ବୟସ କେବଳ ଏକ ସଂଖ୍ୟା । ଯଦି ମନରେ କିଛି ହାସଲ କରିବାର ଆଗ୍ରହ ଥାଏ, ତେବେ ଯେକୌଣସି ଲକ୍ଷ୍ୟ ହାସଲ କରାଯାଇପାରିବ । ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ଶ୍ୟାମଲା ଗୋଲି । ୫୨ ବର୍ଷିୟ ମହିଳା ଯେଉଁ ରେକର୍ଡ ହାସଲ କରିଛନ୍ତି ତାହା ଯୁବପିଢ଼ିଙ୍କ ଠାରୁ ଆରମ୍ଭ କରି ବୟଷ୍କାଧିକ ଲୋକଙ୍କୁ ପ୍ରେରଣା ଯୋଗାଉଛି । ୫୨ ବର୍ଷ ବୟସରେ ପହଁରି ପହଁରି ଦୀର୍ଘ ୧୫୦ କିଲୋମିଟର ଯାତ୍ରା ଅତିକ୍ରମ କରିଛନ୍ତି ଶ୍ୟାମଲା ଗୋଲି । ତେବେ ଆସନ୍ତୁ ଜାଣିବା କିଏ ଏହି ମହିଳା ।
ଆନ୍ଧ୍ରପ୍ରଦେଶର କାକିନାଡା ଜିଲ୍ଲାର ୫୨ ବର୍ଷୀୟା ମହିଳା ଶ୍ୟାମଲା ଗୋଲି ଜାନୁଆରୀ ୪ ତାରିଖରେ ଇତିହାସ ରଚିଛନ୍ତି । ତାଙ୍କର ଅଦ୍ଭୁତ କଳା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶ୍ୟାମଲା ବିଶାଖାପାଟଣାରୁ କାକିନାଡା ପର୍ଯ୍ୟନ୍ତ ସମୁଦ୍ରରେ ୧୫୦ କିଲୋମିଟର ପହଁରି ସୂର୍ଯ୍ୟରାଓପେଟା ଉପକୂଳରେ ପହଞ୍ଚିଥିଲେ । ଏହି ଯାତ୍ରା ପ୍ରାୟ ପାଞ୍ଚ ଦିନ ଧରି ଚାଲିଥିଲା, ଯେଉଁଥିରେ ଶ୍ୟାମଲା ଗୋଲି ପ୍ରତିଦିନ ପ୍ରାୟ ୩୦ କିଲୋମିଟର ପହଁରି ବିଶାଖାପାଟଣାରୁ କାକିନାଡା ପର୍ଯ୍ୟନ୍ତ ୧୫୦ କିଲୋମିଟର ସମୁଦ୍ର ଯାତ୍ରା ଶେଷ କରିଥିଲେ । ତାଙ୍କର ଏହି ସଫଳତା କେବଳ ବ୍ୟକ୍ତିଗତ ସଫଳତା ନୁହେଁ ବରଂ ବଡ଼ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଥିବା ସମସ୍ତ ବୟସର ଲୋକଙ୍କ ପାଇଁ ପ୍ରେରଣା ସାଜିଛି । ଶ୍ୟାମଲାଙ୍କ ଏହି ସଫଳତା ପାଇଁ ହରିୟାଣା ରାଜ୍ୟପାଳ ବଣ୍ଡାରୁ ଦତ୍ତାତ୍ରେୟ ତାଙ୍କୁ ପ୍ରଶଂସା କରିଛନ୍ତି ।
ଶ୍ୟାମଲା ଗୋଲି କାକିନାଡା ଜିଲ୍ଲାର ସମରଲକୋଟା ଗାଁର ବାସିନ୍ଦା । ଶ୍ୟାମଳା ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ପିଲାଦିନୁ ପହଁରିବାକୁ ଆଗ୍ରହୀ ଥିଲେ । କିନ୍ତୁ ପରିବାରର ଦାୟିତ୍ୱ ଏବଂ ବ୍ୟସ୍ତବହୁଳ ଜୀବନ ପାଇଁ ସେ କିଛି ସମୟ ପାଇଁ ପହଁରିବା ଠାରୁ ଦୂରରେ ରହିଥିଲେ । କିନ୍ତୁ ୫୦ ବର୍ଷ ବୟସରେ ସେ ପୁଣି ପହଁରିବା ଆରମ୍ଭ କରିଛନ୍ତି ଏବଂ ରେକର୍ଡ କରିଛନ୍ତି । ସେ ଏହି ଯାତ୍ରା କରି ତାଙ୍କର ଶାରୀରିକ କ୍ଷମତାକୁ ପ୍ରକାଶ କରିଛନ୍ତି ତା ନୁହେଁ ବରଂ ମାନସିକ ଦୃଢ଼ତାର ମଧ୍ୟ ପ୍ରମାଣ ଦେଇଛନ୍ତି । ମହିଳା ସଶକ୍ତିକରଣର ପ୍ରତୀକ ଭାବରେ ତାଙ୍କୁ ବିଭିନ୍ନ ମଞ୍ଚ ତରଫରୁ ସମ୍ମାନିତ କରାଯାଇଛି ।
କରମଣ୍ଡଲ ଓଡ଼ିସି ମହାସାଗର ସନ୍ତରଣ ସଂଗଠନର ତତ୍ତ୍ୱାବଧାନରେ ଶ୍ୟାମଲା ଗୋଲିଙ୍କ ଭାଇଜାଗରୁ କାକିନାଡା ଯାତ୍ରା ସମାପ୍ତ ହୋଇଥିଲା । ଶ୍ୟାମଲାଙ୍କ ପାଖରେ ୧୪ ଜଣ କ୍ରୁ ସଦସ୍ୟଙ୍କ ଏକ ଟିମ୍ ଅଛି ଯେଉଁଥିରେ ମେଡିକାଲ ଷ୍ଟାଫ୍ ଏବଂ ସ୍କୁବା ଡାଇଭର୍ସ ସାମିଲ ଅଛନ୍ତି । ପୁରା ଟିମ୍ ତାଙ୍କ ଯାତ୍ରା ସମୟରେ ତାଙ୍କ ସହିତ ଥିଲେ । ତାଙ୍କର ସୁରକ୍ଷା ପାଇଁ ସେମାନେ ଆଗଭର ହୋଇ ରହିଥିଲେ ଏବଂ ତାଙ୍କୁ ସହାୟତା ଯୋଗାଇଥିଲେ ।
ଶ୍ୟାମଲା ପୂର୍ବରୁ ମଧ୍ୟ ତାଙ୍କର ଦୃଢ଼ ଇଚ୍ଛା ଶକ୍ତି ଏବଂ କଠିନ ପରିଶ୍ରମକୁ ଦୁନିଆକୁ ଦେଖାଇଛନ୍ତି । ୨୦୨୧ ମସିହାରେ ୫୨ ବର୍ଷୀୟ ଶ୍ୟାମଲା ପାକ୍ ଜଲଡମରୁ ମଧ୍ୟକୁ ପହଁରି ପାର କରିଥିଲେ, ସେହି ବର୍ଷ ଫେବୃଆରୀରେ ଲାକ୍ଷାଦ୍ୱୀପ ଦ୍ୱୀପପୁଞ୍ଜର ଚାରି ପାଖ ପହଁରି ରେକର୍ଡ ହାସଲ କରିଥିଲେ । ବୟସ ହୋଇଯାଇଥିଲେ ବି ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇନାହାନ୍ତି ଶ୍ୟାମଲା । ତାଙ୍କର ଏହି ଇଚ୍ଛାଶକ୍ତି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଛି ।
ଭାରତରେ ୧୪ ମୋଟରସାଇକେଲ ଲଞ୍ଚ କରିବ ଏହି ବ୍ରାଣ୍ଡ, ୨୦୨୫ ରେ ଲାଗିବ ବାଇକର ଧାଡ଼ି