Gita Upadesh: ଶ୍ରୀମଦ୍ ଭଗବତ ଗୀତା ହିନ୍ଦୁ ଧର୍ମର ସବୁଠୁ ପବିତ୍ର ଗ୍ରନ୍ଥ ।
ଯେଉଁଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଦୁର୍ମୂଲ୍ୟ ଉପଦେଶ ବର୍ଣ୍ଣିତ ରହିଛି। ଏହି ଉପଦେଶ ଭଗବାନ ମହାଭାରତ ଯୁଦ୍ଧଭୂମିରେ ସଖା ଅର୍ଜୁନଙ୍କୁ ଦେଇଥିଲେ । ଗୀତା ଜ୍ଞାନର ଅସରନ୍ତି ଭଣ୍ଡାର । ଗୀତାରେ ପ୍ରଦତ୍ତ ପ୍ରତିଟି ସନ୍ଦେଶ ଆଜି ବି ମାନବ ଜାତି ପାଇଁ ସେତିକି ପ୍ରାସଙ୍ଗିକ । ଏହା କେବଳ ଜୀବନର ଅର୍ଥ ଓ ମର୍ମ ସମ୍ପର୍କରେ ଶିକ୍ଷା ଦିଏ ନାହିଁ ବରଂ ମନୁଷ୍ୟର ଜୀବନର ତମାମ୍ ସମସ୍ୟାର ସମାଧାନ ମିଳେ । ଗୀତା ଆଜିର ଚାପଗ୍ରସ୍ତ, ଜଞ୍ଜାଳମୟ ଜୀବନରେ ବଞ୍ଚିବାର ପଥ ପ୍ରଦର୍ଶନ କରେ । ଆଜି ଆମେ ଗୀତାରେ ବର୍ଣ୍ଣିତ ଶ୍ରୀକୃଷ୍ଣ ମୁଖ ନିସୃତ 7ଟି ଅମୃତ ବାଣୀ ସମ୍ପର୍କରେ କହିବୁ ଯାହାକୁ ପାଳନ କରି ଜଣେ ସଫଳତା ହାସଲ କରିବା ସହ ସୁଖମୟ ଜୀବନ ଜିଇଁପାରିବ ।
କର୍ମ କର ଫଳର ଆଶା ରଖ ନାହିଁ:
ଗୀତା ବାଣୀରେ ଶ୍ରୀକୃଷ୍ଣ କହିଛନ୍ତି ଯେ, ମଣିଷ ଫଳର ଆଶା ନରଖି ନିଜ କର୍ମ ଉପରେ ଧ୍ୟାନ ଦେଉ । ମଣିଷ ଯାହା ବି କର୍ମ କରେ ସେଇ ଅନୁଯାୟୀ ଫଳ ପାଇଥାଏ । କର୍ମ ନକଲେ ଆଶାନୁରୂପ ଫଳ ମିଳିବ ନାହିଁ । ତେଣୁ ଜଣେ ବ୍ୟକ୍ତି ଭଲ କର୍ମ ଜାରି ରଖିବା ଉଚିତ୍ । ଶ୍ରୀକୃଷ୍ଣଙ୍କ ଏହି ଉପଦେଶ ମନୁଷ୍ୟକୁ ଜୀବନର ପଥ ପ୍ରଦର୍ଶନ କରିଥାଏ ।
କ୍ରୋଧ ମନୁଷ୍ୟର ବଡ଼ ଶତ୍ରୁ:
ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଥିଲେ, କ୍ରୋଧ ମନୁଷ୍ୟର ବଡ଼ ଶତ୍ରୁ । କ୍ରୋଧ ଦ୍ବାରା ବୁଦ୍ଧି ନାଶ ହୁଏ । ବୁଦ୍ଧି ନାଶ ହେଲେ ମନୁଷ୍ୟ ନିଜର ହିଁ ବିନାଶ କରି ବସେ । ଅର୍ଥାତ୍ ମଣିଷ କ୍ରୋଧରେ ଭୁଲ ଠିକ୍ ବିଚାର କରିପାରେ ନାହିଁ । ତେଣୁ କୌଣସି କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବାକୁ ହେଲେ ନିଜର କ୍ରୋଧ ତ୍ୟାଗ କରନ୍ତୁ ଏବଂ ମନକୁ ଶାନ୍ତ, ସ୍ଥିର ରଖନ୍ତୁ ।
ଅତ୍ୟଧିକ ଆସକ୍ତି ହାନିକାରକ:
ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଇଥିଲେ ଯେ, କୌଣସି ଜିନିଷ (ବସ୍ତୁ ହେଉକି ମାନବ) ପ୍ରତି ଅତ୍ୟଧିକ ଆସକ୍ତି ମନୁଷ୍ୟ ହୃଦୟରେ କ୍ରୋଧ ଓ ନିରାଶା ସୃଷ୍ଟି କରିଥାଏ । କାରଣ ସେହି ଜିନିଷ ଯେତେବେଳେ ମନୁଷ୍ୟକୁ ନ ମିଳେ ତେବେ ହତାଶା ଓ କ୍ରୋଧ ଆସିଥାଏ । ଯାହାଦ୍ବାରା ସବୁ କାମ ବିଗିଡିଯାଇଥାଏ । ତେଣୁ କୌଣସି ଜିନିଷ ପ୍ରତି ଅଧିକ ଆସକ୍ତିଭାବ ହାନିକାରକ ।
ସନ୍ଦେହ ମଣିଷକୁ ଦୁଃଖ ଦିଏ:
ଗୀତାର ଶ୍ଲୋକରେ ସନ୍ଦେହକୁ ମଣିଷ ଶତ୍ରୁ ଭାବେ ବର୍ଣ୍ଣନା କରାଯାଇଛି । ଯେଉଁ ବ୍ୟକ୍ତି ସନ୍ଦେହ କରନ୍ତି ସେ କେବେ ବି ସୁଖ ଶାନ୍ତିରେ ରହିପାରନ୍ତି ନାହିଁ । ସନ୍ଦେହୀ ମଣିଷ ସ୍ବୟଂର ବିନାଶ କରିଥାଏ । ତେଣୁ ଜୀବନରେ ପ୍ରସନ୍ନ ରହିବାକୁ ହେଲେ ସନ୍ଦେହ ତ୍ୟାଗ କରିବା ଉଚିତ ।
ଖାଲି ହାତରେ ଆସିଥିଲେ ଖାଲି ହାତରେ ଯିବା:
ଗୀତାରେ ବର୍ଣ୍ଣନା ଅନୁଯାୟୀ, ଯୁଦ୍ଧଭୂମିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ ଆମେ ଦୁନିଆକୁ ଖାଲି ହାତରେ ଆସିଥିଲେ । ସେହିଭଳି ଯିବାବେଳେ ଖାଲି ହାତରେ ଯିବା । ସାଙ୍ଗରେ କୌଣସି ଧନ ସମ୍ପତ୍ତି ନେଇପାରିବା ନାହିଁ । ଏହି ବାଣୀ ବୁଝାଇଥାଏ ଯେ, ଆମେ ଯେଉଁ ଭୌତିକ ବସ୍ତୁ ପଛରେ ଗୋଡାଉଛୁ ଏହା କେବଳ ଏକ ନିଶ୍ଚିତ ସମୟ ପାଇଁ ଆମ ପାଖରେ ରହିବ । ଏହି ସତ୍ୟକୁ ବୁଝିଲେ ଆମେ ଆଜିର ପ୍ରତିଯୋଗିତାମୂଳକ ଜୀବନରେ ଶାନ୍ତିରେ ରହିପାରିବା ।
ଆତ୍ମା ପତନର ତିନୋଟି ମାର୍ଗ- କାମ, କ୍ରୋଧ, ଲୋଭ:
ଗୀତାରେ ଶ୍ରୀକୃଷ୍ଣ ମନୁଷ୍ୟକୁ କାମ, କ୍ରୋଧ ଓ ଲୋଭ ନେଇ ଚେତାଇଛନ୍ତି । କାମନା, କ୍ରୋଧ ଓ ଲୋଭ ମନୁଷ୍ୟ ଭିତରର ତିନି ଶତ୍ରୁ । ଏମାନେ ଆତ୍ମାର ନାଶ କରନ୍ତି । ଆତ୍ମାର ନାଶ ହେଲେ ମନୁଷ୍ୟକୁ ବିନାଶ ଆଡକୁ ଅଗ୍ରସର ହୋଇଥାଏ ।
ALSO READ: https://purvapaksa.com/shani-dev-2/
ଶନିବାର ଦିନ ଜୋତା ଚପଲ ଦାନ କରିବା ଦ୍ୱାରା ମିଳିଥାଏ ଶନିଦେବଙ୍କ ଆଶୀର୍ବାଦ