Who cheated the Tribal: ରାଜ୍ୟର ଆଦିମ ଅଧିବାସୀ ଯାହାଙ୍କୁ ପ୍ରିମିଟିଭ୍ ଟ୍ରାଇବ୍ ବୋଲି କୁହାଯାଉଛି ସେମାନଙ୍କ ଉନ୍ନତି ପାଇଁ କେନ୍ଦ୍ରୀୟ ସହାୟତା ଆସିଥିଲା। ଏହି କେନ୍ଦ୍ରୀୟ ସହାୟତାକୁ ବିଜେଡି ସରକାର ଖର୍ଚ୍ଚ କରିପାରିନଥିଲା। ଫଳରେ ୨୦୧୮ରେ ୭୪୫ କୋଟି ଟଙ୍କା କେନ୍ଦ୍ରକୁ ଫେରିଯାଇଥିଲା।
ଆଜି କାହିଁକି ସମର ସଲିମ ସାଇମନ ଚଳଚ୍ଚିତ୍ରର ଗୀତ ଯାହାକୁ ଶେଖର ଘୋଷ ଗାଇଥିଲେ, ବହୁତ ମନେପଡ଼ୁଛି। ଗୀତଟି ହେଲା, ହୃଦୟର ଏଇ ଶୂନ୍ୟତାକୁ ଯଦି ପଚାରି ମୁଁ ଥରେ ବୁଝେ, ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ୱନୀ କହେ ତୁମେ ତୁମେ।
ଏହି ଗୀତଟି ମନେ ପଡ଼ିବାର କାରଣ ହେଲା ରାଜ୍ୟର ଆଦିବାସୀମାନଙ୍କୁ ଯଦି ପ୍ରଶ୍ନ କରାଯାଏ ତୁମମାନଙ୍କ ସହିତ ପ୍ରତାରଣା କିଏ କରିଛି ବୋଲି ତେବେ ପ୍ରଶ୍ନକର୍ତ୍ତାଙ୍କୁ ଉତ୍ତର ମିଳିବ ତୁମେ।
ଗତକାଲି ବିଧାନସଭାରେ ଆଦିବାସୀମାନଙ୍କ ସମସ୍ୟାକୁ ନେଇ ବିରୋଧୀ ବିଜେଡି ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଗତ କରାଯାଇ ଆଲୋଚନା ହୋଇଥିଲା। ଏହି ଆଲୋଚନା କାଳରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ ରାଜା ସ୍ୱାଇଁ ଗଳା ଫଟାଇ ରାଜ୍ୟର ଆଦିବାସୀମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦିଛନ୍ତି।
କିନ୍ତୁ ସେ ଭୁଲି ଯାଇଛନ୍ତି ଯେ ରାଜ୍ୟରେ ଗତ ୨୪ ବର୍ଷ ହେଲା ତାଙ୍କ ଦଳର ସରକାର କ୍ଷମତାରେ ଥିଲା। ଆଦିବାସୀମାନଙ୍କ ଉନ୍ନତି ପାଇଁ ତାଙ୍କ ସରକାର କିଛି କାମ କରିନଥିବାରୁ ସେମାନେ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡିଠାରୁ ମୁହଁ ବୁଲାଇ ନେଇଥିଲେ। ତେଣୁ ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ୨୦୧୮ରେ ବିଜେଡି ସରକାର ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଗଠନ କରି ନିଜ ଦଳର ନେତାମାନଙ୍କୁ ଏହାର ଅଧ୍ୟକ୍ଷ ପଦରେ ଥଇଥାନ କରିଥିଲେ।
ସବୁଠାରୁ ବଡ଼ ପ୍ରତାରଣାର କଥା ହେଉଛି ବିଜେଡି ସରକାର ଅମଳରେ ରାଜ୍ୟର ଆଦିମ ଅଧିବାସୀ ଯାହାଙ୍କୁ ପ୍ରିମିଟିଭ୍ ଟ୍ରାଇବ୍ ବୋଲି କୁହାଯାଉଛି ସେମାନଙ୍କ ଉନ୍ନତି ପାଇଁ କେନ୍ଦ୍ରୀୟ ସହାୟତା ଆସିଥିଲା। ଏହି କେନ୍ଦ୍ରୀୟ ସହାୟତାକୁ ବିଜେଡି ସରକାର ଖର୍ଚ୍ଚ କରିପାରିନଥିଲା। ଫଳରେ ୨୦୧୮ରେ ୭୪୫ କୋଟି ଟଙ୍କା କେନ୍ଦ୍ରକୁ ଫେରିଯାଇଥିଲା।
ବିଧାନସଭାର ଗତ ଅଧିବେଶନ କାଳରେ ବିଜେଡି ସରକାର ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ କିପରି କାମ କରିଛି ବୋଲି ବଡ଼ଚଣା ବିଧାୟକ ଅମର ନାୟକ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ମିଳିଥିଲା ଆଦିବାସୀଙ୍କ ବିକାଶ ପାଇଁ ଖେଳ ସାମଗ୍ରୀ ଓ ବାଦ୍ୟଯନ୍ତ୍ର ବିଜେଡି ସରକାର ଯୋଗାଇ ଦେଇଥିଲେ।
କେବଳ ସେତିକି ନୁହେଁ ଆସିବାସୀ ଅଞ୍ଚଳରେ ଗମନାଗମନ ସୁବିଧା ନ ଥିବାରୁ ରୋଗୀମାନେ ଖଟିଆରେ ବୁହା ହେବା ଚିତ୍ର ଅନେକ ଥର ଖବରର ଶିରୋନାମା ପାଲଟୁଛି। ଆଦିବାସୀମାନଙ୍କୁ ରାଜ୍ୟରେ କିଭଳି ସ୍ୱାସ୍ଥ୍ୟସେବା ଯୋଗାଇବା ସହିତ ଅମଣିଷ ଭଳି ବ୍ୟବହାର କରାଯାଉଥିଲା ତାହା କଳାହାଣ୍ଡିର ଦାନ ମାଝୀ କାନ୍ଧରେ ଶବ ବୋହିବା ଘଟଣା ସମସ୍ତେ ଦେଖିଛନ୍ତି। ଏହି ଘଟଣାରେ ସାରାବିଶ୍ୱ ସ୍ତବ୍ଧ ହୋଇଯାଇଥିଲା। ଏସବୁ ଘଟଣା ନିଶ୍ଚିତ ଭାବରେ ବିଜେଡି ବିଧାୟକଙ୍କର ମନେଥିବ ବୋଲି ଆଶା କରୁଛୁ।
ଏଭଳି ଆଦିବାସୀ ପ୍ରୀତି ଯୋଗୁ ଆଦିବାସୀ ମତଦାତାମାନେ ୨୦୨୪ ନିର୍ବାଚନରେ ବିଜେଡିଠାରୁ ମୁହଁ ଫେରାଇ ନେବାରୁ ଦଳ କ୍ଷମତା ହରାଇଛି।
ଏ ତ ଗଲା ବିଜେଡି କଥା। ଏବେ ଶାସନ କ୍ଷମତାକୁ ଆସିଥିବା ବିଜେପି ମଧ୍ୟ ଆଦିବାସୀ ସମସ୍ୟା ବୁଝିବାରେ ବିଫଳ ହୋଇଛି ବୋଲି କହିଲେ ଆଦୌ ଭୁଲ ହେବ ନାହିଁ। ଆଦିବାସୀ ମତଦାତାଙ୍କୁ ପ୍ରଲୋଭିତ କରି ନିଜ ପାଖରେ ରଖିବା ପାଇଁ ବିଜେପି ଅନେକ ଚାଲ ଖେଳିଛି। ସେଥିରେ ରାଜ୍ୟର ଜଣେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିଥିବାବେଳେ କେନ୍ଦ୍ରର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଓଡ଼ିଶାର ଜଣେ ଆଦିବାସୀ ସାଂସଦ ଜୁଏଲ ଓରାମ ହୋଇଛନ୍ତି।
କେବଳ ସେତିକି ନୁହେଁ, ରାଜ୍ୟ ମନ୍ତ୍ରିମଣ୍ଡଳରେ ଆଦିବାସୀ ନେତା ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିବାବେଳେ ଗଣେଷରାମ ସିଂହ ଖୁଣ୍ଟିଆ, ନିତ୍ୟାନନ୍ଦ ଗଣ୍ଡ ଓ ରବି ନାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୪ଜଣ ଥିବାବେଳେ ବିଜେପି ସରକାରର ୮ମାସର କାର୍ଯ୍ୟକାଳ ମଧ୍ୟରେ ଆାଦିବାସୀ ଛାତ୍ରାବାସରେ ଥିବା ୨୬ଜଣ ଛାତ୍ର ମୃତ୍ୟୁବରଣ କରିଛନ୍ତି। ଏହାଛଡ଼ା ୩ଜଣ ନାବାଳିକା ଆଦିବାସୀ ଛାତ୍ରୀ ମଧ୍ୟ ଗର୍ଭବତୀ ହୋଇ ପିଲା ଜନ୍ମ କରିଛନ୍ତି। ଏହାଠାରୁ ବଳି ବଡ଼ ଦାୟିତ୍ୱହୀନତା କ’ଣ ହୋଇପାରେ?
୨୦୨୪ ନଭେମ୍ବର ମାସରେ ଦରିଙ୍ଗିବାଡିର ମାଡିପଙ୍କା ଗ୍ରାମରେ ମାଗଣା ଚାଉଳ ନ ପାଇଁ ଆମ୍ବ ଟାକୁଆ ଜାଉ ଖାଇ ୨ଜଣ ମହିଳାଙ୍କ ମୃତ୍ୟୁ ଘଟଣା ମୋହନ ସରକାରର କୁହାଳିଆ ଯୋଗାଣ ମନ୍ତ୍ରୀଙ୍କ ଦାୟିତ୍ୱହୀନତାକୁ ପଦାରେ ପକାଇ ଦେଇଥଲା। କାରଣ ସେହି ଗ୍ରାମବାସୀମାନେ ୪ମାସ ଧରି ପିଡିଏସ୍ ଚାଉଳ ନ ପାଇ ଆମ୍ବ ଟାକୁଆ ଜାଉ ଖାଇବାକୁ ବାଧ୍ୟ ହୋଇଥିଲେ।
ସରକାର ଗଠନକୁ ୧୦ମାସ ପୁରିଲାଣି। କିନ୍ତୁ ଏବେ ବି ମୋହନ ସରକାରର ମନ୍ତ୍ରୀମାନେ ସମ୍ବର୍ଦ୍ଧନା ସଭା ଓ ଫୁଲମାଳରୁ ବାହାରିପାରୁ ନାହାନ୍ତି। ଏପରି କ୍ଷେତ୍ରରେ ଆଦିବାସୀମାନେ ମଲେ ସେମାନଙ୍କର କୌଣସି ଦାୟିତ୍ୱ ଥିଲା ପରି ମନେ ହେଉନାହିଁ।
ଏବେ ଆସିବା କଂଗ୍ରେସ ଆଡ଼କୁ। ଏକଦା ରାଜ୍ୟର ଆଦିବାସୀମାନେ ହାତ ଚିହ୍ନ ବ୍ୟତୀତ ଅନ୍ୟ କୌଣସି ଚିହ୍ନରେ ଭୋଟ୍ ଦେଉନଥିଲେ। କିନ୍ତୁ କଂଗ୍ରେସର ରାଜ୍ୟ ଓ କେନ୍ଦ୍ର ନେତୃତ୍ୱ ଆଦିବାସୀ ନେତାମାନଙ୍କୁ ଘୃଣା ଚକ୍ଷୁରେ ଦେଖୁଥିଲେ। ଏପରିକି ଆଦିବାସୀ ଅଞ୍ଚଳର ଉନ୍ନତି କଥା ସ୍ୱପ୍ନରେ ଭାବି ପାରୁନଥିଲେ। ଫଳରେ ସେମାନେ ଗତ ୫ଟି ନିର୍ବାଚନରେ କ୍ଷମତା ହରାଇ ବିରୋଧି ଦଳର ମାନ୍ୟତା ମଧ୍ୟ ହରାଇ ସାରିଲେଣି। ୨୦୨୪ ନିର୍ବାଚନରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ମତଦାତାମାନେ କଂଗ୍ରେସର ଇଜ୍ଜତ ବଞ୍ଚାଇ ଦେଇଛନ୍ତି। ନ ହେଲେ କଂଗ୍ରେସ ବିଧାୟକ ସଂଖ୍ୟା ୫କି ୬ରେ ସୀମିତ ହୋଇଯାଇଥାନ୍ତା।
ତେଣୁ ରାଜ୍ୟରେ ରାଜନୈତିକ ଦଳମାନେ ଆଦିବାସୀମାନଙ୍କର ଭୋଟ୍ ନେଇ କ୍ଷମତାକୁ ଆସିବା ପରେ କେବଳ ପ୍ରତାରଣା ଦେଇଛନ୍ତି ବୋଲି କହିଲେ ଆଦୌ ଭୁଲ୍ ହେବ ନାହିଁ।
Also readhttps://purvapaksa.com/how-will-odisha-be-in-trouble-if-it-is-reduced/
