ଯୋଗ ଦେଲେ ୫୦୦ ପର୍ଯ୍ୟଟକ ଗାଇଡ, ସୁପରଭାଇଜର, ସଂଯୋଜକ ଓ ଅଧିକାରୀ
ଓଡ଼ିଶା ଇତିହାସରେ ପ୍ରଥମ କରି ଆସନ୍ତା ୮ତାରିଖରୁ ତିନିଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତ ଦିବସ । ଏହି ପରିପ୍ରେକ୍ଷୀରେ ପର୍ଯ୍ୟଟନ ବିଭାଗର ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସାରା ରାଜଧାନୀ ନବ ବଧୂ ବେଶରେ ସଜାଇ ହୋଇଗଲାଣି। ସେଥିପାଇଁ ବିଭିନ୍ନ ସ୍ଥାନରେ ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେଉଛି। ରାସ୍ତାଘାଟ, କାନ୍ଥବାଡ, ବୃକ୍ଷଲତାରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଆଦି ଶୋଭା ପାଉଛି। ଯାହା ପ୍ରବାସୀ ଭାରତୀୟଙ୍କ ମନକୁ ଆକର୍ଷଣ କରିବା ସହ ଆମ କଳା ସଂସ୍କୃତି ବିଦେଶର କୋଣ ଅନୁକୋଣରେ ପହଞ୍ଚିବ। ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ ସୋମବାର ଓଡ଼ିଶାର ପର୍ଯ୍ୟଟନ ବିଭାଗ ତରଫରୁ କୃଷି ସଦନ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି ପର୍ଯ୍ୟଟକ ଗାଇଡ, ସୁପରଭାଇଜର ଓ ସଂଯୋଜକ ନିମନ୍ତେ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ ।
ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିବା ସହ “ଅତିଥି ଦେବୋ ଭବ” ମନ୍ତ୍ରରେ ମୁଗ୍ଧ ହୋଇ କାର୍ଯ୍ୟ କରିବାକୁ ପ୍ରେରିତ କରିଥିଲେ । ଏବେ ଓଡ଼ିଶାର ପର୍ଯ୍ୟଟନ ରହସ୍ୟକୁ ଉନ୍ମୋଚନ କରିବାର ସମୟ ଆସିଛି ବୋଲି ଉଦବୋଧନ ଦେଇ ସେ କହିଲେ ଯେ ଓଡ଼ିଶାର ପର୍ଯ୍ୟଟନକୁ ବିଶ୍ୱର କୋଣେ ଅନୁକୋଣେ ପହଞ୍ଚାଇବା ପାଇଁ ଏହି ୩ ଦିନିଆପ୍ରବାସୀ ଭାରତ ଦିବସ ଆମ ପାଇଁ ଏକ ଶ୍ରେଷ୍ଠ ସୁଯୋଗ । ଏହି ତିନି ଦିନ ପାଇଁ ପର୍ଯ୍ୟଟକ ଗାଇଡମାନେ ହେବେ ଆମ ଓଡ଼ିଶାର ଆମ୍ବାସଡର । ଆପଣମାନଙ୍କ ବ୍ୟବହାର, ଚାଲିଚଳନରେ ସମଗ୍ର ଓଡ଼ିଶାର ପରିଚୟ ଓ ସ୍ଵାଭିମାନ ପ୍ରତିଫଳିତ ହେବ ବୋଲି କହି ସେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରୋତ୍ସାହନ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂ, ବିଭାଗୀୟ ନିର୍ଦ୍ଦେଶକ ସମର୍ଥ ବର୍ମା ଓ ବିଭାଗୀୟ ଅନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ଏହା ସହ ୨୭୦ ସଂଯୋଜକ, ୧୦୦ ଟୁର ଗାଇଡ, ୩୦ ଟିମ ଲିଡରସ୍, ୨୮ ଗନ୍ତବ୍ୟ ସଂଯୋଜକ, ୨୦ ସୁପରଭାଇଜର,୧୫ ସ୍ଵଚ୍ଛତା ସୁପରଭାଇଜର, ସବୁ ଜିଲ୍ଲା, ଓଟିଡ଼ିସି ଓ ପର୍ଯ୍ୟଟନ ବିଭାଗରୁ ୫୦ ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।
previous article:https://purvapaksa.com/rajarani-mukteshwar-and-international-odissi-dance-festival-from-today/
