ଗୁଜରାଟର ଅହମ୍ମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜିତ ହେବ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଚିବାଳୟ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହି ଘୋଷଣା କରାଯାଇଛି। ବୁଧବାର ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସାଧାରଣ ସଭାରେ ୭୪ ସଦସ୍ୟ ଦେଶ ଏବଂ ଅଞ୍ଚଳର ପ୍ରତିନିଧି ଭାରତର ବିଡ୍କୁ ମଞ୍ଜୁରି ଦେଇଛନ୍ତି । ଫଳରେ ୨୦ ବର୍ଷ ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରତକୁ ଫେରିବାର ପଥ ପରିଷ୍କାର ହୋଇଛି। ଭାରତ ୨୦୧୦ ମସିହାରେ ଏହି ବହୁ ରାଷ୍ଟ୍ରୀୟ ପ୍ରତିଯୋଗିତା ନୂଆଦିଲ୍ଲୀରେ ଆୟୋଜନ କରିଥିଲା।
ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଅଧିକାର ମଧ୍ୟ ଭାରତର ୨୦୩୬ ଅଲିମ୍ପିକ୍ସ ଆୟୋଜନ ସ୍ୱପ୍ନକୁ ଆହୁରି ପ୍ରଗାଢ଼ କରିଛି। ବୁଧବାର ବୈଠକ ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଭାପତି ଡ.ଡୋନାଲ୍ଡ ରୁକାରେ କହିଥିଲେ, ଅହମ୍ମଦାବାଦରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଏକ ନୂଆ ଆରମ୍ଭର ପ୍ରତିଶ୍ରୁତି ନେଇ ଆସିବ। ଏହିଠାରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍ୱର୍ଣ୍ଣିମ ଯୁଗର ଶୁଭାରମ୍ଭ ହେବ। ୨୦୨୬ରେ ଗ୍ଲାସ୍ଗୋରେ ପରବର୍ତ୍ତୀ ସଂସ୍କରଣର ସଫଳ ଆୟୋଜନ ପରେ ମୁଁ ସମସ୍ତଙ୍କୁ ଅହମ୍ମଦାବାଦକୁ ସ୍ୱାଗତ କରିବି। ଏହା ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶତବାର୍ଷିକୀ ସଂସ୍କରଣ ହେବ। ରୁକାରେଙ୍କୁ ଧନ୍ୟବାଦ ଜଣାଇ ଭାରତୀୟ ଅଲିମ୍ପିକ୍ସ ସଂଘର ସଭାପତି ତଥା ଦୌଡ଼ରାଣୀ ପିଟି ଉଷା କହିଛନ୍ତି, ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଂଘ ପ୍ରକଟ କରିଥିବା ଆସ୍ଥା ଲାଗି ଭାରତ କୃତଜ୍ଞ। ଏଭଳି ଏକ କ୍ରୀଡ଼ାକୁ ଆୟୋଜନ କରିବା ଆମ ପାଇଁ ସମ୍ମାନର ବିଷୟ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ମୁଖ୍ୟାଳୟର ଏହି ଘୋଷଣା ପରେ ଭାରତୀୟ କ୍ରୀଡ଼ା ଜଗତରେ ଖୁସିର ଲହରି ଖେଳି ଯାଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବୀୟ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
also read https://purvapaksa.com/where-is-imran-khan/


