ରାତି ପାହିଲେ ନୂଆବର୍ଷ । ୨୦୨୫କୁ ସ୍ୱାଗତ କରିବା ପାଇଁ ସବୁଆଡେ ଉତ୍ସାହ । ଆଉ ମାତ୍ର କେଇଘଣ୍ଟା ପରେ ବିଦାୟ ନେବ ୨୦୨୪, ପାଦ ଥାପିବ ୨୦୨୫ । ଜିରୋ ନାଇଟ ସେଲିବ୍ରେସନ ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା । ଏଥିପାଇଁ ବିଭିନ୍ନ ହୋଟେଲରୁ ଆରମ୍ଭ କରି କ୍ଲବ ଓ ପବ୍ ମାନଙ୍କରେ ଚାଲିଛି ଜୋରଦାର ପ୍ରସ୍ତୁତି । ହୋଟେଲ ଗୁଡିକୁ ସୁନ୍ଦର ଭାବେ ସଜାଯିବା ସହ ଡିଜେ ନାଇଟ୍ ଓ ଡିନରର ବ୍ୟବସ୍ଥା କରାଯାଇଛି । ଟୁଇନ୍ ସିଟିରେ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ବ୍ୟାପକ ବ୍ୟବସ୍ଥା କରିଛି ।
ନୂଆବର୍ଷ ପାଳନ ପାଇଁ ଓଡ଼ିଶା ପ୍ରସ୍ତୁତ ହେଉଥିବା ବେଳେ ବିଶେଷ କରି ଭୁବନେଶ୍ୱର ଓ କଟକରେ ଲୋକଙ୍କ ସୁରକ୍ଷା ପାଇଁ ପୁଲିସ ଓ ପରିବହନ କର୍ତ୍ତୃପକ୍ଷ କଡ଼ା ପଦକ୍ଷେପ ନେଉଛନ୍ତି।ଯେଉଁମାନେ ଶୂନ୍ୟକାଳ କଟକଣା ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। ମଦ୍ୟପାନ କରିବା ପରେ ଗାଡି ଚଳାଇବାରୁ ଦୂରେଇ ରହିବାକୁ ପାର୍ଟି ଯାଉଥିବା ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଏହା ବଦଳରେ ସେମାନେ ନିର୍ଦ୍ଦିଷ୍ଟ ଡ୍ରାଇଭର କିମ୍ବା ସାର୍ବଜନୀନ ପରିବହନ ବାଛିବେ।
ମଦ୍ୟପାନ କରି ଗାଡି ଚଳାଇଲେ ଲାଇସେନ୍ସ ରଦ୍ଦ ହେବା ସହ ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ କରାଯିବ । ଦ୍ରୁତ ଗତିରେ ଓ ବେପରୁଆ ଭାବେ ନିୟମ ଉଲ୍ଲଂଘନ କରୁଥିବା ଚାଳକଙ୍କୁ ଦଣ୍ଡଦେବା ପାଇଁ ଏଭଳି କିଛି ନିୟମ ଲାଗୁ କରାଯିବ ବୋଲି ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି।
ଯଦି ନିୟମ ଉଲ୍ଲଂଘନ କରୁଥିବା ଗାଡିର ଚାଳକ ପରିଚୟ ଦେବାରେ ସହଯୋଗ ନକରନ୍ତି ତେବେ ସମ୍ପୃକ୍ତ ଗାଡି ମାଲିକଙ୍କଠାରୁ ସମସ୍ତ ବିବରଣୀ ମଗାଯିବ । ଯଦି ସେ ଏହା ପ୍ରଦାନ କରିବାରେ ବିଫଳ ହୁଅନ୍ତି, ତେବେ ଚାଳକଙ୍କ ବିରୋଧରେ ମୋଟର ଅନୁଯାୟୀ ମାମଲା ରୁଜୁ କରାଯିବ।
ନୂଆବର୍ଷ ପାଳନ ନାଁରେ ମଦ୍ୟପାନ କରି ଗାଡ଼ି ଚଳାଇବା ଓ ଦ୍ରୁତ ଗତିରେ ଗାଡ଼ି ଚଳାଇବା ଭଳି ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ପରିବହନ ବିଭାଗ ପକ୍ଷରୁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କୁ ନିର୍ଦ୍ଦେଶ ନାମା ଜାରି କରାଯାଇଛି।
ଅନ୍ୟପକ୍ଷରେ ଜାନୁଆରୀ ପହିଲାରୁ ସାରା ରାଜ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯିବ। ତେଣୁ ଏଭଳି ସ୍ଵତନ୍ତ୍ର ପ୍ରବର୍ତ୍ତନ ଅଭିଯାନ ଶୂନ୍ୟକାଳରୁ ଆରମ୍ଭ ହୋଇ ଜାନୁଆରି ୭ ତାରିଖ ପର୍ଯ୍ୟନ୍ତ ଚାଲିବ।
ଜଙ୍ଗଲ ଅଞ୍ଚଳରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା ଚେକିଂ କରାଯିବ। ପର୍ଯ୍ୟଟନସ୍ଥଳୀକୁ ଆସୁଥିବା ଯାନବାହନ ଯେପରି ସମସ୍ତ ସୁରକ୍ଷା ନିୟମ ପାଳନ କରିବେ ସେଥିପାଇଁ ଏସଓପି ଜାରି କରାଯାଇଛି।
ସେହିପରି ସ୍କୁଲ ଓ କଲେଜ ନିକଟରେ ନାବାଳକଙ୍କ ଗାଡ଼ି ଚାଳନା ଉପରେ ନଜର ରଖିବାକୁ ନିଷ୍ପତ୍ତି ହୋଇଛି। ଏହା ସହିତ ମୋଟର ଯାନ ବୀମା ସମ୍ବନ୍ଧୀୟ ଯାଞ୍ଚ ମଧ୍ୟ କରାଯିବ ।