- ଚିଠି ଲେଖିଲେ ଗୃହ ସଚିବ
- ଦେଶରେ ପ୍ରଥମ ଘଟଣା
ସୁରକ୍ଷିତ ହୋଇପାରୁନି ଶିମିଳିପାଳ। ବନ ବିଭାଗ କର୍ମଚାରୀ ଟିକିଏ ନଜର ହଟାଇଲେ ଜଙ୍ଗଲରେ ପଶି ଜନ୍ତୁ ଶିକାରରେ ମାତୁଛନ୍ତି ମାଫିଆ। ତେଣୁ ୨୭୫୦ ବର୍ଗ କିମି ପରିବ୍ୟାପ୍ତ ଏହି ବିଶାଳ ଜୈବମଣ୍ଡଳର ସୁରକ୍ଷା ପାଇଁ ସଶସ୍ତ୍ର ପୁଲିସ ବଳ ନିୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ୧୩୧ ଜଣିଆ ଏକ ସ୍ୱତନ୍ତ୍ର ଟିମ୍ ଗଠନ ପାଇଁ ଆକାଉଣ୍ଟ୍ସ ଜେନେରାଲଙ୍କୁ ଚିଠି ଲେଖି ଜଣାଇଛନ୍ତି ଗୃହ ସଚିବ ସତ୍ୟବ୍ରତ ସାହୁ। ଏହି ଦଳରେ ଜଣେ କମାଣ୍ଡାଣ୍ଟ, ଜଣେ ଇନ୍ସପେକ୍ଟର, ୩ ଜଣ ସବ୍ଇନ୍ସପେକ୍ଟର, ୩ ଜଣ ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର, ୩୦ ଜଣ ହାବିଲଦାର, ୩ ଜଣ ଡ୍ରାଇଭର୍ ହାବିଲଦାର, ୮୭ ଜଣ ସିପାହୀ ଓ ୩ ଜଣ ଡ୍ରାଇଭର ରହିବେ। ମୟୁରଭଞ୍ଜ ଏସ୍ପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବେ। ଏହି ପୁଲିସ କମ୍ପାନୀର ସମସ୍ତ ଖର୍ଚ୍ଚ ଜଙ୍ଗଲ ଓ ପରିବେଶ ବିଭାଗ ବହନ କରିବ। କୌଣସି ଅଭୟାରଣ୍ୟର ସୁରକ୍ଷା ପାଇଁ ଏକ କମ୍ପାନୀ ସଶସ୍ତ୍ର ପୁଲିସ ବଳ ନିୟୋଜିତ ହେବା ଦେଶରେ ପ୍ରଥମ ହେବ ବୋଲି କୁହାଯାଉଛି।
ଗତବର୍ଷ ଶିକାରୀଙ୍କ ଗୁଳିରେ ୨ଜଣ ବନ କର୍ମଚାରୀଙ୍କ ମୃତ୍ୟୁ ପରେ ତତ୍କାଳୀନ ବିଜେଡି ସରକାର ପୁଲିସ ଓ ବନ କର୍ମଚାରୀଙ୍କୁ ନେଇ ଯୁଗ୍ମ ଟାସ୍କଫୋର୍ସ (ଜେଟିଏଫ୍) ଗଠନ କରିଥିଲେ। ୧୦୦ ଜଣ ସଶସ୍ତ୍ର ପୁଲିସ ବାହିନୀ ବନ ବିଭାଗକୁ ଶିମିଳିପାଳ ସୁରକ୍ଷାରେ ସହଯୋଗ କରୁଥିଲେ। ତେବେ ସରକାର ବଦଳିବା ପରେ ଏହି ପୁଲିସ ବଳକୁ ପ୍ରତ୍ୟାହାର କରି ନିଆଯାଇଥିଲା। ନିକଟରେ ଏନେଇ ରାଜ୍ୟସଭାରେ ପ୍ରଶ୍ନ କରିଥିଲେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ସୁରକ୍ଷା ପାଇଁ ଆଜିର ଦିନରେ ମାତ୍ର ୩୫ଜଣ ବନ କର୍ମଚାରୀ ନିୟୋଜିତ ଥିବାନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ସଂସଦରେ ଉତ୍ତର ରଖିବା ପରେ ଶିମିଳିପାଳର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଫଳରେ ଶମିଳିପାଳ ସୁରକ୍ଷା ପାଇଁ ସମର୍ପିତ ସଶସ୍ତ୍ର ପୁଲିସ ବଳ ନିୟୋଜିତ କରିବାକୁ ଯୋଜନା କରାଯାଇଛି।
ଓଡ଼ିଶା ସଂରକ୍ଷଣ ଆଇନ (ଓଆରଭି)ର ସମ୍ପୃକ୍ତ ନିୟମ ଓ ବ୍ୟବସ୍ଥା ଅନୁଯାୟୀ ଏପିଆର କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ଏ ସଂକ୍ରାନ୍ତରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଚିଠିରେ କୁହାଯାଇଛି ଯେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (ଏସଟିଆର)ର ସୁରକ୍ଷା ପାଇଁ ଗତବର୍ଷ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ଯୁଗ୍ମ ଟାସ୍କ ଫୋର୍ସ (ଜେଟିଏଫ୍) ଗଠନ ପାଇଁ ୧୩୧ ଜଣ କର୍ମଚାରୀଙ୍କୁ ନେଇ ଉତ୍ସର୍ଗୀକୃତ ସଶସ୍ତ୍ର ପୁଲିସ ରିଜର୍ଭ (ଏପିଆର) ଗଠନ କରାଯିବ। ଆସାମରେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଏକ ସିଙ୍ଗିଆ ଗଣ୍ଡାର ସୁରକ୍ଷା ପାଇଁ ଏକ ଏଲିଟ୍ ସୁରକ୍ଷା ବାହିନୀ ‘ସ୍ପେଶାଲ ରାଇନୋ ପ୍ରୋଟେକ୍ସନ ଫୋର୍ସ (ଏସଆରପିଏଫ୍)’ ଥିବା ବେଳେ ଶିମିଳିପାଳ ପାଇଁ ଏପିଆର୍ ଏକ ସୁରକ୍ଷିତ ବନ୍ୟପ୍ରାଣୀ ଆବାସସ୍ଥଳୀରେ ମୁତୟନ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ପ୍ରଥମ ସଶସ୍ତ୍ର ବାହିନୀ ବୋଲି ବିବେଚନା କରାଯାଉଛି।
ମୟୂରଭଞ୍ଜ ଜିଲ୍ଲା ପାଇଁ ଏହି ପଦବୀ ସୃଷ୍ଟି କରାଯିବ ଏବଂ ଓଡ଼ିଶା ସଂରକ୍ଷଣ ଆଇନ (ଓଆରଭି) ଆଇନର ପ୍ରାସଙ୍ଗିକ ନିୟମ ଓ ବ୍ୟବସ୍ଥା ଅନୁଯାୟୀ ଏପିଆର କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ଫୋର୍ସ ମୁତୟନ ବାବଦଖର୍ଚ୍ଚ ଜଙ୍ଗଲ ଓ ପରିବେଶ ବିଭାଗ ବହନ କରିବ। ଏପିଆରର ଏହି ଉତ୍ସର୍ଗୀକୃତ କମ୍ପାନୀ ଏସଟିଆରରେ ଆମର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ । ଏସଟିରେ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇଁ ବନ୍ୟପ୍ରାଣୀ ଶାଖା ର ପ୍ରୟାସ ଦୃଷ୍ଟିରୁ ସେମାନଙ୍କ ମୁତୟନ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ପିସିସିଏଫ୍ ବନ୍ୟପ୍ରାଣୀ ପ୍ରେମ କୁମାର ଝା କହିଛନ୍ତି।
ସଶସ୍ତ୍ର ବାହିନୀ ବ୍ୟତୀତ ରାଇରଙ୍ଗପୁର, କରଞ୍ଜିଆ, ବାରିପଦାର ଡିଏଫ୍ଓ, ଏସଟିଆରର ଉପନିର୍ଦ୍ଦେଶକ, ମୟୂରଭଞ୍ଜର ଅତିରିକ୍ତ ଏସପି ବା ଡିଏସପି (ଅପରେସନ୍) ଏବଂ ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଡିଭିଜନ (ଇଣ୍ଟେଲିଜେନ୍ସ)ର ସହକାରୀ ବନ ସଂରକ୍ଷକ (ଏସିଏଫ୍) ଜେଟିଏଫର ସଦସ୍ୟ ଅଛନ୍ତି। ଏସଟିଆର କ୍ଷେତ୍ର ନିର୍ଦ୍ଦେଶକ ତଥା ଜେଟିଏଫର ଅଧ୍ୟକ୍ଷ ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି ଯେ ଶିମିଳିପାଳ ପାଇଁ ଉତ୍ସର୍ଗୀକୃତ ସଶସ୍ତ୍ର ବାହିନୀ ଗଠନ ସେମାନଙ୍କ ଶିକାର ବିରୋଧୀ ପ୍ରୟାସକୁ ତ୍ୱରାନ୍ୱିତ କରିବ ଏବଂ ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବାରେ ସହାୟକ ହେବ । ଜେଟିଏଫ୍ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବ ଏବଂ ଏସଟିଆରର ସୀମାନ୍ତ ଏବଂ ବଫର୍ ଗ୍ରାମରେ ବେଆଇନ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ରଖିଥିବା ଲୋକଙ୍କୁ ଚିହ୍ନଟ କରିବ। ଏହା ଏକ ଡାଟାବେସ୍ ପ୍ରସ୍ତୁତ କରିବ ଏବଂ ଗ୍ରାମବାସୀଙ୍କୁ ଅସ୍ତ୍ରଶସ୍ତ୍ର ମୁକ୍ତ କରିବା ପାଇଁ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଏସଟିଆର ଅଧିକାରୀମାନେ କହିଛନ୍ତି।
previous article:https://purvapaksa.com/mps-steal-electricity/
