Toronto: ରନଓ୍ୱେରେ ବରଫ ଯୋଗୁଁ ଘଟିଲା ଦୁର୍ଘଟଣା
ପୁଣି ଏକ ବଡ଼ ଧରଣର ବିମାନ ଦୁର୍ଘଟଣା । କାନାଡ଼ା ଟରୋଣ୍ଟୋ ପିଅର୍ସନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୋମବାର ସକାଳେ ଅବତରଣବେଳେ ଡ଼େଲଟା ଏୟାରଲାଇନ୍ସର ଜେଟ ବିମାନଟି ଓଲଟିପଡିଥିଲା। ତେବେ ଆଶ୍ଚର୍ଯ୍ୟଜନକ ଭାବେ ବିମାନରେ ଥିବା ୮୦ ଜଣ ଯାତ୍ରୀ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ବିମାନ ବନ୍ଦର ଅଧିକାରୀ ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି।
ଏହି ବିମାନଟି ମିନେପଲିସରୁ ୭୬ ଜଣ ଯାତ୍ରୀ ଓ ୪ଜଣ କ୍ରିୟୁ ସଦସ୍ୟଙ୍କୁ ନେଇ ଉଡ଼ାଣ ଭରିଥିଲା। ଟରୋଣ୍ଟୋ ବିମାନବନ୍ଦର ରନଓ୍ୱେ ବରଫାବୃତ ଥିବାରୁ ବିମାନଟି ଅବତରଣ ବେଳେ ଗୋଟିଏ ପାର୍ଶ୍ୱକୁ ଓଲଟି ପଡିଥିବା ଜଣାପଡିଛି। ତେବେ କାନାଡିଆନ ଅଧିକାରୀ ଦୁଇଟି ସାମ୍ବାଦିକ ସମ୍ମିଳନୀ କରିଥିଲେ ମଧ୍ୟ ଦୁର୍ଘଟଣାର ସଠିକ କାରଣ କହିନାହାନ୍ତି। ତେବେ ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଭିଡିଓରେ ମିଟସୁବୁଶି ସିଆରଜେ-୯୦୦ଏଲଆର ବିମାନଟି ଓଲଟିପଡିବା ପରର ଦୃଶ୍ୟ ରହିଛି। ଯେଉଁଥିରେ ଅଗ୍ନିଯୋଦ୍ଧାମାନେ ନିଆଁ ଲିଭାଉଥିବା ଦେଖାଯାଉଛି।
ବିମାନ ମଧ୍ୟରୁ ଯାତ୍ରୀମାନେ ଅତ୍ୟନ୍ତ ଭୟଭୀତ ହୋଇ ପଦାକୁ ବାହାରୁଛନ୍ତି। ବିମାନବନ୍ଦର ଅଧିକାରୀ ଦେବୋରହ ଫ୍ଲିଣ୍ଟ ସମସ୍ତ ଯାତ୍ରୀ ମୃତ୍ୟୁମୁଖରୁ ବଞ୍ଚିଯାଇଥିବାରୁ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅଗ୍ନିଶମ ଅଧିକାରୀ ଟୋଡ ଅୟିତକେନ କହିଛନ୍ତି ଯେ, ୧୮ ଜଣ ଯାତ୍ରୀଙ୍କୁ ମେଡ଼ିକାଲ ନିଆଯାଇଛି। ଅରେଞ୍ଜ ଏୟାର ଆମ୍ବୁଲାନ୍ସ କହିଛି ଯେ, ଜଣେ ଶିଶୁ ଓ ୨ଜଣ ବୟସ୍କ ବ୍ୟକ୍ତିଙ୍କୁ ହସ୍ପିଟାଲ ନେଇଛି।
ଏହା ହେଉଛି ତୃତୀୟ ସପ୍ତାହ ମଧ୍ୟରେ ଉତ୍ତର ଆମେରିକାର ଚତୁର୍ଥ ବିମାନ ଦୁର୍ଘଟଣା। ଗତ ଜାନୁଆରି ୨୯ ତାରିଖରେ ଓ୍ୱାଶିଂଟନ ଡିସି ଏୟାରପୋର୍ଟ ନିକଟରେ ଏକ ବାଣିଜ୍ୟକ ଜେଟ ଓ ଆମେରିକା ସେନା ହେଲିକପ୍ଟର ମଧ୍ୟରେ ଦୁର୍ଘଟଣା ଘଟି ୬୭ ଜଣ ମୃତ୍ୟୁ ଘଟିଥିଲା। ଜାନୁଆରି ୩୧ ତାରିଖରେ ଏକ ମେଡିକାଲ ଟ୍ରାନ୍ସପୋର୍ଟେସନ ପ୍ଲେନ ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଫେବୃଆରି ୬ ତାରିଖରେ ଆଲାସ୍କାରେ ବିମାନ ଦୁର୍ଘଟଣା ଘଟି ୧୦ଜଣଙ୍କର ମୃତ୍ୟୁ ଘଟିଥିଲା।
previous article: https://purvapaksa.com/gaurav-gogoi-wife-elizabeth-accused-of-isi-links-controversy-
କଂଗ୍ରେସ ସାଂସଦ ଗୋଗୋଇଙ୍କ ପତ୍ନୀ ଏଲିଜାବେଥ କିଏ? ଯାହାଙ୍କ ବିରୋଧରେ ଆସିଲା ଆଇଏସଆଇ ସହ ସମ୍ପର୍କର ଅଭିଯୋଗ
