Donald trump project 2025: ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ଆଉ କିଛିଦିନ ପରେ ଶପଥ ନେବାକୁ ଯାଉଛନ୍ତି। ତାଙ୍କ ଫେରିବା ପରେ ଏକ ଦସ୍ତାବିଜକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଏହି ଦସ୍ତାବିଜଟି ସମୁଦାୟ ୯୨୨ ପୃଷ୍ଠା, ଯାହାର ନାମ ପ୍ରୋଜେକ୍ଟ ୨୦୨୫ ରଖାଯାଇଛି। ଏହାକୁ ଟ୍ରମ୍ପ ସରକାରଙ୍କ ଇସ୍ତାହାର ଭାବେ ବିବେଚନା କରାଯାଉଛି। ଏହି ଦସ୍ତାବିଜରେ ଭବିଷ୍ୟତର ନୀତିର ଝଲକ ଦେଖିବାକୁ ମିଳିଛି ଯାହା ଟ୍ରମ୍ପ ପ୍ରଶାସନ ଅଧୀନରେ ବୈଶ୍ୱିକ ଶକ୍ତି ସନ୍ତୁଳନକୁ ନୂଆ ରୂପ ଦେଇପାରିବ । ଭାରତ ବିଷୟରେ କ’ଣ କୁହାଯାଇଛି ଜାଣନ୍ତି କି?
୨୦୨୫ ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଆମେରିକାର ରାଷ୍ଟ୍ରପତିଭାବେ ଶପଥ ଗ୍ରହଣ କରିବେ। ତାଙ୍କ ପ୍ରତ୍ୟାବର୍ତ୍ତନ ଏପରି ଏକ ସମୟରେ ଆସିଛି ଯେତେବେଳେ ବିଶ୍ୱ ଗମ୍ଭୀର ଆହ୍ୱାନର ସମ୍ମୁଖୀନ ହେଉଛି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି କେବଳ ଆମେରିକାର ବୈଦେଶିକ ନୀତିକୁ ନୂଆ ରୂପ ଦେବ ନାହିଁ, ବରଂ ବିଶ୍ୱ ରାଜନୀତିରେ ମଧ୍ୟ ଗଭୀର ପ୍ରଭାବ ପକାଇବ। ଇତିମଧ୍ୟରେ ପ୍ରୋଜେକ୍ଟ ୨୦୨୫ ଶୀର୍ଷକ ୯୨୨ ପୃଷ୍ଠାର ଏକ ଦସ୍ତାବିଜ ଚର୍ଚ୍ଚାର ବିଷୟ ପାଲଟିଛି। ଟ୍ରମ୍ପ ପ୍ରଶାସନର ଆଗାମୀ ନୀତି ଏବଂ ସେମାନଙ୍କ ଇସ୍ତାହାର ପାଇଁ ଏହାକୁ ଏକ ବ୍ଲୁପ୍ରିଣ୍ଟ ଭାବରେ ବିବେଚନା କରାଯାଉଛି।
ଏହି ରିପୋର୍ଟରେ ଆମେରିକାର ଆଭ୍ୟନ୍ତରୀଣ ସଂସ୍କାରଠାରୁ ଆରମ୍ଭ କରି ବୈଦେଶିକ ନୀତି ପର୍ଯ୍ୟନ୍ତ ସବୁ ଦିଗ ଉପରେ ଆଲୋଚନା କରାଯାଇଛି। ଏଥିରେ ଇମିଗ୍ରେସନ, ଗର୍ଭପାତଠାରୁ ଆରମ୍ଭ କରି ହୋମଲାଣ୍ଡ ସିକ୍ୟୁରିଟିରେ ବଡ଼ ଧରଣର ପରିବର୍ତ୍ତନ ଏବଂ ଏଫବିଆଇକୁ ଉଚ୍ଛେଦ କରିବା ଭଳି ବିବାଦୀୟ ପ୍ରସଙ୍ଗ ରହିଛି। ଏହି ରିପୋର୍ଟ ଭାରତ ପାଇଁ ବିଶେଷ କାରଣ ଏହା ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ଦେଖିଛି। ସେପଟେ ଆମେରିକା ପାଇଁ ସବୁଠାରୁ ବଡ ବିପଦଭାବେ ଉଭା ହୋଇଛି ଚୀନ।
ଚୀନ ହେଉଛି ସବୁଠାରୁ ବଡ଼ ରଣନୈତିକ ବିପଦ
ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ହ୍ୱାଇଟ୍ ହାଉସକୁ ଫେରିବା ପରେ ଗୁରୁତର ଅନ୍ତର୍ଜାତୀୟ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ଏଥିରେ ମଧ୍ୟପ୍ରାଚ୍ୟରେ ଇସ୍ରାଏଲ-ହାମାସ ଯୁଦ୍ଧ, ରୁଷିଆ-ୟୁକ୍ରେନ୍ ସଂଘର୍ଷ ଏବଂ ଆମେରିକା-ଚୀନ ବାଣିଜ୍ୟିକ ସମ୍ପର୍କରେ ଅସ୍ଥିରତା ଭଳି ସଙ୍କଟ ରହିଛି।
ପ୍ରୋଜେକ୍ଟ ୨୫ ଅନୁଯାୟୀ ଚୀନକୁ ଆମେରିକା ପାଇଁ ସବୁଠାରୁ ବଡ଼ ବିପଦ ବୋଲି ବିବେଚନା କରାଯାଉଛି। ରିପୋର୍ଟରେ କୁହାଯାଇଛି ଯେ ଚୀନ କେବଳ ନିଜର ସାମରିକ ଶକ୍ତି ବଢ଼ାଉ ନାହିଁ ବରଂ ଆମେରିକାକୁ ଟପିବା ପାଇଁ ପରମାଣୁ ଶକ୍ତି ବିକଶିତ କରୁଛି। ତାଇୱାନ, ଫିଲିପାଇନ୍ସ, ଜାପାନ ଓ ଦକ୍ଷିଣ କୋରିଆ ଭଳି ପଡ଼ୋଶୀ ଦେଶ ଉପରେ ଚୀନର ଆକ୍ରମଣ ଓ ଆଧିପତ୍ୟ ପ୍ରୟାସକୁ ରୋକିବା ଜରୁରୀ।
ଚୀନର ସାମରିକ ସମ୍ପ୍ରସାରଣ ଏବଂ ଏହାର ପରମାଣୁ ରଣନୀତି ବିଶ୍ୱ ସ୍ଥିରତା ପାଇଁ ବିପଦ ବୋଲି ରିପୋର୍ଟରେ ସ୍ପଷ୍ଟ କରାଯାଇଛି। ଏହି ପରିପ୍ରେକ୍ଷୀରେ ଚୀନ୍ର ଆଧିପତ୍ୟକୁ ରୋକିବା ପାଇଁ ଆମେରିକା ତା’ର ସହଯୋଗୀ ରାଷ୍ଟ୍ରମାନଙ୍କ ସହ ମିଶି ଏକ ଠୋସ୍ ରଣନୀତି ପ୍ରସ୍ତୁତ କରିବା ଉଚିତ।
ଚୀନ ସହ ଅର୍ଥନୈତିକ ସମ୍ପର୍କ ଶେଷ କରିବାକୁ ଜୋର
ପ୍ରୋଜେକ୍ଟ ୨୫ରେ କୁହାଯାଇଛି ଯେ ଆମେରିକା ଧୀରେ ଧୀରେ ଚୀନ୍ ସହ ନିଜର ଅର୍ଥନୈତିକ ସମ୍ପର୍କକୁ ବନ୍ଦ କରିବା ଉଚିତ। ଏହି କ୍ରମରେ ଟିକ୍ ଟକ୍ ଭଳି ଚାଇନିଜ ଆପ୍ ଏବଂ ଚାଇନିଜ ପ୍ରୋପେଗାଣ୍ଡାକୁ ବେଆଇନ ଘୋଷଣା କରାଯାଇଛି ବୋଲି କୁହାଯାଉଛି। ଚୀନ କମ୍ୟୁନିଷ୍ଟ ପାର୍ଟି (ସିସିପି)ରୁ ପାଣ୍ଠି ପାଉଥିବା ଆମେରିକୀୟ କଲେଜଗୁଡ଼ିକୁ ସ୍ୱୀକୃତିହୀନ କରାଯିବା ସହ ସେମାନଙ୍କ ସରକାରୀ ପାଣ୍ଠିକୁ ତୁରନ୍ତ ବନ୍ଦ କରିବାକୁ ରିପୋର୍ଟରେ ସୁପାରିସ କରାଯାଇଛି।
ଭାରତ ବିଷୟରେ କ’ଣ ଲେଖାଯାଇଛି?
ପ୍ରୋଜେକ୍ଟ ୨୫ରେ ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଦେଶ ଭାବରେ ଦର୍ଶାଯାଇଛି। ଇସ୍ରାଏଲ, ଇଜିପ୍ଟ, ଉପସାଗରୀୟ ଦେଶ ଏବଂ ସମ୍ଭବତଃ ଭାରତକୁ ନେଇ ଏକ ସୁରକ୍ଷା ସଂଗଠନ ଗଠନ କରିବାକୁ ପରାମର୍ଶ ଦିଆଯାଇଛି। ଏହି ସଂଗଠନକୁ “ସେକେଣ୍ଡ କ୍ୱାଡ” ନାମ ଦିଆଯାଇଛି ଏବଂ ବିଶ୍ୱାସ କରାଯାଉଛି ଯେ ଏଭଳି ମେଣ୍ଟ ଆମେରିକାର ରଣନୈତିକ ସ୍ୱାର୍ଥ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ।
ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କସୁଦୃଢ଼ କରିବା ଆମେରିକାର ବୈଦେଶିକ ନୀତିର ଏକ କେନ୍ଦ୍ରୀୟ ଉଦ୍ଦେଶ୍ୟ ହେବା ଉଚିତ ବୋଲି ଏହି ଦସ୍ତାବିଜରେ ଗୁରୁତ୍ୱାରୋପ କରାଯାଇଛି। ଚୀନର ବଢ଼ୁଥିବା ପ୍ରଭାବକୁ ନିୟନ୍ତ୍ରଣ କରିବା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ମୁକ୍ତ ଓ ସୁରକ୍ଷିତ ରଖିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବା ଦେଶଭାବେ ବର୍ଣ୍ଣନା କରାଯାଇଛି। ଏହାବ୍ୟତୀତ ପୂର୍ବ ଓ ପଶ୍ଚିମକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ଓ ଆକାଶ ମାର୍ଗ ସୁରୁଖୁରୁରେ ଚଳାଚଳ କରି ଭାରତ କୁ ଦେଶ ଭାବେ ସ୍ୱୀକୃତି ମିଳିଛି।
ପ୍ରୋଜେକ୍ଟ ୨୫ ଅନୁଯାୟୀ, ଭାରତ ହେଉଛି ଆମେରିକାର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୈତିକ ସହଯୋଗୀ। ଏହି ଦେଶ କେବଳ ବିଶ୍ୱ ଟିକା ଉତ୍ପାଦନରେ ଅଗ୍ରଣୀ ଭୂମିକା ଗ୍ରହଣ କରୁନାହିଁ, ବରଂ ବିଶ୍ୱ ସ୍ୱାସ୍ଥ୍ୟ ସୁରକ୍ଷାରେ ମଧ୍ୟ ଏହାର ପ୍ରମୁଖ ଯୋଗଦାନ ରହିଛି। କ୍ୱାଡ୍ ସଂଗଠନ ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କକୁ ଆହୁରି ଗଭୀର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ବର୍ତମାନ କ୍ୱାଡରେ ଭାରତ ଓ ଆମେରିକା ବ୍ୟତୀତ ଜାପାନ ଓ ଅଷ୍ଟ୍ରେଲିଆ ସାମିଲ ଅଛନ୍ତି।
