BJD, AAP and regional parties: ନିକଟରେ ଅନୁଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ପରାଜୟ ଭାରତରେ ଆଞ୍ଚଳିକ ଦଳମାନଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ନିର୍ବାଚନ ହାରିବା ପରେ ବିଜେଡି କହିଛି ଯେ, ଆମ ଆଦମୀ ପାର୍ଟିର ସାମ୍ପ୍ରତିକ ପରାଜୟ ଓଡ଼ିଶାର ରାଜନୈତିକ ଦୃଶ୍ୟପଟକୁ କୌଣସି ପ୍ରକାରେ ପ୍ରଭାବିତ କରିବ ନାହିଁ। ବିଜେଡିର ସମନ୍ୱୟ ଏବଂ କାର୍ଯ୍ୟନ୍ଵୟନ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଭାରତୀୟ ରାଜନୀତିରେ ଆଞ୍ଚଳିକ ଦଳଗୁଡ଼ିକ ପ୍ରଭାବଶାଳୀ ରହିଛନ୍ତି ଓ ରହିବେ ମଧ୍ୟ। ସେ ଉଲ୍ଲେଖ କରିଛନ୍ତି ଯେ ଆପର ପରାଜୟ ରାଜ୍ୟ ଭିତ୍ତିକ ଆଞ୍ଚଳିକ ଦଳଗୁଡ଼ିକର ପତନକୁ ସୂଚିତ କରୁଚି ବୋଲି ଯାହା କୁହାଯାଉଛି ତାହା ଠିକ୍ ନୁହେଁ।
ଦେବୀ ମିଶ୍ର ଏହି ପ୍ରସଙ୍ଗ ଉପରେ ଅଧିକ ଆଲୋକପାତ କରି କହିଲେ ଯେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଭଳି ପଡ଼ୋଶୀ ରାଜ୍ୟଗୁଡ଼ିକରେ ଆଞ୍ଚଳିକ ଦଳଗୁଡ଼ିକ ସେମାନଙ୍କ ଶାସନ ଜାରି ରଖିଛନ୍ତି। କ୍ଷମତାରେ ନରହିଲେ ବି ଓଡ଼ିଶାରେ ବିଜେଡି ଏକ ଦୃଢ଼ ବିରୋଧୀ ଦଳ ଭାବରେ ତାର ସ୍ଥିତିକୁ ବଜାୟ ରଖିଛି। ଖାଲି ସେତିକି ନୁହେଁ,୨୦୨୪ ନିର୍ବାଚନରେ ଶାସକ ବିଜେପି ଅପେକ୍ଷା ଅଧିକ ଭୋଟ ପାଇଛି। ସେ ଯୁକ୍ତି ବାଢ଼ି କହିଛନ୍ତି ଯେ ଆପର ପରାଜୟକୁ ନେଇ ସମଗ୍ର ଭାରତରେ ଆଞ୍ଚଳିକ ଦଳଗୁଡ଼ିକର ଶକ୍ତି ମୂଲ୍ୟାଙ୍କନ ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ମଧ୍ୟ ମିଶ୍ରଙ୍କ ମତକୁ ସମର୍ଥନ କରିଛନ୍ତି। ଜେନା କହିଛନ୍ତି ଯେ ନିକଟ ନିର୍ବାଚନରେ ଆପ ୪୩.୫୭% ଭୋଟ ପାଇଥିଲା ବେଳେ ବିଜେପି ୪୫.୫୬% ଭୋଟ ପାଇଥିଲା। ଅର୍ଥାତ୍ ଅଳ୍ପ କିଛି ଭୋଟ ବ୍ୟବଧାନ ସହିତ ଦଳ ବିଜୟୀ ହୋଇଥିଲା। ଜେନା ଜନସଂଘ ସମୟରୁ ଦିଲ୍ଲୀରେ ବିଜେପିର ଐତିହାସିକ ପ୍ରଭାବ ଉଲ୍ଲେଖ ବିଷୟ କରିଥିଲେ। ଜେନା ଆପର ପରାଜୟକୁ ଅନେକ କାରଣ ପାଇଁ ଦାୟୀ କରିଥିଲେ। କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ସେ ଆପ ଏବଂ ବିଜେପିକୁ ଦାୟୀ କରିବାକୁ ଯାଇ ଏହି ଦୁଇ ଦଳର ରାଜନୀତି ଭିତରେ କଂଗ୍ରେସ ଫସି ଯାଇଥିଲା ।
ନିର୍ବାଚନ ଫଳାଫଳକୁ ପ୍ରଭାବିତ କରୁଥିବା “ମୋଦୀ ଯାଦୁ”ର ଦାବିକୁ ଖାରଜ ଜେନା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ କଂଗ୍ରେସର ଭୋଟ ଅଂଶ ୪.୨୬% ରୁ ୬.୩୬% ବୃଦ୍ଧି ପାଇଛି।
ଦେବୀ ମିଶ୍ର ଦୃଢ଼ ଭାବରେ କହିଛନ୍ତି ଯେ ଆଞ୍ଚଳିକ ଦଳଗୁଡ଼ିକ ଜାତୀୟ ଦଳଗୁଡ଼ିକ ଅପେକ୍ଷା ସ୍ଥାନୀୟ ଆବଶ୍ୟକତା ଓ ଆକାଂକ୍ଷାକୁ ଭଲ ଭାବରେ ପ୍ରତିଫଳିତ କରନ୍ତି। ଆଞ୍ଚଳିକ ଆବଶ୍ୟକତାକୁ ପୂରଣ କରି ‘ଭାରତ ମାତା’କୁ ମଜବୁତ କରିବାରେ ସେମାନଙ୍କର ଦାୟିତ୍ଵ ଉପରେ ଗୁରୁତ୍ୱାରୋପ କରିଥିଲେ।
ଆଞ୍ଚଳିକ ଦଳଗୁଡ଼ିକ ସହିତ ମେଣ୍ଟ ମାଧ୍ୟମରେ ବିଭିନ୍ନ ରାଜ୍ୟରେ ବିଜେପିର ସଫଳତାକୁ ସେ ସ୍ୱୀକାର କରିଛନ୍ତି ଯେପରି କି ମହାରାଷ୍ଟ୍ର, ଜମ୍ମୁ ଏବଂ କାଶ୍ମୀର ଏବଂ ବିହାରରେ ଦେଖାଯାଇଛି। ମିଶ୍ରଙ୍କ ମତରେ ମମତା ବାନାର୍ଜୀଙ୍କ ଟିଏମସି ଭଳି ଆଞ୍ଚଳିକ ଦଳଗୁଡ଼ିକ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ସେମାନଙ୍କର ପ୍ରଭାବ ବଜାୟ ରଖିଚାଲିବେ।
ଓଡ଼ିଶା ବିଧାନସଭାରେ ବିଜେଡିର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଦିଲ୍ଲୀରେ ଦଶ ବର୍ଷ ଧରି ଶାସନ କରିବା ପରେ AAPର ପରାଜୟ ଉପରେ ମତାମତ ଦେଇଛନ୍ତି। ସେ ଚେତାବନୀ ଦେଇ କହିଛନ୍ତି ଯେ ଆଞ୍ଚଳିକ ଦଳଗୁଡ଼ିକୁ ଦୁର୍ବଳ କରିବା ଦ୍ଵାରା ଏହା ଗଣତନ୍ତ୍ରକୁ କ୍ଷତି ପହଞ୍ଚାଇପାରେ। କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଶାସକ ଦଳ ସରକାରୀ କଳକୁ ଅପବ୍ୟବହାର କରି ନିର୍ବାଚନ ଜିତିବା ବିଷୟରେ ଆଚାର୍ଯ୍ୟ ଚିନ୍ତା ପ୍ରକାଶ କରିଛନ୍ତି।
ଆଚାର୍ଯ୍ୟ ଆଞ୍ଚଳିକ ଦଳଗୁଡ଼ିକୁ ଦୁର୍ବଳ କରିବାର ପ୍ରୟାସକୁ ମଧ୍ୟ ସେ ସମାଲୋଚନା କରିଛନ୍ତି।ମହାରାଷ୍ଟ୍ରକୁ ଏକ ଉଦାହରଣ ଭାବରେ ସେ ଉଲ୍ଲେଖ କରିଛନ୍ତି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଜାତୀୟ ଏବଂ ଆଞ୍ଚଳିକ ଦଳ ଉଭୟ ସକ୍ରିୟ ରହିବା ଉଚିତ। ଏହି ସନ୍ତୁଳନରୁ ଯେ କୌଣସି ବିଚ୍ୟୁତି ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବିପଦରେ ପକାଇପାରେ।
ନିର୍ବାଚନ କମିଶନଙ୍କ ଭୂମିକା ବିଷୟରେ ଆଚାର୍ଯ୍ୟ ଆଶଙ୍କା ପ୍ରକାଶ କରି କହିଛନ୍ତି ଯେ ଏହାର କଥା ଏବଂ କାର୍ଯ୍ୟ ମଧ୍ୟରେ ପାର୍ଥକ୍ୟ ରହିଚି । ନିର୍ବାଚନ କମିଶନ ବିରୁଦ୍ଧରେ ସେ କେତୋଟି ଅଭିଯୋଗ ଆଣିଥିଲେ। ଏକ ସମୃଦ୍ଧ ଗଣତନ୍ତ୍ର ସୁନିଶ୍ଚିତ କରିବା ପାଇଁ ନିର୍ବାଚନ କମିଶନଙ୍କ ଠାରୁ ସେ ସ୍ୱଚ୍ଛତା ଦାବୀ କରିଥିଲେ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜନସାଧାରଣଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ନିର୍ବାଚନ ସଂସ୍ଥାଗୁଡ଼ିକଠାରୁ ସ୍ପଷ୍ଟ ନୀତି ଏବଂ କର୍ମ ଶୈଳୀରେ ସଚ୍ଚୋଟତାର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।
ଭାରତର ରାଜନୈତିକ ଢାଞ୍ଚା ଭିତରେ ଆଞ୍ଚଳିକ ଦଳଗୁଡ଼ିକର ସ୍ଥାୟୀ ପ୍ରାସଙ୍ଗିକତାକୁ ନେଇ ବିଜେଡି ଦୃଢ଼ ବିଶ୍ୱାସୀ। ଏହି ନେତାମାନେ ଯୁକ୍ତି ବାଢ଼ିଛନ୍ତି ଯେ ବିଭିନ୍ନ ସ୍ଥାନୀୟ ସ୍ୱାର୍ଥକୁ ପ୍ରତିନିଧିତ୍ୱ କରିବା ଏବଂ ସାରା ଦେଶରେ ସନ୍ତୁଳିତ ଶାସନ ସୁନିଶ୍ଚିତ କରିବା ପାଇଁ ଆଞ୍ଚଳିକ ଦଳମାନଙ୍କ ଅତ୍ୟାବଶ୍ୟକତାକୁ ହେୟଜ୍ଞାନ କରାଯାଇ ପାରିବ ନାହିଁ।
ALSO READ:https://purvapaksa.com/what-does-delhi-election-result-implies-to-regional-parties/

