Russia-Ukraine war: ଫେବୃଆରୀ ୨୦୨୨ରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଏହି ଯୁଦ୍ଧ ଏପର୍ଯ୍ୟନ୍ତ କୌଣସି ପର୍ଯ୍ୟାୟରେ ପହଞ୍ଚିପାରିନାହିଁ। ପରିସଂଖ୍ୟାନ ଅନୁଯାୟୀ, ୟୁକ୍ରେନରେ ୬ନିୟୁତ ଲୋକ ଦେଶ ଛାଡ଼ି ଚାଲିଯାଇଛନ୍ତି। ଏହା ମୋଟ ଜନସଂଖ୍ୟାର ପ୍ରାୟ ୧୫ ପ୍ରତିଶତ ଅଟେ।
ଜନ୍ମଦିନ ବିଶେଷ ଦିନ ହୋଇଥାଏ। ଏମିତି ଗୋଟିଏ ଦିନ ଯେଉଁଦିନ ଜଣେ ବୟସ ବଢ଼ିବାର ଅନୁଭବରେ ଦୁଃଖି ହୁଏ, ଆଉ ତା’ସହିତ ପରିବାର ଓ ବନ୍ଧୁଙ୍କ ଗହଣରେ ଉତ୍ସବ ମନାଇ ଖୁସି ବି ହୁଏ। କିନ୍ତୁ ବିଶ୍ୱରେ ଏମିତି ଗୋଟିଏ ଦେଶ ଅଛି,ଯେଉଁଠାରେ ଲୋକ ନିଜର ଅଠରତମ ଜନ୍ମଦିବସ ପାଳନ କରିବାକୁ ଡରୁଛନ୍ତି। କିଛି ତ ବିଲକୁଲ ପାଳନ ବି କରୁନାହାନ୍ତି। ତେବେ ସେହି ଦେଶର ନାମ କ’ଣ ଓ କ’ଣ ପାଇଁ ସେଠାକର ଯୁବକ-ଯୁବତୀ ନିଜର ଅଠରତମ ଜନ୍ମଦିନ ପାଳନ କରୁନାହାନ୍ତି?
ପ୍ରଥମରୁ କହି ରଖୁଛୁ ଯେ, ଯେଉଁ ଦେଶ କଥା ଆମେ କହୁଛୁ, ସେହି ଦେଶ ଗଲା ୩ବର୍ଷ ଧରି ବିଶ୍ୱର ଶକ୍ତିଶାଳୀ ସାମରିକ ଶକ୍ତି ମଧ୍ୟରୁ ଗୋଟିଏ ଦେଶ ସହିତ ରକ୍ତାକ୍ତ ଯୁଦ୍ଧ ଲଢ଼ି ଆସୁଛି। ଏବେ ହୁଏତ ଆପଣ ଉତ୍ତର ଜାଣି ସାରିବେଣି। ଦେଶର ନାମ ହେଲା ୟୁକ୍ରେନ। ସେହି ୟୁକ୍ରେନ ଯାହା ପୁତିନଙ୍କ ରୁଷ୍କୁ ତିନିବର୍ଷ ହେଲା ପାଣି ପିଆଇ ସାରିଲାଣି। ଗୋଟିଏ ମାସ ମଧ୍ୟରେ ପୁରା ୟୁକ୍ରେନ ଅଧିକାର କରିବାର ସ୍ୱପ୍ନ ଦେଖିଥିବା ପୁତିନଙ୍କ ସେନା ୟୁକ୍ରେନକୁ ସମ୍ପୂର୍ଣ୍ଣଭାବେ ନିଜ ଅଧିକାରକୁ ନେଇପାରିନି। ତେବେ ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ୟୁକ୍ରେନ ଓ ରୁଷ୍ ଯୁଦ୍ଧର ଅଠରତମ ଜନ୍ମଦିନ ସହିତ କଣ ସମ୍ପର୍କ ରହିଛି …
ଚାଲନ୍ତୁ ଉତ୍ତର ଆମେ ଆପଣଙ୍କୁ କହୁଛୁ
ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଦୁଇଦେଶର ସାଧାରଣ ନାଗରିକଙ୍କ ପାଇଁ ଏକ ଚାଲେଞ୍ଜିଂ ପରିସ୍ଥିତି ସୃଷ୍ଟି କରିଛି। ବାରମ୍ବାର ଆକ୍ରମଣ ଯୋଗୁଁ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଛନ୍ତି, ଅନେକ ପରିବାର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇଛନ୍ତି ଏବଂ ୟୁକ୍ରେନରୁ ଲକ୍ଷ ଲକ୍ଷ ଲୋକ ପଳାୟନ କରିଛନ୍ତି। ମିଳିତ ଜାତିସଂଘର ତଥ୍ୟ ଅନୁଯାୟୀ, ୬୦ ଲକ୍ଷ ଲୋକ ଦେଶ ଛାଡ଼ି ପଳାଇଛନ୍ତି। ଏହା ୟୁକ୍ରେନର ଜନସଂଖ୍ୟାର ପ୍ରାୟ ୧୫ ପ୍ରତିଶତ ଅଟେ। ତିନିବର୍ଷର ଯୁଦ୍ଧ ୟୁକ୍ରେନରେ ଆଉ ଏକ ସଙ୍କଟ ସୃଷ୍ଟି କରିଛି। ଏଠାକାର ଯୁବକମାନେ ନିଜର ୧୮ତମ ଜନ୍ମଦିନ ପାଳନ କରିବାକୁ ଡରୁଛନ୍ତି।
ଜନ୍ମଦିନ ପାଳନ କରିବାକୁ ଲୋକେ କାହିଁକି ଡରୁଛନ୍ତି?
ରୁଷିଆର ୟୁକ୍ରେନ୍ ଉପରେ ଆକ୍ରମଣ ପରେ ପରିସ୍ଥିତି ଦ୍ରୁତ ଗତିରେ ବଦଳିଥିଲା। ଏହି ଆକ୍ରମଣ ପାଇଁ ୟୁକ୍ରେନ୍ ପ୍ରସ୍ତୁତ ନ ଥିଲା। ଫଳରେ ରୁଷୀୟ ଆକ୍ରମଣରେ ୟୁକ୍ରେନର ଅନେକ ସୈନିକ ପ୍ରାଣ ହରାଇଥିଲେ। ୟୁକ୍ରେନ ସେନାରେ ସୈନିକଙ୍କ ଅଭାବ ଏକ ବଡ଼ ସମସ୍ୟା ପାଲଟିଥିଲା। ଏହି ସମୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ୟୁକ୍ରେନରେ ମାର୍ଶାଲ ଲ’ ଲାଗୁ କରିଥିଲେ। ଏଥିରେ ୧୮ରୁ ୬୦ ବର୍ଷ ବୟସର ପୁରୁଷଙ୍କୁ ଦେଶ ଛାଡ଼ିବାକୁ ବାରଣ କରାଯାଇଛି। ଏହି ଲୋକମାନଙ୍କୁ ଯେକୌଣସି ସମୟରେ ଯୁଦ୍ଧକୁ ପଠାଯାଇପାରେ। ତେବେ ମହିଳାଙ୍କ ପାଇଁ ସେଭଳି କୌଣସି ବାଧ୍ୟତାମୂଳକତା ନ ଥିଲା। ଏହି କାରଣରୁ ୟୁକ୍ରେନ୍ ରୁ ପଳାୟନ କରିଥିବା ୬ ନିୟୁତ ଲୋକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା ଓ ଶିଶୁ।
୧୮ ବର୍ଷ ବୟସ ପରେ ଦେଶ ଛାଡିବାକୁ ବାରଣ
ୟୁକ୍ରେନରେ ଯଦି କୌଣସି ଯୁବକଙ୍କ ବୟସ ୧୮ ବର୍ଷ ହୋଇଥାଏ ତେବେ ତାଙ୍କୁ ଦେଶ ଛାଡିବାକୁ ଅନୁମତି ଦିଆଯାଏ ନାହିଁ। ଏପରିକି ଏଭଳି ଯୁବକମାନଙ୍କୁ ରୁଷ୍ ବିରୋଧରେ ଆଗକୁ ବଢ଼ିବାକୁ ପଡ଼ୁଛି। ଏହି କାରଣରୁ ଏଠାକାର ଯୁବକମାନେ ୧୮ ବର୍ଷ ବୟସରେ ଜନ୍ମଦିନ ପାଳନ କରିବାକୁ ଡରୁଛନ୍ତି, କାରଣ ଦେଶର ଏଜେନ୍ସିମାନେ ଏ ବିଷୟରେ ଜାଣିବାମାତ୍ରେ ଯୁଦ୍ଧ ଶେଷ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଦେଶରେ ରହିବାକୁ ପଡ଼ିବ।
ହ୍ରାସ ପାଉଛି ଜନ୍ମ ହାର
ୟୁକ୍ରେନର ସୀମାକୁ ଯୁବକଙ୍କୁ ପଠାଯିବା କାରଣରୁ ଏଠାରେ ଜନ୍ମ ହାର ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି। ଯୁଦ୍ଧ ଆରମ୍ଭ ହେବାର ଦୁଇ ବର୍ଷ ପୂର୍ବରୁ ୨୦୧୯ରେ ୟୁକ୍ରେନରେ ୩,୦୯,୦୦୦ ଶିଶୁ ଜନ୍ମ ଗ୍ରହଣ କରିଥିଲେ। ସେହିପରି ଯୁଦ୍ଧ ଆରମ୍ଭ ହେବାର ବର୍ଷକ ପରେ ଅର୍ଥାତ୍ ୨୦୨୩ରେ ଜନ୍ମ ହୋଇଥିବା ଶିଶୁଙ୍କ ସଂଖ୍ୟା ୧,୮୭,୦୦୦ରେ ପହଞ୍ଚିଛି।
୨୨୫ ବର୍ଷ ପୁରୁଣା ଆଇନକୁ ନେଇ କାହିଁକି ଟ୍ରମ୍ପଙ୍କ ଆମେରିକାରେ ଆତଙ୍କିତ ଭାରତୀୟ?
