ମାନବିକ ସ୍ୱାର୍ଥକୁ ପ୍ରାଥମିକତା ଦେଉଛି ଭାରତ
ଦେଶର ଭବିଷ୍ୟତରେ ସମସ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ସିବିସିଆଇ କେନ୍ଦ୍ର ପରିସରରେ କାଥୋଲିକ୍ ବିଶପ୍ସ କନ୍ଫରେନ୍ସ ଅଫ୍ ଇଣ୍ଡିଆ (ସିବିସିଆଇ) ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ପ୍ରଥମ ଥର ପାଇଁ କୌଣସି ପ୍ରଧାନମନ୍ତ୍ରୀ ଭାରତର କ୍ୟାଥଲିକ ଚର୍ଚ୍ଚ ମୁଖ୍ୟାଳୟରେ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କାର୍ଡିନାଲ, ବିଶପ ଏବଂ ଚର୍ଚ୍ଚର ପ୍ରମୁଖ ନେତାଙ୍କ ସମେତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରମୁଖ ନେତାଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ।
ଦେଶର ନାଗରିକ ଏବଂ ବିଶ୍ୱବ୍ୟାପୀ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ କିଛି ଦିନ ତଳେ ସେ କେନ୍ଦ୍ର ମନ୍ତ୍ରୀ ଜର୍ଜ କୁରିଆନଙ୍କ ବାସଭବନରେ ଖ୍ରୀଷ୍ଟମାସ ଉତ୍ସବରେ ଯୋଗ ଦେଇଥିଲେ ଏବଂ ଆଜି କ୍ୟାଥୋଲିକ ବିଶପ୍ସ କନଫରେନ୍ସ ଅଫ୍ ଇଣ୍ଡିଆ (ସିବିସିଆଇ) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ସମ୍ମାନିତ ହୋଇଛନ୍ତି । ସିବିସିଆଇର ୮୦ତମ ବାର୍ଷିକୀ ପାଳନ ହେଉଥିବାରୁ ଏହି ଅବସର ବିଶେଷ। ଏହି ଉଲ୍ଲେଖନୀୟ ମାଇଲଖୁଣ୍ଟ ପାଇଁ ମୋଦି ସିବିସିଆଇ ଏବଂ ଏହା ସହିତ ଜଡ଼ିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯେ ଶେଷ ଥର ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସିବିସିଆଇ ସହିତ ଖ୍ରୀଷ୍ଟମାସ ପାଳନ କରିଥିଲେ ଏବଂ ଆଜି ସମସ୍ତେ ସିବିସିଆଇ କ୍ୟାମ୍ପସରେ ଏକାଠି ହୋଇଛନ୍ତି । “ମୁଁ ଇଷ୍ଟର ସମୟରେ ସାକ୍ରେଡ୍ ହାର୍ଟ କ୍ୟାଥେଡ୍ରାଲ ଚର୍ଚ୍ଚ ମଧ୍ୟ ପରିଦର୍ଶନ କରିଛି ଏବଂ ମୁଁ ଆପଣ ସମସ୍ତଙ୍କଠାରୁ ପାଇଥିବା ଶ୍ରଦ୍ଧା ପାଇଁ କୃତଜ୍ଞ । ମୁଁ ପୋପ୍ ଫ୍ରାନ୍ସିସଙ୍କ ଠାରୁ ସମାନ ସ୍ନେହ ଅନୁଭବ କରୁଛି, ଯାହାଙ୍କୁ ମୁଁ ଚଳିତ ବର୍ଷ ପ୍ରାରମ୍ଭରେ ଇଟାଲୀରେ ଜି-୭ ଶିଖର ସମ୍ମିଳନୀ ସମୟରେ ଭେଟିଥିଲି – ତିନି ବର୍ଷ ମଧ୍ୟରେ ଏହା ଆମର ଦ୍ୱିତୀୟ ସାକ୍ଷାତ। ମୁଁ ତାଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲି”, ବୋଲି ମୋଦି କହିଥିଲେ। ସେ କହିଥିଲେ ଯେ ସେପ୍ଟେମ୍ବରରେ ତାଙ୍କ ନ୍ୟୁୟର୍କ ଗସ୍ତ ସମୟରେ ସେ କାର୍ଡିନାଲ ପିଏଟ୍ରୋ ପାରୋଲିନଙ୍କୁ ଭେଟିଥିଲେ। ଏହି ଆଧ୍ୟାତ୍ମିକ ସାକ୍ଷାତ ସେବା ପ୍ରତି ପ୍ରତିବଦ୍ଧତାକୁ ପ୍ରେରଣା ଓ ସୁଦୃଢ଼ କରିଥାଏ ।
ନିକଟରେ ପୋପ୍ ଫ୍ରାନ୍ସିସଙ୍କ ଦ୍ୱାରା କାର୍ଡିନାଲ ଉପାଧିରେ ସମ୍ମାନିତ କାର୍ଡିନାଲ ଜର୍ଜ କୁଭାକଡଙ୍କ ସହ ତାଙ୍କର ସାକ୍ଷାତକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ମନ୍ତ୍ରୀ ଜର୍ଜ କୁରିଆନଙ୍କ ନେତୃତ୍ୱରେ ଭାରତ ସରକାର ଏହି କାର୍ଯ୍ୟକ୍ରମକୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପଠାଇଛନ୍ତି । ଯେତେବେଳେ ଜଣେ ଭାରତୀୟ ଏଭଳି ସଫଳତା ହାସଲ କରନ୍ତି, ସେତେବେଳେ ସମଗ୍ର ଦେଶ ଗର୍ବ ଅନୁଭବ କରିଥାଏ। ଏହି ଉଲ୍ଲେଖନୀୟ ସଫଳତା ପାଇଁ ମୁଁ ପୁଣି ଥରେ କାର୍ଡିନାଲ ଜର୍ଜ କୁଭାକଡଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ମୋଦି କହିଛନ୍ତି।
ସେ ଅନେକ ସ୍ମୃତିକୁ ମଧ୍ୟ ମନେ ପକାଇଥିଲେ, ବିଶେଷକରି ଏକ ଦଶନ୍ଧି ପୂର୍ବେ ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରୁ ଫାଦର ଆଲେକ୍ସିସ୍ ପ୍ରେମ କୁମାରଙ୍କୁ ଉଦ୍ଧାର କରାଯାଇଥିବା ସମୟର ସଫଳ ମୁହୂର୍ତ୍ତ । ଫାଦର ଆଲେକ୍ସିସ୍ ପ୍ରେମ କୁମାର ୮ ମାସ ଧରି ବନ୍ଧକ ଥିଲେ ଏବଂ କଠିନ ପରିସ୍ଥିତି ସତ୍ତ୍ୱେ ସରକାର ତାଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବା ପାଇଁ ଯଥାସମ୍ଭବ ପ୍ରୟାସ କରିଥିଲେ । ଯେତେବେଳେ ଆମେ ସଫଳ ହୋଇଥିଲୁ ସେତେବେଳେ ତାଙ୍କ ପରିବାରର ସ୍ୱରରେ ଥିବା ଖୁସିକୁ ମୁଁ କେବେ ବି ଭୁଲିପାରିବି ନାହିଁ । ସେହିଭଳି, ଯେତେବେଳେ ୟେମେନରେ ଫାଦର ଟମଙ୍କୁ ବନ୍ଧକ କରାଯାଇଥିଲା, ଆମେ ମଧ୍ୟ ତାଙ୍କୁ ଫେରାଇ ଆଣିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲୁ ଏବଂ ମୁଁ ତାଙ୍କୁ ମୋ ଘରକୁ ନିମନ୍ତ୍ରଣ କରିବାର ଗୌରବ ପାଇଥିଲି । ଉପସାଗରୀୟ ଅଞ୍ଚଳରେ ସଙ୍କଟରେ ଥିବା ନର୍ସ ଭଉଣୀମାନଙ୍କୁ ଉଦ୍ଧାର କରିବା ପାଇଁ ଆମର ପ୍ରୟାସ ସମାନ ଭାବରେ ନିରବଚ୍ଛିନ୍ନ ଏବଂ ସଫଳ ଥିଲା ବୋଲି କହିଥିଲେ । ଏହି ପ୍ରୟାସ କେବଳ କୂଟନୈତିକ ମିଶନ ନୁହେଁ ବରଂ ପରିବାର ସଦସ୍ୟଙ୍କୁ ଫେରାଇ ଆଣିବା ପାଇଁ ଭାବନାତ୍ମକ ପ୍ରତିବଦ୍ଧତା ଥିଲା । ଆଜିର ଭାରତ ଯେକୌଣସି ସ୍ଥାନରେ ଥାଉ ନା କାହିଁକି, ସଙ୍କଟ ସମୟରେ ସେମାନଙ୍କୁ ଉଦ୍ଧାର କରିବା ନିଜ କର୍ତ୍ତବ୍ୟ ବୋଲି ବିବେଚନା କରୁଛି।
କୋଭିଡ୍-୧୯ ମହାମାରୀ ସମୟରେ ଭାରତର ବୈଦେଶିକ ନୀତି ଜାତୀୟ ସ୍ୱାର୍ଥ ସହିତ ମାନବିକ ସ୍ୱାର୍ଥକୁ ପ୍ରାଥମିକତା ଦେଉଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଅନେକ ଦେଶ ନିଜ ସ୍ୱାର୍ଥ ଉପରେ ଧ୍ୟାନ ଦେଉଥିବା ବେଳେ ଭାରତ ନିଃସ୍ୱାର୍ଥପର ଭାବେ ୧୫୦ରୁ ଅଧିକ ଦେଶକୁ ଔଷଧ ଓ ଟିକା ପଠାଇ ସାହାଯ୍ୟ କରିଥିଲା। ଏହାର ସକାରାତ୍ମକ ବୈଶ୍ୱିକ ପ୍ରଭାବ ପଡ଼ିଥିଲା ଏବଂ ଗାୟାନାଙ୍କ ଭଳି ରାଷ୍ଟ୍ର ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ। ଅନେକ ଦ୍ୱୀପ ରାଷ୍ଟ୍ର, ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ଏବଂ କ୍ୟାରିବିଆନ୍ ଦେଶ ମଧ୍ୟ ଭାରତର ମାନବୀୟ ପ୍ରୟାସକୁ ପ୍ରଶଂସା କରିଛନ୍ତି। ଏକବିଂଶ ଶତାବ୍ଦୀରେ ଭାରତର ମାନବ କେନ୍ଦ୍ରୀତ ଆଭିମୁଖ୍ୟ ବିଶ୍ୱକୁ ଉନ୍ନତ କରିବାକୁ ଯାଉଛି।
ଭଗବାନ ଖ୍ରୀଷ୍ଟଙ୍କ ଶିକ୍ଷା ପ୍ରେମ, ସୌହାର୍ଦ୍ଦ୍ୟ ଏବଂ ଭାଇଚାରା ଉପରେ ଗୁରୁତ୍ୱାରୋପ କରେ ବୋଲି ମୋଦି କହିଛନ୍ତି ଏବଂ ଏହା ତାଙ୍କୁ ଦୁଃଖିତ କରେ ଯେତେବେଳେ ସମାଜରେ ହିଂସା ଏବଂ ବିଶୃଙ୍ଖଳା ବ୍ୟାପିଥାଏ, ଯାହା ନିକଟରେ ଜର୍ମାନୀର ଏକ ଖ୍ରୀଷ୍ଟମାସ ବଜାରରେ ଏବଂ ୨୦୧୯ ରେ ଶ୍ରୀଲଙ୍କାରେ ଇଷ୍ଟର ବୋମା ବିସ୍ଫୋରଣ ସମୟରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ସେ ପୀଡ଼ିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି ଖ୍ରୀଷ୍ଟମାସ ଅଧିକ ସ୍ୱତନ୍ତ୍ର କାରଣ ଏହା ଜୟନ୍ତୀ ବର୍ଷର ଶୁଭାରମ୍ଭ, ଆଶା ଉପରେ କେନ୍ଦ୍ରିତ । “ପବିତ୍ର ବାଇବେଲ ଆଶାକୁ ଶକ୍ତି ଏବଂ ଶାନ୍ତିର ଉତ୍ସ ଭାବରେ ଦେଖେ । ଆମେ ମଧ୍ୟ ଆଶା ଏବଂ ସକାରାତ୍ମକତା ଦ୍ୱାରା ପରିଚାଳିତ । ମାନବିକତା ପାଇଁ ଆଶା କରୁଛି ଉନ୍ନତ ବିଶ୍ୱ ପାଇଁ ଆଶା ଏବଂ ଶାନ୍ତି, ପ୍ରଗତି ତଥା ସମୃଦ୍ଧି ପାଇଁ ଆଶା କରୁଛି ବୋଲି ମୋଦି କହିଛନ୍ତି ।ଗତ ୧୦ ବର୍ଷ ମଧ୍ୟରେ ଭାରତରେ ୨୫୦ ନିୟୁତ ଲୋକ ଦାରିଦ୍ର୍ୟକୁ ଦୂର କରିପାରିଛନ୍ତି ବୋଲି ଆଲୋକପାତ କରିଥିଲେ ଏବଂ ଦାରିଦ୍ର୍ୟ ଉପରେ ବିଜୟ ସମ୍ଭବ ବୋଲି ଆଶା ବ୍ୟକ୍ତ କରିଥିଲେ। ଭାରତ ମଧ୍ୟ ଦଶମରୁ ପଞ୍ଚମ ବୃହତ୍ତମ ଅର୍ଥନୀତିକୁ ଉନ୍ନୀତ ହୋଇଛି, ଯାହା ଆମର ଆତ୍ମବିଶ୍ୱାସ ଓ ନିଷ୍ଠାର ପ୍ରମାଣ।
ବାଇବେଲ ଆମକୁ ପରସ୍ପରର ବୋଝ ବହନ କରିବାକୁ ଶିଖାଏ, ପରସ୍ପରର ଯତ୍ନ ନେବାକୁ ଉତ୍ସାହିତ କରେ ଏବଂ ପରସ୍ପରର ମଙ୍ଗଳ ପାଇଁ ଦାୟିତ୍ୱ ନେବାକୁ ଉତ୍ସାହିତ କରେ । ଏହି ମାନସିକତା ସହିତ ନୂତନ ବିଦ୍ୟାଳୟ ପ୍ରତିଷ୍ଠା, ଶିକ୍ଷା ମାଧ୍ୟମରେ ସମ୍ପ୍ରଦାୟର ଉନ୍ନତି କିମ୍ବା ଜନସାଧାରଣଙ୍କ ସେବା ପାଇଁ ସ୍ୱାସ୍ଥ୍ୟ ପଦକ୍ଷେପ କାର୍ଯ୍ୟକାରୀ କରିବା ମାଧ୍ୟମରେ ସମାଜ ସେବାରେ ଅନୁଷ୍ଠାନ ଏବଂ ସଂଗଠନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଯୀଶୁ ଖ୍ରୀଷ୍ଟ ବିଶ୍ୱକୁ କରୁଣା ଏବଂ ନିଃସ୍ୱାର୍ଥପର ସେବାର ମାର୍ଗ ଦେଖାଇଥିଲେ । ଆମେ ଖ୍ରୀଷ୍ଟମାସ ପାଳନ କରୁ ଏବଂ ଯୀଶୁଙ୍କୁ ସ୍ମରଣ କରୁ ଯାହା ଦ୍ୱାରା ଆମେ ଏହି ମୂଲ୍ୟବୋଧଗୁଡ଼ିକୁ ଆମ ଜୀବନରେ ଅନ୍ତର୍ଭୁକ୍ତ କରିପାରିବା ଏବଂ ସର୍ବଦା ଆମର କର୍ତ୍ତବ୍ୟକୁ ପ୍ରାଥମିକତା ଦେଇପାରିବା।
ସାମୂହିକ ପ୍ରୟାସ ଦେଶକୁ ନିଶ୍ଚିତ ଆଗକୁ ବଢ଼ାଇବ ବୋଲି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ ଆମର ମିଳିତ ଲକ୍ଷ୍ୟ ଏବଂ ମିଳିମିଶି ଆମେ ଏହାକୁ ହାସଲ କରିବୁ। ଭବିଷ୍ୟତ ପିଢ଼ି ପାଇଁ ଉଜ୍ଜ୍ୱଳ ଭାରତ ଗଢ଼ିବା ଆମର ଦାୟିତ୍ୱ । ପୁଣି ଥରେ ମୁଁ ଆପଣ ସମସ୍ତଙ୍କୁ ଖ୍ରୀଷ୍ଟମାସ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ବୋଲି ମୋଦି କହିଛନ୍ତି।
previous article:https://purvapaksa.com/justice-v-ramasubramanian-appointed-new-nhrc-chief/
