CM Mohan Charan Majhi: ସତକଥା ହେଲା ଇଂରାଜୀ ଝାଡ଼ିଲେ ଓଜନ ବଢ଼େ, ଏଇ କଥାକୁ ଏହି ମୁଢ଼ ଓଡ଼ିଆମାନେ ଧରି ନେଇଛନ୍ତି। ଏହା ମଧ୍ୟ ହୋଇଥାଇପାରେ ଯେ, ଆମେ ସାମୁହିକଭାବେ ଷ୍ଟକହୋମ୍ ସିଣ୍ଡ୍ରୋମର ଶିକାର ହୋଇଛେ।
- ଓଡ଼ିଆମାନେ ଧରି ନେଇଛନ୍ତି ଇଂରାଜୀ ଝାଡ଼ିଲେ ଓଜନ ବଢ଼େ
- ଓଡ଼ିଆମାନେ ଷ୍ଟକହୋମ୍ ସିଣ୍ଡ୍ରୋମର ଶିକାର
- ଓଡ଼ିଆମାନେ ଗମ୍ଭୀରା ଘର ଶାସନରେ ଅଭ୍ୟସ୍ତ
ଏରିକ୍ ଭନ୍ ଡାନିକେନଙ୍କ ଗୋଟିଏ ବହି ୭୦ ଦଶକରେ ବେଷ୍ଟ୍ ସେଲରର ମାନ୍ୟତା ପାଇଥିଲା। ପୁସ୍ତକର ନାମ ଥିଲା ‘ଗଡ୍ ଫ୍ରମ୍ ଆଉଟର ସ୍ପେଶ୍’, ଯାହାର ଓଡ଼ିଆ ମର୍ମାନୁବାଦ ହୋଇପାରେ ‘ମହାକାଶରୁ ଭଗବାନ’। ଏଥିରେ ଏରିକ୍ ଏହା ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲେ ଯେ, ଆମେ ଯେଉଁ ଶକ୍ତିକୁ ‘ଭଗବାନ’ ବୋଲି ମାନୁ ବା ଯାହାଠାରେ ଆମେ ଦିବ୍ୟତ୍ୱ ରୋପଣ କରୁ ତାଙ୍କୁ ପ୍ରକୃତରେ ଆମ ଦେଖିନଥାଉ। ଆଉ ସେହି ଅଦେଖା ଇଶ୍ୱର ଆଉ କେହି ନୁହଁନ୍ତି ଅଲଗା ଗ୍ରହରୁ ଆସିଥିବା ମହାକାଶ ଯାତ୍ରୀ। ଏରିକଙ୍କ ଅନୁସାରେ ଗୋଟିଏ ଦେଶକୁ ଆଉ ଗୋଟିଏ ଦେଶ ଉପରେ କବଜା କରିବାକୁ ତାକୁ ସେଠାକୁ ସେନାବାହିନୀ ପଠାଇବାକୁ ପଡ଼େ।
ଉଦାହରଣସ୍ୱରୂପ ବ୍ରିଟିଶମାନଙ୍କୁ ଭାରତ ଉପରେ ପାଖାପାଖି ଦୁଇଶହ ବର୍ଷ ଶାସନ କରିବାକୁ ଭାରତରେ ନିଜ ସେନା ମୁତୟନ କରିବାକୁ ପଡ଼ିଥିଲା। କିନ୍ତୁ ‘ଭଗବାନ’ ନାମକ ଅନ୍ୟଗ୍ରହର ବାସିନ୍ଦାଙ୍କୁ ପୃଥିବୀ ଉପରେ ରହିବାକୁ ପଡ଼ୁନାହିଁ। ସେମାନେ କେଉଁ କାଳଖଣ୍ଡରେ ପୃଥିବୀକୁ ଆସିଥିଲେ ଓ ମଣିଶମାନଙ୍କ ମସ୍ତିଷ୍କରେ ଭଗବାନ ନାମକ ବିଶ୍ୱାସକୁ ପ୍ରୋଗ୍ରାମ କରି ଯାଇଛନ୍ତି। ଯେଉଁଥିପାଇଁ ଭଗବାନଙ୍କୁ ନଦେଖିବି ମାନବ ତାଙ୍କୁ ସମ୍ମାନ ଦିଏ ଓ ଭୟ କରେ।
ଏରିକଙ୍କ ବହି ବାବଦରେ ଏତେ ଆଲୋଚନାର କାରଣ କ’ଣ ବୋଲି ଆପଣ ଭାବୁଥିବେ। କଥା ହେଉଛି ଶାସକ ଓ ଶାସିତର ସମ୍ପର୍କ ଯାହା ଭଗବାନ ଓ ଭକ୍ତଙ୍କ ମଧ୍ୟରେ ସମ୍ପର୍କ ଗୋଟିଏ ପ୍ରକାର ସମାନ। ଭଗବାନଙ୍କ ପ୍ରତି ଭୟରୁ ହିଁ ଭକ୍ତି ଆସେ। ଅବଶ୍ୟ କିଛି ଏଯୁକ୍ତିରେ ଅମଙ୍ଗ ହେବେ କିନ୍ତୁ ଏହା ସମ୍ପୂର୍ଣ୍ଣରୂପେ ଭୁଲ ନୁହେଁ। ଭାବନ୍ତୁ ଯଦି ପାପ ଓ ନର୍କର ଭୟ ନ ଥାନ୍ତା, ତେବେ ଭଗବାନଙ୍କୁ କିଏ ମାନୁଥାନ୍ତା?
ଗୋଟିଏ ସମୟରେ ଆପଣ ନିଜ ଜେଜେ, ଅଜାଙ୍କଠାରୁ ଶୁଣିଥିବେ ଯେ, ବ୍ରିଟିଶ ଶାସନ ଭଲ ଥିଲା। ଶାସନ ପ୍ରତି ଭୟ ଥିଲା। ଯାହାର ଅର୍ଥ ହେଲା ଆମ ଲୋକ ଭୟ ମିଶା ଶାସନକୁ ଭଲ ପାଆନ୍ତି। ଶାସକ ନିର୍ମାୟା ଓ ସରଳ ଯଦି ହେଲା, ସେହି ଲୋକ ଯେଉଁମାନେ ତାଙ୍କୁ ଗାଦିକୁ ଆଣିଥିବେ କହିବା ଆରମ୍ଭ କରିବେ ଦମ୍ ନାହିଁ।
ଓଡ଼ିଶାରେ ବର୍ତ୍ତମାନ ସେମିତି କିଛି ଘଟୁଛି। ୨୪ ବର୍ଷ ଧରି ଗମ୍ଭୀରା ଘରୁ ଆସୁଥିବା ଫର୍ମାନ ସହିତ ଅଭ୍ୟସ୍ତ ଥିବା ଓଡ଼ିଆଙ୍କୁ ଜଣେ ସରଳ ନେତା ଭଲ ଲାଗୁ ନାହାନ୍ତି। ତେଣୁ ସେମାନେ ସୋସିଆଲ ମିଡିଆରୁ ସଡ଼କରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କୁ ଟାହି ଟାପରା କରିବାକୁ ପଛାଉ ନାହାନ୍ତି। ବାରବାଟି କ୍ରିକେଟ୍ ମ୍ୟାଚବେଳେ ଯେଉଁ ଢଙ୍ଗରେ କିଛି ଯୁବକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ‘ମୋହନ ଭାଇ, ମୋହନ ଭାଇ’ ଡାକୁଥିଲେ, ଆଉ ସୌଜନ୍ୟବଶତଃ ମୁଖ୍ୟମନ୍ତ୍ରୀ ସେମାନଙ୍କ ଆଡ଼କୁ ହାତ ହଲାଇବା ପରେ ସେମାନେ ଯେଉଁଭଳି ନିର୍ଲଜଭାବେ ଏଣୁତେଣୁ ଗପୁଥିଲେ, ସେଥିରୁ ଏହା ଜଳଜଳ ଜଣାପଡ଼ୁଛି ଯେ,ଏମାନଙ୍କୁ ୨୪ ବର୍ଷର ସେଇ ଗମ୍ଭୀରା ଘର ଶାସନ ଦରକାର।
ଏମାନେ ମୋହନ ମାଝୀଙ୍କ ଭଳି ସରଳ ନେତାଙ୍କୁ ପାଇବା ଯୋଗ୍ୟ ନୁହନ୍ତି। ଏମାନେ ସେହି ମହାନ ନେତାଙ୍କ ଗୁଣ ଝୁରୁଛନ୍ତି, ଯିଏ ତାଙ୍କ ଭାଷା କହି ପାରନ୍ତି ନାହିଁ। ଯିଏ ସ୍ୱପ୍ନ ବି ହୁଏତ ଇଂରାଜିରେ ଦେଖୁଥିବେ। ଯିଏ କ୍ଷମତାରେ ଥିବାବେଳେ ନିଜ ବିଧାୟକଙ୍କୁ ଚିହ୍ନୁନଥିଲେ। ଯାହାଙ୍କ ପିଣ୍ଢା ଉଠିବା ସାଧାରଣ ଲୋକ ଛାଡ଼ନ୍ତୁ, ପ୍ରବଳ ପ୍ରତାପୀ ବିଧାୟକ ଓ ନେତାଙ୍କ ପକ୍ଷରେ କାଠିକର ପାଠ ଥିଲା। ଏହି ପ୍ରତାପୀ ବିଧାୟକ ଓ ମନ୍ତ୍ରୀମାନେ ଗମ୍ଭୀରା ଘରୁ ଚିଟାଉ ପାଇଲେ କୃତକୃତ ହୋଇଯାଉଥିଲେ। ସେତେବଳେ ସମ୍ପର୍କ ଶାସକ ଓ ଶାସିତର ଥିଲା। ରାଜା ବାରଣ୍ଡା ଉପରେ ଛିଡ଼ା ହେଉଥିଲେ ବାକି ତଳେ ହାତ ଯୋଡ଼ି।
୨୪ ବର୍ଷ ଧରି ଏମିତି ହିନମାନ୍ୟତାର ଶିକାର ଭୋଟର ଓ ନେତା କେମିତି ଏହାକୁ ବରଦାସ୍ତ କରିବେ ଯେ, ଜଣେ ସେମାନଙ୍କ ଭିତରକୁ ଆସୁଛି, ସେମାନଙ୍କ ଭାଷା କହୁଛି। ସତକଥା ହେଲା ଇଂରାଜୀ ଝାଡ଼ିଲେ ଓଜନ ବଢ଼େ, ଏଇ କଥାକୁ ଏହି ମୁଢ଼ ଓଡ଼ିଆମାନେ ଧରି ନେଇଛନ୍ତି। ଏହା ମଧ୍ୟ ହୋଇଥାଇପାରେ ଯେ, ଆମେ ସାମୁହିକଭାବେ ଷ୍ଟକହୋମ୍ ସିଣ୍ଡ୍ରୋମର ଶିକାର ହୋଇଛେ। ଷ୍ଟକହୋମ୍ ସେଇ ସିଣ୍ଡ୍ରୋମ ଯେଉଁଥିରେ ଅପହୃତର ଅପହରଣକାରୀ ପ୍ରତି ମନରେ ଦରଦ ଆସେ। ତେବେ କ’ଣ ଆମେ,ଏମିତି ଜଣେ ଶାସକ ଚାହୁଁଛେ… ଯିଏ ଆମ ଭାଷା ବୁଝୁନଥିବେ.. ଆମଠୁ ଦୁରେଇ ରହୁଥିବେ… ମାନେ ଆମେ କ’ଣ ଜଣେ ସାମନ୍ତ ଚାହୁଁଛେ, ଯିଏ ସବୁବେଳେ ବାରଣ୍ଡା ଉପରେ ଛିଡ଼ା ହୋଇଥିବେ ଭଗବାନଙ୍କ ଭଳି…
Also readhttps://purvapaksa.com/odishas-buddhist-past-makes-itself-present/
