DEPRESSION AFTER PREGNANCY: ପ୍ରସବ ପରେ ଗୋଟିଏ ମହିଳାଙ୍କ ଶରୀରରେ ଅନେକ ପରିବର୍ତନ ଆସିଥାଏ । ଯାହା ସମୟକ୍ରମେ ଚିନ୍ତାର କାରଣ ପାଲଟିଥାଏ ।
ପ୍ରସବ ପରେ ହର୍ମୋନ୍ ସ୍ତରର ହଠାତ୍ ହ୍ରାସ (ଯେପରିକି ଇଷ୍ଟ୍ରୋଜେନ୍, ପ୍ରୋଜେଷ୍ଟେରନ୍, ଏବଂ ଥାଇରଏଡ୍ ହରମୋନ୍) ଏବଂ ନିଦ୍ରାର ଅଭାବ କାରଣରୁ ପ୍ରସବ ପରେ ଅନେକ ମହିଳାମାନଙ୍କୁ ମାନସିକ ଚାପର ସମ୍ମୁଖୀନ ହେବାକୁ ପଡ଼େ । ସେହି ସମୟରେ କିପରି ସେହି ଚାପକୁ କମ କରିବା ତାହା ବୁଝାପଡ଼େ ନାହିଁ। ଆମ ଆପଣଙ୍କୁ କହିବୁ ସେହି ସମୟରେ କ’ଣ କରିବା ଆବଶ୍ୟକ…
ମାନସିକ ଚାପର ମୁଖ୍ୟ କାରଣ:
ମନସ୍ତତ୍ଵବିତ ଉମାପ୍ରସାଦ ବିଶ୍ଵାଳ କହିଛନ୍ତି, “ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କଠାରେ ମାନସିକ ଚାପ ଜନିତ ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ । ଅନେକ ବ୍ୟକ୍ତି ବଂଶାନୁଗତ କାରଣ ଯୋଗୁଁ ମାନସିକ ଚାପ ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ହୋଇଥାନ୍ତି । ଆଜିକାଲିର ଆଧୁନିକ ଜୀବନଶୈଳୀ ମଧ୍ୟ କେତେକାଂଶରେ ମାନସିକ ଚାପ ଆରମ୍ଭ କାରଣ ହେଉଛି ।
ଏହାସହ କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ ପ୍ରତିଦ୍ଵନ୍ଦ୍ଵିତାମୂଳକ ମନୋଭାବ ରଖି କାମ କରୁଥିବା ବ୍ୟକ୍ତିମାନେ ମାନସିକ ଚାପରେ ବେଶୀ ଶିକାର ହେଉଛନ୍ତି । ଜୀବନରେ ଘଟୁଥିବା କେତେକ ଜଟିଳ ସମସ୍ୟା ଯୋଗୁଁ ମାନସିକ ଚାପ ସୃଷ୍ଟି ହୋଇଥାଏ । ସବୁବେଳେ ନକରାତ୍ମକ ଚିନ୍ତାଧାରାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ମାନସିକ ଚାପରେ ସମ୍ମୁଖୀନ ହୋଇଥାନ୍ତି ।”
ଶିଶୁ ଉପରେ କେଉଁ ପ୍ରଭାବ ପଡ଼େ:
ମନସ୍ତତ୍ଵବିତ ଉମାପ୍ରସାଦ ବିଶ୍ଵାଳ କହିଛନ୍ତି, “ମାଆର ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଗଲେ ବିଶେଷ ଭାବରେ ଛୁଆ ଉପରେ ପ୍ରଭାବ ପଡିଥାଏ । ପ୍ରତିଟି ମୁହୂର୍ତ୍ତରେ ମାଆ ଉପରେ ଯେଉଁ ସମସ୍ଯା ଆସେ ସବୁ କିଛି ସିଧାସଳଖ ଭାବରେ ଛୁଆ ଉପରେ ପ୍ରଭାବ ପଡିବ । ମାଆ ଠାରୁ ଛୁଆ ମଧ୍ୟ ଶିଖିବା ଆରମ୍ଭ କରିଥାଏ । ଯଦି ମାଆ କିଛି ଜିନିଷକୁ ଦେଖି ଡରିଯାଏ ତେବେ ଛୁଆ ମଧ୍ୟ ଡରିବାର ସମ୍ଭାବନା ରହିଛି । ଯଦି ସେହି ଜିନିଷକୁ ମାଆ ଦେଖି ହସି ଦିଏ ତେବେ ଛୁଆ ମଧ୍ୟ ନ ଡରି ହସିବାକୁ ଲାଗିଥାଏ । ତେଣୁ ମାଆ ଯେଉଁଭଳି ବ୍ୟବହାର କରିବ ତାହା ପିଲା ଉପରେ ପ୍ରଭାବ ପକାଇବ । “
କ’ଣ କରିବା ଆବଶ୍ୟକ:
“ପ୍ରଥମ କରି ମାଆର ସଠିକ ଭାବରେ ଯତ୍ନ ନେବା ଆବଶ୍ୟକ । ଗର୍ଭାବସ୍ଥା ସମୟରେ ନିଜକୁ ଭଲ ଭାବରେ ପ୍ରସ୍ତୁତ କରିବା ଏବଂ ଶିଶୁ ଜନ୍ମ ହେଲା ପରେ ମଧ୍ୟ ନିଜକୁ କିଭଳି ସମ୍ଭାଳିବା ସେନେଇ ପରାମର୍ଶ ଦେବା ଆବଶ୍ୟକ । ଠିକ ଭାବରେ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା । ଖାଦ୍ୟପେୟ ଆଦିକୁ ସଠିକ ଭାବରେ ପରିଚାଳନା କରିବା ଅବଶ୍ୟକ । ସମସ୍ତେ ମାଆକୁ ସମର୍ଥନ ଦେବା ଆବଶ୍ୟକ। ମାଆକୁ କେବେହେଲେ ଏକା ଅନୁଭବ କରିବାକୁ ନ ଦେବା ଉଚିତ ।” ସନ୍ତାନ ଜନ୍ମପରେ ମହିଳାମାନେ ଡିପ୍ରେସନର ଶିକାର: “ସନ୍ତାନ ଜନ୍ମ ହେବା ପରେ ମହିଳାମାନେ ବିଭିନ୍ନ ପ୍ରକାର ମାନସିକ ସମସ୍ୟାର ଶିକାର ହୋଇଥାନ୍ତି । ଏପରି କି ସନ୍ତାନ ଜନ୍ମ ହେବା ପରେ ଶରୀରରେ ହରମୋନ ପରିବର୍ତ୍ତନ ଯୋଗୁଁ ଏପରି ସମସ୍ୟା ହୋଇଥାଏ ।
ସନ୍ତାନ ଜନ୍ମ ହେବା ପରେ ଅଧିକାଂଶ ସମୟରେ ମହିଳାମାନେ ଆଉ କିଛି କାମ କରିପାରିବେ ନାହିଁ ବୋଲି ମନେ କରନ୍ତି । ଏହି ଭାବନା ହିଁ ସେମାନଙ୍କୁ ମାନସିକ ଭାବେ ଅବସାଦଗ୍ରସ୍ତ କରିଦେଇଥାଏ । ପ୍ରସବ ପରେ ବିଭିନ୍ନ କ୍ଷେତ୍ରରେ ମହିଳାମାନେ ନିଜକୁ ଅସହାୟ ବୋଲି ମନେ କରିଥାନ୍ତି । ପିଲାମାନଙ୍କର ଦେଖାଶୁଣା କରିବା ନେଇ ଚାପରେ ରହୁଥିବାବେଳେ ତାହା ବଢିଗଲେ ମାନସିକ ଅବସାଦର ରୂପ ନେଇଥାଏ ।
ଏଭଳି ସ୍ଥିତିରେ ସେମାନେ କୌଣସି ନିର୍ଣ୍ଣୟ ନେଇପାରନ୍ତି ନାହିଁ । ପୁଣି ସବୁ କଥା ଭୁଲିବାକୁ ଆରମ୍ଭ କରନ୍ତି । ବିଶେଷ ଭାବରେ ସେମାନଙ୍କୁ ଠିକ ସମୟରେ ଭୋକ କମ ଲାଗିଥାଏ । ତେଣୁ ଖାଦ୍ୟ ପ୍ରତି ଅରୁଚି ସାଧାରଣତଃ ବଢିଥାଏ ।”
ALSO READ: https://purvapaksa.com/beetroot-paratha/