ରାଜ୍ୟର ମୁଖ୍ୟ ବିରୋଧିଦଳ ବିଜୁ ଜନତା ଦଳରେ ଏବେ କିଏ କୁଆଡ଼େ ତାହାର କିଛି ଖୋଜଖବର ନାହିଁ। କେଉଁଠି ଶୃଙ୍ଖଳା, କେଉଁଠି ବିଶୃଙ୍ଖଳା ତାହାର ହିସାବ ବି କେହି ରଖୁ ନାହାନ୍ତି। ବାପା-ମା’ ଛେଉଣ୍ଡ ହେଲାପରି ରାଜ୍ୟରେ ଯେମିତି କେନ୍ଦ୍ରରେ ବି ସେମିତି ବୁଲୁଛି ବିଜୁ ଜନତା ଦଳ। ଅର୍ଥାତ୍ ନେତାଙ୍କ ନେତା କିଏ ତାହା ରହିଛି ଅସ୍ପଷ୍ଟ। ଏପରିକି ରାଜ୍ୟର ସଂଖ୍ୟାଲଘୁଙ୍କ ସ୍ୱାର୍ଥ ସୁରକ୍ଷା ଲାଗି ଗଢ଼ା ହୋଇଥିବା ବିଜେଡି ସଂଖ୍ୟାଲଘୁ ସେଲରେ ବି ବିଭାଜନ ରାଜନୀତି ଚରମରେ ପହଞ୍ଚିଛି। ଏମିତି ପରିସ୍ଥିତିରେ ନବୀନଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଛି। ନବୀନ କ’ଣ ରାଜ୍ୟରେ କେବଳ କ୍ଷମତା ଉପଭୋଗ କରିବାକୁ ଆସିଥିଲେ। ଆଉ ଯେତେବେଳେ ଦାୟିତ୍ୱ ପଡ଼ୁଛି ସେତେବେଳେ ନିଜକୁ ଦୂରେଇ ରଖୁଛନ୍ତି ବୋଲି ପ୍ରଶ୍ନ ଉଠିଲାଣି। ଏ ବିଷୟକୁ ନେଇ ଆଜିର ଆଲୋଚନା।
କୁହାଯାଉଛି ପାଣ୍ଡିଆନ୍ଙ୍କ ଶ୍ରଦ୍ଧାରେ ବୁଡ଼ି ରହିଥିବା ନବୀନ ଏବେ ଦଳ କଥା ସମ୍ପୂର୍ଣ୍ଣ ଭୁଲିଗଲେଣି। ଫଳସ୍ୱରୂପ ଦଳରେ ନା ଆଉ ଚାବୁକ ଅଛି ନା ଶୃଙ୍ଖଳା। ଆଗାମୀ ଦିନରେ କ’ଣ ହେବ ଦଳର ଆଭିମୁଖ୍ୟ ତାହା ବି ସ୍ପଷ୍ଟ ହେଉନାହିଁ। ଯେଉଁ କଥା କେବେ ହୋଇନଥିଲା ତାହା ଏବେ ବିଜୁ ଜନତା ଦଳରେ ସେଥିପାଇଁ ଦେଖିବାକୁ ମିଳୁଛି। ଦଳର ନେତାମାନଙ୍କ ମଧ୍ୟରେ ଦଳୀୟ ଶୃଙ୍ଖଳା ଏବେ ବିଶୃଙ୍ଖଳାରେ ପରିଣତ ହୋଇଛି। କେହି କାହା କଥା ଶୁଣୁ ନାହାନ୍ତି। ସେଥିଲାଗି ଛାଟିଆ ବି ଛାଟ ଲଗାଉ ନାହାନ୍ତି। ଯେମିତି ଲାଗୁଛି କିଛି ଗଭୀର କ୍ଷତରେ ବିଜେଡି ବୁଡ଼ି ରହିଛି। ବାପ ଛେଉଣ୍ଡ ହେବା ପରି ଆଚରଣ କରୁଛନ୍ତି ବିଜେଡିର ନେତାମାନେ।
ସେଥିଲାଗି ଦଳର ମୁସଲମାନ ଓ ଖ୍ରୀଷ୍ଟିଆନ୍ ନେତା ଭାଗଭାଗ ହୋଇଛନ୍ତି। ମୁସଲମାନ ନେତା ମୁଜିବୁଲ୍ଲା ଖାନ୍ ଓରଫ ମୁନା ଖାନ୍ ଓ୍ୱାକ୍ଫ ବିଧେୟକକୁ ବିରୋଧ କରି ଭୋଟ ଦେଇଥିବାବେଳେ ଦଳରେ ହ୍ୱିପ୍ ନାହିଁ ବୋଲି କହି କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛନ୍ତି ଖ୍ରୀଷ୍ଟିଆନ୍ ନେତା ସସ୍ମିତ ପାତ୍ର। ସସ୍ମିତ ହେଉଛନ୍ତି ଦଳର ରାଜ୍ୟସଭାରେ ନେତା। ସେ ପୂର୍ବରୁ ଏ ବାବଦରେ ସ୍ପଷ୍ଟ କରି କହିଥିଲେ, ଦଳ କୌଣସି ହ୍ୱିପ୍ ଜାରି କରି ନାହିଁ। ଏଣୁ ନିଜର ଚିନ୍ତାଧାରା, ଚେତନାକୁ ବ୍ୟବହାର କରି ଯିଏ ଯେମିତି ନିଜର ସ୍ୱାଧୀନ ଚିନ୍ତାଧାରା ପ୍ରକାଶ କରିପାରିବ।
ଦଳ ଭିତରେ ପରସ୍ପର ବିରୋଧୀ ଚିନ୍ତା ରହିବା ସ୍ୱାଭାବିକ। କିନ୍ତୁ ଯେତେବେଳେ ଏକ ଜାତୀୟସ୍ତରର ବିଧେୟକ ବାବଦରେ ଭୋଟ୍ ଦେବା କଥା ଉଠେ ସେତେବେଳେ ଦଳ ଗୋଟିଏ ଆଡ଼କୁ ସର୍ବଦା ଢଳିଥାଏ। ଭୋଟ୍ କେବେ କୌଣସି ବିଧେୟକରେ ଗୋଟିଏ ଦଳର ନେତାଙ୍କର ପରସ୍ପର ବିରୋଧୀ ହୋଇନଥାଏ। କିନ୍ତୁ ବିଜୁ ଜନତା ଦଳ ଏହାଦ୍ୱାରା ଏକ ଭିନ୍ନ ଇତିହାସ ଓଡ଼ିଶା ପାଇଁ ସୃଷ୍ଟି କରିଛି। ଏହା ଇଙ୍ଗିତ କରୁଛି ଯେ, ବିଜେଡିରେ ଖ୍ରୀଷ୍ଟିଆନ୍ ମୋଦୀଙ୍କୁ ପ୍ରଶଂସା କରୁଛନ୍ତି ଆଉ ମୁସଲମାନ ନୁହେଁ। ଅର୍ଥାତ୍ ଯେଉଁ ଖ୍ରୀଷ୍ଟିଆନ୍ଙ୍କୁ ପ୍ରସଙ୍ଗ କରି ୨୦୦୮ ମସିହା ଅଗଷ୍ଟ ୨୩ରେ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପରବର୍ତ୍ତୀ ଦଙ୍ଗା ପରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଥିଲା ତାହା ଏବେ ଅନ୍ୟ କିଛି ମୋଡ଼ ନେବାକୁ ପ୍ରସ୍ତୁତ ହେଉଛି। ଏଠି ମନେ ପକାଯାଇପାରେ ଯେ, କନ୍ଧମାଳ ଦଙ୍ଗା ସମୟରେ ସସ୍ମିତଙ୍କ ବାପା ସ୍ୱରୂପାନନ୍ଦ ପାତ୍ର ଶାନ୍ତି ସ୍ଥାପନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲେ।
ଓଡ଼ିଶା ଜନସଂଖ୍ୟାର ୨.୭୭ ପ୍ରତିଶତ ଖ୍ରୀଷ୍ଟିଆନ୍ ଥିବାବେଳେ ୨.୧୭ ପ୍ରତିଶତ ମୁସଲମାନ ରହିଛନ୍ତି। ଏହି ଅଳ୍ପସଂଖ୍ୟକ ମତଦାତା ଖାସ୍ କରି ଖ୍ରୀଷ୍ଟିଆନ୍ମାନଙ୍କୁ ଖୁସି କରିବା ପାଇଁ ୨୦୦୮ରେ ନବୀନ ପଟ୍ଟନାୟକ ବିଜେପି ସହିତ ଥିବା ମେଣ୍ଟ ସମ୍ପର୍କ ଭାଙ୍ଗି ଦେଇଥିଲେ। ଆଉ ସେହି ଖ୍ରୀଷ୍ଟିଆନ୍ମାନେ ଏବେ ସମଗ୍ର ଦେଶରେ ୱାକଫ୍ ବିଲ୍ ବିରୋଧରେ ଅଛନ୍ତି। ତେଣୁ ସେମାନଙ୍କୁ ଅସନ୍ତୁଷ୍ଟ ନ କରିବା ପାଇଁ ନବୀନ ମୁସଲମାନମାନଙ୍କ ୱାକଫ୍ ସମର୍ଥନ କରିନାହାନ୍ତି। ଯାହାଫଳରେ ବିଜେଡିର ରାଜ୍ୟସଭା ସାଂସଦ ମୁନା ଖାନ୍ ଦଳର ନିଷ୍ପତ୍ତି ବିରୋଧରେ ଯାଇ ୱାକଫ୍ ବିଲ୍ ବିରୋଧରେ ଭୋଟ୍ ଦେଇଥିବା ସୂଚନା ଦେଇଛନ୍ତି।
ଏକଦା ରାଜ୍ୟର ମତଦାତାମାନେ ଯେଉଁ ଦଳକୁ ନିଜର ଆଦର୍ଶ ଭାବେ ଗ୍ରହଣ କରିଥିଲେ ସେହି ବିଜୁ ଜନତା ଦଳର ମୁରବୀ ଏବେ ବି ନବୀନ ପଟ୍ଟନାୟକ ରହିଛନ୍ତି। ଯାହାଙ୍କ ଦକ୍ଷ ଶାସନ ଓଡ଼ିଶାବାସୀ ୨୦୦୦ ମସିହାରୁ ଆରମ୍ଭ କରି ୨୦୨୪ ଯାଏ ଅନୁଭବ କରିଛନ୍ତି। ହେଲେ ଜଣେ ତାମିଲ ପ୍ରଶାସକଙ୍କୁ ନେତା ସଜାଇବା ଲାଗି ନବୀନ ଯେଉଁ ପ୍ରୟାସ କରିଲେ ତାହାକୁ ନେଇ ଅସନ୍ତୋଷ ସୃଷ୍ଟି ହେଲା। ନା ଦଳର ନେତା ନା ଜନତା କେହି ଏହି ମତବାଦକୁ ଗ୍ରହଣ କରିବାକୁ ରାଜି ହେଲେ ନାହିଁ। ଅର୍ଥାତ୍ ୨୦୨୦ରୁ ଓଡ଼ିଆଙ୍କ ରାଜ୍ୟ ଓଡ଼ିଶାରେ ଏହି ତାମିଲ ବାବୁଙ୍କୁ ଯେମିତି କା’ ମୁଖ୍ୟମନ୍ତ୍ରୀ ଭାବେ ନବୀନ କ୍ଷମତାପନ୍ନ କରିଲେ ତାହାକୁ ଅସ୍ୱୀକାର କଲେ। ସେଥିଲାଗି ବିଜେଡି ଆଉଥରେ କ୍ଷମତା ପାଇପାରିଲା ନାହିଁ।
ଖାଲି ସେତିକି ନୁହେଁ ଓଡ଼ିଶାରୁ ବିଜେଡିର ପରିଚୟ ବି ଲୋକସଭାରେ ହଟିଗଲା। ଜଣେ ହେଲେ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇପାରିଲେ ନାହିଁ। ପୁଣି ରାଜ୍ୟ ସଭାରେ ଦଳର ଦୁଇଜଣ ସାଂସଦ ଦଳ ଛାଡ଼ି ବିଜେପିରେ ଯୋଗ ଦେଲେ। ଏବେ ରାଜ୍ୟସଭାରେ ୭ ଜଣ ସାଂସଦ ଥିବା ଏହି ଦଳ ବାୟା ବାତୁଳ ଭଳି ବୁଲୁଛି। ଏ ନେତାଙ୍କୁ ଆଉ ପୂର୍ବଭଳି ସମ୍ମାନ ମିଳିପାରୁ ନାହିଁ। ଏପରିକି କିଛି ସାଂସଦଙ୍କୁ ନିଜର ସହାୟକ ବି ମିଳୁ ନାହାନ୍ତି। ଏପରି ସ୍ଥଳରେ ଦଳର ନେତାମାନେ ବିଧବା ବିଳାପ କରୁଛନ୍ତି। ଦଳର ମୁରବୀ ଥାଇ ମଧ୍ୟ ମୁରବୀ ନ ଥିବା ଭଳି ସେମାନେ ଆଚରଣ କରୁଛନ୍ତି। ରାଜ୍ୟସଭାରେ ଗତକାଲି ପାରିତ ହୋଇଥିବା ଓ୍ୱାକ୍ଫ ଆଇନ ସଂଶୋଧନ ବିଧେୟକ ୨୦୨୪ ଆଲୋଚନାବେଳେ ଦଳର ରଣନୀତି ଏହି ବିଭାଜନକୁ ଜଳଜଳକରି ସାମ୍ନାକୁ ଆାଣିଛି।
ଠିକ୍ ସେହିପରି ରାଜ୍ୟ ବିଧାନସଭାରେ ମଧ୍ୟ ଦଳରେ ନେତୃତ୍ୱ ଅଭାବ ରହିଥିବା ମନେ ହୋଇଛି। ବିଧାନସଭା ବିଭିନ୍ନ ପ୍ରସଙ୍ଗରେ ସରଗରମ ରହୁଥିବାବେଳେ ବିରୋଧୀ ଦଳ ନେତା ଗୃହରେ ଅନୁପସ୍ଥିତ ରହୁଥିଲେ। ଏପରିକି ଯେଉଁ ପାଣ୍ଡିଆନ୍ଙ୍କୁ ନେଇ ଚର୍ଚ୍ଚା ହେଉଛି ତାଙ୍କ ସହ ଶ୍ରୀ ପଟ୍ଟନାୟକ କୋଏମ୍ବାଟୁର ଗସ୍ତରେ ଥିଲେ। ଗୃହ ଭିତରେ ନେତାଙ୍କ ଅନୁପସ୍ଥିତିରେ କା’ ନେତାମାନେ ନିଜର ପତିଆରା ଦେଖାଇବା ପାଇଁ ଭିନ୍ନ ଭିନ୍ନ ଆନ୍ଦୋଳନ କରିଥିଲେ କିନ୍ତୁ ତାହାର ପ୍ରଭାବ ଦେଖିବାକୁ ମିଳି ନ ଥିଲା।
ପୂର୍ବ ଅଧ୍ୟାୟରେ କହିଛି ଯେ, ପାଣ୍ଡିଆନ୍ଙ୍କ ସମ୍ଭାବ୍ୟ ଅନୁପସ୍ଥିତିକୁ ନେଇ ରାଜ୍ୟ ବିଜେଡିର ନେତାମାନେ ବିଳାପ କରୁଛନ୍ତି। ଯେମିତି ତାଙ୍କର ଶ୍ରୀହରଣ ହୋଇଛି ବୋଲି ବିଚାର କରୁଛନ୍ତି। ଦଳର ନେତା ମଧ୍ୟ ଏ ବାବଦରେ କିଛି ସ୍ପଷ୍ଟ କରୁନାହାନ୍ତି। ଏବେ ବିଜେଡିର ଅସ୍ତିତ୍ୱକୁ କିଏ ପରିଚାଳନା କରିବ ତାହାର କିଛି ଠିକଣା ନାହିଁ। ପାଣ୍ଡିଆନ୍ଙ୍କ ପତ୍ନୀ ଡୋର ଧରିବେ ନା ପାଣ୍ଡିଆନ୍ ବିଦେଶରୁ ରିମୋଟରେ ଦଳ ଚଳାଇବେ। ପୁଣି ବିଜେଡି ନେତାଙ୍କ ସୋଶାଲ୍ ମିଡିଆ ହ୍ୟାଣ୍ଡଲରେ ଏବେ ପାଣ୍ଡିଆନ୍ଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଉଛୁଳିବା ଦେଖିବାକୁ ମିଳୁଛି। କିଛି ପୂର୍ବତନ ମନ୍ତ୍ରୀ ତାଙ୍କ ହ୍ୟାଣ୍ଡଲରେ ଏ ବିଷୟକୁ ସ୍ପଷ୍ଟ ଭାବେ ଲେଖିଛନ୍ତି। ଏପରିକି ରାଜ୍ୟରେ ଯେଉ ସୁଶାସନର ସମୟ ଥିଲା ସେଥିରେ ସୁଜାତା କାର୍ତ୍ତିକେୟ ପାଣ୍ଡିଆନ୍ଙ୍କ ଅବଦାନକୁ ମନେ ପକାଇଛନ୍ତି।
ଏଭଳି ସ୍ଥିତିରେ ଲାଗୁଛି ଯେମିତି ବିଜେଡି ପୁଣି ଅନେକ ଭାଗ ହେବାକୁ ଯାଉଛି। ନେତାମାନେ ତାଙ୍କ ଆସନ ସୁରକ୍ଷା ଲାଗି ଦୁଇ ରାଜ୍ୟସଭା ସାଂସଦଙ୍କ ଭଳି ବିଜେପିକୁ ଯିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଛି। ଏହା ହେଲେ ପାଣ୍ଡିଆନ୍ ଦମ୍ପତ୍ତି କାହାକୁ ନେଇ ଦଳ ଗଢ଼ିବେ। ଦଳ ଅର୍ଜନ କରିଥିବା ଲୋକ ସମ୍ପତ୍ତିର କ’ଣ ହେବ?
Also readhttps://purvapaksa.com/why-did-manoj-kumar-go-to-court-against-the-indira-government/
