White House Experts Praised Prime Minister Modi: ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ୟ୍ୟକାଳକୁ ନେଇ ବିବାଦ ଲାଗି ରହିଛି। ତାଙ୍କ ନୀତି ଆମେରିକାର ସହଯୋଗୀ ରାଷ୍ଟ୍ରମାନଙ୍କୁ ଅସନ୍ତୁଷ୍ଟ କରିଛି। ଟ୍ରମ୍ପଙ୍କ ନୀତି ଆମେରିକା ଉପରେ ୟୁରୋପର ବିଶ୍ୱାସକୁ କ୍ଷୁଣ୍ଣ କରୁଛି। ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ଅନୁଭବ କରିଛି ଯେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ସହ ମୁହାଁମୁହିଁ ପରିସ୍ଥିତିକୁ ଏଡାଇବାକୁ ଭାରତ ଚେଷ୍ଟା କରିଛି।
ଶୁକ୍ରବାର ହ୍ୱାଇଟ୍ ହାଉସ୍ ସମ୍ମୁଖରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କ୍ୟାମେରା ସାମ୍ନାରେ ଜୋରଦାର ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଜେଲେନସ୍କିଙ୍କୁ କଡ଼ା ସମାଲୋଚନା କରିବା ସହ ଆମେରିକାକୁ ଅପମାନିତ କରୁଥିବା ଅଭିଯୋଗ କରିଥିଲେ। ଡୋନାଲ୍ଡ ଟ୍ରମ୍ପ ଥରେ କହିଥିଲେ ଯେ ଯଦି ଆମେରିକା ଯୁଦ୍ଧରୁ ଓହରି ଯାଏ ତେବେ, ୟୁକ୍ରେନ୍ ଦୁଇ ସପ୍ତାହ ମଧ୍ୟ ତିଷ୍ଟି ପାରିବ ନାହିଁ। ଜିଓ ପଲିଟିକ୍ସରେ ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ କ୍ୟାମେରା ଆଗରେ ଏଭଳି ଘଟଣା ବିରଳ ବୋଲି ବିବେଚନା କରାଯାଏ। ବିଶେଷଜ୍ଞଙ୍କ ମତରେ ବେଳେବେଳେ ନେତାଙ୍କ ମଧ୍ୟରେ ଉତ୍ତେଜନା ବଢ଼ିଯାଏ ଏବଂ ଏଭଳି ଘଟଣା ଘଟିଥାଏ, କିନ୍ତୁ ତାହା ବନ୍ଦ କୋଠରୀରେ ହୋଇଥାଏ। ନେତାମାନେ କ୍ୟାମେରା ସାମ୍ନାରେ ଏଭଳି ଆଚରଣ କରିବାରୁ ଦୂରେଇ ରୁହନ୍ତି।
ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଅତ୍ୟନ୍ତ ଆକ୍ରମଣାତ୍ମକ ଲାଗୁଛି। ଜେଲେନସ୍କିଙ୍କ ପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମରଙ୍କ ସହ ତାଙ୍କର ସାକ୍ଷାତ୍ ମଧ୍ୟ ଭଲ ନ ଥିଲା। ତେବେ ଇମାନୁଏଲ ମାକ୍ରୋନ୍ ଓ କିର୍ ଷ୍ଟାରମର୍ ନିଜ ଧୈର୍ଯ୍ୟ ଓ ଅଭିଜ୍ଞତା କାରଣରୁ ଟ୍ରମ୍ପଙ୍କ ସହ ମୁହାଁମୁହିଁ ହେବାରୁ ବର୍ତ୍ତି ଯାଇଥିଲେ। ନଚେତ ଟ୍ରମ୍ପଙ୍କ ସହ ସେମାନଙ୍କର ମଧ୍ୟ ସଂଘର୍ଷ ହୋଇଥାନ୍ତା। ଏହାଭିତରେ ଜିଓ ପଲିଟିକ୍ସ ବା ଭୂ-ରାଜନୀତି ବିଶ୍ଲେଷକ ଗତ ମାସର ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତକୁ ମନେ ପକାଇ ମୋଦୀଙ୍କ ଟ୍ରମ୍ପ ପଲିସିକୁ ପ୍ରଶଂସା କରିଛନ୍ତି । କାରଣ ସେତେବେଳେ ମଧ୍ୟ ଏଭଳି କିଛି ପ୍ରସଙ୍ଗ ଥିଲା ଯାହାକୁ ନେଇ ଦୁଇ ନେତା ମୁହାଁମୁହିଁ ହେବାର ଆଶଙ୍କା ଥିଲା।
ପ୍ରଧାନମନ୍ତ୍ରୀ ମୋଦୀଙ୍କ କୂଟନୀତିକୁ ପ୍ରଶଂସା
ଭାରତୀୟ ବଂଶୋଦ୍ଭବ ବିଶେଷଜ୍ଞ ସଦାନନ୍ଦ ଧୁମେ ଭାରତର କୂଟନୀତିକୁ ପ୍ରଶଂସା କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରବାସୀଙ୍କ ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ସିଧା ଉତ୍ତର ମାଗନ୍ତୁ ବୋଲି ବିରୋଧୀ ଚାହୁଁଥିଲେ। କିନ୍ତୁ ମୋଦୀ ତାଙ୍କର ଚମତ୍କାର କୂଟନୀତି ଦେଖାଇ କୌଣସି ସମ୍ଭାବ୍ୟ ସଂଘର୍ଷକୁ ଏଡାଇ ଦେଇଥିଲେ। ସଦାନନ୍ଦ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ହ୍ୱାଇଟ୍ ହାଉସରେ ଜେଲେନେସ୍କିଙ୍କ ଅସମ୍ମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୱାଶିଂଟନ ଗସ୍ତକୁ ଭଲ ଭାବରେ ପରିଚାଳନା କରିବା ବିଷୟରେ ମୋର କଥାକୁ ପ୍ରମାଣିତ କରୁଛି । ଫେବ୍ରୁଆରି ୨୭ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତକୁ ନେଇ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ସେ ଏକ ଲେଖା ଲେଖିଥିଲେ, ଯେଉଁଥିରେ ସେ ଲେଖିଥିଲେ ଯେ “ବେଆଇନ ପ୍ରବାସୀ ଭାରତୀୟମାନଙ୍କୁ ଆମେରିକା ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗରେ ମୋଦୀ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରନ୍ତୁ ବୋଲି ଭାରତରେ ବିରୋଧୀ ଦଳର ନେତା ଚାହୁଁଥିଲେ। କିନ୍ତୁ ଭାରତୀୟ ପ୍ରଧାନମନ୍ତ୍ରୀ ସେହି ପ୍ରସଙ୍ଗକୁ ଅତ୍ୟନ୍ତ ସ୍ମାର୍ଟ ଢଙ୍ଗରେ ଅଣଦେଖା କରିଛନ୍ତି।”
ଓ୍ଵାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ସେ ଲେଖିଥିଲେ ଯେ, ଆମେରିକାରେ ରହୁଥିବା ଆନୁମାନିକ ୭ ଲକ୍ଷ ବେଆଇନ ଭାରତୀୟ ପ୍ରବାସୀଙ୍କୁ ଦେଶାନ୍ତର କରିବା ପାଇଁ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ପ୍ରୟାସରେ ସହଯୋଗ କରିବା ପ୍ରଧାନମନ୍ତ୍ରୀ ମୋଦୀ ଠିକ୍ କରିଥିଲେ। ଚଳିତ ମାସ ପ୍ରାରମ୍ଭରେ ହ୍ଵାଇଟ୍ ହାଉସ୍ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଯେଉଁମାନେ ବେଆଇନ ଭାବେ ଅନ୍ୟ ଦେଶରେ ରହୁଛନ୍ତି ସେମାନଙ୍କର ସେଠାରେ ରହିବାର କୌଣସି ଆଇନଗତ ଅଧିକାର ନାହିଁ। ଭାରତ ସେମାନଙ୍କୁ ଫେରାଇ ନେବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ଯେ, ବେଆଇନ ଭାବେ ଆମେରିକାରେ ରହୁଥିବା ଭାରତୀୟଙ୍କୁ ଆମେରିକା ଯେଉଁଭଳି ଭାବେ ହାତରେ ହ୍ୟାଣ୍ଡକଫ ପକାଇ ଭାରତ ପଠାଇଥିଲା,ତାକୁ ନେଇ ଦେଶରେ ତୀବ୍ର ପ୍ରତିବାଦ ହୋଇଥିଲା। ବିରୋଧି ଦଳ ଏହି ପ୍ରସଙ୍ଗରେ ଭାରତରେ ମୋଦୀ ସରକାରକୁ ଘେରିଥିଲେ।
ଆମେରିକୀୟ ଗଣମାଧ୍ୟମର ମୋଦୀଙ୍କୁ ପ୍ରଶଂସା
ସେପଟେ ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁଭଳି ଭାବେ ହ୍ୟାଣ୍ଡେଲ କରିଛନ୍ତି ତାହାକୁ ଆମେରିକୀୟ ଗଣମାଧ୍ୟମରେ ପ୍ରଶଂସା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ ସହ ବ୍ୟକ୍ତିଗତ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଥମ ବିଦେଶୀ ନେତାଭାବେ ବର୍ଣ୍ଣନା କରି ୱାଶିଂଟନ ପୋଷ୍ଟ ଲେଖିଛି, “ଭାରତୀୟ ନେତା ପ୍ରଧାନମନ୍ତ୍ରୀ ମୋଦୀ ମେକ୍ ଆମେରିକା ଗ୍ରେଟ୍ ଅଗେନ୍ରୁ ପ୍ରେରଣା ନେଇ ମେକ୍ ଇଣ୍ଡିଆ ଗ୍ରେଟ୍ ଅଗେନ୍ ସ୍ଲୋଗାନ ଦେଇଥିଲେ। ଏହାବ୍ୟତୀତ ଖବରକାଗଜ ଏହା ମଧ୍ୟ କହିଥିଲା ଯେ ଡୋନାଲ୍ଡ ଟ୍ରମ୍ପ ଭାରତକୁ ଯେଉଁଭଳି ଭାବେ ଏଫ୍ -୩୫ ଷ୍ଟିଲ୍ଥ ଲଢୁଆ ବିମାନ ଅଫର କରିଥିଲେ, ସେଥିରୁ ଭାରତ ଉପରେ ଟ୍ରମ୍ପଙ୍କ ବିଶ୍ୱାସକୁ ଦର୍ଶାଏ। ଏହାବ୍ୟତୀତ ନ୍ୟୁୟର୍କ ଟାଇମ୍ସ ନିଜ ରିପୋର୍ଟରେ ମୋଦୀଙ୍କ କୂଟନୀତିକୁ ପ୍ରଶଂସା କରି ଲେଖିଛି ଯେ ଭାରତୀୟ ନେତା ବିବାଦୀୟ ପ୍ରସଙ୍ଗକୁ ତାଙ୍କ ଗସ୍ତରେ ପ୍ରାଧାନ୍ୟ ଦେଇନଥିଲେ ଏବଂ ଡୋନାଲ୍ଡ ଟ୍ରମ୍ପ ଅନ୍ୟ ଦେଶ ମାନଙ୍କ ଭଳି ଭାରତ ବିରୋଧରେ ଶୁଳ୍କ ଲାଗୁ କରିବାକୁ ସାର୍ବଜନୀନ ଭାବେ ଘୋଷଣା କରିନଥିଲେ, କିନ୍ତୁ ସେ ଭାରତ ଉପରେ ପାରସ୍ପରିକ ଶୁଳ୍କ ଲଗାଇଥିଲେ।”
ପଦୋନ୍ନତିରେ ସଂରକ୍ଷଣ: ସୁପ୍ରିମକୋର୍ଟ ସର୍ତ୍ତାବଳୀକୁ ଲାଗୁ କଲେ ରାଜ୍ୟ ସରକାର; ସଂଗ୍ରହ ହେବ କ୍ୟାଡର ଭିତ୍ତିକ ତଥ୍ୟ

