Mahakumbh 2025: ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମ ‘ମହାକୁମ୍ଭ ମେଳା’ ଆରମ୍ଭ ହୋଇଯାଇଛି।
ଶ୍ରଦ୍ଧାଳୁଙ୍କ ସମେତ ଲକ୍ଷାଧିକ ସାଧୁସନ୍ଥ କୁମ୍ଭରେ ପହଞ୍ଚିଛନ୍ତି ଏବଂ ସେମାନଙ୍କୁ ତୀର୍ଥନଗରୀରେ ସନାତନପ୍ରେମୀ ଜୋର୍ଦାର୍ ସ୍ୱାଗତ କରିଛନ୍ତି। ତ୍ରିବେଣୀ ସଂଗମରେ ହୋଇଛି ପ୍ରଥମ ପୁଣ୍ୟ ସ୍ନାନ । ବୁଡ଼ ପକାଇ ପାପ ଧୋଇବାକୁ ପ୍ରୟାଗରାଜରେ କୋଟି କୋଟି ଶ୍ରଦ୍ଧାଳୁ ଏକାଠି ହୋଇଥିଲେ। ପ୍ରଥମେ ସାଧୁ ସନ୍ଥ ଓ ତା’ପରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ସଂଗମସ୍ଥଳରେ ବୁଡ଼ ପକାଇଛନ୍ତି । ଏଥିପାଇଁ ସଂଗମ ତଟରେ ଲାଗିଛି ସାଧୁ ସନ୍ଥ ଓ ଭକ୍ତଙ୍କ ଗହଳି। ବିଭିନ୍ନ ଆଖଡ଼ାର ସାଧୁ ସନ୍ଥଙ୍କ ହୋମ ଯଜ୍ଞ ଓ ମନ୍ତ୍ରଧ୍ୱନୀରେ କଂପୁଛି ଚଉଦିଗ।
ବର୍ତ୍ତମାନ ପରି ପରାଧୀନ ଭାରତରେ ବି କୁମ୍ଭର ଆସ୍ଥା ଦେଖିବାକୁ ମିଳୁଥିଲା । ଇଂରେଜ ଶାସନ ସମୟରେ ମଧ୍ୟ କୁମ୍ଭମେଳାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଥିଲା । ଇଂରେଜ ଶାସକଙ୍କର ଭୟ ଥିଲା, ମେଳାକୁ ବିରୋଧ କଲେ ସ୍ଥିତି ଅଣାୟତ୍ତ ହୋଇପାରେ । କୁମ୍ଭମେଳାର ମାନ୍ୟତା ଓ ଇତିହାସ ପୁରାଣରେ ମଧ୍ୟ ବର୍ଣ୍ଣିତ ହୋଇଛି ।
ଇଂରେଜ ସମୟର କୁମ୍ଭମେଳା
ସେତେବେଳେ ଭାରତ ବର୍ଷରେ ଚାଲିଥିଲା ଇଂରେଜ ଶାସନ . . . . ୧୮୦୧ରେ ଇଂରେଜ ଅକ୍ତିଆରରେ ଥିଲା ଆହ୍ଲାବାଦ । କୁମ୍ଭ ଓ ମାଘ ମେଳାରେ ସେତେବେଳେ ବି ପ୍ରବଳ ଭକ୍ତଙ୍କ ଭିଡ଼ ଲାଗୁଥିଲା । ଭାରତର ଧର୍ମ ଓ ପରମ୍ପରାର ମହତ୍ତ୍ୱ ନଜାଣି କୁମ୍ଭମେଳାକୁ ଟଙ୍କା ରୋଜଗାରର ମାଧ୍ୟମ କରିଥିଲେ ଚାଲାକ ଇଂରେଜ ସରକାର । ସେହିବର୍ଷ କୁମ୍ଭକୁ ଆସୁଥିବା ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କ ଠାରୁ ଗୋଟିଏ ପଇସାର ଟ୍ୟାକ୍ସ ଆଦାୟ କରାଯାଇଥିଲା । ଏହା ପରଠାରୁ ପ୍ରତି କୁମ୍ଭମେଳାରୁ ଖୁବ ରୋଜଗାର କରୁଥିଲେ ଇଂରେଜ ଶାସକ ।
ପ୍ରଥମ ସନ୍ତାନଙ୍କୁ ଗଙ୍ଗାକୁ ଭେଟି ଦେଉଥିଲେ ଭକ୍ତ
୧୮୨୭ରୁ ୧୮୩୩ ମଧ୍ୟରେ ଜଣେ ଇଂରାଜୀ କଷ୍ଟମ୍ସ ଅଧିକାରୀଙ୍କ ପତ୍ନୀ ଫନି ପାର୍କର ଆହ୍ଲାବାଦକୁ ଆସିଥିଲେ । ସେ ତାଙ୍କ ପୁସ୍ତକ ‘Wanderings of a Pilgrim in Search of the Pictures’ ରେ ଲେଖିଛନ୍ତି – ‘ଯେତେବେଳେ ମୁଁ ଆହ୍ଲାବାଦରେ ପହଞ୍ଚିଲି, ସେଠାରେ ଏକ ଭବ୍ୟ ମେଳାର ଆୟୋଜନ ହୋଇଥିଲା । ଅନେକ ସଂଖ୍ୟାରେ ନାଗା ସାଧୁ ଏବଂବୈଷ୍ଣବ ସାଧୁମାନେ ଗଙ୍ଗାରେ ବୁଡ଼ ପକାଇବାକୁ ପହଞ୍ଚିଥିଲେ । ମୁଁ ସେଠାରେ ଅନେକ ନିଃସନ୍ତାନ ବିବାହିତ ମହିଳାଙ୍କୁ ଭେଟିଥିଲି । ସନ୍ତାନ ଆଶାରେ ସମସ୍ତେ ଗଙ୍ଗାରେ ବୁଡ଼ ପକାଇବାକୁ ଆସିଥିଲେ । ସନ୍ତାନ ପ୍ରାପ୍ତି ପରେ ପ୍ରଥମ ସନ୍ତାନକୁ ଗଙ୍ଗା ମାତାଙ୍କୁ ଉପହାର ଦେବାକୁ ମାନସିକ କରି ବୁଡ଼ ପକାଉ ଯାଉଥିଲେ ଶ୍ରଦ୍ଧାଳୁ ।
କୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ବ୍ରିଟିଶ ନିୟମ
୧୮୮୦ ମସିହାରେ କୁମ୍ଭକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ଏକ ବିଜ୍ଞାପନ ଜାରି କରିଥିଲେ ଇଂରେଜ ସରକାର । ଯାତ୍ରୀମାନେ କେବଳ ନିର୍ଦ୍ଦିଷ୍ଟ ସ୍ଥାନରେ ରାତି ବିତାଇପାରିବେ ବୋଲି ବିଜ୍ଞାପନରେ ନିର୍ଦ୍ଦେଶ ଦିଆଯାଇଥିଲା । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ମେଳାରେ ପ୍ରହରୀ ନିୟୋଜିତ କରାଯାଇଥିଲା । କେହି ନିୟମ ନମାନି ବାହାରେ ରାତ୍ରୀଯାପନ କଲେ କିମ୍ବା କୌଣସି ପ୍ରକାର ଅଘଟଣ ଘଟିଲେ, ନିଜେ ଦାୟୀ ରହିବେ ବୋଲି ବିଜ୍ଞାପନରେ ସ୍ପଷ୍ଟ କରାଯାଇଥିଲା ।
ଲୋକଙ୍କୁ ମହାମାରୀ ଓ ଡକାୟତଙ୍କ ଠାରୁ ରକ୍ଷା କରିବା ପାଇଁ ନିୟମ ଆଣିଥିଲେ ସରକାର । ତେବେ ଐତିହାସିକଙ୍କ ମତରେ କ୍ରାନ୍ତିକାରୀଙ୍କ ଭୟରେ ସରକାର ଏପରି ନିର୍ଦ୍ଦେଶ ଦେଉଥିଲେ । କୁମ୍ଭରେ କ୍ରାନ୍ତିକାରୀମାନେ ଏକାଠି ହୋଇ ସରକାରଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚିବେ ବୋଲି ସେମାନଙ୍କର ଭୟ ରହୁଥିଲା ।
ମେଳା ସଜାଇବା ପାଇଁ ଇଂଲଣ୍ଡରୁ ଆସୁଥିଲେ ଅଫିସର
କୁମ୍ଭମେଳାକୁ ସଫଳ କରିବା ପାଇଁ ଇଂଲଣ୍ଡରୁ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଭାବେ ଡକାଯାଉଥିଲା। ଏହି ଅଧିକାରୀମାନେ ପ୍ରତିଦିନ ଭାରତ ସଚିବଙ୍କ ନିକଟକୁ ରିପୋର୍ଟ ପଠାଉଥିଲେ। ରାଜ୍ୟ ଅଭିଲେଖାଗାରର ୧୮୯୪ ଦଲିଲ ଅନୁଯାୟୀ, ଆହ୍ଲାବାଦର କଲେକ୍ଟର ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ତତ୍ତ୍ୱାବଧାନରେ କୁମ୍ଭ ପଇଁ ପ୍ରଶାସନିକ କାର୍ଯ୍ୟ କରାଯାଉଥିଲା । ମେଳାର ସୌନ୍ଦର୍ଯ୍ୟକରଣ ପାଇଁ ଇଂଲଣ୍ଡରୁ ତିନିଜଣ ଅଧିକାରୀଙ୍କୁ ଡକାଯାଇଥିଲା। କୁମ୍ଭରେ ଡ୍ୟୁଟି ପାଇଁ ଅଧିକାରୀମାନଙ୍କୁ ପରୀକ୍ଷା ଦେବାକୁ ପଡୁଥିଲା । ଏଥିପାଇଁ ଆଚରଣ ସଂହିତା ଜାରି କରାଯାଇଥିଲା।
ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ସହିତ ଲୋକଙ୍କର ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟର ଯତ୍ନ ନେଉଥିଲେ ପୋଲିସ । ଏଥିପାଇଁ ଜଣେ ୟୁରୋପୀୟ କ୍ୟାଣ୍ଟନମେଣ୍ଟ ଇନ୍ସପେକ୍ଟର ଏବଂ ଦୁଇ ଆସିଷ୍ଟାଣ୍ଟ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଉଥିଲା । ଶୌଚାଳୟକୁ ସଫା କରିବା ପାଇଁ ବଡ଼ ବଡ଼ ପାତ୍ରରେ ମରକ୍ୟୁରିକ ପେରୋକ୍ସାଇଡ ରଖାଯାଉଥିଲା ।
କୁମ୍ଭମେଳାରୁ ଟ୍ୟାକ୍ସ ଆଦାୟ
୧୯୦୬ ସମୟର କଥା । ଜିଲ୍ଲା ମାଜିଷ୍ଟ୍ରେଟ୍ ଏଚ୍.ଭି ଲୋବେଟ କୁମ୍ଭମେଳା ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ । ରିପୋର୍ଟ ଅନୁସାରେ, ୧୮୯୪ କୁମ୍ଭମେଳାରେ ମୁଣ୍ଡନ କରୁଥିବା ଭଣ୍ଡାରୀଙ୍କ ଠାରୁ ସରକାର ୧୧,୮୨୫ ଟଙ୍କା ୮ ଅଣା ଟ୍ୟାକ୍ସ ଆଦାୟ କରିଥିଲେ । ଅନ୍ୟପଟେ ସଙ୍ଗମରେ ଦାଢ଼ି କାଟୁଥିବା ଲୋକଙ୍କ ଠାରୁ ଆଦାୟ ହୋଇଥିଲା ୧୩୩୨ ଟଙ୍କା ୮ ଅଣା । ସେହିପରି ଫୁଲ ବିକ୍ରି କରୁଥିବା ମାଳି ମାନଙ୍କ ଠାରୁ ୧୬୦୦ ଟଙ୍କା ଟ୍ୟାକ୍ସ ସଂଗ୍ରହ କରାଯାଇଥିଲା । କୁମ୍ଭମେଳାରେ କ୍ଷୀର ଉପରେ ୧୦୬୪ ଟଙ୍କା, ଗୋଦାନରେ ୧୭୬ ଟଙ୍କା ଏବଂ ବାଛୁରୀ ଦାନ ଉପରେ ୯୭୬ ଟଙ୍କା ଶୁଳ୍କ ସଂଗ୍ରହ କରାଯାଇଥିଲା। ଡଙ୍ଗା ଚାଳକମାନେ ୩୩୧୧ ଟଙ୍କା ଦେଇଥିବାବେଳେ ହକରମାନେ ୧୪୪୦ ଟଙ୍କା ଏବଂ ଶଗଡ଼ ଚଳାଉଥିବା ଲୋକେ ୧୮୭୪ ଟଙ୍କା ପ୍ରଦାନ କରିଥିଲେ ।
ଇଂରେଜ ଶାସନ କାଳରେ ଅଧିକାଂଶ ଶ୍ରଦ୍ଧାଳୁ ଚାଲି ଚାଲି କିମ୍ବା ଶଗଡ଼ ଗାଡ଼ିରେ ସଙ୍ଗମସ୍ଥଳକୁ ବୁଡ଼ ପକାଇବାକୁ ଯାଉଥିଲେ । ସେସମୟରେ ତୀର୍ଥଯାତ୍ରୀଙ୍କ ପାଇଁ ଚୋର ଡକାୟତଙ୍କର ମଧ୍ୟ ପ୍ରବଳ ଭୟ ଥିଲା । ଏହାକୁ ଦୃଷ୍ଟିରେ ରଖି ତୀର୍ଥଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟେଣ୍ଟ ନିର୍ମାଣ କରାଯାଉଥିଲା । ଏଥିପାଇଁ ପାଖାପାଖି ବର୍ଷକ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଉଥିଲା ।
ALSO READ: https://purvapaksa.com/mahakumbh-2025-prayagraj-story-of-kumbh-puja/
ଦେବ ଓ ଅସୁରମାନଙ୍କ ଲଢ଼େଇରେ କିଏ କାଉ ପରି ଛଡ଼ାଇ ନେଇଥିଲା ଅମୃତ କଳସ?