Liquor Sale in Odisha since last 24 years: ୨୦ ବର୍ଷ ହେଲା ନବୀନ ପଟ୍ଟନାୟକଙ୍କ ଶାସନରେ ଲୋକଙ୍କୁ ମାତାଲି କରି ଭୋଟ୍ ହାତେଇଥିଲା। ନିଶା ମାଧ୍ୟମରେ ରାଜ୍ୟବାସୀଙ୍କୁ ସହଜ ନିଦ ଦେଇଥିବା ନବୀନ ସରକାର ରାଜ୍ୟର କିଛି ଆଦିବାସୀ ଅଞ୍ଚଳରେ ପାରମ୍ପରିକ ମଦ ଭାଟିକୁ ମଧ୍ୟ ଭାଙ୍ଗି ସେମାନଙ୍କ ବେଉସା ଉଜୁଡ଼ାଇଥିଲା।
ଦିନକ ପରେ ସୋମବାର ଆସନ୍ତା ବର୍ଷ ପାଇଁ ରାଜ୍ୟର ସାମାଜିକ ଓ ଅର୍ଥନୀତି କ’ଣ ହେବ ତାହାର ରୂପରେଖକୁ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ଅର୍ଥମନ୍ତ୍ରୀ ବଜେଟ୍ ଆକାରରେ ଉପସ୍ଥାପନ କରିବାକୁ ଯାଉଛନ୍ତି। କିନ୍ତୁ ଏହା ପୂର୍ବରୁ ସରକାର ଶନିବାର ବିଧାନସଭାରେ ଯେଉଁ ତଥ୍ୟ ଉପସ୍ଥାପନ କରିଛନ୍ତି ତାହା ରାଜ୍ୟବାସୀଙ୍କୁ ଚକିତ କରିଛି। ତଥ୍ୟ ହେଉଛି ମଦକୁ କେନ୍ଦ୍ର କରି ରାଜ୍ୟର ଅର୍ଥନୀତି କଥା। ରାଜ୍ୟବାସୀଙ୍କୁ ମାତାଲି କରିବା କଥା ତଥା ମଦ ବିରୁଦ୍ଧରେ ସଚେତନତା ସୃଷ୍ଟି କରୁଥିବା ସରକାରଙ୍କ ମଦ ଉପରେ ନିର୍ଭରଶୀଳତା କଥା।
ହଁ, ଯେଉଁ ମଦ, ନିଶା ଏବଂ ମହିଳାଙ୍କ ପ୍ରସଙ୍ଗକୁ ଭିତ୍ତିକରି ଅତୀତରେ ରାଜ୍ୟରେ ଜାନକୀଙ୍କ ସରକାରକୁ କ୍ଷମତାରୁ ହଟାଇଥିଲା ସେଇ ମଦ ଗଲା ୨୪ ବର୍ଷ ହେଲା ନବୀନ ପଟ୍ଟନାୟକଙ୍କ ସରକାର ତାଙ୍କ ଶାସନରେ ଲୋକଙ୍କୁ ମାତାଲି କରି ଭୋଟ୍ ହାତେଇ ଥିଲା। ନିଶା ମାଧ୍ୟମରେ ରାଜ୍ୟବାସୀଙ୍କୁ ସହଜ ନିଦ ଦେଇଥିବା ନବୀନ ସରକାର ରାଜ୍ୟର କିଛି ଆଦିବାସୀ ଅଞ୍ଚଳରେ ପାରମ୍ପରିକ ମଦ ଭାଟିକୁ ମଧ୍ୟ ଭାଙ୍ଗି ସେମାନଙ୍କ ବେଉସା ଉଜୁଡ଼ାଇ ଥିଲା।
ଶନିବାର ବିଧାନସଭାରେ ଖୋଦ୍ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏ ବିଷୟକୁ ସ୍ପଷ୍ଟ କରିଛନ୍ତି। ଅବକାରୀ ବିଭାଗର ଆୟ ତଥା ଏଠାରେ ବିଦେଶୀ ଓ ଦେଶୀ ମଦର ବିକ୍ରିକୁ ନେଇ ଉପସ୍ଥାପନ କରିଥିବା ସରକାରୀ ତଥ୍ୟରେ କହିଛନ୍ତି ଯେ, ୨୪ ବର୍ଷ ଭିତରେ ମଦ ବିକ୍ରି ପରିମାଣ ୨୫ କୋଟି ୪୧ ଲକ୍ଷରୁ ବଢ଼ି ୮ ହଜାର ୫୯୫ କୋଟି ୬୬ ଲକ୍ଷରେ ପହଞ୍ଚିଛି। ଅର୍ଥାତ୍ ୩୩୮ ଗୁଣରୁ ଅଧିକ ମୂଲ୍ୟର ଅର୍ଥ ମଦ ବିକି ବର୍ଷକୁ ଅର୍ଜନ କରୁଛନ୍ତି ସରକାର। ଚଳିତ ବର୍ଷ ମୋହନ ମାଝୀଙ୍କ ନେତୃତ୍ୱରେ ସରକାର ଜୁନ୍ ମାସରୁ ଆସିଛି। ଆଉ ଏ ବର୍ଷର ହିସାବକୁ ଦେଖିଲେ ବିକ୍ରି ମୂଲ୍ୟ ସାମାନ୍ୟ କମିଛି। ଜାନୁୟାରୀ ୩୧ ସୁଦ୍ଧା ଏ ପରିମାଣ ୭୫୩୦ କୋଟି ହୋଇଥିବା ମନ୍ତ୍ରୀ ହରିଚନ୍ଦନ କରିଛନ୍ତି।
ଏବେ ନଜର ପକାଇବା ଏ ମଦ ବିକ୍ରିରେ ବିଦେଶୀ ମଦ କେତେ ଆଉ ଦେଶୀ ମଦ କେତେ ପରିମାଣରେ ବିକ୍ରି ହେଉଛି। ଆମେ ଏଠାରେ ଆପଣଙ୍କୁ ଯେଉଁ ତଥ୍ୟ ରଖିଛୁ ତାହାକୁ ଦେଖିଲେ ଆପଣ କହିପାରନ୍ତି ଯେ ରାଜ୍ୟରେ ମଦ ବନ୍ୟା ସୃଷ୍ଟି କରାଯାଇଛି। ୨୦୧୩-୧୪ ଆର୍ଥିକ ବର୍ଷରେ ରାଜ୍ୟରେ ବିଦେଶୀ ମଦ ୫୯୬ ଲକ୍ଷ ଲିଟର ବିକ୍ରି ହୋଇଥିଲା। କିନ୍ତୁ ୨୦୨୩-୨୪ରେ ଏହି ପରିମାଣରେ ପ୍ରାୟ ୨ଲକ୍ଷ ଲିଟର ବୃଦ୍ଧି ପାଇ ୭୯୩ ଲକ୍ଷ ଲିଟରରେ ପହଞ୍ଚିଥିଲା। ୨୦୨୪-୨୫ ଆର୍ଥିକ ବର୍ଷ ଜାନୁୟାରୀ ୩୧ ସୁଦ୍ଧା ଏହି ପରିମାଣ ୬କୋଟି ୮୦ ଲକ୍ଷ ଲିଟର ହାସଲ କରିସାରିଲାଣି।
ବିଦେଶୀ ମଦ ବଢ଼ିବା ସହ ରାଜ୍ୟରେ ବିୟର ବନ୍ୟା ବି ହୋଇଛି। ୨୦୧୩ରେ ରାଜ୍ୟରେ ୮୫୦ ଲକ୍ଷ ଲିଟର ବିୟର ବିକ୍ରି ହୋଇଥିବାବେଳେ ଏବର୍ଷ ଜାନୁୟାରୀ ଶେଷ ସୁଦ୍ଧା ଏହା ଦୁଇଗୁଣା ବଢ଼ିଛି। ଅର୍ଥାତ୍ ୧୫୩୬ ଲକ୍ଷ ଲିଟର ବିୟର ବିକ୍ରି ହୋଇଛି ଓଡ଼ିଶାରେ।
ଏହି ତଥ୍ୟ ସ୍ପଷ୍ଟ କରୁଛି ଯେ ଏ ବିଦେଶୀ ମଦ କମ୍ପାନୀ ଓ ବିୟର କମ୍ପାନୀଙ୍କ କାରବାର ସରକାରଙ୍କ ପ୍ରୋତ୍ସାହନ ଯୋଗୁ ବୃଦ୍ଧି ପାଇଛି। ଗାଁ ଗାଁ’ରେ ବିଦେଶୀ ମଦ ଦୋକାନ ଖାଲିବା ଏବଂ ଲାଇସେନ୍ସ ଦେଇ ନିଶା ବିକିବା ଯୋଗୁ ଏହି କାରବାର ନଈ ଭଳି ରାଜ୍ୟର ପ୍ରତି କୋଣରେ ପହଞ୍ଚିଛି। ଏହାକୁ ଲୋକଙ୍କ ସଂଗଠନ ବିରୋଧ କଲେ ବି ଫଳ ମିଳୁ ନାହିଁ। କିନ୍ତୁ ଦେଶୀ ମଦ କାରବାରରେ ଲୋକଙ୍କ ବିରୋଧ ତଥା ସଚେତନତା ଫଳ ଆଣିଛି। ୨୦୧୩ରୁ ଏଯାଏ ତଥ୍ୟକୁ ଅନୁଶୀଳନ କଲେ ଏହା ସ୍ପଷ୍ଟ ହେଉଛି। ସେ ବର୍ଷ ମୋଟ ୧୬୧ ଲକ୍ଷ ଲିଟର ଦେଶୀ ମଦ କାରବାର ଓଡ଼ିଶାରେ ହୋଇଥିଲା। କିନ୍ତୁ ଚଳିତ ବର୍ଷ ରାଜ୍ୟରେ ମାତ୍ର ୧୪୯ ଲକ୍ଷ ଲିଟର ମଦ ବିକ୍ରି ହୋଇଛି। ଅର୍ଥାତ୍ ସରକାରଙ୍କ ଲାଇସେନ୍ସ ଯୋଗୁ ରାଜ୍ୟରେ ବିଦେଶୀ ମଦ ବିକ୍ରି ବଢ଼ୁଛି। ଯଦି ରାଜ୍ୟରେ ମଦ କାରବାରକୁ ରାଜ୍ୟ ସରକାର ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଲାଇସେନ୍ସ ବାତିଲ ବା ମଦ ନୀତିରେ ପରିବର୍ତ୍ତନ ହିଁ ଏକମାତ୍ର ସାହା ହେବ। ଆଶା ଆସନ୍ତା ବଜେଟରେ ମୋହନ ସରକାର ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ଏମିତି କିଛି ଦୃଢ଼ ପଦକ୍ଷେପ ନିଶ୍ଚୟ ନେବେ।
ALSO READ: https://purvapaksa.com/again-the-president-of-the-state/