Dahibara: ଆଜି ବିଶ୍ୱ ଦହିବରା ଓ ଆଳୁଦମ ଦିବସ । ମାର୍ଚ୍ଚ ୧ ତାରିଖକୁ ଦହିବରା ଆଳୁଦମ୍ ଦିବସ ଭାବେ ପାଳନ କରାଯାଏ।
ଦହିବରା.. ଏହା କେବଳ ଏକ ନାମ ନୁହେଁ, ସମସ୍ତ ଦହିବରା ପ୍ରେମୀଙ୍କ ପାଇଁ ଏହା ଏକ ଇମୋସନ । ଏହାର ନାଁ ଶୁଣିଲେ ହିଁ ପ୍ରତ୍ୟେକ ଦହିବରା ପ୍ରେମୀଙ୍କ ମୁହଁରେ ପାଣି ଆସିଯାଇଥାଏ । ସକାଳ ହେଉ କି ସନ୍ଧ୍ୟା ସବୁ ସମୟରେ ଲୋକେ ଦହିବରା ଖାଇବା ପାଇଁ ପସନ୍ଦ କରିଥାନ୍ତି । ଶାଳପତ୍ରରେ ୫ଟି ଦହିବରା ସାଙ୍ଗକୁ ଆଳୁଦମ୍ ଓ ଘୁଗୁନି । ଉପରେ ସେଉ, କଟା ପିଆଜ ଓ କିଛି ଧନିଆପତ୍ର। ବାସ … ଆଉ କ’ଣ ଦରକାର । ପେଟ ଫୁଲ ସହ ମନ ବି ଫୁଲ । ଦହିବରା ଖାଇବା ପରେ ରାଗ ଖଟା ଦହିପାଣି ପିଇବାର ମଜା ହିଁ ଅଲଗା ।
ଦହିବରା ଆଳୁଦମ୍ ସାଧାରଣତଃ ଓଡ଼ିଶାର ପ୍ରତ୍ୟେକ ସ୍ଥାନରେ ମିଳେ । କିଏ ଏହାକୁ ଲଙ୍କା ପାଣି ସହ ଖାଇକୁବାକୁ ପସନ୍ଦ କରେ ତ ପୁଣି କିଏ ଟମାଟୋ ସସ୍ ସହ । ଏଥିପାଇଁ ଏହାକୁ ସୋସିଆଲ ମିଡ଼ିଆରେ ବେଶ ରୋମାଞ୍ଚକ ବାଦ ବିବାଦ ଦେଖିବାକୁ ମିଳେ । କିନ୍ତୁ କଟକ ଦହିବରାର ମଜା ବେଶ ନିଆରା । ସେଠାରେ ଆପଣ ପ୍ରତ୍ୟେକ ଦହିବରା ଦୋକାନରେ ବିଭିନ୍ନ ପ୍ରକାରର ଭେରାଇଟି ଦହିବରା ଦେଖିବାକୁ ପାଇବେ । ସମସ୍ତ କଟକବାସୀ ଦହିବରା ଖାଇ ତାଙ୍କର ଦିନ ଆରମ୍ଭ କରିଥାନ୍ତି ।
ତେବେ ଏହି ପ୍ରସିଦ୍ଧ ଦହିବରା-ଆଳୁଦମ୍ ର ଉତ୍ପତ୍ତି କେବେ ହୋଇଛି ତାର କିଛି ଲିଖିତ ଇତିହାସ ନାହିଁ ତ ସତ । ହେଲେ ବିଡ଼ାନାସୀରୁ ଏହାର ସୃଷ୍ଟି ହୋଇଛି ବୋଲି ଅନେକଙ୍କ ମତ ରହିଛି । ସମୟକ୍ରମେଏହା ଅନ୍ୟ ସାହିବସ୍ତିକୁ ପ୍ରସରିଥିଲା । ଯଦିଓ ଏବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦହିବରା ଆଳୁଦମ୍ ବିକ୍ରି ହେଉଛି, କିନ୍ତୁ ଅସଲ ଦହିବରା ଖାଇବାକୁ ସମସ୍ତେ କଟକ ଯାଇଥାନ୍ତି ।
ବର୍ତ୍ତମାନ ଦହିବରା କେବଳ ଓଡ଼ିଶା ବା ଆମ ଦେଶରେ ନୁହେ ବରଂ ବିଦେଶରେ ମଧ୍ୟ ପ୍ରସିଦ୍ଧି ପାଇଛି । ଏବେ ଏହା କେବଳ ଷ୍ଟ୍ରିଟ୍ ଫୁଡ୍ ହୋଇ ରହିନି, ବରଂ ନାମୀଦାମୀ ହୋଟେଲରେ ମଧ୍ୟ ଦହିବରା ଆଳୁଦମ୍ ଏକ ସ୍ୱତନ୍ତ୍ର ଡିସ୍ ଭାବେ ସ୍ଥାନ ପାଇଛି । ବାହାଘର, ବ୍ରତଘର, ଶ୍ରାଦ୍ଧ ଭୋଜିରେ ମଧ୍ୟ ଦହିବରା-ଆଳୁଦମ୍କୁ ଷ୍ଟାର୍ଟର୍ ଭାବେ ଡାଏନିଂ ଟେବୁଲ୍ରେ ପରଷା ଯାଉଛି ।
କଟକ ଦହିବରା-ଆଳୁଦମ୍ର ଯେଉଁଭଳି ଜନପ୍ରିୟତା ବଢିଛି ସେହି ତୁଳନାରେ ଏହି ଖାଦ୍ୟକୁ ସ୍ୱତନ୍ତ୍ର ମାନ୍ୟତା ଦେବା ଆବଶ୍ୟକ । ହେଲେ ଏହି ପ୍ରକ୍ରିୟାରେ ବିଳମ୍ବ ହେଉଛି । ଏବେ ଯାଏ ଏହାକୁ ଜିଆଇ ମାନ୍ୟତା ପାଇଁ ଉଦ୍ୟମ କରାଯାଇପାରିନାହିଁ । କଟକ ସହରରେ ଦହିବରା ଆଳୁଦମ୍ ବ୍ୟବସାୟୀଙ୍କ କୌଣସି ନିର୍ଦ୍ଦିଷ୍ଟ ସଂଘ ନଥିବାରୁ ପ୍ରଶାସନ ଏନେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।
ALSO READ: https://purvapaksa.com/weather-update-odisha/