟାୟଳୟ ବିଚାର କରିବ। କିନ୍ତୁ ଏହାକୁ କେନ୍ଦ୍ରକରି କୌଣସି ମନ୍ତବ୍ୟ ଦେବା ଠିକ୍ ନୁହେଁ’। ଏପରିକି ସେ ଦଳରେ ନାହାନ୍ତି ବୋଲି କହିବା ବି ଏକ ମହାମିଥ୍ୟା।
ପ୍ରଭାତ ତ୍ରିପାଠୀ କହିଛନ୍ତି ୱାକଫ୍ ସଂଶୋଧନ ବିଧେୟକରେ ଦଳର ସାଂସଦମାନେ ଯେଉଁଭଳି ଭାବେ ଭୋଟ୍ ଦେଲେ ତାହା ଦଳର ଆଦର୍ଶ ଭଙ୍ଗ କରିଛି। ଏ ବିଷୟକୁ ମୁଁ ଗଣମାଧ୍ୟମକୁ ଆଣି କହିଥିଲି, ଏ ବାବଦରେ ଯଦି ଦଳର ସଭାପତି ଅଜ୍ଞ ରହିଛନ୍ତି ତେବେ ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ର ଜାଣିଥିବେ। ଏ ବାବଦରେ ସ୍ପଷ୍ଟ କରିବାକୁ ଯାଇ ଦଳର ସଭାପତି ଗତକାଲି ଜନମତକୁ ବିଭ୍ରାନ୍ତ କରିବାକୁ ଚାହିଁଛନ୍ତି। ନବୀନଙ୍କ ଭାଷାରେ ପାଣ୍ଡିଆନ୍ ୧୦ ମାସରୁ ଅଧିକ ଦିନ ହେଲାଣି ଦଳରେ ନାହାନ୍ତି। ତେଣୁ ଦଳର, କୌଣସି ନିଷ୍ପତ୍ତି ପାଇଁ ତାଙ୍କୁ ସମାଲୋଚନା ବା ବଦନାମ କରାଯିବା ଉଚିତ ନୁହେଁ। ହେଲେ ଯେଉଁ ମୂଳ ପ୍ରଶ୍ନ ଉଠିଛି ତାହାକୁ ନବୀନ ସ୍ପଷ୍ଟ କରିନାହାନ୍ତି। ଦଳର ଲକ୍ଷ ଲକ୍ଷ କର୍ମୀ ଜାଣିବାକୁ ଚାହୁଁଛନ୍ତି, କାହିଁକି ଦଳ ନିଜର ପ୍ରତିବଦ୍ଧତାରୁ ଓହରିଲା। ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି ନ୍ୟାୟରେ ଯଦି କାର୍ଯ୍ୟ ଚାଲିଥାଏ ତାହା ବିଜେଡି ପାଇଁ ମାରାତ୍ମକ ହେବ ବୋଲି ପ୍ରଭାତ ଚେତାବନୀ ଦେଇଛନ୍ତି।
ପ୍ରଭାତ ତ୍ରିପାଠୀ କହିଛନ୍ତି ଏ ପ୍ରସଙ୍ଗ ମୁଁ ପ୍ରଥମେ ଉଠାଇବା ପରଦିନ ୪ ଜଣ ସାଂସଦ ଏକାଠି ହେଲେ। ସେ କହିଲେ ରାଜ୍ୟ ସଭାପତିଙ୍କ ବିନା ଗଛପତ୍ର ହଲେନାହିଁ। ପାଣ୍ଡିଆନ୍ଙ୍କ ନାଁ କାହିଁକି ଅଣାଯାଉଛି? ଯଦି ପାଣ୍ଡିଆନ୍ଙ୍କୁ ଟଣାଯିବ ନାହିଁ, ତେବେ ନବୀନ ବାବୁ କହିଥିବେ ! ଯଦି କହି ନାହାନ୍ତି ତେବେ ସେ ଏତେ ବିଚଳିତ କାହିକି ହେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଭାତ।
ଗତକାଲି ନବୀନ ବିନା ଓଡ଼ିଆ ସାମ୍ବାଦିକଙ୍କ ଉପସ୍ଥିତିରେ କିଛି ଜାତୀୟ ନ୍ୟୁଜ୍ ଏଜେନ୍ସୀଙ୍କୁ ନିଜର ବକ୍ତବ୍ୟ ରଖିଥିବାକୁ ଓଡ଼ିଆ ଅସ୍ମିତା ଉପରେ ଆଘାତ ବୋଲି କହିଛନ୍ତି ପ୍ରଭାତ।
Also readhttps://purvapaksa.com/naveen-in-the-role-of-dhritarashtra-bjd-will-be-destroyed-like-kuruvansh/

