Assembly: ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ କୌଣସି ବିଶୃଙ୍ଖଳା ଉପୁଜିଲେ ତୁରନ୍ତ ପଦକ୍ଷେପ ନେଉଛନ୍ତି।
ବିଜେପି ଶାସନଭାର ଗ୍ରହଣ କରିବା ପରେ ଗତ ୮ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ଥାନାରେ ମୋଟ ୧,୩୫,୦୭୪ଟି ମାମଲା ରୁଜୁ ହୋଇଛି। ଗୃହରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି।
ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମୁଖ୍ୟତଃ ନିୟନ୍ତ୍ରଣରେ ରହିଛି। ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ କୌଣସି ବିଶୃଙ୍ଖଳା ଉପୁଜିଲେ ତୁରନ୍ତ ପଦକ୍ଷେପ ନେଉଛନ୍ତି। ରାଜ୍ୟର ପୁଲିସ କର୍ମଚାରୀମାନେ ତୁରନ୍ତ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ସମୟ ମଧ୍ୟରେ ଗଞ୍ଜାମରେ ସର୍ବାଧିକ ମାମଲା ରୁଜୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟମାନେ ବିଧାନସଭାରେ ରାଜ୍ୟରେ ଅପରାଧ ବୃଦ୍ଧି ଓ ଆଇନଶୃଙ୍ଖଳା ବିଗିଡ଼ିବା ପ୍ରସଙ୍ଗ ଉଠାଇଥିବା ବେଳେ ଏହି ସୂଚନା ମିଳିଛି।
ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ରଙ୍ଗର ପର୍ବ ହୋଲି ରଙ୍ଗ ବଦଳରେ ହୋଇଛି ରକ୍ତରଞ୍ଜିତ। ରଙ୍ଗ ଖେଳ ଭିତରେ ହତ୍ୟାକାରୀମାନେ ଖେଳିଛନ୍ତି ରକ୍ତର ହୋଲି। ରଙ୍ଗ ପିଚକାରୀ ବଦଳରେ ଗର୍ଜିଛି ବନ୍ଧୁକ, ବୁଲିଛି ଛୁରି ଓ ଖଣ୍ଡା। ଖୋଦ ରାଜଧାନୀରେ ନରଘାତକମାନେ ଗଡ଼ାଇଛନ୍ତି ଦୁଇଟି ମୁଣ୍ଡ। ସେପଟେ ମୟୂରଭଞ୍ଜକୁ ସ୍ତବ୍ଧ କରିଛି ତିନିଟି ଲୋମଟାଙ୍କୁରା ହତ୍ୟାକାଣ୍ଡ।
ଏଥିସହିତ କଟକ, ସମ୍ବଲପୁର, ବ୍ରହ୍ମପୁର ଓ ଅନୁଗୁଳ ଭଳି ସହରରେ ଦେଖିବାକୁ ମିଳିଛି ଜଘନ୍ୟ ହତ୍ୟାକାଣ୍ଡ। ଦୋଳ ଓ ହୋଲି ବେଳେ ଭୀଷଣ ଗଣ୍ଡଗୋଳ ହେବା ଆଶଙ୍କା କରି ନେଇ ଗୁଇନ୍ଦା ବିଭାଗ ଆଗୁଆ ସତର୍କ ସୂଚନା ଦେଇଥିଲେ ମଧ୍ୟ ପୁଲିସର ସୁରକ୍ଷା ବ୍ୟବସ୍ଥା ଫେଲ୍ ମାରିଛି। ଉତ୍ସବ ବେଳେ ଏଭଳି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ବିରୋଧୀ ଶାସକ ଦଳକୁ ତୀବ୍ର ଭର୍ତ୍ସନା କରିଛି। ଏହାକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି।
Previous article:https://purvapaksa.com/four-major-bridges-on-mahanadi-baitarani-brahmani-kharasrota-rivers-at-rs-1264-cr-in-odisha/


