ରାଜ୍ୟ ସରକାର ବିଭିନ୍ନ ପୌରାଞ୍ଚଳରେ ମଶାଙ୍କ ସହ ଲଢ଼ିବାକୁ ଗତ ୯ ମାସରେ ୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଅର୍ଥ କେବଳ ମଶା ତେଲ କିଣାରେ ମୋହନ ମାଝିଙ୍କ ସରକାର ଖର୍ଚ୍ଚ କରିଛନ୍ତି। ପୁଣି କିଛି ପୌରାଞ୍ଚଳରେ ମଶା ତେଲ ଓଡ଼ିଶା ଔଷଧ ନିଗମ ବା ସମ୍ପୃକ୍ତ ସିଡିଏମ୍ଓ କିଣିଥାଆନ୍ତି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି।
ଦିନକୁ ଦିନ ମଶା ପ୍ରାଦୂର୍ଭାବ ବଢ଼ିବାରେ ଲାଗିଛି। କେବଳ ଭୁବନେଶ୍ୱର ମହାନିଗର ନିଗମ ନୁହେଁ ସାରା ଓଡ଼ିଶାରେ ଏହିପରି ପରିସ୍ଥିତି ସୃଷ୍ଟି ହୋଇଛି। ଏଣୁ ପୌରାଞ୍ଚଳଗୁଡ଼ିକ ନିଜ ଖର୍ଚ୍ଚରୁ ଏକ ବଡ଼ ଅଂଶ ମଶା ତେଲ କିଣି ମଶାଙ୍କ ବଂଶ ଧ୍ୱଂସ କରିବା ଲାଗି ତାକୁ ଧୂଆଁ ଆକାରରେ ପ୍ରୟୋଗ କରୁଛନ୍ତି। ହେଲେ କୌଣସି ସହରରେ ମଶାଙ୍କ ସଂଖ୍ୟା କମୁ ନାହିଁ। ଏପରିକି ମଶା ତେଲରୁ ଧୂଆଁ କାରବାର ଏକ ଦୁର୍ନୀତିଭୁକ୍ତ କାରବାର ବୋଲି ବି ଅନେକଥର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଉଛି।
ଏହାକୁ ଆଖିରେ ରଖି ଆଜି ବିଧାନସଭାରେ ବିଧାୟକ ପ୍ରଶାନ୍ତ ବେହେରା ଏକ ଲିଖିତ ପ୍ରଶ୍ନ ପଚାରିଥିଲେ। ଏହି ପ୍ରଶ୍ନର ଉତ୍ତର ବାବଦରେ ଯେଉଁ ତଥ୍ୟ ମନ୍ତ୍ରୀ ଶ୍ରୀ ମହାପାତ୍ର ଉପସ୍ଥାପନ କରିଛନ୍ତି ତାହା ବାସ୍ତବରେ ଆଶ୍ଚର୍ଯ୍ୟଜନକ। ମନ୍ତ୍ରୀଙ୍କ ଉତ୍ତର ଅନୁସାରେ ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ୧୧୫ଟି ସହରାଞ୍ଚଳରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ମଶା ତେଲ କିଣିବା ଲାଗି ୫ କୋଟି ୮୭ଲକ୍ଷ ୩୬ ହଜାର ୮୬୫ ଟଙ୍ଖା ଖର୍ଚ୍ଚ ହୋଇଛି।
ଜୁନ୍ ମାସରୁ ଅଦ୍ୟାବଧି ଏହି ଖର୍ଚ୍ଚ ହୋଇଛି। ୩ଟି ସହରାଞ୍ଚଳରେ ଓଡ଼ିଶା ଔଷଧ ନିଗମ ମଶା ତେଲ କିଣି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଛନ୍ତି। ୨ଟିରେ ସିଡିଏମ୍ଓଙ୍କ ଦ୍ୱାରା ମଶାତେଲ କାରବାର ହୋଇଛି। ୩୬ଟି ପୌରାଞ୍ଚଳରେ ମଶା ତେଲ କିଣାଯାଇ ନାହିଁ ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି।
ପ୍ରଶ୍ନ ଉଠୁଛି ମଶା ବଂଶକୁ ନିପାତ କରିବା ଲାଗି ଏହି ତେଲ ଧୂଆଁ ଦିଆଯାଉଥିବାବେଳେ ଓଡ଼ିଶାର କୌଣସି ପୌରାଞ୍ଚଳରେ ମଶାଙ୍କ ସଂଖ୍ୟା କାହିଁକି କମୁ ନାହିଁ?
Also readhttps://purvapaksa.com/education-gets-highest-allocation-of-rs-41273-crore-in-odisha/
