JFK’s Forgotten Crisis: ସଂସଦରେ ନେହେରୁ-ଗାନ୍ଧୀ ପରିବାରକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦୀ ‘ଜେଏଫକେ ଭୁଲିଯାଇଥିବା ସଙ୍କଟ’ ପୁସ୍ତକ ପଢ଼ିବାକୁ ପରାମର୍ଶ ଦେଇଥିଲେ, ଯେଉଁଥିରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଆମେରିକୀୟ ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ୍ ବିଷୟରେ ଉଲ୍ଲେଖ ରହିଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ଉପରେ ସଂସଦରେ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେହେରୁ-ଗାନ୍ଧୀ ପରିବାର ଉପରେ ଜୋରଦାର ଆକ୍ରମଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ରାହୁଲ ଗାନ୍ଧୀଙ୍କୁ ତାଙ୍କର ବୈଦେଶିକ ନୀତି ଉପରେ ବିବୃତ୍ତିକୁ ନେଇ ମଧ୍ୟ ସମାଲୋଚନା କରିଥିଲେ। ସେ କହିଥିଲେ ଯେ କିଛି ବ୍ୟକ୍ତି ଶିକ୍ଷିତ ବୋଲି ଦେଖାଇ ହେବା ପାଇଁ ବୈଦେଶିକ ନୀତି ଉପରେ କୁହନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ମୁଁ ଏପରି ଲୋକଙ୍କୁ କହିବାକୁ ଚାହୁଁଛି ଯେ ଯଦି ଆପଣ ପ୍ରକୃତରେ ବୈଦେଶିକ ନୀତି କ୍ଷେତ୍ରରେ ଆଗ୍ରହୀ, ତେବେ ମୁଁ ଆପଣଙ୍କୁ ଏକ ପୁସ୍ତକ ପଢ଼ିବାକୁ ପରାମର୍ଶ ଦେବି ଏବଂ ଆପଣ ବୁଝିପାରିବେ ଯେ କେବେ ଓ କେଉଁଠି କ’ଣ କହିବାକୁ ହେବ। କିଛି ବ୍ୟକ୍ତି ଭାବନ୍ତି ଯେ ସେମାନେ ଯେପର୍ଯ୍ୟନ୍ତ ଏହା ଉପରେ କହିନାହାନ୍ତି ସେ ପର୍ଯ୍ୟନ୍ତ ପରିପକ୍ୱ ଲାଗିବେ ନାହିଁ। ଯଦିଓ ଏହା ଦେଶକୁ କ୍ଷତି ପହଞ୍ଚାଏ। ଯଦି ସେମାନେ ପ୍ରକୃତରେ ଏଥିରେ ଆଗ୍ରହୀ, ତେବେ ସେମାନେ ‘JFK: The Forgotten Crisis’ ପୁସ୍ତକ ପଢ଼ିବା ଉଚିତ।
ନେହେରୁ-କେନେଡି ବୈଠକକୁ ନେଇ ପୁସ୍ତକ
ଏହି ପୁସ୍ତକ ଜବାହରଲାଲ ନେହେରୁଙ୍କ ଆମେରିକା ରାଷ୍ଟ୍ରପତି ଜନ୍ଏଫ୍ କେନେଡିଙ୍କ ସହ ସାକ୍ଷାତ୍ ଉପରେ ଆଲୋକପାତ କରେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ମନ୍ତବ୍ୟକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସେହି ବୟାନର ଜବାବ ଭାବରେ ଦେଖାଯାଉଛି, ଯେଉଁଥିରେ ସେ ସଂସଦରେ କହିଥିଲେ ଯେ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିବା ପାଇଁ ଟ୍ରମ୍ପଙ୍କୁ ମନାଇବା ପାଇଁ ‘ତିନି କିମ୍ବା ଚାରିଥର’ ବୈଦେଶିକ ମନ୍ତ୍ରୀଙ୍କୁ ଆମେରିକା ପଠାଯାଇଥିଲା। ଏହି ପୁସ୍ତକଟି ଆମେରିକୀୟ ବୈଦେଶିକ ନୀତି ବିଶେଷଜ୍ଞ ଏବଂ ପୂର୍ବତନ CIA ଅଧିକାରୀ ବ୍ରୁସ୍ ରିଡେଲ୍ ଲେଖିଛନ୍ତି। ଜନ୍ଏଫ୍ କେନେଡିଙ୍କ ରାଷ୍ଟ୍ରପତିତ୍ୱ ସମୟରେ ରାଜନୈତିକ ଏବଂ କୂଟନୈତିକ ଜରୁରୀକାଳୀନ ପରିସ୍ଥିତି ଉପରେ ଏହି ପୁସ୍ତକ ଆଲୋଚନା କରେ। ପୂର୍ବତନ CIA ଅଧିକାରୀ ବ୍ରୁସ୍ ରିଡେଲ୍ ଦ୍ୱାରା ଲିଖିତ, ଏହି ପୁସ୍ତକଟି ପ୍ରଥମେ ୨୦୧୫ରେ ପ୍ରକାଶିତ ହୋଇଥିଲା। ନେହେରୁଙ୍କ ବିଷୟରେ ଉଲ୍ଲେଖ ଥିବା ହେତୁ ଏହା ସେତେବେଳେ ଭାରତରେ ଚର୍ଚ୍ଚାର ବିଷୟ ହୋଇଥିଲା।
ବୈଦେଶିକ ନୀତି ନାମରେ କ’ଣ ସବୁ ହୋଇଥିଲା?
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ପୁସ୍ତକ ଦର୍ଶାଉଛି ଯେ ନେହେରୁ ଦେଶର ସୁରକ୍ଷା ସହିତ କି ପ୍ରକାରର ଖେଳ ଖେଳିଥିଲେ। ସେ କହିଥିଲେ, ‘ଯଦି କେହି ପ୍ରକୃତରେ ବୈଦେଶିକ ନୀତିରେ ଆଗ୍ରହୀ, ତେବେ ସେମାନେ ‘JFK’s Forgotten Crisis: Tibet, the CIA, and the Sino-Indian War’ ପଢିବା ଉଚିତ।’ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଏହି ପୁସ୍ତକଟି ଜଣେ ବୈଦେଶିକ ନୀତି ବିଶେଷଜ୍ଞଙ୍କ ଦ୍ୱାରା ଲେଖାଯାଇଛି। ଏଥିରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଉଲ୍ଲେଖ ଅଛି, ଯିଏ ବୈଦେଶିକ ମନ୍ତ୍ରାଳୟର ଦାୟିତ୍ୱ ମଧ୍ୟ ତୁଲାଇଥିଲେ।’ ଏଥିରେ ଦେଶ ଯେତେବେଳେ ସଙ୍କଟଜନକ ପରିସ୍ଥିତିର ସମ୍ମୁଖୀନ ହେଉଥିଲା, ସେତେବେଳେ ତାଙ୍କର ଜନ୍ଏଫ୍ କେନେଡିଙ୍କ ସହ ତାଙ୍କର ଆଲୋଚନା ବାବଦରେ କୁହାଯାଇଛି। ବହିଟି ବୈଦେଶିକ ନୀତି ନାମରେ କେଉଁ ଖେଳ ଖେଳାଯାଉଥିଲା ତାହା ବିସ୍ତାର ଭାବରେ ବର୍ଣ୍ଣନା କରିଛି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ରାହୁଲ ଗାନ୍ଧୀ ଅଂଶଗ୍ରହଣ କରିବାର ଗୋଟିଏ ଦିନ ପରେ ଏହି ମନ୍ତବ୍ୟ ଆସିଛି, ଯେଉଁଥିରେ ସେ ଦାବି କରିଥିଲେ ଯେ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ବିଫଳ ହୋଇଥିବାରୁ ଚୀନ୍ ଭାରତୀୟ ଭୂମିରେ ଅନୁପ୍ରବେଶ କରିଛି।
ନେହେରୁ କେନେଡିଙ୍କ ଭଉଣୀଙ୍କ ପ୍ରତି ଆକର୍ଷିତ ଥିଲେ!
ବ୍ରୁସ୍ ରିଡେଲ୍ ଦ୍ୱାରା ଲିଖିତ ଏହି ପୁସ୍ତକରେ ଚୀନ୍-ଭାରତ ଯୁଦ୍ଧ କାଳରେ ନେହେରୁଙ୍କ ବୈଦେଶିକ ନୀତି ବାବଦରେ କୁହାଯାଉଛି। ଦେଶ ଚ୍ୟାଲେଞ୍ଜିଂ ସମୟର ସମ୍ମୁଖୀନ ହେଉଥିଲା, ସେତେବେଳେ ନେହେରୁ ଏବଂ ତାଙ୍କର କୂଟନୀତି ଉପରେ ମଧ୍ୟ ଏହା ଆଲୋକପାତ କରେ। ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଆସିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପୁସ୍ତକରୁ ବିବାଦୀୟ ଅଂଶଗୁଡ଼ିକ ଆବିଷ୍କାର କରିଛନ୍ତି ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ ନେହେରୁ କିପରି ପୂର୍ବତନ ଆମେରିକା ରାଷ୍ଟ୍ରପତିଙ୍କ ସୁନ୍ଦରୀ, ଆକର୍ଷଣୀ. ୨୭ ବର୍ଷୀୟ ଭଉଣୀ ପ୍ୟାଟ୍ କେନେଡିଙ୍କ ପ୍ରତି ଆଗ୍ରହୀ ଥିଲେ। ଏହା ୧୯୬୧ ମସିହା ନଭେମ୍ବର ୬ ତାରିଖରେ ନେହେରୁଙ୍କ ଆମେରିକା ଗସ୍ତ ସମୟରେ ଘଟିଥିଲା। ଏହି ପୁସ୍ତକରେ ମାର୍ଚ୍ଚ ୧୯୬୨ରେ ଜନ୍ କେନେଡି ଏବଂ ଆମେରିକାର ପ୍ରଥମ ମହିଳା ଜ୍ୟାକଲିନ୍ କେନେଡିଙ୍କ ଭାରତ ଗସ୍ତ ବାବଦରେ ମଧ୍ୟ ଉଲ୍ଲେଖ କରାଯାଇଛି।
କେନେଡିଙ୍କୁ ଲାଗିଥିଲା ନେହେରୁ ତାଙ୍କ ପତ୍ନୀଙ୍କ ସହ କଥା ହେବାକୁ ଅଧିକ ଆଗ୍ରହୀ ଥିଲେ!
ପୁସ୍ତକରେ କୁହାଯାଇଛି, “ଶ୍ରୀମତୀ କେନେଡିଙ୍କ ରହିବା ପାଇଁ ଦୂତାବାସ ଏକ ଭିଲା ଭଡ଼ା ନେଇଥିଲା, କିନ୍ତୁ ତାଙ୍କ ଆଗମନ ପରେ ନେହେରୁ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାସଭବନର ଅତିଥି କକ୍ଷରେ ରହିବାକୁ ପରାମର୍ଶ ଦେଇଥିଲେ। ଏହି କୋଠରୀଟି ଏଡୱିନା ମାଉଣ୍ଟ୍ବ୍ୟାଟେନ ପ୍ରାୟତଃ ବ୍ୟବହାର କରୁଥିଲେ। ସ୍ୱାଧୀନତା ପରେ ବାରମ୍ବାର ଭାରତ ଗସ୍ତରେ ଆସିଥିବା ଏଡୱିନା ଏବଂ ନେହେରୁ ଘନିଷ୍ଠ ବନ୍ଧୁ ଥିଲେ। ସୋସିଆଲ ମିଡିଆରେ ପ୍ରକାଶିତ ପୁସ୍ତକର ଏକ ଅଂଶରେ ଉଲ୍ଲେଖ କରାଯାଇଛି ଯେ କେନେଡି ତତ୍କାଳୀନ ଆମେରିକୀୟ ରାଷ୍ଟ୍ରଦୂତଙ୍କୁ କହିଥିଲେ ଯେ ଏହା ତାଙ୍କ ରାଷ୍ଟ୍ରପତିତ୍ୱର ‘ସବୁଠାରୁ ଖରାପ ବୈଦେଶିକ ରାଷ୍ଟ୍ର ଗସ୍ତ।’ ପୁସ୍ତକରେ ଉଲ୍ଲେଖ ଅଛି, ‘କେନେଡି ଏହା ମଧ୍ୟ ଅନୁଭବ କରିଥିଲେ ଯେ ନେହେରୁ ତାଙ୍କ ଅପେକ୍ଷା ଜ୍ୟାକି (ଜ୍ୟାକଲିନ୍ କେନେଡି)ଙ୍କ ସହ କଥା ହେବାରେ ଅଧିକ ଆଗ୍ରହୀ ଥିଲେ।’
