ଉତ୍ତରପ୍ରଦେଶରେ ଘର, ଦୋକାନ କିମ୍ବା ଜମି କିଣିବା ପୂର୍ବରୁ ଏବେ ସତର୍କ ହେବା ଅତ୍ୟାବଶ୍ୟକ। ରାଜ୍ୟରେ ସମ୍ପତ୍ତି ପଞ୍ଜୀକରଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ କଠୋର କରାଯାଇଛି । ଆର୍ଥିକ ଅପରାଧ ଓ ବେନାମୀ କାରବାରକୁ ରୋକିବା ସହ ଜାତୀୟ ସୁରକ୍ଷାକୁ ପ୍ରାଥମିକତା ଦେଇ, ଯୋଗୀ ଆଦିତ୍ୟନାଥ ସରକାର PAN କାର୍ଡକୁ ସମ୍ପତ୍ତି ପଞ୍ଜୀକରଣ ସହିତ ବାଧ୍ୟତାମୂଳକ କରିଛନ୍ତି ।

ପଞ୍ଜୀକରଣ ମହାନିରୀକ୍ଷକ ନେହା ଶର୍ମା ରାଜ୍ୟର ସମସ୍ତ ବିଭାଗୀୟ ଅଧିକାରୀ, ସହକାରୀ ମହାନିରୀକ୍ଷକ ଓ ସବ-ରେଜିଷ୍ଟ୍ରାରମାନଙ୍କୁ ଏନେଇ କଠୋର ନିର୍ଦ୍ଦେଶ ଜାରି କରିଛନ୍ତି । ନୂଆ ନିୟମ ଅନୁଯାୟୀ PAN କାର୍ଡ ବିନା କୌଣସି ସମ୍ପତ୍ତି ପଞ୍ଜୀକରଣ ସମ୍ଭବ ନୁହେଁ।
ସରକାରୀ ସୂଚନା ଅନୁସାରେ, ଏହି ନିଷ୍ପତ୍ତିର ପଛରେ ଏକ ବଡ଼ କାରଣ ରହିଛି । ଭାରତ–ନେପାଳ ସୀମାବର୍ତ୍ତୀ ଜିଲ୍ଲାଗୁଡିକରେ ହଠାତ୍ ସମ୍ପତ୍ତି ପଞ୍ଜୀକରଣର ସଂଖ୍ୟା ବୃଦ୍ଧି ପାଇବା ସରକାରଙ୍କୁ ଚିନ୍ତାରେ ପକାଇଥିଲା । ଏକ ସରକାରୀ ତଦନ୍ତରେ ସୀମା ଅଞ୍ଚଳରେ ଆର୍ଥିକ ଅନିୟମିତତା, ଠକେଇ ଏବଂ ଅବୈଧ ନିବେଶ ହେଉଥିବା ସ୍ପଷ୍ଟ ହୋଇଥିଲା।

ଏହାକୁ ଦୃଷ୍ଟିରେ ରଖି ଯୋଗୀ ସରକାର ସମ୍ପତ୍ତି କାରବାରକୁ ପୂର୍ଣ୍ଣ ଭାବେ ଡିଜିଟାଲ ଓ ସ୍ୱଚ୍ଛ କରିବା ଲକ୍ଷ୍ୟ ନେଇଛନ୍ତି। ପଞ୍ଜୀକରଣ ପାଇଁ ଅନଲାଇନ୍ ଆବେଦନରେ PAN କାର୍ଡ ସ୍ତମ୍ଭକୁ ବାଧ୍ୟତାମୂଳକ କରାଯାଇଛି ଏବଂ ବିଭାଗର ରେଜିଷ୍ଟ୍ରି ସଫ୍ଟୱେର୍ ପୂର୍ବରୁ ହିଁ PAN ଭେରିଫିକେସନ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିଛି।
ସେଥିସହିତ, ସମ୍ପତ୍ତି ପଞ୍ଜୀକରଣ ରେକର୍ଡ ସହ ଆଧାର କାର୍ଡ ଲିଙ୍କ୍ କରିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ବିଭାଗୀୟ ମନ୍ତ୍ରୀ ରବିନ୍ଦ୍ର ଜୟସୱାଲ କହିଛନ୍ତି ଯେ ସମ୍ପତ୍ତି କାରବାରରେ ଡିଜିଟାଲ ପ୍ରମାଣ ଅତ୍ୟନ୍ତ ଆବଶ୍ୟକ, ଯାହା ଠକେଇ ଓ କଳାଧନକୁ ରୋକିବ।
ନୂଆ ନିୟମ କାର୍ଯ୍ୟକାରୀ ହେବା ପରେ ଯେଉଁମାନେ ଆୟ ଉତ୍ସ ଲୁଚାଇ ସମ୍ପତ୍ତିରେ ନିବେଶ କରୁଥିଲେ, ସେମାନଙ୍କ ପାଇଁ ସମସ୍ୟା ବଢ଼ିବ। ତେବେ ସରକାରର ମତ, ଏହା ଦ୍ୱାରା ଉତ୍ତରପ୍ରଦେଶର ରିଅଲ୍ ଏଷ୍ଟେଟ୍ କ୍ଷେତ୍ର ସ୍ବଚ୍ଛ, ସୁରକ୍ଷିତ ଓ ଭରସାଯୋଗ୍ୟ ହେବ।
also read https://purvapaksa.com/nuclear-war-now-in-danger/
https://purvapaksa.com/nuclear-war-now-in-danger/


