ନିଜ ପାଖରେ ଡବଲ୍ ବ୍ୟାରେଲ୍ ଗନ୍, ଗୋଟିଏ ରାଇଫଲ ଏବଂ ଗୋଟିଏ ପିସ୍ତଲକୁ ମିଶାଇ ୩ଟି ଭିନ୍ନ ଭିନ୍ନ ପ୍ରକାରର ବନ୍ଧୁକ ରଖି ବୁଲୁଥିବା ଖଣିଜ ପରିବହନ ବ୍ୟବସାୟୀ ତଥା ରାଜନେତା ନବ କିଶୋର ଦାସଙ୍କୁ ତାଙ୍କରି ସରକାର ସମୟରେ ହତ୍ୟା କରାଗଲା, ସେ ପୁଣି ଦିବାଲୋକରେ ସର୍ବସମ୍ମୁଖରେ। ଜାନୁୟାରୀ ୨୯ ତାରିଖ, ୨୦୨୩ ମସିହାର ଏହି ହତ୍ୟା ଘଟଣାର ପ୍ରକୃତ ରହସ୍ୟ କ’ଣ, କାହିଁକି ତାଙ୍କୁ ହତ୍ୟା କରାଗଲା ଓ କିଏ ତାଙ୍କୁ ମାରିଲା ତାହା ଏଯାଏ ସ୍ପଷ୍ଟ ହୋଇପାରିନାହିଁ।
ତାଙ୍କରି ଝିଅ ଦିପାଳୀ ଦାସ ତାଙ୍କ ଅନ୍ତେ ବିଧାୟକ ହୋଇଥିଲେ ମଧ୍ୟ ହତ୍ୟା ଷଡ଼ଯନ୍ତ୍ରର ମୂଳ ଖିଅକୁ ଖୋଜି ବାହାର କରିବାରେ ସମର୍ଥ ହୋଇପାରି ନାହାନ୍ତି। ଗତ ନିର୍ବାଚନରେ ଦିପାଳୀ ପରାଜିତ ହୋଇଛନ୍ତି। ରାଜ୍ୟ ଶାସନରୁ ମଧ୍ୟ ବିଜୁ ଜନତା ଦଳର ସରକାର ଓହରିଯାଇଛି। ନବ ଦାସଙ୍କ ହତ୍ୟା ପଛରେ କିଛି ଗହନ କଥା ରହିଛି ବୋଲି ପରିବାର ଲୋକେ ଏବେ ଭାବୁଛନ୍ତି। ଏପରିକି ପତ୍ନୀ, ପୁତ୍ର ଓ କନ୍ୟା ସମସ୍ତେ ଏକାଠି ହୋଇ ଏହି ଘଟଣାର ତଦନ୍ତକୁ ଆଉଥରେ କେନ୍ଦ୍ରୀୟ ଏଜେନ୍ସିଦ୍ୱାରା କରାଇବାକୁ ଦାବି କରିଛନ୍ତି।
ପ୍ରଶ୍ନ ହେଉଛି କ୍ରାଇମ୍ ବ୍ରାଞ୍ଚ ଉପରେ ଆସ୍ଥା ଉଠିଲା କାହିଁକି ?
ପୁଣି ୩ ବର୍ଷ ଚୁପ୍ ରହିବା ପରେ ବିଜେଡି କ୍ଷମତାରୁ ଗଲାପରେ ଚେତା କାହିଁକି ପଶିଲା? ଏହା ସେଇ ରାଜନୀତିକ ଷଡ଼ଯନ୍ତ୍ରର ଅଂଶ ବିଶେଷ ନୁହେଁ ତ? ପୁଣି ଏହା ନବ ଦାସଙ୍କ ବ୍ୟବସାୟିକ ସାମ୍ରାଜ୍ୟକୁ ବଞ୍ଚାଇବା ଲାଗି ଆଉ ଏକ ପ୍ରୟାସ କି?
ନିଜସ୍ୱ ଘୋଷଣା ଅନୁସାରେ ୩୪ କୋଟି ଟଙ୍କାର ମାଲିକ ଥିଲେ ନବ କିଶୋର ଦାସ। ପାଖରେ ଜୀବନ ବଞ୍ଚାଇବା ଲାଗି ତିନିଟି ଅତ୍ୟାଧୁନିକ ବନ୍ଧୁକ ସହ ୮୦ରୁ ଅଧିକ ଗାଡ଼ି ଥିଲା। ପରିବାର ସହ ରାଜନୀତିକ ଥାଟବାଟ ବି ରହିଥିଲା ନବ ଦାସଙ୍କର। ଛାତ୍ର ଜୀବନରୁ କଂଗ୍ରେସ ରାଜନୀତିକୁ ଆୟୁଧ କରିଥିବା ନବ ଦାସ ବ୍ୟବସାୟିକ ସାମ୍ରାଜ୍ୟର ସୁରକ୍ଷା ପାଇଁ ୨୦୧୯ରେ ବିଜେଡିରେ ପ୍ରବେଶ କରିଥିଲେ। ସେହି ବର୍ଷ ନିର୍ବାଚନରେ ସେ ମଧ୍ୟ ଜିତିଥିଲେ। ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ୱାସ୍ଥ୍ୟମନ୍ତ୍ରୀଭାବେ ଦାୟିତ୍ୱ ନେଇଥିଲେ। ଏହା ପରବର୍ତ୍ତୀ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇଥିଲେ ବି ନବଙ୍କ ପଦବୀରେ ପରିବର୍ତ୍ତନ କରାଯାଇନଥିଲା।
କିନ୍ତୁ ନିର୍ବାଚନ ପ୍ରସ୍ତୁତି ବର୍ଷ ଅର୍ଥାତ୍ ୨୦୨୩ ଆରମ୍ଭରେ ହିଁ ତାଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳିରେ ଜଣେ ପୋଲିସ କର୍ମୀଙ୍କ ଦ୍ୱାରା ଗୁଳି କରାଯାଇଥିଲା। ଯେଉଁ ପୁଲିସ ଏଏସ୍ଆଇ ଗୋପାଳ ଦାସ ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି ତାଙ୍କୁ ସଙ୍ଗେ ସଙ୍ଗେ ମାନସିକ ବିକାରଗ୍ରସ୍ତ ବୋଲି ପରିବାର ଲୋକେ, ଜଣେ ମାନସିକ ଡାକ୍ତର ତଥା ଗୋପାଳଙ୍କ ପତ୍ନୀ କହିଥିଲେ। ତାଙ୍କର ନାର୍କୋ ଟେଷ୍ଟ ସରିଛି, ଲାଇ ଡିଟେକ୍ସନ୍ ବି ସରିଛି। ତଥାପି ତଦନ୍ତ ସରିନି। ଯେଉଁ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଅନେକ ଆସ୍ଥା ଓ ବିଶ୍ୱାସ ନବଙ୍କ ପରିବାର ଲୋକେ ରଖିଥିଲେ ଆଜି ସେ ଭରସାରେ ନାହିଁ। ଯାହାଙ୍କୁ ବିରୋଧୀ ଦଳ ବୋଲି କହୁଥିଲେ ଆଜି ତାଙ୍କ ଶରଣରେ ପଶିଛନ୍ତି ନବଙ୍କ ପରିବାର। ଅର୍ଥାତ୍ ଏ ହତ୍ୟାକାଣ୍ଡ ପଛରେ ରାଜନୀତିକ ହାତ ରହିଥିବା ସନ୍ଦେହ ଅଧିକ ଘନୀଭୂତ ହୋଇଛି।
ତାଙ୍କ ରକ୍ତଭିଜା ଶାର୍ଟ ହଜିଯିବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ହତ୍ୟା ପରେ ସଙ୍ଗେ ସଙ୍ଗେ ଟଳିପଡ଼ିଥିବା ନବଙ୍କ ମର ଶରୀରକୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍କୁ ଆଣିବା ନେଇ ପ୍ରଶ୍ନ ଉଠୁଛି। ଏହା ସହ ଯେଉଁ ଗୁଳି ତାଙ୍କ ଶରୀରରେ ବାଜିଛି ତାହା କେଉଁଠୁ ଆସିଛି ତାହା ବି ପ୍ରଶ୍ନ ଘେରରେ ରହିଛି। ଅର୍ଥାତ୍ ସରକାରୀ ବନ୍ଧୁକ ହୋଇଥିବାରୁ ଗୁଳିର ହିସାବ ମିଳିବା ଜରୁରୀ, ହେଲେ ତାହା ରେକର୍ଡ ସହ ମେଳ ଖାଉନି। ପୁଣି ଗୁଳିର ସମୟକୁ ନେଇ ବି ଦ୍ୱନ୍ଦ୍ୱ ରହିଛି। ଏସବୁ ଭିତରେ ନବଙ୍କୁ ସୁପାରି ଦେଇ ହତ୍ୟା କରାଯାଇଛି ବୋଲି ସାଧାରଣ ଲୋକ ସେତେବଳେ ଅଭିଯୋଗ କରିଥିଲେ। ବିରୋଧୀ ଦଳ ଏହାକୁ ନେଇ ସିବିଆଇ ତଦନ୍ତ କରିଯାଉ ବୋଲି ଅଭିଯୋଗ କରିଥିଲେ। କିନ୍ତୁ ପରିବାର ଲୋକମାନେ ତତ୍କାଳୀନ ଶାସକ ଦଳର କ୍ଷମତା ପ୍ରଲୋଭନରେ ନୀରବ ରହିବାକୁ ଉଚିତ ମନେ କରିଥିଲେ।
ଆଜି ସରକାର ବଦଳିବା ପରେ ପରିବାର ଲୋକେ ତତ୍କାଳୀନ ବିରୋଧୀଙ୍କ ପକ୍ଷଭୁକ୍ତ ହୋଇ ନିଜ ଦଳ ବିପକ୍ଷରେ ଯିବାକୁ ସାହସ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଠିକରେ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି। ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି। ଏହା ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସରକାରଙ୍କୁ ଅଡ଼ୁଆରେ ପକାଇଛି। କାରଣ ଯଦି ମୋହନ ସିବିଆଇକୁ ତଦନ୍ତ ଆଦେଶ ଦିଅନ୍ତି ତେବେ କ୍ରାଇମବ୍ରାଞ୍ଚକୁ ନିୟନ୍ତ୍ରଣ କରିବାରେ ଏ ସରକାରଙ୍କ କ୍ଷମତା କାତ ପାଉନଥିବା ପ୍ରମାଣିତ ହେବ। ପୁଣି ଯଦି ସିବିଆଇ ତଦନ୍ତ ଆଦେଶ ନ ଦିଅନ୍ତି ତେବେ ନବ ଦାସଙ୍କ ହତ୍ୟାକାଣ୍ଡର ଫାଇଲ ପୁଣି ରାଜନୀତିକ ହଟଚମଟ ସୃଷ୍ଟି କରିବ।
ହିସାବ ଥିବା ସମ୍ପତ୍ତି କ୍ଷେତ୍ରରେ ରାଜ୍ୟର ଦ୍ୱିତୀୟ ବିତ୍ତଶାଳୀ ରାଜନେତା ଥିଲେ ନବ ଦାସ। ଝାରସୁଗୁଡ଼ା ଜିଲ୍ଲା ସରବାହାଲ ଗାଁ ବାସିନ୍ଦା ନବଙ୍କ ସମ୍ପତ୍ତି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଘୋଷିତ ସମ୍ପତ୍ତି ତାଲିକା ପଛରେ ରହିଥିଲା। ଫରକ ଏତିକି ଥିଲା, ନବୀନଙ୍କ ସମ୍ପତ୍ତିରେ ପିତୃ ଅର୍ଜିତ ଧନ ଅଧିକ ଥିବାବେଳେ ନବଙ୍କ ସମ୍ପତ୍ତି ଥିଲା ସ୍ୱ ଅର୍ଜିତ। ସେଥିଲାଗି ସେ ଇଚ୍ଛା ଅନୁସାରେ ଦଳୀୟ ଟିକଟ ପାଉଥିଲେ ଏବଂ ଜିତିବାର କ୍ଷମତା ରଖିଥିଲେ। ଏପରିକି ତାଙ୍କ ବିରୋଧୀଙ୍କୁ ଦଳରେ ସନ୍ୟାସ ନେବାକୁ ବି ବାଧ୍ୟ କରିଥିଲେ।
ମୃତ୍ୟୁର ୧୦ ଦିନ ପୂର୍ବରୁ ନବ ଦାସ ତ୍ରିବେଣୀ ଅମାବାସ୍ୟା ଦିନ ମହାରାଷ୍ଟ୍ରର ସିଙ୍ଗାପୁର ସ୍ଥିତ ଶନି ମନ୍ଦିରରେ ସ୍ୱର୍ଣ୍ଣ କୁମ୍ଭ ଦାନ କରିଥିଲେ। ଯାହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଅର୍ଥାତ୍ ସେ ଜାଣିଥିଲେ ଯେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଏ ବିଷୟରେ ସେ ତାଙ୍କ ପତ୍ନୀ ବା ପରିବାରର କୌଣସି ଲୋକଙ୍କୁ କହିଥାଇପାରନ୍ତି ଅଥବା ତାଙ୍କ ବ୍ୟବସାୟିକ ସହଯୋଗୀଙ୍କୁ। ଏ ବିଷୟ ମଧ୍ୟ ସାମ୍ନାକୁ ଆସିବା ଦରକାର। ଏହା ହେଲେ ନିଶ୍ଚିତଭାବେ ଏ ମାମଲାରେ ଫଶିଥିବା କିଛି ନିରୀହ ଲୋକଙ୍କୁ ନିସ୍ତାର ମିଳିବ।
କିନ୍ତୁ ବିଜେପି ଝାରସୁଗୁଡ଼ାରେ ରାଜନୀତିକ ଫାଇଦା ଲାଗି ଏହି ତଦନ୍ତକୁ କେଉଁ ଦିଗ ଦେବ। ଜଣେ ବ୍ୟବସାୟିକ ପରିବାରର ବ୍ୟବସାୟକୁ ବଞ୍ଚାଇବ ନା ନିଜ ରାଜନୀତିକ ଫାଇଦା ଲାଗି ସରକାରୀ କଳକୁ ବ୍ୟବହାର କରିବ? ଏମିତି ସରକାରୀ କଳକୁ ବ୍ୟବହାର କରି ବିଜେଡି ଅମଳରେ ନବ ଦାସ ଅନେକ ପରିବାରକୁ ଛାରଖାର କରିଥିବା ଅଭିଯୋଗ ହୋଇଛି। ପରିବାରର ମୁଖ୍ୟ ତଥା ବିଜେଡି ରାଜନୀତିରେ ମନ୍ତ୍ରୀ ବା ଟାଣୁଆ ବିଧାୟକ ହୋଇଥିବା ନେତାଙ୍କ ପରିବାର ମଧ୍ୟ ଧ୍ୱଂସ ହୋଇଛି। କିଛି ପରିବାର ତ ସବୁଦିନ ଲାଗି ରାଜନୀତିକ ବାଉଣ୍ଡାରୀରୁ ଏମିତି ବାହାରକୁ ଫୋପାଡ଼ି ହୋଇଛନ୍ତି ଯେ ତାଙ୍କର ପତ୍ତା ମିଳୁ ନାହିଁ।
ଏହି କ୍ରମରେ ବାଲେଶ୍ୱରର ରଘୁନାଥ ମହାନ୍ତିଙ୍କ ନାଁ ମନେ ଥାଇପାରେ। ପୁଅବୋହୂଙ୍କ ମଧ୍ୟରେ ବିବାଦ କିପରି ତାଙ୍କୁ କ୍ଷମତାଚ୍ୟୁତ କରିଥିଲା ତାହା ଆପଣଙ୍କ ମନେଥାଇପାରେ। ଏହା ପୂର୍ବରୁ ବରିଷ୍ଠ ନେତା ଦାମୋଦର ରାଉତ, ବିଜୟ ମହାପାତ୍ର, ନଳିନୀ ମହାନ୍ତି, କମଳା ଦାସଙ୍କ ଭଳି ନେତାଙ୍କୁ ବିଜେଡି ପରିଚାଳନା ଗୋଷ୍ଠୀ ଠିକ୍ ସେମିତି ପଦାରେ ଫୋପାଡ଼ି ଦେଇଥିଲେ। କିଛି ପରିବାରର ପରବର୍ତ୍ତୀ ପଢ଼ି ଫାଇଦା ପାଇଛନ୍ତି ସତ କିନ୍ତୁ ଅନେକଙ୍କର ଚିହ୍ନବର୍ଣ୍ଣ ନାହିଁ। ଏଣୁ ଆଗକୁ ନବଙ୍କ ପରିବାରରେ କ’ଣ ହେବ?
Also readhttps://purvapaksa.com/district-units-to-be-focal-point-of-party-organisation-jairam/


