ସତ ହେବାକୁ ଯାଉଛି ପୂର୍ବପକ୍ଷର ପୂର୍ବାନୁମାନ। ଆମେ କହିଥିଲୁ ପାଣ୍ଡିଆନ୍ ଦମ୍ପତ୍ତିଙ୍କୁ ନେଇ ବିଜେଡିରେ ବିଧବା ବିଳାପ ଆରମ୍ଭ। ପାଣ୍ଡିଆନ୍ ଦିଲ୍ଲୀ ଓ ତାମିଲନାଡୁ ଯିବା ପୂର୍ବରୁ ବନ୍ଧ କୋଠରୀ ଭିତରେ କେନ୍ଦ୍ରପଡ଼ା ଦିଲ୍ଲା ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ, ବିଧାୟକ ପ୍ରତାପ ଦେବ, ଗଣେଶ୍ୱର ବେହରା, କଟକ ଜିଲ୍ଲାର ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ପ୍ରମୁଖ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କୁ ବିଜେଡି ଛାଡ଼ି ବିଦେଶ ନ ଯିବାକୁ ଅନୁରୋଧ କରିଥିଲେ। କିନ୍ତୁ ପାଣ୍ଡିଆନ୍ ସେମାନଙ୍କ କଥାକୁ ଶୁଣିନଥିଲେ। ଏହାକୁ ପୂର୍ବପକ୍ଷ କାହାର ନାଁ’ ନ ନେଇ ପ୍ରଥମେ ପ୍ରକାଶ କରିଥିଲା।
କିନ୍ତୁ ଏବେ ପାଣ୍ଡିଆନ୍ ଦମ୍ପତ୍ତିଙ୍କୁ ନେଇ ବିଜେଡି ନେତାମାନଙ୍କର ବିଧବା ବିଳାପ ସର୍ବ ସାଧାରଣରେ ଆରମ୍ଭ ହୋଇଗଲାଣି।
ପାଣ୍ଡିଆନ ଦମ୍ପତିଙ୍କର ଆଗାମୀ କାର୍ଯ୍ୟପନ୍ଥା ଉପରେ ବିଜେଡିର ସବୁ ନେତାଙ୍କ ନଜର ରହିଛି। ପ୍ରଶ୍ନ ଉଠୁଛି, ସତରେ କ’ଣ ପାଣ୍ଡିଆନ୍ ଦମ୍ପତ୍ତି ବିଦେଶ ଯିବେ? ନବୀନ ଯେଉଁମାତ୍ରାରେ ପାଣ୍ଡିଆନ୍ଙ୍କ ଉପରେ ନିର୍ଭରଶୀଳ, ସେ ତାଙ୍କୁ ଛାଡ଼ିକି ଯିବେ ତ? ନା ଗତ ନିର୍ବାଚନରେ ବିଜେଡିର ପରାଜୟ ଯୋଗୁ ବଦନାମ ହୋଇଥିବା ପାଣ୍ଡିଆନ୍ଙ୍କ ପ୍ରତି ରାଜନୈତିକ ମହଲରେ ସମବେଦନା ସୃଷ୍ଟି ପାଇଁ ଏସବୁ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରାଯାଉଛି?
ପ୍ରଥମେ ପାଣ୍ଡିଆନ ଓଡ଼ିଶା ଛାଡ଼ି ବିଦେଶ ଯାଇ ଏକ ବହୁରାଷ୍ଟ୍ରୀୟ କମ୍ପାନିରେ ଚାକିରି କରିବେ ବୋଲି କୁହାଯାଉଛି। ଏକ ଇଂରାଜୀ ପୋର୍ଟାଲରେ ପ୍ରଥମେ ଏହି ଖବର ଦିଆଯାଇଥିଲା। ତାହାପରେ ଅନ୍ୟ ଗଣମାଧ୍ୟମରେ ଏହା ପ୍ରକାଶ ପାଇଥିଲା।
ଚାକିରିରୁ ସୁଜାତାଙ୍କ ଇସ୍ତଫା ପରେ ଏହି ବିଳାପ ଚର୍ଚ୍ଚା ଆହୁରି ଜୋର୍ ଧରିଛି। ପାଣ୍ଡିଆନ୍ ଦମ୍ପତ୍ତି ଓଡ଼ିଶା ନ ଛାଡ଼ିବାକୁ ବିଜେଡି କର୍ମୀମାନେ ଅନୁରୋଧ କରିବେ। ତାଙ୍କୁ ବିଜେଡିକୁ ଫେରାଇ ଆଣିବା ପାଇଁ ନବୀନଙ୍କୁ ନିବେଦନ କରିବେ। ଦଳରେ ଖୁବ୍ଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଥିବା ଆଲୋଚନା ହେଉଛି।
ବିଜେଡିର ଛାମୁଆ ନେତା, ମହିଳା, ଯୁବବର୍ଗ, ଛାତ୍ର ସମସ୍ତେ ବିଭିନ୍ନ ପର୍ଯ୍ୟାୟରେ ଆସି ପାଣ୍ଡିଆନ୍ଙ୍କ ପାଇଁ ନବୀନଙ୍କୁ ଭେଟିବେ। ଦଳୀୟ ମହଲରେ ଏହା ଜଣାପଡ଼ିବା ପରେ ପାଣ୍ଡିଆନ୍ ଓଡ଼ିଶା ଛାଡ଼ିବା ପ୍ରଚାର ସମ୍ପୂର୍ଣ୍ଣ ପ୍ରାୟୋଜିତ ଥିଲା ବୋଲି ଧାରଣା ସୃଷ୍ଟି ହେଲାଣି।
ପାଣ୍ଡଆନ ଦମ୍ପତ୍ତି ଓଡ଼ିଶା ଛାଡ଼ିଦେବେ ବୋଲି ପ୍ରଚାର କରାଯାଉଛି। ଏହା ଗୁଜବ ନା ଏହା ପଛରେ କିଛି ସତ୍ୟତା ଅଛି, ତାହା ସ୍ପଷ୍ଟ ହୋଇନି। କିନ୍ତୁ ଚର୍ଚ୍ଚା ସରଗରମ ହେଉଛି।
ପ୍ରଥମେ ସମସ୍ତେ ଏହି ଚର୍ଚ୍ଚାକୁ ବିଶ୍ଵାସ କରୁଥିଲେ। କିନ୍ତୁ ଗତ କିଛିଦିନ ହେଲା ଏକ ବଡ଼ ଧରଣର କାର୍ଯ୍ୟତ୍କମ ପାଇଁ ଦଳ ଭିତରେ ଜୋର୍ଦାର ପ୍ରସ୍ତୁତି ଚାଲିଛି। ଦଳର ହାତଗଣତି ବିଶ୍ୱସ୍ତ ବରିଷ୍ଠ ନେତା ଏହାର ନେତୃତ୍ୱ ନେଉଛନ୍ତି। ଏହି ଯୋଜନା ଅନୁଯାୟୀ ନବୀନ ନିବାସକୁ ବିଭିନ୍ନ ଅଞ୍ଚଳରୁ ଲୋକମାନେ ଆସିବେ ପାଣ୍ଡିଆନଙ୍କୁ ଓଡ଼ିଶା ନ ଛାଡ଼ିବା ପାଇଁ ଅନୁରୋଧ କରିବେ।
କିନ୍ତୁ ଦଳର ସିଂହଭାଗ ନେତା ଏହି ଯୋଜନାକୁ ନାପସନ୍ଦ କରୁଛନ୍ତି। ସେମାନଙ୍କ ଯୁକ୍ତି ଯେ ଗତ ନିର୍ବାଚନରେ ପାଣ୍ଡିଆନଙ୍କ ପାଇଁ ହିଁ ବିଜେପିର ଓଡ଼ିଆ ଅସ୍ମିତା ପ୍ରଚାର ସଫଳ ହେଲା ଏବଂ ବିଜେଡି କ୍ଷମତାଚ୍ୟୁତ ହେଲା। ପାଣ୍ଡିଆନ ଦଳର ନେତାମାନଙ୍କୁ ଏମିତି ତଳିଆ କରି ରଖିଥିଲେ ଯେ ଏବେ ବିଧାନସଭାରେ ସେହି କଥା ଉଖୁରାଇ ବିଜେପି ବିଧାୟକମାନେ କଟା ଘା’ରେ ଚୂନ ମାରୁଛନ୍ତି। ତେଣୁ ପୁଣି ପାଣ୍ଡିଆନ୍ ବିଜେଡିର କେନ୍ଦ୍ରରେ ରହିଲେ, ଦଳ ଉଠିବା କଷ୍ଟକର ହୋଇପଡ଼ିବ ବୋଲି ସେମାନେ ମତ ଦେଉଛନ୍ତି।
ଏହି ସମୟରେ ସାମାଜିକ ଗଣମାଧ୍ୟମରେ ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକଙ୍କର ଏକ ପୋଷ୍ଟ ଆଲୋଚନାର ବିଷୟ ହୋଇଛି । ଏଥିରେ ସୁଜାତା କାର୍ତ୍ତିକେୟନଙ୍କୁ ମନଖୋଲା ପ୍ରଶଂସା କରିଛନ୍ତି ଅତନୁ। ସେ କହିଛନ୍ତି, ଓଡ଼ିଶାର ଅବହେଳିତ ମହିଳାମାନଙ୍କୁ ସଶକ୍ତ କରାଇବା ଓ ଲୋକଙ୍କୁ ସେବା ଯୋଗାଇବାରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁଜାତା ସବୁବେଳେ ସ୍ୱତନ୍ତ୍ର ହୋଇ ରହିବେ। ପୁଣି ସୁଜାତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବାରୁ ଅତନୁ ନିଜକୁ ଗର୍ବ ଅନୁଭବ କରୁଛନ୍ତି ବୋଲି ଦର୍ଶାଇଛନ୍ତି।
ଏହି ପୋଷ୍ଟକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ଅତନୁଙ୍କ ପ୍ରତିକ୍ରିୟା ଲୋଡ଼ିଥିଲେ। ସେ କହିଥିଲେ, ‘ଯିଏ ଭଲ ଅଫିସର ତାଙ୍କୁ ଭଲ କହିବୁ। ସୁଜାତା କାର୍ତ୍ତିକେୟନ ଜଣେ ଭଲ ଅଫିସର। ମୁଁ ଯେତେବେଳେ ଶକ୍ତି ବିଭାଗର ମନ୍ତ୍ରୀ ଥିଲି, ସେହି ବିଭାଗରେ ଅନେକ ସଂସ୍କାର ପାଇଁ ମୁଁ ସଚିବ ପ୍ରଦୀପ ଜେନାଙ୍କୁ ଖୋଲାଖୋଲି ଧନ୍ୟବାଦ ଦେଇଥିଲି। ଭଲ କାମ କରିଥିବା ଲୋକଙ୍କୁ ଧନ୍ୟବାଦ ଜଣାଇବାରେ ଅସୁବିଧା ନାହିଁ।’ ଅତନୁଙ୍କ ଏହି ସଫେଇ ସର୍ବସାଧାରଣରେ ଗ୍ରହଣଯୋଗ୍ୟ ହେଉନାହିଁ।
ଗତ ୧୦ ବର୍ଷର ହିସାବକୁ ନେଲେ ରାଜ୍ୟରୁ ଅନେକ ଅଫିସର ଅବସର ନେଇଛନ୍ତି। ବହୁତ ଭଲ କାମ ବି କରିଛନ୍ତି। କିନ୍ତୁ ଅତନୁ କେବେ କାହାକୁ ଏମିତି ଖୋଲାଖୋଲି ପ୍ରଶଂସା କରିବା ଦେଖାଯାଇନି। ଏବେ ସୁଜାତାଙ୍କୁ ପ୍ରଶଂସା ପଛରେ ତାଙ୍କର ନିଶ୍ଚିତ କିଛି ସୁଚିନ୍ତିତ ଯୋଜନା ରହିଛି ବୋଲି ରାଜନୈତିକ ମହଲ ଅନୁମାନ କରୁଛନ୍ତି।
ଯଦି ବିଜେଡି ନେତାମାନଙ୍କର ପ୍ରକାଶ୍ୟରେ ବିଧବା ବିଳାପ ଯୋଜନା ଆରମ୍ଭ ହୁଏ ତେବେ ଏଥିରେ ପାଣ୍ଡିଆନ ଦମ୍ପତ୍ତିଙ୍କ ସିନା ଲାଭବାନ ହେବ କିନ୍ତୁ ବିଜେଡି ତା’ର ଅସ୍ତିତ୍ୱ ହରାଇବ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।
Also read https://purvapaksa.com/is-odisha-heading-towards-a-language-war/
ଭାଷା ଯୁଦ୍ଧଆଡ଼କୁ ଗତି କରୁଛି କି ଓଡ଼ିଶା ? ବିଧାନସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରସନ୍ନ ଆଚାର୍ଯ୍ୟ