DeepSeek Selloff:ଚୀନ୍ ଏଆଇ ଡେଭେଲପର୍ ଡିପସିକ୍ ସମଗ୍ର ବିଶ୍ୱରେ ତାଣ୍ଡବ ସୃଷ୍ଟି କରିଛି। ଏହାର କାରଣରେ ସୋମବାର ଆମେରିକୀୟ ସେୟାର୍ ମାର୍କେଟରେ ବଡ଼ କ୍ଷତି ହୋଇଛି। କେବଳ ମାତ୍ର୨୪ ଘଣ୍ଟାରେ ଦୁନିଆର ଟପ୍ ୫୦୦ ଧନୀ ଲୋକଙ୍କର ନେଟ୍ୱର୍ଥ ସଂଯୁକ୍ତ ଭାବେ ୧୦୮ ଅରବ ଡଲାର୍ (ପ୍ରାୟ ୯,୩୪ ଲକ୍ଷ କୋଟି ଟଙ୍କା) କ୍ଷତି ହୋଇଛି।
- ଡିପସିକ୍ କାରଣରୁ ଆମେରିକୀୟ ସେୟାର୍ ମାର୍କେଟ୍ରେ ଭାରୀ କ୍ଷତି ହୋଇଛି
- ଦୁନିଆର ଟପ୍ ୫୦୦ ଧନୀଙ୍କର ୧୦୮ବିଲିୟନ୍ ଡଲାର୍ର କ୍ଷତି ହୋଇଛି
- ଏନଭିଡିଆର ଜେନସନ୍ ହୁଆଙ୍ଗଙ୍କର ନେଟ୍ୱର୍ଥରେ ୨୦% କ୍ଷତି ହୋଇଛି
ଚୀନ୍ର ଏଆଇ ଡେଭଲପର୍ ଡିପସିକ୍ ୨୪ ଘଣ୍ଟା ମଧ୍ୟରେ ବିଶ୍ୱର ଶୀର୍ଷ ଧନୀକମାନଙ୍କୁ ଦେଇଛି ତଗଡ଼ା ଝଟକା। ଡିପସିକ୍ (Deepseek) ଯୋଗୁଁ ସୋମବାର ଦିନ ଆମେରିକା ସମେତ ସାରାବିଶ୍ୱର ଷ୍ଟକ ବଜାରରେ ବ୍ୟାପକ ହ୍ରାସ ଦେଖିବାକୁ ମିଳିଥିଲା। ସବୁଠାରୁ ବଡ଼ ଝଟକା ଆମେରିକାର ଷ୍ଟକ ମାର୍କେଟକୁ ଲାଗିଛି। ଡିପସିକ୍ ପାଇଁ ସେୟାର ମୂଲ୍ୟରେ ହ୍ରାସ ଯୋଗୁଁ ବିଶ୍ୱର ଶ୍ରେଷ୍ଠ ୫୦୦ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ୧୦୮ ବିଲିୟନ ଡଲାର (ପ୍ରାୟ ୯.୩୪ ଲକ୍ଷ କୋଟି ଟଙ୍କା) ହ୍ରାସ ପାଇଛି। ସୋମବାର ଆମେରିକୀୟ ବଜାର ନାସଡାକ୍ କମ୍ପୋଜିଟ୍ ଇଣ୍ଡେକ୍ସ ୩.୧% ହ୍ରାସ ପାଇଛି।
ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁଯାୟୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ସେହି କୋଟିପତି, ଯେଉଁମାନଙ୍କ ବ୍ୟବସାୟ ଏଆଇ ସହ ସମ୍ବନ୍ଧିତ। ଓରାକଲ କର୍ପୋରେସନର ସହ ପ୍ରତିଷ୍ଠାତା ଲାରୀ ଏଲିସନ ଏବଂ ଏନଭିଡିଆ କର୍ପୋରେସନର ସହ ପ୍ରତିଷ୍ଠାତା ଜେନସେନ ହୁଆଙ୍ଗ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।
କିଏ କେତେ କ୍ଷତି ସହିଲା?
୨୪ ଘଣ୍ଟା ମଧ୍ୟରେ ହୁଆଙ୍ଗଙ୍କ ସମ୍ପତ୍ତି ୨୦.୧ ବିଲିୟନ ଡଲାର ବା ୨୦% ହ୍ରାସ ପାଇଛି। ଏହି ହ୍ରାସ ସହିତ ତାଙ୍କ ସମ୍ପତ୍ତି ୧୦୧ ବିଲିୟନ ଡଲାରକୁ ଖସି ଆସିଛି। ସେହିପରି ଲାରି ଏଲିସନଙ୍କ ସମ୍ପତ୍ତି ୧୨% ବା ୨୨.୬ ବିଲିୟନ ଡଲାର ହ୍ରାସ ପାଇଛି। ତାଙ୍କର ସମ୍ପତ୍ତି ଏବେ ୧୭୧ ବିଲିୟନ ଡଲାର ରହିଛି।
ଡେଲ୍ ଇଂକର ମାଇକେଲ୍ ଡେଲ୍ ୧୩ ବିଲିୟନ ଡଲାର ଏବଂ ବିନାନ୍ସ ହୋଲ୍ଡିଂସ୍ ଲିମିଟେଡର ସହ ପ୍ରତିଷ୍ଠାତା ଚାଙ୍ଗପେଙ୍ଗ୍ ‘ସିଜେଡ୍’ ଝାଓ ୧୨.୧ ବିଲିୟନ ଡଲାର ହରାଇଛନ୍ତି। ଟେକ୍ ସେକ୍ଟରର ବଡ଼ ବଡ଼ କମ୍ପାନୀଗୁଡ଼ିକ ୯୪ ବିଲିୟନ ଡଲାର ହରାଇଛନ୍ତି।
ଅନ୍ୟ ଟେକ୍ କୋଟିପତି ଲାଭବାନ ହୋଇଛନ୍ତି
ସୋମବାର ବଜାରରେ ବଡ଼ ଧରଣର ହ୍ରାସ ପରେ ମଧ୍ୟ ଅନେକ ଟେକ୍ କମ୍ପାନି ଡିପସିକ୍ ସୁନାମୀରୁ ବର୍ତ୍ତି ଯାଇଛନ୍ତି। ଖାଲି ବର୍ତ୍ତି ନାହାନ୍ତି ସେମାନଙ୍କର କୋଟିପତି ପ୍ରତିଷ୍ଠାତା କିମ୍ବା ସହ ପ୍ରତିଷ୍ଠାତାଙ୍କ ସମ୍ପତ୍ତି ମଧ୍ୟ ବୃଦ୍ଧି ପାଇଛି।
ସୋମବାର ମେଟାର ସେୟାର ମୂଲ୍ୟ ପ୍ରଥମ ସେସନରେ ହ୍ରାସ ପାଇବା ପରେ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତି ୪.୩ ବିଲିୟନ ଡଲାର ବୃଦ୍ଧି ପାଇଛି। ସେହିପରି ଆମାଜନର ଜେଫ୍ ବେଜୋସଙ୍କ ସମ୍ପତ୍ତିରେ ପ୍ରାୟ ୬୩୨ ନିୟୁତ ଡଲାର ବୃଦ୍ଧି ଘଟିଛି। ଏତଦ୍ ବ୍ୟତୀତ ବିଲ୍ ଗେଟ୍ସଙ୍କ ସମ୍ପତ୍ତିରେ ମଧ୍ୟ ୪୩୮ ନିୟୁତ ଡଲାର ବୃଦ୍ଧି ଘଟିଛି।
Also readhttps://purvapaksa.com/elephant-dies-in-similipal-sanctuary/
ସଙ୍କଟରେ ଗଜରାଜ , ଶିମିଳିପାଳ ଅଭୟାରଣ୍ୟ ଭିତରେ କୁଙ୍କି ହାତୀ ଭବାନୀର ମୃତ୍ୟୁ
