ଗୋଟିଏ ଦେଶର ବିକାଶରେ ଭୋଟ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ଯେତେବେଳେ ପ୍ରଶ୍ନ ଉଠେ ଦେଶ ବଡ଼ ନା ଭୋଟ୍ର, ସେଠି ଆପଣ କେମିତି ଉତ୍ତର ଦେବେ? କ୍ଷମତା ପାଇଁ ଭୋଟ୍ ଯେତିକି ଗୁରୁତ୍ୱପୂର୍ଣ୍ଣ ଭୋଟ ବଢ଼ାଇବାକୁ ଭୋଟର ସେତିକି ଗୁରୁତ୍ୱପୂର୍ଣ୍ଣ। ଆଉ ସେହି ନ୍ୟାୟରେ ଭାରତରେ ଅଣ ଭାରତୀୟ ଭୋଟ୍ ଦେଉଛନ୍ତି, ସରକାର ଗଢ଼ୁଛନ୍ତି, ଆମର ଜାତୀୟ ସମ୍ପତ୍ତିରେ ଭାଗିଦାର ହେଉଛନ୍ତି।
ଆଉ ଏଥିଲାଗି ବିଗତ ୭୮ ବର୍ଷ ହେଲା ଲଗାତାର ଉଦ୍ୟମ ଚାଲିଛି; ଆଜିବି ଦେଶର କୌଣସି ନା କୌଣସି କୋଣରେ କେହି ଆମ ଦେଶକୁ ଛଦ୍ମ ବେଶରେ ପ୍ରବେଶ କରିଥିବ, କେହି ଜଣେ ଭୁଲ୍ ତଥା ଦେଇ ଭୋଟ୍ର କାର୍ଡ ଓ ଆଧାର କାର୍ଡ ବି ଆପଣାଇଥିବ ! ସେଥିରେ କିଛି ରାଜ୍ୟ ସରକାର, ରାଜନୀତିକ ଦଳ, ସରକାରୀ ଅଧିକାରୀ ସାମିଲ ଥିବେ ! ଯେଉଁମାନେ ପରୋକ୍ଷରେ ଭାରତୀୟ ଗଣତନ୍ତ୍ରକୁ ଦୁର୍ବଳ କରିବାକୁ ଚାହୁଁଥିବେ। ଆଜି ସେମିତି ଏକ ବିଷୟରେ ଆଲୋଚନା କରିବା।
ଆମ ଦେଶରେ ଅନୁପ୍ରବେଶକୁ ନିୟନ୍ତ୍ରଣ କରିବାକୁ ଆଇନ ନାହିଁ ବୋଲି କହିବା ଠିକ୍ ନୁହେଁ। ଦେଖିବାକୁ ଗଲେ ଏବେ ୪ ପ୍ରକାରର ଆଇନ ଭାରତରେ ବିଦେଶୀଙ୍କୁ ଚିହ୍ନଟ, ନିୟନ୍ତ୍ରଣ ଲାଗି ବ୍ୟବହାର ହେଉଛି। କିନ୍ତୁ ଦେଶରେ ଦିନକୁ ଦିନ ବଢ଼ି ଚାଲିଛି ବିଦେଶୀ ନାଗରିକଙ୍କ ବେଆଇନ ଅନୁପ୍ରବେଶ। କିଏ ମ୍ୟାଁମାର ସୀମା ଦେଇ ଅନୁପ୍ରବେଶ କରୁଛି ତ କିଏ ପାକିସ୍ତାନ ସୀମାରୁ। ଆଉ କିଏ ବାଂଲାଦେଶ ଦେଇ ଏଠାକୁ ଆସି ଆନନ୍ଦରେ ନିଜର ପରିଚୟ ତିଆରି କରୁଛି। ଗୁରୁବାରଦିନ ଅର୍ଥାତ୍ ମାର୍ଚ୍ଚ ୨୭ ତାରିଖରେ ସଂସଦରେ ଏନେଇ ସାଂସଦମାନେ ଉଦବେଗ ପ୍ରକାଶ କରିଥିଲେ। ନୂଆ ପ୍ରବାସ ଓ ବିଦେଶୀ ବିଧେୟକ ୨୦୨୫ ସମ୍ବନ୍ଧରେ ଆଲୋଚନାବେଳେ ବଂଲାଦେଶରୁ ଆସୁଥିବା ବେଆଇନ ଅନୁପ୍ରବେଶକାରୀଙ୍କୁ ନେଇ ସାଂସଦମାନେ ପ୍ରଶ୍ନ ଉଠାଇଥିଲେ। ଆଉ ଏହାର ଉତ୍ତର ଯାହା ମିଳିଥିଲା ତାହା ଚମକାଇ ଦେଲାଭଳି।
ହଁ, ପଶ୍ଚିମବଙ୍ଗକୁ ଲାଗି କରି ରହିଛି ବାଲାଂଦେଶର ସୀମା। ଗୃହମନ୍ତ୍ରୀଙ୍କ ହିସାବ ଅନୁସାରେ ଭାରତକୁ ଲାଗିଥିବା ବାଂଲାଦେଶ ସୀମାନ୍ତ ଅଞ୍ଚଳ ଦେଇ ଆମ ଦେଶକୁ ହଜାର ହଜାର ବାଂଲାଦେଶୀ ପ୍ରବେଶ କରୁଛନ୍ତି। ସେମାନେ ଦେଶର ବିଭିନ୍ନ କୋଣରେ ରହୁଛନ୍ତି। ଆଉ ତାଙ୍କ ପାଖରେ ଭାରତର ପରିଚୟପତ୍ର ବି ରହିଛି।
ଆଉ ଏହି ଅନୁପ୍ରବେଶ ଓ ଭାରତୀୟ ନାଗରିକ ପରିଚୟପତ୍ର କାରଖାନା ହୋଇଛି ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲା। ନିକଟରେ ଦିଲ୍ଲୀରୁ ଧରାପଡ଼ିଥିବା ବାଂଲାଦେଶୀଙ୍କୁ ପଚରାଉଚୁରାବେଳେ ଏହା ଜାଣିପାରିଛନ୍ତି ପୁଲିସ ଓ ସୁରକ୍ଷା କର୍ମୀ।
ଆଉ ଏକ ବଡ଼ କଥା ହେଲା, ରାଜନୀତିକ ସ୍ୱାର୍ଥକୁ ଆଗରେ ରଖି ପଶ୍ଚିମବଙ୍ଗ ସରକାର ବାଂଲାଦେଶ ସୀମାକୁ ନିୟନ୍ତ୍ରଣ କରି ଅନୁପ୍ରବେଶକୁ ରୋକିବା ପାଇଁ ଭାରତ ସରକାରଙ୍କୁ ସହଯୋଗ କରୁନାହାନ୍ତି। ଗୃହମନ୍ତ୍ରୀଙ୍କ ବିବରଣୀ ଅନୁସାରେ ପଶ୍ଚିମବଙ୍ଗକୁ ଲାଗିଥିବା ୨୨୧୬ କିଲୋମିଟର ସୀମାରୁ ୧୬୫୩ କିଲୋମିଟର ଅଞ୍ଚଳରେ ଏବେ ବାଡ଼ ପଡ଼ି ସାରିଛି। ଏହି ଅଞ୍ଚଳରେ ଭାରତୀୟ ସୈନିକ ସୀମାକୁ ସୁରକ୍ଷିତ କରୁଛନ୍ତି। ବାକି ୫୬୩ କିଲୋମିଟରରୁ ୧୧୨ କିଲୋମୀଟର ସୀମାନ୍ତ ଅଞ୍ଚଳ ଏପରି ରହିଛି ଯେଉଁଠାରେ କୌଣସି ବାଡ଼ ପକାଇବା ସମ୍ଭବ ନୁହେଁ। ଏଗୁଡ଼ିକ ନଈ ବା ତୀଖ ପାହାଡ଼ିଆ ଅଞ୍ଚଳ। କିନ୍ତୁ ୪୫୦ କିଲୋମିଟର ଅଞ୍ଚଳରେ ବାଡ଼ ପକାଇବା ଲାଗି ପଶ୍ଚିମବଙ୍ଗ ସରକାର ସହଯୋଗ କରୁନାହାନ୍ତି। ୧୦ ଥର କେନ୍ଦ୍ର ଗୃହ ସଚିବ ଚିଠି ଲେଖିଥିଲେ ବି ତାହାର ଉତ୍ତର ମିଳିପାରୁନାହିଁ। ଏହି ୪୫୦ କିଲୋମିଟର ଅଞ୍ଚଳ ଏବେ ବାଂଲାଦେଶୀଙ୍କ ଲାଗି ସୁରକ୍ଷିତ ପ୍ରବେଶର ଦ୍ୱାର ଖୋଲିଯାଇଥିବା ପରୋକ୍ଷରେ ଇଙ୍ଗିତ କରିଛନ୍ତି ଗୃହମନ୍ତ୍ରୀ।
ପଶ୍ଚିମବଙ୍ଗର ମୁର୍ଶିଦାବାଦ, ନଦିୟା, ୨୪ ପ୍ରଗଣା ଓ ମାଲଦା ଏପରି ୪ ଜିଲ୍ଲା ବାଂଲାଦେଶ ସୀମାରେ ରହିଛି। ଏହି ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ବାଂଲାଦେଶ ସହ ପାରିବାରିକ ସମ୍ପର୍କରେ ବି ଅନେକ ଲୋକ ରହିଛନ୍ତି। ରାଜନୀତିକ ଅସ୍ଥିରତା, ନିଯୁକ୍ତି ଆବଶ୍ୟକତାକୁ ଲକ୍ଷ୍ୟରେ ରଖି ଏହି ବାଟ ଦେଇ ବାଂଲାଦେଶର ଲୋକେ ଭାରତକୁ ଆସୁଛନ୍ତି।
ବଡ଼ କଥା ହେଲେ ଯେଉଁମାନେ ଆସୁଛନ୍ତି ତାଙ୍କ ପାଇଁ ଭାରତରେ କାଗଜପତ୍ର ଯୋଗାଇବାକୁ ମଧ୍ୟ କିଛି ସରକାରୀ କଳର ଅଧିକାରୀ, ଦଲାଲ ଓ ରାଜନେତା ତଥା ରାଜନୀତିକ ଦଳ ସହାୟକ ହେଉଛନ୍ତି। ଫଳରେ ଦେଶରେ ବଢ଼ି ଚାଲିଛି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା।
୨୦୦୧ ମସିହାରେ ଯେଉଁ ସଂଖ୍ୟା ୩୧ ଲକ୍ଷ ଥିଲା ତାହା ୨୦୧୬ ମସିହାରେ ୨ କୋଟିରେ ପହଞ୍ଚିଥିବା ରାଜ୍ୟସଭାରେ ତତ୍କାଳୀନ କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କିରେନ୍ ରିଜିଜ୍ଜୁ ସୂଚୀତ କରିଥିଲେ। ଖାଲି ସେତିକି ନୁହେଁ ୟୁପିଏ ଆରମ୍ଭରୁ ଅର୍ଥାତ୍ ୨୦୦୪ ମସିହାରେ ଏହି ସଂଖ୍ୟା ମାତ୍ର ୧କୋଟି ୨୦ ଲକ୍ଷ ଥିଲା। କିନ୍ତୁ ୟୁପିଏ ଶାସନ କାଳରେ ୬୭ ପ୍ରତିଶତ ଅଭିବୃଦ୍ଧି ହୋଇଥିବା ସେତେବେଳେ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଥିବା କିରେନ୍ ରିଜିଜ୍ଜୁ ସୂଚନା ଦେଇଥିଲେ।
ପଶ୍ଚିମବଙ୍ଗ ଓ ମୁକୁଳା ପଡ଼ିଥିବା ସମୁଦ୍ର ପଥ ଦେଇ ଆସୁଥିବା ଏହି ବାଂଲାଦେଶୀ ଓଡ଼ିଶାରେ ମଧ୍ୟ ବେଆଇନଭାବେ ରହୁଛନ୍ତି। ବିଶେଷକରି କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଏବଂ ଭୁବନେଶ୍ୱରରେ ସମେତ ରାଜ୍ୟର ଦକ୍ଷିଣ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଏମାନେ ବିଭିନ୍ନ ଛଦ୍ମ ନାଁ ଓ ଛଦ୍ମ ବେଶରେ ରହୁଥିବା ପୁଲିସ ପାଖରେ ସୂଚନା ରହିଛି। ଏପରି ବେଆଇନ ବାଲାଦେଶୀଙ୍କ ସଂଖ୍ୟା ରାଜ୍ୟରେ ୩୭୩୮ ବୋଲି ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚୀତ କରିଥିଲେ। ଏହି ସଂଖ୍ୟା ସରକାରୀ ତଥ୍ୟରେ ରହିଛି। କିନ୍ତୁ ଏମାନଙ୍କ ସଂଖ୍ୟା ରାଜ୍ୟରେ ୧୦ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି। ସେମାନଙ୍କ ଭିତରୁ ୧୬୪୯ କେନ୍ଦ୍ରାପଡ଼ାରେ ରହୁଥିବାବେଳେ ଜଗତସିଂହପୁରରେ ୧୧୧୨ ଜଣ ରହୁଛନ୍ତି। ଏମାନେ ବିଭିନ୍ନ ରୂପରେ ଆପଣଙ୍କ ସହ ବ୍ୟବସାୟ କରୁଛନ୍ତି। କେତେବଳେ ନିର୍ମାଣ ଶ୍ରମିକ ଭାବେ ତ କେତେବେଳେ ଫେରିବାଲା ଭାବେ ଆପଣଙ୍କ ଘର ଆଖ ପାଖରେ ବୁଲୁଛନ୍ତି। ଅନେକ ସମୟରେ ଅପରାଧିକ ମାମଲାରେ ମଧ୍ୟ ଏମାରନଙ୍କ ସମ୍ପୃକ୍ତି ରହୁଥିବା ସୂଚନା ମିଳିଛି।
ସବୁଠାରୁ ବଡ଼ କଥା ହେଲା ଏମାନଙ୍କୁ ବାହାର କରିବା ଲାଗି ରାଜ୍ୟ ପାଖରେ ଚାରା ନାହିଁ। କାରଣ ରାଜନୀତିକ ଶକ୍ତି ଏମାନଙ୍କ ନାଁରେ ଏପରି କାଗଜପତ୍ର କରିଛନ୍ତି ଯେ ସେମାନଙ୍କୁ ବେଆଇନ ବୋଲି ସରକାର କହୁଥିଲେ ମଧ୍ୟ ତାଙ୍କୁ ନ୍ୟାୟିକ ସୁରକ୍ଷା ମିଳୁଛି।
ଏପରି ସ୍ଥଳରେ ବିଚାର କରନ୍ତୁ ଆଗକୁ ଭାରତ କି ପ୍ରକାର ସମସ୍ୟା ଭୋଗିବାକୁ ଯାଉଛି। କାରଣ କେବଳ ବାଂଲାଦେଶ ନୁହେଁ, ଚୀନ୍, ପାକିସ୍ତାନ, ନେପାଳ, ମ୍ୟାମାର, ଭୂଟାନ୍ ଓ ଆଫଗାନିସ୍ତାନ ଭଳି ରାଷ୍ଟ୍ରଙ୍କ ସହ ୧୫ ହଜାର ୧୦୬ କିଲୋମିଟର ଅଞ୍ଚଳ ଭାରତ ସହ ଲାଗିକରି ରହିଛି। ଏହି ସୀମାନ୍ତ ଅଞ୍ଚଳରେ କଡ଼ା ପହରା ଓ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାନଗଲେ ଏମାନେ ଆମ ଗଣତନ୍ତ୍ରକୁ ଆହୁରି ବିପଜ୍ଜନକ କରିବା ସ୍ୱଭାବିକ। ରାଜନୀତିକ ଶକ୍ତି ସେମାନଙ୍କୁ ବିଭିନ୍ନ ଆଳରେ ବ୍ୟବହାର କରିବା ନିଶ୍ଚିତ। ଏଣୁ ସତର୍କ ହେବାର ଦିନ ଆସିଛି। କଠୋର ଆଇନ ସହ କଡ଼ା ଯାଞ୍ଚର ଆବଶ୍ୟକତା ରହିଛି।
ଗତକାଲି ଏହି ଉଦ୍ଦେଶ୍ୟରେ ଲୋକସଭାରେ ନୂଆ ପ୍ରବାସ ଓ ବିଦେଶୀ ବିଧାୟକ ୨୦୨୫ ପାରିତ ହୋଇଛି। ଏହା ଯଦି ଆଇନରେ ପରିଣତ ହୁଏ ତେବେ ଦେଶରେ ଥିବା ୧୯୨୦ ମସିହାର ପାସପୋର୍ଟ ଆଇନ, ୧୯୩୯ ମସିହାର ବିଦେଶୀ ପଞ୍ଜିକରଣ ଆଇନ, ୧୯୪୬ ମସିହାର ବିଦେଶୀ ଆଇନ ଏବଂ ୨୦୦୦ ମସିହାରେ ଆସିଥିବା ପ୍ରବାସ ଆଇନ ରଦ୍ଦ ହେବ। ଏହି ଆଇନ ବଳରେ ଯଦି କେହି ଜାଲ୍ ପାସପୋର୍ଟରେ ଦେଶରେ ପ୍ରବେଶ କରନ୍ତି ତେବେ ତାଙ୍କୁ ୧୦ ଲକ୍ଷ ଟଙ୍କାର ଜୋରିମାନା ସହ ୭ ବର୍ଷ ଯାଏ ଜେଲ୍ ଦଣ୍ଡ ବ୍ୟବସ୍ଥା କରାଯାଇଛି। ପୁଣି ଯେଉଁମାନେ ଶିକ୍ଷା ପାଇଁ ବିଭିନ୍ନ ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାକୁ ବିଦେଶରୁ ଆସୁଛନ୍ତି ସେମାନଙ୍କ ପାଇଁ ଏହି ଆଇନ ବଳରେ ସମସ୍ତ ତଥ୍ୟ ସହ ପଞ୍ଜିକରଣ କରିବା ବାଧ୍ୟତାମୂଳକ ରହିବ। ଏହାସହ ଯେଉଁମାନେ ଏହି ବିଦେଶୀଙ୍କୁ ପରିବହନ କରୁଛନ୍ତି ସେମାନେ ତାଙ୍କର ତଥ୍ୟ ଯାଞ୍ଚ କରିବା ଲାଗି କ୍ଷମତା ଦିଆଯାଇଛି। ପୂର୍ବରୁ ଏହା ହେଉନଥିଲା।
ସମସ୍ତ ପ୍ରବାସ ଗତିବିଧି ଲାଗି ଗୋଟିଏ ଏକକ କେନ୍ଦ୍ରୀୟ ଏଜେନ୍ସୀ ରହିବ। ଏହି ଏଜେନ୍ସୀ ଯେଉଁମାନେ ଭାରତରେ ପ୍ରବେଶ କରିଛନ୍ତି ସେମାନଙ୍କ ରହଣୀ, ଯାତାୟାତ ବାବଦରେ ଟିକିନିଖି ବିବରଣୀ ରକ୍ଷା କରିବେ। ଏହାସହ ଭିସା ପ୍ରଦାନ କରିବେ। ପୁଣି ଏହି ଏଜେନ୍ସି କୌଣସି ବିଦେଶୀଙ୍କ ଭାରତ ପ୍ରବେଶ ବା ଭ୍ରମଣ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବାର କ୍ଷମତା ରକ୍ଷା କରୁଛନ୍ତି। କୌଣସି ବିଦେଶୀ ଆମ ଦେଶରେ ନିଜର ନାଁ ପରିର୍ତ୍ତନ କରିପାରିବେ ନାହିଁ। ଏଥିଲାଗି ସରକାରଙ୍କ ଅନୁମତି ନେବାକୁ ପଡ଼ିବ।
ଏଭଳି କଠୋର ଆଇନକୁ ପାରିତ କରି ଦେଶରେ ନୂଆ ନିୟମ ଲାଗୁ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଜାତୀୟ ସୁରକ୍ଷାକୁ ଏହି ବିଧେୟକରେ ଗୁରୁତ୍ୱ ଦିଆଯାଇଛି। ଆଶା ଏହାଦ୍ୱାରା ଆମ ଦେଶର ନାଗରିକଙ୍କ କ୍ଷମତା ବଢ଼ିବ। ଦେଶରେ ପର ଦେଶର ଅପରାଧିକ ତତ୍ତ୍ୱ ରହିବେ ନାହିଁ।