youtube: ଏହା ଏକ ଚିନ୍ତାଜନକ ବିଷୟ ଯେ ୟୁଟ୍ୟୁବ ଭିଡିଓ ଟେକଡାଉନ୍ର (ଭିଡିଓଗୁଡ଼ିକୁ ବାଦ ଦେବା) ବିଶ୍ୱସ୍ତରୀୟ ତାଲିକାରେ ଭାରତ ପୁଣିଥରେ ଶୀର୍ଷରେ ରହିଛି। ୨୦୨୪ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଗୁଗୁଲ ମାଲିକାନାରେ ଥିବା ଏହି କମ୍ପାନୀଦ୍ୱାରା ହଟାଇ ଦିଆଯାଇଥିବା ସମୁଦାୟ ୯.୪ ନିୟୁତ ଭିଡିଓ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ଭାରତର ଥିଲା।
ଏହାର ଅର୍ଥ, ଦେଶରେ ଏହି ଲୋକପ୍ରିୟ ଭିଡିଓ ସେୟାରିଂ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମର ଅପବ୍ୟବହାର ଜାରି ରହିଛି । ବିଶେଷ କରି ପର୍ଣ୍ଣୋଗ୍ରାଫି, ହିଂସାକୁ ପ୍ରୋତ୍ସାହିତ କରିବା, ନିର୍ଯାତନା କିମ୍ବା ସାଇବର ବୁଲିଂ, ଘୃଣ୍ୟ ଭାଷଣ ଏବଂ ଭୁଲ ସୂଚନା ସମ୍ବନ୍ଧୀୟ ବିଷୟବସ୍ତୁକୁ ୟୁଟ୍ୟୁବ୍ର କମ୍ୟୁନିଟି ଗାଇଡଲାଇନରେ ବାରଣ କରାଯାଇଛି। ଉଲ୍ଲେଖଯୋଗ୍ୟ, ବିଶ୍ୱବ୍ୟାପୀ ନୀତି ଉଲ୍ଲଂଘନ କରୁଥିବା ୯୬ ପ୍ରତିଶତରୁ ଅଧିକ ଭିଡିଓ ପ୍ରଥମେ ପ୍ଲାଟଫର୍ମର ସ୍ୱୟଂଚାଳିତ କଣ୍ଟେଣ୍ଟ ମଡରେସନ୍ ଟୁଲ୍ ଦ୍ୱାରା ଚିହ୍ନଟ କରାଯାଇଥିଲା। ଅର୍ଥାତ ଏଥିରେ କୌଣସି ମାନବିକ ହସ୍ତକ୍ଷେପ ହୋଇନଥିଲା।
ୟୁଟ୍ୟୁବ୍ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେଉଛି କଣ୍ଟେଣ୍ଟକୁ ବହୁ ସଂଖ୍ୟକ ଭ୍ୟୁଜ୍ ମିଳିବା ପୂର୍ବରୁ ହିଁ ତାହାକୁ ହଟାଇ ଦେବା। ନିକଟରେ ଏକ ଅନଲାଇନ୍ ସୋ’ ଇଣ୍ଡିଆଜ୍ ଗଟ୍ ଲଟେଣ୍ଟରେ ୟୁଟ୍ୟୁବର ରଣବୀର ଅଲ୍ଲାବାଦିଆଙ୍କ ମନ୍ତବ୍ୟକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଏକାଧିକ ଏଫଆଇଆର ମଧ୍ୟ ରୁଜୁ କରା ହୋଇଥିଲା। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପଦକ୍ଷେପ ନେବା ପରେ ଏହି ଏପିସୋଡ୍ ଏବଂ କ୍ଲିପ୍ଗୁଡ଼ିକୁ ହଟାଇ ଦିଆଯାଇଥିଲା।
ପ୍ରସଙ୍ଗତଃ, ସୋସିଆଲ ମିଡିଆ କଣ୍ଟେଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ଅନଲାଇନ ପ୍ଲାଟଫର୍ମକାର୍ଯ୍ୟରେ ସରକାରୀ ହସ୍ତକ୍ଷେପର ଆଶଙ୍କା ଏବେ ବୃଦ୍ଧି ପାଇଛି ଏବଂ ବାକ୍ ସ୍ୱାଧୀନତା ଉପରେ ମଧ୍ୟ କ୍ଷତିକାରକ ପ୍ରଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି।
ଏହି ଭିଡିଓ ପ୍ରତ୍ୟାହାର ସରକାର ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ଭୁଲ ସୂଚନା ଏବଂ ଘୃଣ୍ୟ ଭାଷଣର ବିଭିନ୍ନ ମାମଲା ପଛରେ ଥିବା କାରଣର ଗଭୀର ଅନୁସନ୍ଧାନ କରିବାକୁ ଉତ୍ସାହିତ କରିବା ନିଶ୍ଚିତ।
ସାମ୍ପ୍ରଦାୟିକ ଉତ୍ତେଜନା ବଢ଼ାଇବା କିମ୍ବା ଘୃଣା ସୃଷ୍ଟି କରିବାରେ ସହାୟକ ହେଉଥିବା ଭିଡିଓ ୟୁଟ୍ୟୁବରେ ଅପଲୋଡ୍ ହେବା ଅତ୍ୟନ୍ତ ଚିନ୍ତାଜନକ। ବିଶ୍ୱ ଅର୍ଥନୈତିକ ଫୋରମ ସତର୍କ କରାଇ ଦେଇଛି ଯେ ଭୁଲ ସୂଚନା ଏବଂ ଅପପ୍ରଚାର ସାମାଜିକ ଏକତା ଏବଂ ଶାସନ ପାଇଁ ନିରନ୍ତର ବିପଦ ସୃଷ୍ଟି କରୁଛି। ଏଥିରେ ଭାରତ ଏକ ଅଗ୍ରଣୀ ଓ ବିପଦପୂର୍ଣ୍ଣ ରାଷ୍ଟ୍ରଭାବେ ଚିହ୍ନଟ ହୋଇଛି।
ସରକାର ଏବଂ ୟୁଟ୍ୟୁବ୍ ଭଳି ପ୍ଲାଟଫର୍ମ ମଧ୍ୟରେ ଘନିଷ୍ଠ ସହଯୋଗ ହିଁ ଉଲ୍ଲଙ୍ଘନକାରିମାନଙ୍କୁ କ୍ଷତିକାରକ କିମ୍ବା ଆପତ୍ତିଜନକ ବିଷୟବସ୍ତୁ ପୋଷ୍ଟ କରିବାରୁ ରୋକିବାରେ ସାହାଯ୍ୟ କରିବ। ଫେକ୍ ନ୍ୟୁଜ୍ ଏବଂ ପକ୍ଷପାତିତାମୂଳକ ମତାମତର ବିପଦ ସମ୍ପର୍କରେ ଉପଭୋକ୍ତାଙ୍କୁ ସତର୍କ କରାଇବା ଦରକାର ଏବଂ ଏଥିପାଇଁ ଏକ ନିରନ୍ତର ସଚେତନତା ଅଭିଯାନ ନିହାତି ଜରୁରୀ ହୋଇପଡ଼ିଛି।
ALSO READ: https://purvapaksa.com/is-form-16-necessary-for-itr-filing-what-to-do-if-you-dont-have-it/
ଆଇଟିଆର ଫାଇଲିଂ ପାଇଁ ଫର୍ମ ୧୬ ଜରୁରୀ କି? ଯଦି ଆପଣଙ୍କ ପାଖରେ ଏହା ନାହିଁ ତେବେ କ’ଣ କରିବେ?