- ୨୩୯ ରେଡିଓଗ୍ରାଫର ଓ ୫୨ ଅଧ୍ୟାପକ ବି ନିଯୁକ୍ତ
- ୫ବର୍ଷରେ ସବୁ ଜିଲ୍ଲାରେ ମେଡ଼ିକାଲ କଲେଜ ଓ ହସ୍ପିଟାଲ
ରାଜ୍ୟ ସରକାରଙ୍କ ଦ୍ୱରା ଆୟୋଜିତ ନିଯୁକ୍ତି ମେଳାରେ ୩୭୬ ଜଣଙ୍କୁ ମିଳିଛି ନିଯୁକ୍ତି। ଏଥିରେ ସ୍ୱାସ୍ଥ୍ୟ ବିଭାଗର ୮୫ ଜଣ ହୋମିଓପାଥିକ ଡାକ୍ତର ଓ ୨୩୯ ଜଣ ରେଡିଓଗ୍ରାଫର ଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗର ୫୨ ଜଣ ଅଧ୍ୟାପକ ଅଛନ୍ତି। ଏହି ଅବସରରେ ଲୋକସେବା ଭବନ ସ୍ଥିତ କନ୍ଭେନ୍ସନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବ ନିଯୁକ୍ତ ଡାକ୍ତର, ଅଧ୍ୟାପକ ଓ ରେଡିଓଗ୍ରାଫର ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ବୃତ୍ତିଗତ ଦକ୍ଷତା ଓ ସେବା ମନୋବୃତ୍ତି ନେଇ କାମ କରିବାକୁ ପରାମର୍ଶ ଦେଇଛନ୍ତି। ସରକାରୀ ଚାକିରିକୁ ଅର୍ଥ ଉପାର୍ଜନ ସର୍ବସ୍ୱ ନକରି ନିଜ ନିଜର କର୍ତ୍ତବ୍ୟ ପ୍ରତି ଅନୁରକ୍ତ ରହିବାକୁ ଓ ଦୁର୍ନୀତିକୁ ପ୍ରଶୟ ନଦେବାକୁ ସେ ପରାମର୍ଶ ଦେଇଥିଲେ।
ସେ କହିଥିଲେ ଯେ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଯେତେ ପାରଦର୍ଶିତା ହାସଲ କରିବା କଥା, କରିପାରି ନାହିଁ। ଆମେ ଆମର ପ୍ରକୃତ ସାମର୍ଥ୍ୟ ହାସଲ କରି ପାରିନାହୁଁ। ନୀତି ଆୟୋଗ ଦ୍ୱାରା ସଦ୍ୟ ପ୍ରକାଶିତ ସ୍ୱାସ୍ଥ୍ୟ Ranking ରେ ଓଡିଶା ୨୮ ଟି ରାଜ୍ୟ ମଧ୍ୟରେ ତଳଆଡୁ ତୃତୀୟ। ଶହେ ନମ୍ବରରୁ ଓଡିଶା ପାଇଛି ମାତ୍ର ୪୦.୧୯। କିନ୍ତୁ ପୂର୍ବରୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ନାମରେ ବ୍ୟାପକ ପ୍ରଚାର କରାଯାଉଥିଲା। ବର୍ତ୍ତମାନ ଏ ପରିସ୍ଥିତିକୁ ପରିବର୍ତ୍ତନ କରିବାକୁ ପଡିବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, Health Ranking ରେ ଆମକୁ ଅତି କମ୍ରେ ୬୦ ନମ୍ବର ରଖିବାକୁ ପଡିବ। ଦେଶର ପ୍ରଥମ ଦଶଟି ଶ୍ରଷ୍ଠ ସେବା ପ୍ରଦାନକାରୀ ରାଜ୍ୟ ମଧ୍ୟରେ ରହିବାକୁ ପଡିବ। ଏ ଦିଗରେ ସରକାରଙ୍କ ଆଭିମୁଖ୍ୟରେ ନବ ନିଯୁକ୍ତ ମାନଙ୍କୁ ସହଯୋଗ କରିବା ପାଇଁ ସଂକଳ୍ପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ଭିତ୍ତିଭୂମି ଓ ପ୍ରଶିକ୍ଷିତ ମାନବ ସମ୍ବଳର ଆବଶ୍ୟକତା ରହିଛି। ଏ ଉଭୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଯୋଜନାବଦ୍ଧ ଭାବେ କାମ କରୁଛନ୍ତି। ଏହା ସରକାରଙ୍କ ଭିଜନର ଏକ ଅଂଶ ବିଶେଷ ବୋଲି ସେ କହିଥିଲେ। ଚଳିତ ବର୍ଷ ସ୍ୱାସ୍ଥ୍ୟ ବଜେଟ୍ରେ ପୂର୍ବ ବର୍ଷ ତୁଳନାରେ ୩୨ ପ୍ରତିଶତ ଅଧିକ ବ୍ୟୟ ବରାଦ ବୋଲି ପ୍ରକାଶ କରି ସେ କହିଥିଲେ ଯେ, ଏହାର ସିଂହଭାଗ ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ ହେବ। ଆଗାମୀ ପାଞ୍ଚବର୍ଷରେ ରାଜ୍ୟର ସମସ୍ତ ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରାଯିବ ବୋଲି ସେ କହିଥିଲେ। ଭାରତ ସରକାରଙ୍କ ଆୟୁଷ୍ମାନ ଯୋଜନା ସହିତ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ନୂଆ ସରକାର ରାଜ୍ୟର ସରକାରୀ କ୍ଷେତ୍ରରେ ଖାଲି ପଦବୀ ପୂରଣ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଗତ ଛଅ ମାସ ମଧ୍ୟରେ ଛଅ ଥର ନିଯୁକ୍ତି ମେଳା ହୋଇ ୨୦ ହଜାରରୁ ଅଧିକ ଶିକ୍ଷିତ ଯୁବକ ଯୁବତୀଙ୍କ ନିଯୁକ୍ତି ପ୍ରକ୍ରିୟାକୁ ଆଗେଇ ନିଆଯାଉଛି ବୋଲି ସେ କହିଥିଲେ। ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋମିଓପାଥି ଡାକ୍ତର ଓ ରେଡିଓଗ୍ରାଫର ନିଯୁକ୍ତି ସହିତ ଖୁବଶୀଘ୍ର ସରକାରୀ ଡାକ୍ତରଖାନା ମାନଙ୍କରେ ‘ଫାର୍ମାସୀ ଅଫିସର’ ନିଯୁକ୍ତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜାତୀୟ ଆୟୁଷ ମିଶନରେ ଓଡିଶାରେ ୪୨୨ଟି ହୋମିଓପାଥି ଓ ଆୟୁର୍ବେଦିକ୍ ଡାକ୍ତରଖାନର ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ ଭାବରେ ଉନ୍ନତି କରଣ କରାଯାଇଛି। ସେ କହିଥିଲେ ଯେ, ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ୱରରେ ଆଉ ତିନୋଟି ୫୦ ଶଯ୍ୟା ବିଶିଷ୍ଟ ସମନ୍ୱିତ ଆୟୁଷ ଚିକିତ୍ସାଳୟ ପ୍ରତିଷ୍ଠା କରାଯାଉଛି।
ଅଧ୍ୟାପକ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣ ମାନେ ନିଜେ ଯୁବ ବର୍ଗରୁ ଆସିଛନ୍ତି। ତେଣୁ, ପିଲାମାନଙ୍କୁ ଦାୟିତ୍ୱବାନ୍ ହେବା ପାଇଁ ମାର୍ଗଦର୍ଶନ କରିବାକୁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡିଶା ପାଇଁ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରୁଛନ୍ତି। ତେଣୁ, ସେମାନେ ଯେପରି ଦକ୍ଷ ଓ ଦାୟିତ୍ୱବାନ୍ ହେବେ ତାହା ସୁନିଶ୍ଚିତ କରିବା ଆପଣ ମାନଙ୍କ ଦାୟିତ୍ୱ।
କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଉନ୍ନୟନ କମିଶନର ଅନୁ ଗର୍ଗ ଯୋଗଦେଇଥିଲେ। ନବ ନିଯୁକ୍ତ ଅଧ୍ୟାପିକା ଶୁଭଲକ୍ଷ୍ମୀ ସ୍ୱାଇଁ, ଡାକ୍ତର କଲ୍ୟାଣୀ ମଞ୍ଜରୀ ନାୟକ ଓ ରେଡିଓଗ୍ରାଫର ସ୍ୱତନ୍ତ୍ର ପଟ୍ଟନାୟକ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନାକରି କହିଲେ ଯେ, ମୁଖ୍ୟମନ୍ତ୍ରୀ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ଏଥିରେ ସ୍ୱଚ୍ଛତା ମଧ୍ୟ ଆସିଛି। ସମସ୍ତେ ନିଷ୍ଠା ଓ ସେବା ମନୋବୃତ୍ତି ନେଇ କାମ କରିବେ ବୋଲି କହିଥିଲେ। ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ଅଶ୍ୱତୀ ଏସ୍. ସ୍ୱାଗତ ଭାଷଣ ଦେଇଥିଲେ।
previous article:https://purvapaksa.com/pics-ranbir-alia-kareena-saif-and-others-stun-at-raj-kapoor-film-festival/
