Similipal : ମୁଖ୍ୟତଃ ଶିମିଳିପାଳ ଦକ୍ଷିଣ ଡିଭିଜନରେ ଥିବା ୮୪୫.୭ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରାଯିବ ଏବଂ ଏହି ବିଜ୍ଞପ୍ତି କେବଳ ସମୟର କଥା ବୋଲି ବନ୍ୟପ୍ରାଣୀ ମୁଖ୍ୟାଳୟ ସୂତ୍ରରୁ ପ୍ରକାଶ।
ଦୀର୍ଘ ଦଶନ୍ଧିର ପ୍ରତୀକ୍ଷା ପରେ ଶିମିଳିପାଳ ଜାତୀୟ ଉଦ୍ୟାନ ବାସ୍ତବ ରୂପ ନେବାକୁ ଯାଉଛି। ମୁଖ୍ୟତଃ ଶିମିଳିପାଳ ଦକ୍ଷିଣ ଡିଭିଜନରେ ଥିବା ୮୪୫.୭ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରାଯିବ ଏବଂ ଏହି ବିଜ୍ଞପ୍ତି କେବଳ ସମୟର କଥା ବୋଲି ବନ୍ୟପ୍ରାଣୀ ମୁଖ୍ୟାଳୟ ସୂତ୍ରରୁ ପ୍ରକାଶ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ୬୦ ଦିନର ବୈଧାନିକ ଘୋଷଣା ଅବଧି ପାଳନ କରାଯାଇଛି।
ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ (ଏସଟିଆର) ହେଉଛି ରାଜ୍ୟର ସବୁଠାରୁ ବଡ଼ ବାଘ ଆବାସସ୍ଥଳୀ। କେନ୍ଦ୍ରର ମାନଦଣ୍ଡ ଅନୁଯାୟୀ ଜାତୀୟ ଉଦ୍ୟାନ ମାନ୍ୟତା ପାଇବାକୁ ଥିବା ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଓ ମାନବ ବସବାସ ଓ ଗୃହପାଳିତ ପଶୁଙ୍କ ଗମନାଗମନରୁ ମୁକ୍ତ ହେବା ଆବଶ୍ୟକ। ତଦନୁଯାୟୀ ୨୩୦୬.୬୧ ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରୁ ଶିମିଳିପାଳର ୮୪୫.୭୦ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବେ ପ୍ରସ୍ତାବ ଦିଆଯାଇଥିଲା ସରକାର ୨୦୦୭ ମସିହାରେ ୧୧୯୪.୭୫ ବର୍ଗ କିଲୋମିଟର ଏସଟିଆରକୁ ମୁଖ୍ୟ ଗୁରୁତ୍ୱପୂର୍ଣ୍ଣ ବାଘ ଆବାସସ୍ଥଳୀ ଭାବେ ବିଜ୍ଞପ୍ତି ଜାରି କରିସାରିଛନ୍ତି। ତେବେ ଜାତୀୟ ଉଦ୍ୟାନ ପାଇଁ ପ୍ରସ୍ତାବ ଦିଆଯାଇଥିଲା, କାରଣ ଏହାର ମୂଳରେ ମାନବ ବସତି ରହିଥିଲା।
ଶିମିଳିପାଳର କୋର ଅଞ୍ଚଳରେ ୬ଟି ଗାଁ ଥିଲା, ଯେଉଁଥିରେ ଜେନାବିଲ, ଯମୁନାଗଡ଼ା, କବତଘାଇ ଓ ବକୁଆ ରାଜସ୍ୱ ଗ୍ରାମ ଥିବା ବେଳେ ଅନ୍ୟ ଦୁଇଟି ବରାହକାମୁଡ଼ା ଓ ବାହାଘର ଜନବସତି ଗ୍ରାମ ଥିଲା। ଜେନାବିଲ, କବଟଘାଇ ବାରହାକୁଡ଼ା, ବାହାଘର ଓ ଯମୁନାଗଡ଼ା ଗାଁକୁ ସ୍ଥାନାନ୍ତର କରିବାରେ ରାଜ୍ୟ ସରକାର ସଫଳ ହୋଇଥିଲେ ମଧ୍ୟ ପ୍ରାୟ ୬୧ଟି ପରିବାର ଏବେ ବି ବକୁଆରେ ବସବାସ କରୁଛନ୍ତି। ଶିମିଳିପାଳ ଟିଆରର ଜଣେ ଅଧିକାରୀ କହିଛନ୍ତି ଯେ ବକୁଆକୁ ଜାତୀୟ ଉଦ୍ୟାନ ଅଞ୍ଚଳରୁ ବାହାରେ ରଖାଯାଇଛି ଏବଂ ୮୪୫ ବର୍ଗ କିଲୋମିଟର ପ୍ରସ୍ତାବିତ ଅଞ୍ଚଳରେ ଆସୁନାହିଁ, ଯଦିଓ ସେମାନେ ସ୍ୱେଚ୍ଛାକୃତ ଭାବରେ ରାଜି ହେଲେ ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ଅଛନ୍ତି।
ଜାତୀୟ ଉଦ୍ୟାନ ଘୋଷଣା ପାଇଁ ଆବଶ୍ୟକ ସମସ୍ତ ସର୍ତ୍ତ ପାଳନ କରି ଗତବର୍ଷ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛୁ। ଏଥିରେ ଦୁଇଟି ଛୋଟ ପଡ଼ାର ସ୍ଥାନାନ୍ତର ଓ ଘୋଷଣା ମଧ୍ୟ ସାମିଲ ଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୩ରେ ବ୍ୟାଘ୍ର ସଂରକ୍ଷଣ ଗସ୍ତ ସମୟରେ ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା ଦେବା ପାଇଁ ଶୁଭେଚ୍ଛା ଜଣାଇଥିଲେ। ଶିମିଳିପାଳ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାପାଳ ସେମାନଙ୍କ ଅନୁରୋଧ ଆଧାରରେ ଗତବର୍ଷ ୬୦ ଦିନର ଘୋଷଣା ଅବଧି ବିଜ୍ଞପ୍ତି ଜାରି କରି ଆପତ୍ତି ମାଗିଥିଲେ। ଏହା ଜଣେ ସେଟଲମେଣ୍ଟ ଅଫିସରଙ୍କ ଜରିଆରେ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସରକାରଙ୍କୁ ଏକ ରିପୋର୍ଟ ମଧ୍ୟ ପଠାଯାଇଥିଲା ।
ଶିମିଳିପାଳ ଜାତୀୟ ଉଦ୍ୟାନ ଘୋଷଣା ପ୍ରକ୍ରିୟା ଶେଷ ହୋଇଛି ଏବଂ ଏଥିପାଇଁ ଆବଶ୍ୟକ ସମସ୍ତ ମାନଦଣ୍ଡ କୁ ଆମେ ପାଳନ କରିଛୁ। ରାଜ୍ୟ ସରକାର ଏକ ମାସ ମଧ୍ୟରେ ଯେକୌଣସି ସମୟରେ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିପାରନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଜାତୀୟ ଉଦ୍ୟାନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶିମିଳିପାଳ ପ୍ରଶାସନ ବାଘ ଆବାସସ୍ଥଳୀରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅଧିକ ପାଣ୍ଠି ଲୋଡ଼ିପାରିବ।
ବର୍ତ୍ତମାନ ଭିତରକନିକା ରାଜ୍ୟର ଏକମାତ୍ର ଜାତୀୟ ଉଦ୍ୟାନର ମାନ୍ୟତା ପାଇଛି । ୧୯୭୫ ମସିହାରେ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବେ ସ୍ଥାପିତ ହୋଇଥିବା ଏହି ମ୍ୟାଂଗ୍ରୋଭ ଇକୋସିଷ୍ଟମକୁ ୧୯୯୮ମସିହାରେ ଜାତୀୟ ଉଦ୍ୟାନ ଭାବେ ମାନ୍ୟତା ମିଳିଥିଲା। ପୂର୍ବତନ ପିସିସିଏଫ୍ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ, ଯାହାଙ୍କ କାର୍ଯ୍ୟକାଳ ରେ ଗତବର୍ଷ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା, ସେ କହିଛନ୍ତି ଯେ ଜାତୀୟ ଉଦ୍ୟାନ ବିଜ୍ଞପ୍ତି ବାଘଙ୍କ ବାସସ୍ଥାନ ପାଇଁ ଏକ ବଡ଼ ମାଇଲଖୁଣ୍ଟ ହେବ।
Previous article:https://purvapaksa.com/odishas-lakhpati-didi-initiative-ushers-new-economic-dawn/
ଲକ୍ଷପତି ଦିଦି ଯୋଜନା : ମହିଳା ସଶକ୍ତିକରଣର ସୁବର୍ଣ୍ଣ ଭବିଷ୍ୟତର ସୂର୍ଯ୍ୟୋଦୟ
