VK Pandian: ବିଜେଡିର ଅଫିସିଆଲ ଜ୍ୱାଇପୁଅଙ୍କୁ ଅଧିକ ଓଡ଼ିଆ କରିବା ପାଇଁ ତାଙ୍କ ନାମ କାର୍ତ୍ତିକେୟନରୁ କାର୍ତ୍ତିକ ପାଣ୍ଡିଆନ ହୋଇଯାଇଥିଲା। ତାଙ୍କୁ କାର୍ତ୍ତିକ କହିବାରୁ ଲାଗିଲା ଯେମିତି ସିଏ ଏଇ ଓଡ଼ିଶାରେ କେଇଦିନ ତଳେ ଜନ୍ମ ହୋଇଥିଲେ। ତାଙ୍କର ଠିଆପାଲାକୁ ଗଣମାଧ୍ୟମ ସତେ ଯେମିତି ପିଇ ଯାଇଥିଲା।
୨୦୨୪ର ଅଧା ପର୍ଯ୍ୟନ୍ତ ଓଡ଼ିଶାରେ ଗୋଟିଏ ନାଁ’କୁ ନେଇ ଚର୍ଚ୍ଚା ଜୋରଦାର ଥିଲା। ଚା’ ଖଟିରୁ ମିଶନ ଶକ୍ତି ମହିଳାଙ୍କ ସଭା, ସବୁଠି କେବଳ ଗୋଟିଏ ନାମକୁ ନେଇ ଚର୍ଚ୍ଚା ହେଉଥିଲା। ଓଡ଼ିଶା ରାଜନୀତିର କେନ୍ଦ୍ରରେ ଥିଲେ ସେହି ବ୍ୟକ୍ତି। ନାମ ଥିଲା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ।
ବିଜେଡିର ଅଫିସିଆଲ ଜ୍ୱାଇପୁଅଙ୍କୁ ଅଧିକ ଓଡ଼ିଆ କରିବା ପାଇଁ ତାଙ୍କ ନାମ କାର୍ତ୍ତିକେୟନରୁ କାର୍ତ୍ତିକ ପାଣ୍ଡିଆନ ହୋଇଯାଇଥିଲା। କଳ୍ପନା କରନ୍ତୁ ସେ କେତେ ଶକ୍ତିଶାଳୀ ହୋଇଥିଲେ ଯେ, ଗଣମାଧ୍ୟମ ମାତ୍ର ଗୋଟିଏ ଦିନରେ ତାଙ୍କର ନୂତନ ନାମକରଣକୁ ଏମିତି ସହଜରେ ଗ୍ରହଣ କରିନେଲା।
ତାଙ୍କୁ କାର୍ତ୍ତିକ କହିବାରୁ ଲାଗିଲା ଯେମିତି ସିଏ ଏଇ ଓଡ଼ିଶାରେ କେଇଦିନ ତଳେ ଜନ୍ମ ହୋଇଥିଲେ। ତାଙ୍କର ଠିଆପାଲାକୁ ଗଣମାଧ୍ୟମ ସତେ ଯେମିତି ପିଇ ଯାଇଥିଲା।
ସାଧାରଣତଃ ନାମ ପରିବର୍ତ୍ତନ କାଳରେ ଛାପା ମିଡିଆରେ ଅନାମଧେୟ ବ୍ୟକ୍ତି ମଧ୍ୟ ଛୋଟିଆ ମୋଟିଆ ବିଜ୍ଞାପନଟିଏ ଦେଇ ନାମ ଓ ସାଙ୍ଗିଆ ବଦଳିଗଲା ବୋଲି ଲେଖିଥାନ୍ତି। କିନ୍ତୁ କାର୍ତ୍ତିକଙ୍କ କ୍ଷେତ୍ରରେ ସେମିତି କିଛି କ୍ଲାସିଫାଇଡ୍ ବିଜ୍ଞାପନ ଆସିନଥିଲା।
କାର୍ତ୍ତିକ ବାବୁ ଯଦି ଏମିତି କିଛି ବିଜ୍ଞାପନ ଦେଇଥାନ୍ତେ ତେବେ ତାଙ୍କ ଆର୍ଶିବାଦ ଲୋଡୁଥିବା ମିଡିଆ ସେତେବେଳେ କୃତ୍ୟକୃତ୍ୟ ହୋଇ ସେଇ ବିଜ୍ଞାପନକୁ ଛାପିଥାନ୍ତା। ଏବେ ପ୍ରଶ୍ନ ଉଠୁଛି ଆଜି ଆମେ ଏସବୁ କଥାକୁ କାହିଁକି ମନେ ପକାଉଛୁ; କାହିକି ଆମେ ପୁରୁଣା ପାଠର ଆଲୋଚନା କରୁଛୁ।
କଥା ହେଲା କ୍ଷମତା ଅର୍ଗଳିରେ ଟୁପୁରୁଟାପୁର ଚାଲିଛି। ଗୋଟିଏ କାନରୁ ଆଉ ଗୋଟିଏ କାନକୁ ଯାଉଥିବା ଖବର ଅନୁସାରେ ବାବୁ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ କାଳେ ରାଜନୀତିରେ ଫ୍ଲପ୍ ହେବା ପରେ ଏବେ ପୁଣି ସେଇଠିକି ଫେରିବାକୁ ତୟାର ହେଉଛନ୍ତି ଯେଉଁଥିରେ ତାଙ୍କ ଦଖଲ ଅଛି। ମାନେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପୁଣିଥରେ ଭାରତୀୟ ପ୍ରଶାସନିକ ସେବା ଅର୍ଥାତ ସିଭିଲ ସର୍ଭିସେସ୍କୁ ପୁଣି ରିଟର୍ଣ୍ଣ କରୁଛନ୍ତି।
ଏହି ଗୁପ୍ଚୁପ୍ ଖବର ଦେଉଥିବା ଲୋକ କିନ୍ତୁ କହୁଛନ୍ତି ସବୁ ଠିକ୍ ହେଲେ ଗୋଟେ କେଁ ଅଛି। ବାବୁ କାଳେ ନିଜ କ୍ୟାଡର ବଦଳାଇବାକୁ ଚାହୁଁଛନ୍ତି। ସେ ଓଡ଼ିଶା ବଦଳରେ ପଞ୍ଜାବ କ୍ୟାଡରକୁ ଫେରିବାକୁ ଇଛା ରଖିଛନ୍ତି।
ଏଭଳି ଗୁଜବରେ ଜୋର ମଧ୍ୟ ଅଛି। କାରଣ ଗୋଟିଏ ସମୟରେ, ଓଡ଼ିଶାରେ ବାବୁ ପାଣ୍ଡିଆନଙ୍କ ଫର୍ମାନ ଥିଲା ଆଇନ। ବଡ଼ ବଡ଼ ଆଇଏଏସ୍ ଅଧିକାରୀଙ୍କୁ ଛାଡ଼ନ୍ତୁ ଖୋଦ୍ ମୁଖ୍ୟ ଶାସନ ସଚିବ ତାଙ୍କ ଆଗରେ ନଇଁ ପଡ଼ୁଥିଲେ ଆଶିର୍ବାଦ ନେବା ପାଇଁ।
ମୁଖ୍ୟମନ୍ତ୍ରୀ ନବୀନଙ୍କ ଚଳନ୍ତି ପ୍ରତିମାଭାବେ ସେ ଓଡ଼ିଶା ଭ୍ରମଣ କରୁଥିଲେ। ନେତାମାନେ ତାଙ୍କ ପାଇଁ ଟ୍ରାଫିକ୍ ପୋଲିସର କାମ କରୁଥିଲେ। ଟେଣ୍ଟ୍ ଟାଣୁଥିଲେ। ମଞ୍ଚ ତଳେ ବସୁଥିଲେ। ଆଉ ବାବୁଙ୍କର ୱାନମ୍ୟାନ୍ ସୋ’ ଚାଲୁଥିଲା।
ବାବୁ ଯେଉଁଠାକୁ ଯାଉଥିଲେ ସେଠାକାର କଲେକ୍ଟର, ପୋଲିସ ଏସପିମାନେ ଲାଇନ ଲଗାଇ ଛିଡ଼ା ହେଉଥିଲେ। ତାଙ୍କଠାରୁ ଢେର ସିନିୟର ଅଧିକାରୀ ତାଙ୍କ ଆଗରେ ତଳେ ବସୁଥିଲେ ଆଉ ସିଏ ମଞ୍ଚ ଉପରେ।
ବିଲ୍ ଗେଟ୍ସଙ୍କଠାରୁ ଆରମ୍ଭ କରି ବଲିଉଡ଼୍, ଓଲିଉଡ଼୍ ବାଲା ଅଭିନେତା ଅଭିନେତ୍ରୀ ସବୁ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ସହ ରିଲସ୍ କରୁଥିଲେ। ଏମିତିରେ ସେଇ ବାବୁ ଯଦି ଚାକିରି ପୁଣି ଜଏନ କରନ୍ତି ତେବେ ଓଡ଼ିଶାକୁ କେମିତି ଆସିବେ? ତାଙ୍କ ଲାଜ ତ ତାଙ୍କୁ ନିଶ୍ଚୟ ଖାଇବ; ଦୁଃଖ ବି ଲାଗିବ।
ଭୟ ହେଉଛି କାଳେ ଆଉ ସେଲଫି ପାଇଁ ଲାଇନ୍ ଲାଗିବ କି ନାହିଁ। ତେଣୁ ହୁଏତ ବାବୁ ପଞ୍ଜାବ ଯିବା ଚକ୍କରରେ ଥାଇପାରନ୍ତି। ଆଉ ତାଙ୍କୁ ଯଦି ତାଙ୍କ ଚଏସର କ୍ୟାଡର ମିଳିଯାଏ,ତେବେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ। କାରଣ ତାଙ୍କ ଇସ୍ତଫାପତ୍ର ଯେମିତି କେଇଘଣ୍ଟା ମଧ୍ୟରେ ସ୍ୱୀକାର ହୋଇଯାଇଥିଲା ସେମିତି ତାଙ୍କୁ ଫେର ଆସିବାବୁ କେନ୍ଦ୍ରର ସମ୍ମତି ମଳିଯିବ। ଏବେ ଏଭଳି ଚର୍ଚ୍ଚା ଭିତରେ ପାଣ୍ଡିଆନ କୁଆଡ଼େ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଆଲୋଚନା ହେଉଛି।
ଏମିତିରେ ବି କାଶ୍ମୀରର ସାହା ଫୈଜଲ ଏବେ ଭୈରବଙ୍କ ପାଇଁ ଉଦାହରଣ ମଧ୍ୟ ଅଛନ୍ତି। ଇଏ ସେହି ଫୈଜଲ ଯିଏ କାଶ୍ମୀରକୁ ନ୍ୟାୟ ଦେବା ପାଇଁ ସିଭିଲ ସର୍ଭିସରୁ ଇସ୍ତଫା ଦେଇ ଗୋଟେ ନୂଆ ଦଳ ଆରମ୍ଭ କରିଥିଲେ। କିନ୍ତୁ ଦଳ ଭୋଟରଙ୍କ ଭିତରେ ଫ୍ଲପ୍ ହେଲା ପରେ ବାବୁ ପୁଣି ବିଜେପି ସରକାର ଦୟାରୁ ଚାକିରିକୁ ଫେରି ଆସିଲେ।
ବାବୁ ଭୈରବ ମଧ୍ୟ ପୁଣି ଚାକିରିକୁ ଫେରି ପାରନ୍ତି। କିନ୍ତୁ ଦିନେ ଯିଏ ମାଳ ମାଳ ଆପ୍ଲିକେସନ ଧରି ୭ଦିନ ଭିତରେ ସମାଧାନର ଗ୍ୟାରେଣ୍ଟି ଦେଉଥିଲେ; ଯାହାଙ୍କ ଦର୍ଶନ ପାଇବାକୁ ବିଜେଡିର ଛାମୁଆଁ ନେତା ସବୁ କୃତ୍ୟକୃତ୍ୟ ହେଉଥିଲେ, ସେମାନେ କ’ଣ କରିବେ?
ସେମାନେ କ’ଣ ଗଣକାନ୍ଦଣା ଆୟୋଜନ କରିବେ? ସେମାନେ କ’ଣ ମଥୁରାକୁ ନ ଯିବାକୁ ଶ୍ରୀକୃଷ୍ଣଙ୍କୁ ଅଟକାଇବା ପାଇଁ ଗୋପୀଙ୍କ ଅର୍ଦ୍ଧଳି ଭଳି ପାଣ୍ଡିଆନଙ୍କ ପାଇଁ ବିଜେଡି ନେତାମାନେ ରାସ୍ତାରେ ଛିଡ଼ା ହୋଇ ଅଟକାଇବେ ନା ଖୁସି ହେବେ ଯେ, ଯେଉଁ ବ୍ୟକ୍ତି ସେମାନଙ୍କୁ ଓଡ଼ିଶା ଭୋଟରଙ୍କ ଆଗରେ ଅପରାଗ, ମେରୁଦଣ୍ଡହୀନ ନେତା ବୋଲି ପ୍ରମାଣିତ କରିଲା, ସେ ଆପେ ଆପେ ଓଡ଼ିଶା ରାଜନୀତିର ଦୃଶ୍ୟପଟରୁ ଅପସରି ଯାଉଛି।
ବିଜେଡିର ନେତାମାନେ ଯେତେବେଳେ ଭବିଷ୍ୟତରେ ବିଜେଡି ଇତିହାସ ସଂକଳନ କରିବେ, ସେତେବେଳେ ସେମାନେ କ’ଣ ପାଣ୍ଡିଆନ ଅଧ୍ୟାୟକୁ ବାଦ୍ ଦେବେ? ପ୍ରଶ୍ନ ଢେର, ଉତ୍ତର ପାଇଁ ଖାଲି ସମୟକୁ ଅପେକ୍ଷା।
ରାଜ୍ୟରେ ସ୍କୁଲ ପିଲାଙ୍କ ପରିବହନରେ ନିୟୋଜିତ ବସର ଫିଟନେସ ନାହିଁ: ମନ୍ତ୍ରୀ
