Donald Trump Zelenskyy Diplomatic Clash: ୟୁକ୍ରେନର ରାଷ୍ଟ୍ରପତି ଜେଲେନେସ୍କିଙ୍କୁ ବାଇଡେନ ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସହାୟତା ମିଳିଥିଲା । ଆମେରିକାର ସମର୍ଥନ ଯୋଗୁଁ ୟୁକ୍ରେନ ଗତ ତିନିବର୍ଷ ଧରି ଯୁଦ୍ଧରେ ରୁଷିଆ ବିରୋଧରେ ଲଢ଼େଇ ଜାରି ରଖିଛି। ତେବେ ଆମେରିକୀୟ ଟିକସଦାତାଙ୍କ ଟଙ୍କାକୁ ଏଭଳି ଭାବେ ନଷ୍ଟ କରାଯାଇପାରିବ ନାହିଁ ବୋଲି ଟ୍ରମ୍ପ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି।
ହ୍ୱାଇଟ ହାଉସରେ ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନର ରାଷ୍ଟ୍ରପତି ଜେଲେନେସ୍କିଙ୍କ ମଧ୍ୟରେ ହୋଇଥିବା ବିତର୍କ ଜିଓ ପଲିଟିକ୍ସ(ଭୂ-ରାଜନୀତି)ରେ ହଇଚଇ ସୃଷ୍ଟି କରିଛି। ଟ୍ରମ୍ପ ଓ ଜେଲେନେସ୍କିଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲୁଥିବାବେଳେ ୟୁକ୍ରେନର ରାଷ୍ଟ୍ରଦୂତ ଓକ୍ସାନା ମାର୍କାରୋଭାଙ୍କ ପ୍ରତିକ୍ରିୟା ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି। ମାର୍କାରୋଭାଙ୍କ ମୁଣ୍ଡରେ ହାତ ଦେବା ଚିତ୍ର ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଓଭାଲ ଅଫିରସରେ ଡୋନାଲ୍ଡ ଟ୍ରମ୍ପ ଓ ଜେଲେନେସ୍କିଙ୍କ ମଧ୍ୟରେ କଥା କଟାକଟିବେଳେ ଆମେରିକା ଉପରାଷ୍ଟ୍ରପତି ମଧ୍ୟ ଉପସ୍ଥିତ ଥିଲେ। ‘ଜେଲେନେସ୍କି ତୃତୀୟ ବିଶ୍ୱଯୁଦ୍ଧର ଜୁଆ ଖେଳୁଛନ୍ତି’ ବୋଲି ଟ୍ରମ୍ପ ଚେତାବନୀ ଦେଇଥିବାବେଳେ ଉପରାଷ୍ଚ୍ରପତି ବେନ୍ସ ଜେଲେନେସ୍କିଙ୍କ ବିରୋଧରେ ଆମେରିକା ରାଷ୍ଟ୍ରପତିଙ୍କ ଅପମାନ କରିଥିବା ଅଭିଯୋଗ କରିଥିଲେ। ଏସବୁ କିଛି ଲାଇଭ୍ ଟିଭିରେ ହୋଇଥିଲା। ଆଉ ଏହି ସମୟରେ ୟୁକ୍ରେନ ରାଷ୍ଟ୍ରଦୂତଙ୍କୁ ନିରାଶାରେ ମୁଣ୍ଡରେ ହାତ ଦେଉଥିବା,କଲମ କାମୁଡୁଥିବା ଦେଖିବାକୁ ମିଳିଛି।
ପୁରା ମାମଲା କ’ଣ?
ଆମେରିକା ଓ ୟୁକ୍ରେନ୍ ମଧ୍ୟରେ ୟୁକ୍ରେନରେ ଥିବା ବିରଳ ଖଣିଜ ସମ୍ପଦ ଉପରେ ଏକ ଚୁକ୍ତି ସ୍ୱାକ୍ଷର ହେବାକୁ ଯାଉଥିଲା। ପ୍ରଥମ ଚୁକ୍ତିର ସର୍ତ୍ତକୁ ୟୁକ୍ରେନ ଗ୍ରହଣ ନ କରିବା ପରେ ଦ୍ୱିତୀୟ ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇଥିଲା। ଯେଉଁଥିରେ ୟୁକ୍ରେନ୍ ରାଜି ହୋଇଥିଲା। ଚୁକ୍ତି ସ୍ୱାକ୍ଷର ପୂର୍ବରୁ ଦୁଇନେତା ହ୍ୱାଇଟ୍ ହାଉସର ଓଭାଲ ଅଫିସରେ ସାକ୍ଷାତ୍ କରୁଥିଲେ। ଏହି ସମୟରେ ଗଣମାଧ୍ୟମର ସମାଗମ ହୋଇଥିଲା। ବୁଝାମଣା ସ୍ୱାକ୍ଷରିତ ହେବା ପରେ ଦୁଇନେତା ପୁଣିଥରେ ମିଳିତ ସାମ୍ବାଦିକ ସମ୍ମିଳନୀ ପାଇଁ ଆସିବାର ଥିଲା, କିନ୍ତୁ ଏହା ପୂର୍ବରୁ ଦୁଇନେତାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଅନେକ ବିଶେଷଜ୍ଞଙ୍କ ମତରେ ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନର ଆମେରିକାର ଖଣିଜ ସମ୍ପଦକୁ ବଳପୂର୍ବକ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଥିଲେ ଏବଂ ଜେଲେନସ୍କିଙ୍କୁ ଏଥିରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ। ଏହି ଚୁକ୍ତି ଦ୍ୱାରା ଆମେରିକା ୟୁକ୍ରେନରୁ ବିରଳ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉତ୍ତୋଳନ କରିପାରିବ। କିନ୍ତୁ ବିତର୍କ ପରେ ଜେଲେନସ୍କି ବିନା ଦସ୍ତଖତରେ ହ୍ୱାଇଟ୍ ହାଉସ୍ ଛାଡ଼ି ଚାଲିଯାଇଥିଲେ।
ହ୍ୱାଇଟହାଉସରୁ ବାହାରି ଯିବାକୁ ଜେଲେନେସ୍କିଙ୍କୁ କୁହାଗଲା!
କଥା କଟାକଟି ପରେ ଟ୍ରମ୍ପ କହିଥିଲେ ‘ବହୁତ ହୋଇଗଲା’। ଏହାପରେ ଦୁଇ ଦେଶର ନେତା ଓଭାଲ ଅଫିସ ଛାଡ଼ିଥିଲେ। ତେବେ ଏହା ଶୁଣିବାକୁ ମିଳୁଛି ଯେ, ଯୁକ୍ତିତର୍କ ପରେ ମଧ୍ୟ କୌଣସି ପ୍ରକାର ସମାଧାନ ପାଇଁ ଜେଲେନେସ୍କି ଓ ତାଙ୍କ ଟିମ୍ ପାଖାପାଖି ଏକଘଣ୍ଟା ହ୍ୱାଇଟହାଉସରେ ଅପେକ୍ଷା କରିଥିଲେ। କିନ୍ତୁ ଏକ ଘଣ୍ଟା ପରେ ଜନୈକ ଆମେରିକା ଅଧିକାରୀ ,ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ହ୍ୱାଇଟ୍ ହାଉସ୍ ଛାଡ଼ି ଚାଲିଯିବାକୁ କହିଥିଲେ। ଏପରିକି ତାଙ୍କ ସମ୍ମାନରେ ଆୟୋଜିତ ରାତ୍ରୀଭୋଜକୁ ମଧ୍ୟ ବାତିଲ କରି ଦିଆଯାଇଥିଲା।
ଭାଇରାଲ ହେଲା ୟୁକ୍ରେନ ରାଷ୍ଟ୍ରଦୂତଙ୍କ ପ୍ରତିକ୍ରିୟା
ଓଭାଲ ଅଫିସରେ ଟ୍ରମ୍ପ ଜେଲେନସ୍କିଙ୍କୁ କହିଥିଲେ ଯେ ରୁଷ୍ ସହ ଅସ୍ତ୍ରବିରତି ଚୁକ୍ତି ଅତ୍ୟନ୍ତ ନିକଟତର ଏବଂ ୟୁକ୍ରେନର ପ୍ରାକୃତିକ ସମ୍ପଦରେ ଆମେରିକାକୁ ପ୍ରବେଶ ଦେବା ପାଇଁ ଏହା ଏକ ନିରପେକ୍ଷ ଚୁକ୍ତି ହେବ। ଆଲୋଚନା ସମୟରେ ଜେଲେନେସ୍କି କହିଥିଲେ ଯେ ଭବିଷ୍ୟତରେ ଆମେରିକାକୁ ମଧ୍ୟ ଯୁଦ୍ଧର ପରିଣାମ ଭୋଗିବାକୁ ପଡ଼ିବ। ଉତ୍ତରରେ ଟ୍ରମ୍ପ କହିଥିଲେ ଯେ, ଆମେ କ’ଣ ଅନୁଭବ କରିବାକୁ ଯାଉଛୁ ତାହା କୁହନ୍ତୁ ନାହିଁ। ଆମେ କ’ଣ ଅନୁଭବ କରିବାକୁ ଯାଉଛୁ ତାହା ଆପଣ ସ୍ଥିର କରିବା ସ୍ଥିତିରେ ନୁହଁନ୍ତି।
ଡୋନାଲ୍ଡ ଟ୍ରମ୍ପ ଏହା ମଧ୍ୟ କହିଥିଲେ ଯେ, ସେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଏକ ଶାନ୍ତି ଚୁକ୍ତିଚୂଡ଼ାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସେହି ସମୟରେ ଡୋନାଲ୍ଡ ଟ୍ରମ୍ପ ନିଜକୁ ନିରପେକ୍ଷ ଦେଖାଇବାକୁ ଚେଷ୍ଟା କରିଥିଲେ। ସେ ସ୍ପଷ୍ଟ କରିଥିଲେ ଯେ, ସେ ୟୁକ୍ରେନ କିମ୍ବା ରୁଷିଆ କାହା ସପକ୍ଷରେ ନୁହଁନ୍ତି। ଯଦି ଆପଣ କାହା ସପକ୍ଷରେ ରହିବେ, ତେବେ ଆପଣ ଚୁକ୍ତି କରିପାରିବେ ନାହିଁ। ଟ୍ରମ୍ପ ଜେଲେନେସ୍କିଙ୍କୁ କହିଥିଲେ ଯେ, ମୁଁ ପୁଟିନଙ୍କ ପକ୍ଷ ନେବାକୁ ଆଗ୍ରହୀ ନୁହେଁ। ମୁଁ କାହା ପକ୍ଷକୁ ଢଳି ନାହିଁ, ମୁଁ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରେ ଅଛି । “
ଆପଣଙ୍କୁ କହିରଖୁଛୁ ଯେ ଜେଲେନସ୍କି ପ୍ରକୃତରେ ଡୋନାଲ୍ଡ ଟ୍ରମ୍ପଙ୍କୁ ୟୁକ୍ରେନ ସପକ୍ଷରେ ରାଜି କରିବା ପାଇଁ ହ୍ୱାଇଟ ହାଉସକୁ ଆସିଥିଲେ, କିନ୍ତୁ ବିତର୍କର ଦିଗ ବଦଳିଯିବ ଏବଂ ଦୁଇ ନେତାଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହେବ ବୋଲି ୟୁକ୍ରେନ ରାଷ୍ଟ୍ରପତି ଭାବିନଥିଲେ । ପରେ ଏଭଳି ପ୍ରଥମ କୂଟନୈତିକ ବୈଠକ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ମୁଁ ନିଷ୍ପତ୍ତି ନେଇଛି ଯେ ଯଦି ଯୁକ୍ତରାଷ୍ଟ୍ର ଆମେରିକା ଏଥିରେ ସାମିଲ ହୁଏ ତେବେ ରାଷ୍ଟ୍ରପତି ଜେଲେନସ୍କି ଶାନ୍ତି ପାଇଁ ପ୍ରସ୍ତୁତ ନୁହଁନ୍ତି, କାରଣ ସେ ଭାବନ୍ତି ଯେ ଆମର ଅଂଶଗ୍ରହଣ ତାଙ୍କୁ ଆଲୋଚନାରେ ଏକ ବଡ଼ ଫାଇଦା ଦେଇଥାଏ । ମୁଁ ଲାଭ ଚାହୁଁନାହିଁ, ମୁଁ ଶାନ୍ତି ଚାହୁଁଛି । ଆମେରିକାର ଓଭାଲ ଅଫିସରେ ସେ ଆମେରିକାକୁ ଅପମାନିତ କରିଥିଲେ। ଯେତେବେଳେ ସେ ଶାନ୍ତି ପାଇଁ ପ୍ରସ୍ତୁତ ହେବେ, ସେ ଏଠାକୁ ଫେରି ପାରିବେ ।
Also readhttps://purvapaksa.com/donald-trump-zelensky-heated-meeting-list-of-countries-supported-ukraine-now/
ହ୍ୱାଇଟ୍ ହାଉସରେ ବେଇଜତ୍ ହୋଇ ଫେରିଲେ ଜେଲେନେସ୍କି, ଜାଣନ୍ତୁ ୟୁକ୍ରେନ ରାଷ୍ଟ୍ରପତିଙ୍କୁ କେଉଁ ଦେଶ ଦେଲେ ସମର୍ଥନ?
