ଏପର୍ଯ୍ୟନ୍ତ ଟଳିଲେଣି ୨୫୭
ଛତିଶଗଡ଼ରେ ପୁଣି ହୋଇଛି ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୦ ଜଣ ମାଓବାଦୀ। ଶୁକ୍ରବାର ଭୋର ସମୟରେ ଘଟିଛି ଏହି ଘଟଣା। ଆଜି ସକାଳେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ। ଛତିଶଗଡ଼ର ସୁକମା ଜିଲ୍ଲା ଭେଜ୍ଜି ଥାନା ଅନ୍ତର୍ଗତ ଭଣ୍ଡାରପଦର ଜଙ୍ଗଲରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ମାଓବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାସହିତ ଘଟଣାସ୍ଥଳରୁ ବହୁ ମାରଣାସ୍ତ୍ର, ମାଓ ସାମଗ୍ରୀ ଜବତ ହୋଇଛି।
ବସ୍ତର ରେଞ୍ଜ ଆଇଜି ପି.ସୁନ୍ଦରରାଜଙ୍କ କହିଛନ୍ତି ଯେ, ଭେଜ୍ଜି ଥାନା ଅଧୀନରେ ଥିବା ଏକ ଜଙ୍ଗଲରେ ଆଜି ସକାଳେ ସୁରକ୍ଷାକର୍ମୀଙ୍କ ଏକ ମିଳିତ ଟିମ୍ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିବା ବେଳେ ଗୁଳିବିନିମୟ ହୋଇଥିଲା। କୋରାଜଗୁଡା, ଦାନ୍ତେସପୁରମ, ନାଗରାମ ଓ ଭଣ୍ଡାରପଦର ଗ୍ରାମର ଜଙ୍ଗଲପାହାଡ଼ରେ ନକ୍ସଲଙ୍କ କୋଣ୍ଟା ଓ କିସ୍ତାରାମ ଏରିଆ କମିଟିର ମାଓବାଦୀ ମାନେ ଉପସ୍ଥିତ ଥିବା ସୂଚନା ଆଧାରରେ ଏହି ଅପରେସନ ଆରମ୍ଭ କରାଯାଇଥିଲା।
ସେଠାରେ ଗୁଳି ବିନିମୟରେ ୧୦ଜଣ ମାଓବାଦୀଙ୍କ ମୃତ ଦେହ ମିଳିଛି। ଏହାବ୍ୟତୀତ ଘଟଣାସ୍ଥଳରୁ ଗୋଟିଏ ଇନସାସ ରାଇଫଲ, ଗୋଟିଏ ଏକେ-୪୭ ରାଇଫଲ ଓ ଗୋଟିଏ ସେଲ୍ଫ ଲୋଡିଂ ରାଇଫଲ (ଏସଏଲଆର) ସମେତ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।
ଚଳିତ ବର୍ଷ ଜାନୁଆରିରୁ ଏପର୍ଯ୍ୟନ୍ତ ୨୫୭ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୮୬୧ ଜଣ ଗିରଫ ହୋଇଛନ୍ତି। ଏହି ସମୟରେ ୭୮୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମୃତ୍ୟୁ ସଂଖ୍ୟା ୨୦୧୦ରେ ସର୍ବାଧିକ ୧୦୦୫ ଥିବା ବେଳେ ୨୦୨୪ ସେପ୍ଟେମ୍ବର ସୁଦ୍ଧା ଏହା ୯୬କୁ ହ୍ରାସ ପାଇଛି। ଚାରି ଦଶନ୍ଧି ପରେ ୨୦୨୨ରେ ପ୍ରଥମ ଥର ପାଇଁ ମୃତ୍ୟୁ ସଂଖ୍ୟା ୧୦୦ରୁ କମ୍ ଥିଲା। ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ ଯେ ୨୦୨୬ ସୁଦ୍ଧା ଛତିଶଗଡ଼ ନକ୍ସଲମୁକ୍ତ ହେବ। ଏହି ଟାର୍ଗେଟକୁ ପୂରଣ କରିବା ପାଇଁ ସୁରକ୍ଷାବାହିନୀ ଏକକାଳୀନ ଅପରେସନ ଚଳାଇଛନ୍ତି।
previous article:https://purvapaksa.com/gorkha-soldiers-have-not-been-coming-for-three-years-will-the-gorkha-regiment-be-stopped/


