ଏମିତି ଏକ ଝୁଙ୍କରେ ରାଜ୍ୟରେ ସରକାର ବଦଳିଥିଲା। ୨୦୨୪ ଆରମ୍ଭରେ ପୁରୀ ପରିସ୍ଥିତିକୁ ନେଇ ପୂରା ପଲିଟିକ୍ସରେ ପରିବର୍ତ୍ତନ ଦେଖାଦେଇଥିଲା। ଶ୍ରୀମନ୍ଦିରରେ ରୀତିନୀତିକୁ ଶୃଙ୍ଖଳିତ କରିବା, ଭକ୍ତଙ୍କ ସୁରକ୍ଷା, ପୁରୀରେ ଭିତ୍ତିଭୂମି ସୃଷ୍ଟି, ଚାରି ଦୁଆର ଖୋଲିବା, ରତ୍ନଭଣ୍ଡାରକୁ ସୁରକ୍ଷିତ କରିବା ଆଦି ଅନେକ କଥା ଚର୍ଚ୍ଚା ହୋଇଥିଲା। ସେହିବର୍ଷ ଜୁନ୍ ମାସରେ ଏହା ସରକାରଙ୍କ ବିଫଳତା ବୋଲି ଲୋକେ ବିଚାରିଲେ ଆଉ ଚର୍ଚ୍ଚାରେ ନ ଥିବା ବିଜେପିକୁ ସରକାର ଗଠନ ପାଇଁ ଦାୟିତ୍ୱ ଦେଲେ । ଏ ଭିତରେ ଦେଢ଼ ବର୍ଷରୁ ଅଧିକ ସମୟ ବିତିଲାଣି କିନ୍ତୁ ଚର୍ଚ୍ଚା ସେଇ ପୁରୀରେ ହିଁ ଅଟକିଛି । ନେତା ଓ ଜନତାଙ୍କ ମନରେ ନୂଆ ବର୍ଷର ଝୁଙ୍କ ଧରିଛି। ଭୋଜି ନାଁରେ ଫାର୍ମ ହାଉସରେ ବିଜେଡିର ଗୋଷ୍ଠୀବାଦ, ନିଗମ ଥଇଥାନ ନାଁରେ ବିଜେପିର କ୍ଷମତା ରାଜନୀତି ଆଉ କଂଗ୍ରେସ ଘରେ ନିଜ ଢିଙ୍କି କୁମ୍ଭୀରର କମ୍ପନ ଦେଖିବାକୁ ମିଳୁଛି। ପୁରୀରେ ଶୃଙ୍ଖଳା ନାଁରେ ନୀତି ସମୟ ସାରଣୀରେ ପରିବର୍ତ୍ତନ ଚର୍ଚ୍ଚା ବିଷୟ ପାଲଟିଛି।

କିନ୍ତୁ ଆଜି ୨୦୨୫ର ଶେଷରେ ଠିଆ ହୋଇ ଯେତେବେଳେ ଆମେ ୨୦୨୬କୁ ସ୍ୱାଗତ କରିବାକୁ ଯାଉଛୁ, ସେତେବେଳେ ପ୍ରଶ୍ନ ଉଠୁଛି— ଯେଉଁ ଦ୍ୱନ୍ଦ୍ୱ ଓ ଅସନ୍ତୋଷରୁ ପରିବର୍ତ୍ତନ ଆସିଥିଲା, ସେହି ଦ୍ୱନ୍ଦ୍ୱ କ’ଣ ଆଜି ବି ଦୂର ହୋଇଛି? ଓଡ଼ିଶାର ତିନିଟି ପ୍ରମୁଖ ରାଜନୈତିକ ଦଳ— ବିଜେପି, ବିଜେଡି ଏବଂ କଂଗ୍ରେସ— ଏବେ ନିଜ ନିଜର ଆଭ୍ୟନ୍ତରୀଣ ସଂଘର୍ଷ ଓ ଦ୍ୱନ୍ଦ୍ୱରେ ଛନ୍ଦି ହୋଇ ପଡ଼ିଛନ୍ତି।
ନିକଟରେ ବିଜେଡି ଓ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି। ଡିସେମ୍ବର ୨୬ରେ ବିଜୁ ଜନତା ଦଳ ନିଜ ମୁଖିଆଙ୍କ ଦୁର୍ବଳ ସ୍ୱାସ୍ଥ୍ୟାବସ୍ଥାରେ ତାଙ୍କୁ ପାଖରେ ଦେଖିବାକୁ ସୁଯୋଗ ମିଳିଥିଲା। ଆଉ ଡିସେମ୍ବର ୨୮ ତାରିଖରେ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳନ କରିବା ଅବସରରେ କେନ୍ଦ୍ରୀୟ ବିଜେପିକୁ ଟାର୍ଗେଟ କରିଥିଲା।
ସଭାପତିଙ୍କ ସ୍ୱାସ୍ଥ୍ୟ ଭଳି ଦୁର୍ବଳ

ବିଜୁ ଜନତା ଦଳର ପ୍ରତିଷ୍ଠାତା ନବୀନ ପଟ୍ଟନାୟକ ଦଳର ଆୟୁଷ ଏବେ ସରି ନାହିଁ, ଆହୁରି ୧୦୦ ବର୍ଷ ଦଳ ଜୀଇଁବ ବୋଲି ଟିପ୍ପଣୀ ଦେଇ ଦଳ ଭିତରେ ଗୋଷ୍ଠୀ କନ୍ଦଳକୁ ମିଛ ବୋଲି କହିବାକୁ ଚାହିଁଥିଲେ। ସବୁବିବାଦର କାରଣ ବିରୋଧୀ ଦଳ ବୋଲି କହିଥିଲେ। କିନ୍ତୁ ଦୁର୍ବଳ ସ୍ୱାସ୍ଥ୍ୟାବସ୍ଥା ଦେଇ ଗତି କରୁଥିବା ନବୀନଙ୍କର କିଏ ଉତ୍ତରାଧିକାରୀ ହେବେ ତାହାକୁ ସ୍ପଷ୍ଟ କରିନଥିଲେ। ନିଜେ ଭଲ ଅଛନ୍ତି ବୋଲି ବାର୍ତ୍ତ ଦେବାକୁ ଆସି ଲିଖିତ ଭାଷଣ ପଢ଼ୁଥିବା ଅବସ୍ଥାରେ ବି ତାଙ୍କ ଭାଷଣ ଅଧାରୁ ନିଷ୍ପ୍ରଭ ହୋଇ ଯାଉଥିଲା। କିଛିଦିନ ପୂର୍ବରୁ ପାଣ୍ଡିଆନ୍ଙ୍କ ଆବିର୍ଭାବ ଏବଂ ତାଙ୍କ ପତ୍ନୀ ସୁଜାତାଙ୍କ ରାଜନୀତିରେ ଯୋଗଦାନକୁ ନେଇ ଆଲୋଚନା ହେଉଥିଲା। କିନ୍ତୁ ତାହାକୁ ଏହି ପ୍ରତିଷ୍ଠା ଦିବସରେ ସ୍ପଷ୍ଟ କରାଯାଇ ପାରିନାହିଁ। ଅପରପକ୍ଷେ ବିରୋଧୀ ଗୋଷ୍ଠୀ ମଞ୍ଚ ଉପରୁ ମଧ୍ୟ ଦଳରେ ଅସନ୍ତୁଷ୍ଟ ରହିଥିବା ନେଇ ସ୍ପଷ୍ଟ କରିଛନ୍ତି। ଖାଲି ସେତିକି ନୁହେଁ, ବିଜେଡିର ତୁଙ୍ଗ ନେତାମାନେ ବିଭିନ୍ନ କ୍ୟାମ୍ପରେ ବଣଭୋଜି ନାଁରେ ଏକାଠି ହେଉଛନ୍ତି। କେତେବଳେ ଭୁବନେଶ୍ୱର ତ କେତେବଳେ କଟକ ତାଙ୍କ ଶକ୍ତି ପ୍ରଦର୍ଶନର କେନ୍ଦ୍ରବିନ୍ଦୁ ହେଉଛି। ଏହାସ୍ପଷ୍ଟ କରୁଛି ଯେ ୨୦୨୪ ଆରମ୍ଭରୁ ଦଳ ଯେମିତି ଖଣ୍ଡ ବିଖଣ୍ଡିତ ହୋଇଥିଲା ୨୦୨୫ ଡିସେମ୍ବରରେ ମଧ୍ୟ ସେମିତି ସ୍ଥିତି ରହିଛି। ଏହି ଦୁଇ ବର୍ଷରେ ଦଳରେ କୌଣସି ଆତ୍ମବିଶ୍ୱାସ ବଢ଼ି ନାହିଁ ବରଂ ଅଧିକ ସଭାପତିଙ୍କ ସ୍ୱାସ୍ଥ୍ୟ ସହ ତାଳ ଦେଇ ଅଧିକ ଭଙ୍ଗୁର ହୋଇଛି।
ପୁରୁଣାରୋଗରେ ପୀଡ଼ିତ କଂଗ୍ରେସ
ନୂଆପଡ଼ା ନିର୍ବାଚନ ପରେ କଂଗ୍ରେସର ଅବସ୍ଥା ବି ସମାନ୍ତରାଳ ଭାବେ ଗତି କରୁଛି। ବରଂ ପୁରୁଣା ରୋଗ ଅଧିକ ସମ୍ପ୍ରସାରିତ ହୋଇଛି ବୋଲି କୁହାଯାଇପାରେ। ସଭାପତିଙ୍କ ବିରୋଧରେ ନେତାଙ୍କ ସଂଗ୍ରାମ ଦେଖିବାକୁ ମିଳିଛି। ହେଲେ କିଛି ପରିବର୍ତ୍ତନର ଆଭାସ ମିଳିପାରୁ ନାହିଁ। ଦଳଯେ ଶକ୍ତି ଗୋଟାଇ ପାରିନାହିଁ ତାହା ସ୍ପଷ୍ଟ। ଅର୍ଥାତ୍ ନିର୍ବାଚନ ପୂର୍ବରୁ ଯାହା ଥିଲା ଏବେ ଅବସ୍ଥା ସେଇଆ ରହିଛି।
ନିରାଶା କରୁଛି ବିଜେପି ଶକ୍ତି

ଏବେ ବିଜପି କଥା। ରାଜ୍ୟ ବିଜେପି ଲୋକଙ୍କ ଆସ୍ଥା ଜିତିବା ପଛରେ ଶ୍ରୀମନ୍ଦିର ଏକ ବଡ଼ କାରଣ ହୋଇଥିଲା। ହେଲେ ଏହି ୧୮ ମାସ ଭିତରେ ଏହି ତୀର୍ଥ କ୍ଷେତ୍ରରେ କିଛି ବି ଆଖିଦୃଶିଆ ପରିବର୍ତ୍ତନ ହୋଇ ନାହିଁ। ୪ ଦ୍ୱାର ଖୋଲିବା ନୀତି ଯେମିତି ଲୋକଙ୍କ ଆଗରେ ଏକ ଛଳନା ପରି ହୋଇଛି। ବଡ଼ଦାଣ୍ଡରୁ ଏସି ଟନେଲ୍କୁ ହଟାଯାଇଛି ସତ କିନ୍ତୁ ଭକ୍ତଙ୍କ ଧାଡ଼କୁ ଆରାମ ଦାୟକ କରିବାର କୌଣସି ନୀତି ଗ୍ରହଣ କରାଯାଇ ନାହିଁ। ଶ୍ରୀମନ୍ଦିରରେ ରତ୍ନ ଭଣ୍ଡାର ମରାମତି ସରିଥିବା କୁହାଯାଇଛି କିନ୍ତୁ ରତ୍ନ ଅଳଙ୍କାରର ଗଣତି କରାଯାଇ ପାରୁନାହିଁ। ଫଳରେ ହାଇକୋର୍ଟ ପୁଣିଥରେ ହସ୍ତକ୍ଷେପ କରିବାକୁ ଯାଉଛନ୍ତି। ସବୁଠାରୁ ବଡ଼କଥା ହେଲା ଇସ୍କନ ସମ୍ପ୍ରଦାୟ ବାରମ୍ବାର ଶ୍ରୀମନ୍ଦିର ପରମ୍ପରାକୁ ଆଘାତ ଦେଉଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କୁ ଚିଠିଟିଏ ବି ଲେଖୁ ନାହାନ୍ତି ମୁଖ୍ୟମନ୍ତ୍ରୀ। ପୁଣି ଇଂରାଜୀ ନବବର୍ଷର କୌଣସି ସମ୍ପର୍କ ଶ୍ରୀମନ୍ଦିର ସହ ନ ଥିଲେ ବି ଏଠାରେ ନୀତି ନିର୍ଘଣ୍ଟର ପରିବର୍ତ୍ତନ କରାଯାଉଛି। ସନ୍ଧ୍ୟାବେଳେ ହେଉଥିବା ପତାକା ଲାଗିକୁ ଅପରାହ୍ଣକୁ ଅଣାଯିବା କେବଳ ମନ ଇଚ୍ଛା ପରିବର୍ତ୍ତନ ବୋଲି କୁହାଯାଇପାରେ।
ଧାର୍ମିକ ଆସ୍ଥା ସହ ହେଉଥିବା ଖେଳକୁ ଶୃଙ୍ଖଳିତ କରିପାରୁନଥିବା ବିଜେପି ସରକାର ସଂଗଠନରେ ନେତାଙ୍କୁ ମଧ୍ୟ ସହାୟକ ହୋଇପାରୁ ନାହାନ୍ତି। ସଂଗଠନର ପାରିଲା ନେତାଙ୍କୁ ମନ୍ତ୍ରୀ ବା ନିଗମ ଅଧ୍ୟକ୍ଷ ଭାବେ ରାଜନୀତିକ ଥଇଥାନ କରିବା କଥା। କିନ୍ତୁ ତାହାକୁ ବିଜେପି ଭୁଲି ଯାଇଛି। ଯେତେ ଅଙ୍କ କଷିଲେ ବି ଏଥିରେ ସମାଧାନ ଆସିପାରୁ ନାହିଁ। ଏବେ ପୁଣିଥରେ ଏ ବିଷୟକୁ କହିଛନ୍ତି ରାଜ୍ୟ ସଭାପତି। ଏହା କେବଳ ନୂଆ ବର୍ଷର ପରିସ୍ଥିତିକୁ ଶୃଙ୍ଖଳିତ ରଖିବାର ଏକ ପ୍ରୟାସ ହୋଇପାରେ ହେଲେ କେବେ ନେତାଙ୍କୁ ଥଇଥାନ କରାଯିବ ତାହାକୁ ନେଇ ଦ୍ୱନ୍ଦ୍ୱ ସରୁନାହିଁ। ଅର୍ଥାତ୍ ପୁରୀଠାରୁ ପଲିଟିକ୍ସ ସବୁଠି ୨୦୨୬ ଏକ ଦ୍ୱନ୍ଦ୍ୱ ପୂର୍ଣ୍ଣ ବର୍ଷଟିଏ ହୋଇ ଜନ୍ମ ନେବାକୁ ଯାଉଛି, ନୁହେଁ କି?
also read https://purvapaksa.com/pakistani-president-was-requested-to-go-to-the-bunker/


