ଲୋକସଭାରେ ଏନେଇ ସାଂସଦଙ୍କ ଉଦବେଗ ପ୍ରକାଶ
ଇଣ୍ଟରନେଟ ଓ ଡିଜିଟାଲ ବିନା ଲୋକଙ୍କ ଜୀବନଯାପନ ଏବେ କଷ୍ଟକର ହୋଇପଡ଼ିଛି। ଏହାର ବ୍ୟବହାର ଦ୍ୱାରା ମଣିଷ ଯେତେକି ସୁବିଧା ପାଉଛି ସେତିକି ଅସୁବିଧା ମଧ୍ୟ ରହୁଛି। ଏହାଦ୍ୱାର ସାଇବର ଠକଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି। ଏହି ସମସ୍ୟା କୌଣସି ରାଜ୍ୟ କି ଦେଶରେ ନୁହେଁ, ଏହା ବର୍ତ୍ତମାନ ସାରା ବିଶ୍ୱ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି। ଅନେକ ଲୋକ ଅନେକ ସମୟରେ ସାଇବର ଠକେଇର ଶିକାର ହେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଦେଶର ଥିବା ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଗୁଡିକ ଭିତରେ ଦେଶର ସବୁଠୁ ବୃହତମ ଘରୋଇ ବ୍ୟାଙ୍କ ଏଚଡ଼ିଏଫସିର ଗ୍ରାହକମାନେ ସବୁଠାରୁ ଅଧିକ ଠକେଇର ଶିକାର ହୋଇଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ସମୁଦାୟ ୯୪୬୬ଟି ବଡ ମୂଲ୍ୟର ଠକେଇ ମାମଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇର ନଜରକୁ ଆସିଛି। ଯେଉଁଥିରେ ସମୁଦାୟ ୮୩୭ କୋଟି ଟଙ୍କାର ଠକେଇ ହୋଇଥିବା ଲୋକସଭାରେ ଅର୍ଥମନ୍ତ୍ରୀ(ରାଷ୍ଟ୍ର) ପଙ୍କଜ ଚୌଧୁରୀ ସୂଚନା ପ୍ରଦାନ କରିଛନ୍ତି।
ଦିନକୁ ଦିନ ଦେଶରେ ବଢୁଥିବା ସାଇବର ଠକେଇ ଡିଜିଟାଲ ଆରେଷ୍ଟ ଏବଂ ଇ-କେୱାଇସି ନାଁରେ ଲୋକଙ୍କ ଆକାଉଣ୍ଟ ହଡ଼ପ ମାମଲାକୁ ନେଇ ଅର୍ଥମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସାଂସଦ। ଲୋକସଭାରେ ପ୍ରଶ୍ନୋତ୍ତର କାଳରେ ଏବାବଦରେ ଆଗତ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ପଙ୍କଜ ଚୌଧୂରୀ ସୂଚନା ଦେଇଛନ୍ତି। ଲୋକସଭାରେ ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ ବ୍ୟାଙ୍କରେ ବିଭିନ୍ନ ପ୍ରକାର ଠକେଇକୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର, ଅର୍ଥମନ୍ତ୍ରଣାଳୟ ଏବଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି। ରିଜର୍ଭ ବ୍ୟାଙ୍କର ଠକେଇ ପରିଚାଳନା ବିଭାଗର ନିର୍ଦ୍ଦେଶ ଅନୁସାରେ ବ୍ୟାଙ୍କ ଗୁଡିକ ତତ୍ପର ହେଉଥିବାରୁ ଦିନକୁ ଦିନ ଲକ୍ଷାଧିକ ଟଙ୍କାରୁ ଅଧିକ ଠକେଇ ମାମଲା ସଂଖ୍ୟା ଏବଂ ପରିମାଣ କମିବାରେ ଲାଗିଛି। ସେ ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ ୨୦୨୪-୨୫ ଆର୍ଥିକ ବର୍ଷର ଡିସେମ୍ବର ଶେଷ ସୁଦ୍ଧା ୯୬ଟି ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାରେ ୯୪୬୬ଟି ଠକେଇ ମାମଲା ରୁଜୁ ହୋଇଛି।
ଏଥିରୁ ସର୍ବାଧିକ ଠକେଇ ମାମଲାରେ ଏଚଡିଏଫସି ବ୍ୟାଙ୍କର ଗ୍ରାହକମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ବ୍ୟାଙ୍କରେ ୨୦୨୪-୨୫ ଆର୍ଥିକ ବର୍ଷରେ ସମୁଦାୟ ୨୦୩୦ଟି ଠକେଇ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଗ୍ରାହକଙ୍କର ୬୯ କୋଟି ୫୧ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ଉପସ୍ଥାପନ କରିଥିବା ତଥ୍ୟରେ ସ୍ପଷ୍ଟ କରାଯାଇଛି। ଏହା ତଳକୁ ଆଇସିଆଇସିଆଇ ବ୍ୟାଙ୍କର ସର୍ବାଧିକ ୧୭୩୬ଟି ଠକେଇ ମାମଲା ରୁଜୁ ହୋଇଛି। ଏହି ମାମଲାରେ ବ୍ୟାଙ୍କର ସମ୍ପୃକ୍ତ ଗ୍ରାହକ ୮୧ କୋଟି ୮୩ ଲକ୍ଷ ହରାଇଛନ୍ତି। ତୃତୀୟ ସ୍ଥାନରେ ରହିଛନ୍ତି ଆକ୍ସିସ ବ୍ୟାଙ୍କର ଗ୍ରାହକ। ଏହି ବ୍ୟାଙ୍କରେ ସମୁଦାୟ ୭୩୪ଟି ଠକେଇ ମାମଲରେ ୮୨ କୋଟି ୫୦ ଲକ୍ଷ ଟଙ୍କା ହାନି ହୋଇଛି।ସରକାରୀ ବ୍ୟାଙ୍କ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ୧୧ ଜଣ ଗ୍ରାହକ ସର୍ବାଧିକ ୧୨୧ କୋଟି ୫୪ ଲକ୍ଷ ଟଙ୍କା ହରାଇଛନ୍ତି। ୨୦୨୪-୨୫ ବର୍ଷର ଡିସେମ୍ବର ସୁଦ୍ଧା ଏହି ଠକେଇ ମାମଲା ରୁଜୁ ହୋଇଛି।
କେନ୍ଦ୍ର ସରକାର ଏହି ଠକେଇକୁ ରୋକିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏ ଭିତରେ ଭାରତୀୟ ସାଇବର ଅପରାଧ ସଂଯୋଜନା କେନ୍ଦ୍ର ମାଧ୍ୟମରେ ଠକେଇକୁ ପୂର୍ବରୁ ଚିହ୍ନଟ କରାଯାଇ ରୋକାଯାଇ ପାରୁଛି। ମନ୍ତ୍ରୀ କହିଛନ୍ତି ଏହି ଉଦ୍ୟମ ଦ୍ୱାରା ଜାନୁଆରି ୨୦୨୫ ସୁଦ୍ଧା ଚଳିତ ଆର୍ଥକ ବର୍ଷରେ ୧୧ ଲକ୍ଷ ୨୦ ହଜାର ଅଭିଯୋଗକୁ ଆଧାର କରି ୩୯୧୯ କୋଟିର ଠକେଇକୁ ରୋକାଯାଇ ପାରିଛି।
ସବୁଠାରୁ ଅଧିକ ଠକେଇ ୨୦୧୯-୨୦ ଆର୍ଥିକ ବର୍ଷରେ ହୋଇଥିଲା। ସେତେବେଳେ ଠକେଇର ଶିକାର ହୋଇଥିବା ଗ୍ରାହକମାନେ ସେମାନଙ୍କ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନରେ ଥିବା ଆକାଉଣ୍ଟରୁ ୩୩ ହଜାର ୭୫୭ କୋଟି ଟଙ୍କା ହରାଇଥିଲେ। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ପରିମାଣ ୪୨୨୪ କୋଟି ଟଙ୍କା ରହିଥିଲା। ଇ-କେୱାଇସି ନାଁରେ ଠକେଇ ହେଉଥିବାରୁ ଏହାକୁ ରୋକିବା ଲାଗି ଦୃଢ ପଦକ୍ଷେପ ନେବାକୁ ସାଂସଦମାନେ ଦାବି କରିଥିଲେ। ବିଜେପି ସାଂସଦ ଡି. ପୁରେନ୍ଦଶ୍ୱରୀଙ୍କ ପ୍ରଶ୍ନର ଉତ୍ତର ରଖି ଅର୍ଥମନ୍ତ୍ରୀ କହିଛନ୍ତି ଯେ ଗ୍ରାହକମାନଙ୍କୁ ପୁନଃ ଇ କେୱାଇସି କରିବା ପାଇଁ ଆରବିଆଇ ନିର୍ଦ୍ଦେଶ ଦେଇଛି।
ଯେଉଁ ଗ୍ରାହକମାନଙ୍କ ଆକାଉଣ୍ଟ ହାଇ ରିସ୍କରେ ରହିଛି କେବଳ ସେମାନଙ୍କୁ ପ୍ରତି ଦୁଇ ବର୍ଷରେ ଥରେ କେୱାଇସି କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ମଧ୍ୟମ ବିପଦ ଥିବା ଆକାଉଣ୍ଟକୁ ୮ ବର୍ଷରେ ଥରେ ଏବଂ ନିମ୍ନ ବିପଦ ଥିବା ଆକାଉଣ୍ଟକୁ ୧୦ ବର୍ଷରେ ଥରେ କେୱାଇସି କରିବା ପାଇଁ ନିୟମ ରହିଛି। ଲୋକମାନେ ଏବାବଦରେ ସଚେତନ ରହି ଠକେଇର ସନ୍ଦେହ ହେଲେ ବ୍ୟାଙ୍କ ସହିତ ତୁରନ୍ତ ସମ୍ପର୍କ କରିବା ଲାଗି ପଦକ୍ଷେପ ନେବାକୁ ସେ କହିଛନ୍ତି।
previous article:https://purvapaksa.com/8th-pay-commission-will-not-be-implemented-now/
