Pakistanis: ଗତ ୪ ଦିନ ମଧ୍ୟରେ ୧୪ ଜଣ କୂଟନୀତିଜ୍ଞ ଓ ଅଧିକାରୀଙ୍କ ସମେତ ମୋଟ ୮୫୦ ଜଣ ଭାରତୀୟ ପଞ୍ଜାବରେ ଥିବା ଅନ୍ତର୍ଜାତୀୟ ସୀମା କ୍ରସିଂ ଦେଇ ପାକିସ୍ତାନରୁ ଫେରିଛନ୍ତି।
ପଡ଼ୋଶୀ ଦେଶର ୧୨ଟି ବର୍ଗର ସ୍ୱଳ୍ପକାଳୀନ ଭିସାଧାରୀଙ୍କ ପ୍ରସ୍ଥାନ ସମୟ ସୀମା ରବିବାର ଶେଷ ହେବା ପରେ ଏପ୍ରିଲ ୨୪ତାରିଖରୁ ୪ ଦିନ ମଧ୍ୟରେ ୯ ଜଣ କୂଟନୀତିଜ୍ଞ ଓ ଅଧିକାରୀଙ୍କ ସମେତ ୫୩୭ ଜଣ ପାକିସ୍ତାନୀ ନାଗରିକ ଅଟ୍ଟାରୀ-ୱାଘା ସୀମା ଦେଇ ଭାରତ ଛାଡ଼ିଛନ୍ତି। ଗତ ୪ ଦିନ ମଧ୍ୟରେ ୧୪ ଜଣ କୂଟନୀତିଜ୍ଞ ଓ ଅଧିକାରୀଙ୍କ ସମେତ ମୋଟ ୮୫୦ ଜଣ ଭାରତୀୟ ପଞ୍ଜାବରେ ଥିବା ଅନ୍ତର୍ଜାତୀୟ ସୀମା କ୍ରସିଂ ଦେଇ ପାକିସ୍ତାନରୁ ଫେରିଛନ୍ତି।
ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମରେ ପାକିସ୍ତାନ ସଂପୃକ୍ତ ଆତଙ୍କବାଦୀଙ୍କ ଗୁଳିରେ ୨୬ ଜଣ ପ୍ରାଣ ହରାଇବା ପରେ ସରକାର ପାକିସ୍ତାନୀ ନାଗରିକମାନଙ୍କୁ ‘ଲିଭ୍ ଇଣ୍ଡିଆ’ ନୋଟିସ୍ ଜାରି କରିଥିଲେ। ୯ ଜଣ କୂଟନୀତିଜ୍ଞ ଓ ଅଧିକାରୀଙ୍କ ସମେତ ମୋଟ ୨୩୭ ଜଣ ପାକିସ୍ତାନୀ ନାଗରିକ ରବିବାର ଅଟ୍ଟାରୀ-ୱାଘା ସୀମା ପୋଷ୍ଟ ଦେଇ ଭାରତ ଛାଡ଼ିଥିବା ବେଳେ ଏପ୍ରିଲ ୨୬ରେ ୮୧ ଜଣ, ଏପ୍ରିଲ ୨୫ରେ ୧୯୧ ଜଣ ଏବଂ ଏପ୍ରିଲ ୨୪ରେ ୨୮ ଜଣ ପାକିସ୍ତାନୀ ନାଗରିକ ଭାରତ ଛାଡ଼ିଥିଲେ।
ସେହିପରି ଜଣେ କୂଟନୀତିଜ୍ଞଙ୍କ ସମେତ ୧୧୬ ଜଣ ଭାରତୀୟ ରବିବାର ପାକିସ୍ତାନରୁ ଅନ୍ତର୍ଜାତୀୟ ସ୍ଥଳ ସୀମା ପାର ହୋଇ ଫେରିଛନ୍ତି। ଏପ୍ରିଲ ୨୬ରେ ୧୩ ଜଣ କୂଟନୀତିଜ୍ଞ ଓ ଅଧିକାରୀଙ୍କ ସମେତ ୩୪୨ ଜଣ ଭାରତୀୟ ଫେରିଥିଲେ। ଏପ୍ରିଲ ୨୫ରେ ୨୮୭ ଭାରତୀୟ ଅତିକ୍ରମ କରିଥିଲେ। ଏପ୍ରିଲ ୨୪ରେ ୧୦୫ ଜଣ ଭାରତୀୟ ଫେରିଥିଲେ।
ଅଟ୍ଟାରୀ ସୀମାର ପ୍ରୋଟୋକଲ ଅଫିସର ଅରୁଣ ମହଲ କହିଛନ୍ତି ଯେ ଏପ୍ରିଲ ୨୪ରୁ ୨୭ ମଧ୍ୟରେ ମୋଟ ୫୩୭ ଜଣ ପାକିସ୍ତାନୀ ନାଗରିକ ଅଟ୍ଟାରୀ-ୱାଘା ସୀମା ଦେଇ ପାକିସ୍ତାନକୁ ପ୍ରବେଶ କରିଥିବା ବେଳେ ୮୫୦ ଜଣ ଭାରତୀୟ ପାକିସ୍ତାନରୁ ଫେରିଛନ୍ତି । କେତେକ ପାକିସ୍ତାନୀ ବିମାନ ବନ୍ଦର ଦେଇ ମଧ୍ୟ ଭାରତ ଛାଡିଥାଇ ପାରନ୍ତି ବୋଲି ଅଧିକାରୀମାନେ କହିଛନ୍ତି, ଯେହେତୁ ପାକିସ୍ତାନ ସହ ଭାରତର ସିଧାସଳଖ ବିମାନ ଯୋଗାଯୋଗ ନାହିଁ, ତେଣୁ ସେମାନେ ଅନ୍ୟ ଦେଶକୁ ଚାଲିଯାଇଥାଇପାରନ୍ତି।
ସାର୍କ ଭିସାଧାରୀଙ୍କ ପାଇଁ ଭାରତ ଛାଡିବାର ଶେଷ ତାରିଖ ଏପ୍ରିଲ ୨୬ ଥିଲା । ଯେଉଁମାନଙ୍କ ପାଖରେ ମେଡିକାଲ ଭିସା ରହିଛି ସେମାନଙ୍କ ପାଇଁ ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ସମୟ ସୀମା ରହିଛି। ଯେଉଁ ୧୨ ବର୍ଗର ଭିସାଧାରୀଙ୍କୁ ରବିବାର ସୁଦ୍ଧା ଭାରତ ଛାଡିବାକୁ ପଡ଼ିବ, ସେଗୁଡ଼ିକ ହେଲା- ଭିସା ଅନ୍ ଆରାଇଭାଲ୍, ବିଜନେସ୍, ଫିଲ୍ମ, ସାମ୍ବାଦିକ, ଟ୍ରାନଜିଟ୍, କନଫରେନ୍ସ, ପର୍ବତାରୋହଣ, ଛାତ୍ର, ପର୍ଯ୍ୟଟକ, ଗୋଷ୍ଠୀ ପର୍ଯ୍ୟଟକ, ତୀର୍ଥଯାତ୍ରୀ ଏବଂ ଗୋଷ୍ଠୀ ତୀର୍ଥଯାତ୍ରୀ।
ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନରେ ଥିବା ୩ ଜଣ ପ୍ରତିରକ୍ଷା/ସାମରିକ, ନୌସେନା ଏବଂ ବାୟୁ ପରାମର୍ଶଦାତାଙ୍କୁ ଏପ୍ରିଲ ୨୩ରେ ପର୍ସୋନା ନନ୍ ଗ୍ରାଟା ଘୋଷଣା କରାଯାଇଥିଲା ଏବଂ ସେମାନଙ୍କୁ ଭାରତ ଛାଡିବା ପାଇଁ ଏକ ସପ୍ତାହ ସମୟ ଦିଆଯାଇଥିଲା। ଏହି ପ୍ରତିରକ୍ଷା ସହଯୋଗୀଙ୍କ ୫ ଜଣ ସପୋର୍ଟ ଷ୍ଟାଫଙ୍କୁ ମଧ୍ୟ ଭାରତ ଛାଡିବାକୁ କୁହାଯାଇଥିଲା ।
ଇସଲାମାବାଦରେ ଥିବା ଭାରତୀୟ ହାଇକମିସନରୁ ମଧ୍ୟ ଭାରତ ନିଜର ପ୍ରତିରକ୍ଷା ଆଟାଚ ପ୍ରତ୍ୟାହାର କରିନେଇଛି।
ତେବେ ଯେଉଁମାନଙ୍କ ପାଖରେ ଦୀର୍ଘମିଆଦୀ ଓ କୂଟନୈତିକ କିମ୍ବା ସରକାରୀ ଭିସା ରହିଛି ସେମାନଙ୍କୁ ‘ଭାରତ ଛାଡ଼’ ଆଦେଶରୁ ବାଦ୍ ଦିଆଯାଇଛି। ଅନେକ ଭାରତୀୟ ନିଜ ସମ୍ପର୍କୀୟଙ୍କୁ ବିଦାୟ ଦେବାକୁ ଆସିଥିଲେ, ସେମାନଙ୍କ ମୁହଁରେ ଅଲଗା ହେବାର ଯନ୍ତ୍ରଣା ସ୍ପଷ୍ଟ ଦେଖାଯାଉଥିଲା ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରି ଦେଶ ଛାଡିବା ପାଇଁ ଧାର୍ଯ୍ୟ ସମୟସୀମା ପରେ ଯେପରି କୌଣସି ପାକିସ୍ତାନୀ ଭାରତରେ ନ ରୁହନ୍ତି ତାହା ସୁନିଶ୍ଚିତ କରିବାକୁ କହିଛନ୍ତି। ମୁଖ୍ୟମନ୍ତ୍ରୀମାନଙ୍କ ସହ ଶାହଙ୍କ ଟେଲିଫୋନ୍ କଥାବାର୍ତ୍ତା ପରେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ମୁଖ୍ୟ ଶାସନ ସଚିବଙ୍କ ସହ ଭିଡିଓ କନଫରେନ୍ସିଂ କରି ଭିସା ରଦ୍ଦ ହୋଇଥିବା ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ନିର୍ଦ୍ଧାରିତ ସମୟ ସୀମା ସୁଦ୍ଧା ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପୂର୍ବରୁ ତିକ୍ତ ଥିବା ସମ୍ପର୍କ ଆହୁରି ଖରାପ ହୋଇଯାଇଥିଲା ଏବଂ ନୂଆଦିଲ୍ଲୀ ଇସଲାମାବାଦ ବିରୋଧରେ ଭିସା ବାତିଲ କରିବା ସମେତ ଅନେକ ପଦକ୍ଷେପ ଘୋଷଣା କରିଥିଲା।
Also read: https://purvapaksa.com/cross-border-families-crumble-as-tensions-rise/
