ଦେଶ ସ୍ୱାଧିନତା ପାଇଁ ଗାନ୍ଧିଜୀଙ୍କ କର ବା ମର ଭଳି ଭାରତର ନିର୍ବାଚନ କମିଶନ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଦୁଇଟି ବିକଳ୍ପ ଦେଇଛନ୍ତି। ଗୋଟିଏ ହେଲା ନିୟମ ଅନୁସାରେ ଅଭିଯୋଗ ଦାଖଲ କର; ନ ହେଲେ ଦେଶବାସୀଙ୍କୁ କ୍ଷମା ମାଗ। ରାହୁଲ ଆଣିଥିବା ‘ଭୋଟ୍ ଚୋରି’ ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିବା ସହ ରାହୁଲ ନିର୍ବାଚନ କମିଶନଙ୍କ ତଥ୍ୟକୁ ମୋଡିମାଡ଼ି ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ବ୍ୟବହାର କରିଛନ୍ତି ବୋଲି କହିଛନ୍ତି ନିର୍ବାଚନ କମିଶନ ଜ୍ଞାନେଶ କୁମାର। ନିର୍ବାଚନ କମିଶନ ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭିତରେ ଏହି ପରସ୍ପର ଯୁଦ୍ଧଂ ଦେହି ଡାକରାକୁ ନେଇ ଆଜିର ଆଲୋଚନା ‘ପୁଣି କ୍ଷମା ମାଗିବେ କି ରାହୁଲ’?
ବିହାର ନିର୍ବାଚନ ପରିପ୍ରେକ୍ଷୀରେ ସାରାଦେଶର ରାଜନୀତିକ ପରିସ୍ଥିତିକୁ ଆକ୍ରାନ୍ତ କରିଥିବା ରାହୁଲଙ୍କ ‘ଭୋଟ୍ ଚୋରି’ ଅଭିଯୋଗରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ ଏହାକୁ ଭୋଟ୍ ଚୋରି ନୁହେଁ ବରଂ ଭୋଟ୍ ଡକାୟତି ବୋଲି କହି ବିଜେପିକୁ ଟାର୍ଗେଟ୍ କରିଛନ୍ତି। ଅପରପକ୍ଷେ ସଂସଦର ମୌସୁମୀ ଅଧିବେଶନକୁ ପୂରା କବଳିତ କରି ରଖିଥିବା ଏ ପ୍ରସଙ୍ଗକୁ ପାଣିଫାଟ କରିବା ଲାଗି ନିର୍ବାଚନ କମିଶନ ରାହୁଲଙ୍କୁ ଦୁଇଟି ବିକଳ୍ପ ଦେଇଛନ୍ତି। ଯେଉଁ ଅଭିଯୋଗ ସେ ପାଓ୍ୱାର ପଏଣ୍ଟରେ ଦେଖାଇ କହିଛନ୍ତି ତାହାକୁ ନିୟମ ଓ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସତ୍ୟପାଠ ଆକାରରେ ଦାଖଲ କରନ୍ତୁ। ନ ହେଲେ ଦେଶବାସୀଙ୍କୁ କ୍ଷମା ମାଗି ପ୍ରସଙ୍ଗରୁ ବିରତ ହୁଅନ୍ତୁ। ଏହା ଦେଶବାସୀ ତଥା ଭୋଟ୍ରଙ୍କୁ ଦୁର୍ବଳ କରିବା, ବିଭ୍ରାନ୍ତ କରିବା ପାଇଁ ଏକ ଉଦ୍ୟମ ବୋଲି କହିଛନ୍ତି କମିଶନ।
ଏକ ସାମ୍ବିଧାନିକ ସଂସ୍ଥାଭାବେ କମିଶନଙ୍କ ଭାଷାକୁ ସମାଲୋଚନା କରିଛନ୍ତି କଂଗ୍ରେସ ଓ ଏହାର କିଛି ସହଯୋଗୀ ଦଳ। କିନ୍ତୁ ବିଜେପି କହିଛି ଆଇନ ଅନୁସାରେ ପ୍ରତିଟି ଅଭିଯୋଗର ସାମ୍ବିଧାନିକ ତର୍ଜମା ଲାଗି କିଛି ନିର୍ଦ୍ଧାରିତ ବ୍ୟବସ୍ଥା ରହିଛି। ଏହାକୁ ଗ୍ରହଣ କରିବାରେ ଅସୁବିଧା କେଉଁଠି ରହିଛି? ପୁଣି ନିର୍ବାଚନ କମିଶନ ତ ନିଜଆଡ଼ୁ ‘ସ୍ୱତନ୍ତ୍ର ସଘନ ଭୋଟ୍ର ତାଲିକା ସଂଶୋଧନ’ ବା ଏସ୍ଆଇଆର୍ ଲାଗୁ କରି ଏହାର ଯାଞ୍ଚ କରୁଛନ୍ତି। ଏଠି ପ୍ରଶ୍ନ ଉଠୁଛି ନିର୍ଦ୍ଧାରିତ ଅଭିଯୋଗର ଯାଞ୍ଚ କରିବା ପାଇଁ ସତ୍ୟପାଠ କାହିଁକି ଜରୁରୀ?
ନିର୍ବାଚନ ପ୍ରକ୍ରିୟା ଉପରେ ଏହା ରାହୁଲ ଗାନ୍ଧି ବା କଂଗ୍ରେସ ପାର୍ଟିର ପ୍ରଥମ ଅଭିଯୋଗ ତାହା ନୁହେଁ। ଏହା ପୂର୍ବରୁ ମହାରାଷ୍ଟ୍ର ନିର୍ବାଚନ ସମୟରେ ମଧ୍ୟ ଅନୁରୂପ ଅଭିଯୋଗ ଆଣିଥିଲେ। ପୁଣି ଶାସକ ଦଳ ପକ୍ଷରେ ଇଭିଏମ୍ ନିୟନ୍ତ୍ରଣ କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ଅନେକ ଦିନ ଧରି ଭାରତୀୟ ରାଜନୀତିରେ ଚର୍ଚ୍ଚିତ ବିଷୟ ହୋଇ ରହିଥିଲା, ଯାହା ଅନେକ ଥର ପ୍ରମାଣ ପରେ ଏବେ ଶାନ୍ତ ରହିଛି।
ଏବେ ବିରୋଧୀ ଦଳ ନେତା ବିହାର ନିର୍ବାଚନ ପୂର୍ବରୁ ଏସ୍ଆଇଆର୍କୁ ବରୋଧ କରିବା ସହ କର୍ଣ୍ଣାଟକର ବାଙ୍ଗାଲୋରରେ ଭୋଟ୍ ଚୋରି ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି। ରାହୁଲ କର୍ଣ୍ଣାଟକର ଭୋଟ୍ର ନୁହନ୍ତି। ପୁଣି ଯେଉଁ ଅଭିଯୋଗ ସେ ଆଣିଛନ୍ତି ତାହାର କୌଣସି ସତ୍ୟାସତ୍ୟ ନ ଥିବା କମିଶନ ଅନୁଭବ କରିଛନ୍ତି। ଏପରିକି ସେ ଯେଉଁ ତଥ୍ୟ ଉପସ୍ଥାପନ କରୁଛନ୍ତି ତାହା ନିର୍ବାଚନ କମିଶନଙ୍କ ତଥ୍ୟ ନୁହେଁ ବୋଲି ବି ମୁଖ୍ୟ ନିର୍ବାଚନ କମିଶନ ଅନୁଭବ କରିଥିବା ସ୍ପଷ୍ଟ କରିଛନ୍ତି। ଏଭଳି ପରିସ୍ଥିତିରେ ରାହୁଲଙ୍କ ଅଭିଯୋଗକୁ ଭରସାଯୋଗ୍ୟ ବୋଲି ଗ୍ରହଣ କରୁନାହାନ୍ତି କମିଶନ।
ଭୋଟ୍ର ପଞ୍ଜିକରଣ ନିୟମ-୧୯୬୦ର ଧାରା ୨୦(୩) ଅନୁସାରେ ଭୋଟ୍ର ପଞ୍ଜିକରଣ ଅଧିକାରୀଙ୍କୁ ପ୍ରସ୍ତୁତ ହୋଇଥିବା ଭୋଟ୍ର ତାଲିକା ବାବଦରେ କୌଣସି ଅଭିଯୋଗ ବାବଦରେ ଶୁଣାଣି ପାଇଁ ଆବେଦନକର୍ତ୍ତାଙ୍କ ଦ୍ୱାରା ପ୍ରତ୍ୟ ଉପସ୍ଥିତି ବା ତାଙ୍କର ଅଭିଯୋଗର ସତ୍ୟପାଠ ଆବଶ୍ୟକ। ଏହା ପ୍ରମାଣିତ କରିବ ଯେ ବାରମ୍ବାର ଯାଞ୍ଚ ପ୍ରକ୍ରିୟାଦ୍ୱାରା ପ୍ରସ୍ତୁତ ହୋଇଥିବା ଭୋଟ୍ର ତାଲିକାରେ ତ୍ରୁଟି ଥିବା ନେଇ ଏହା ଏକ ବିଶ୍ୱସନୀୟ ଅଭିଯୋଗ।
ଏଣୁ ପ୍ରଶ୍ନ ଉଠେ ରାହୁଲ କାହିଁକି ଏଥିପାଇଁ ରାଜି ହେଉନାହାନ୍ତି?
ଏହା ସ୍ପଷ୍ଟ ଯେ ଭୋଟ୍ର ପଞ୍ଜିକରଣ ନିୟମ ୧୯୬୦ ଯେକୌଣସି ନାଗରିକଙ୍କୁ ଭୋଟ୍ର ପଞ୍ଜିକା ବାବଦରେ ଅଭିଯୋଗ ଆଣିବାକୁ ସକ୍ଷମ କରାଉଛି। କିନ୍ତୁ ସତ୍ୟପାଠ ଆବଶ୍ୟକ। କିନ୍ତୁ ସତ୍ୟପାଠରେ ଉଲ୍ଲେଖ ଅଭିଯୋଗ, ପ୍ରଦତ୍ତ ତଥ୍ୟ ଯଦି ଭୁଲ୍ ପ୍ରମାଣିତ ହୁଏ ତେବେ ସମ୍ପୃକ୍ତ ଅଭିଯୋଗକାରୀଙ୍କୁ ଦଣ୍ଡ ଓ ଜରିମାନା ବିଧାନ କରିବାର ପ୍ରାବଧାନ ରହିଛି। ଜନପ୍ରତିନିଧି ଆଇନ ୧୯୫୦ର ଭାଗ ୩୧ ଅନୁସାରେ ତାଙ୍କୁ ଜରିମାନା ଭୋଗିବାକୁ ପଡ଼ି। ଆଉ ଭାରତୀୟ ନ୍ୟାୟ ସଂହିତାର ଭାଗ ୨୨୭/୨୨୯ ଅନୁସାରେ ଅସତ୍ୟ ସତ୍ୟପାଠ ଦାଖଲ ଅଭିଯୋଗରେ ତାଙ୍କୁ ତିନିବର୍ଷ ଯାଏ ଜେଲ୍ ଦଣ୍ଡ ଭୋଗିବାକୁ ବି ପଡ଼ିପାରେ। ଏଣୁ ବୋଧହୁଏ ଏହାକୁ ନେଇ ରାହୁଲ ଭୟଭୀତ ରହିଥିବା ନିର୍ବାଚନ କମିଶନ ନିଶ୍ଚିତ ରହିଛନ୍ତି। ଏଣୁ କମିଶନଙ୍କ ପ୍ରକ୍ରିୟା ବିରୋଧରେ ଏହା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି କମିଶନ ଜାଣିଥିବା ନିଶ୍ଚିତ ହୋଇ ସାରିଛନ୍ତି।
ଆପଣ ଜାଣିଥିବେ ରାହୁଲ ଗାନ୍ଧି ଏମିତି ଅନେକ ମାମଲାରେ କୋର୍ଟଙ୍କ ଆଗରେ ନିଜର ମାନ ସମ୍ମାନକୁ ବଳି ପକାଇଛନ୍ତି। କ୍ଷମା ମାଗିଛନ୍ତି। ବିଜେପିର କିଛି ନେତାଙ୍କ ଭାଷାରେ କୋର୍ଟଙ୍କ ସାମ୍ନାରେ ଉଠ-ବସ ହୋଇଛନ୍ତି।
ଉପଲବ୍ଧ ତଥ୍ୟ ଅନୁସାରେ କିଛି ମୁଖ୍ୟ ଘଟଣାର ବିବରଣୀ ଉପସ୍ଥାପନ କରୁଛି।
ପ୍ରଥମ ହେଉଛି ‘ମୋଦୀ’ ଉପନାମକୁ ନେଇ ମାନହାନି ମାମଲା। ୨୦୧୯ ଏପ୍ରିଲରେ, କର୍ଣ୍ଣାଟକର କୋଲାରରେ ଏକ ଜନସଭାରେ ରାହୁଲ ଗାନ୍ଧି କହିଥିଲେ: “ସମସ୍ତ ଚୋରଙ୍କ ନାମ ମୋଦୀ କାହିଁକି? ନୀରବ ମୋଦୀ, ଲଲିତ ମୋଦୀ, ନରେନ୍ଦ୍ର ମୋଦୀ।” ଏହାପରେ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ଭାରତୀୟ ଦଣ୍ଡବିଧାନ (ଆଇପିସି)ର ଧାରା ୪୯୯, ୫୦୦ ଏବଂ ୫୦୪ ଅଧୀନରେ ମାନହାନି ମାମଲା ଦାୟର କରିଥିଲେ, ଦାବି କରିଥିଲେ ଯେ ଏହି ବୟାନ ସମଗ୍ର ମୋଦୀ ସମ୍ପ୍ରଦାୟକୁ ଅପମାନିତ କରିଛି।
ଏହି ମାମଲା ସମ୍ବିଧାନର ଧାରା ୧୯(୧)(ଏ) ଅଧୀନରେ ମୌଖିକ ସ୍ୱାଧୀନତା ଏବଂ ଯୁକ୍ତିଯୁକ୍ତ ନିୟନ୍ତ୍ରଣ ମଧ୍ୟରେ ସନ୍ତୁଳନ ଏବଂ ଜନପ୍ରତିନିଧିତ୍ୱ ଆଇନ, ୧୯୫୧ର ଧାରା ୮ ଏବଂ ସମ୍ବିଧାନର ଧାରା ୧୦୨(୧)(ଇ) ଅନୁଯାୟୀ ଅଯୋଗ୍ୟତା ସହ ଜଡ଼ିତ ପ୍ରଶ୍ନ ଉଠାଇଥିଲା।
୨୦୨୩ ମାର୍ଚ୍ଚରେ, ସୁରତର ଏକ ମାଜିଷ୍ଟ୍ରେଟ କୋର୍ଟ ଏହି ମାମଲାରେ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲା, ଯାହା ଫଳରେ ୨୦୨୩ ମାର୍ଚ୍ଚ ୨୪ରେ ସେ ଲୋକସଭା (ୱୟନାଡ ଆସନ)ରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ରାହୁଲ ଏହାକୁ ନେଇ ଗୁଜରାଟ ହାଇକୋର୍ଟରେ ଅପିଲ କରିଥିଲେ। ୨୦୨୩ ଜୁଲାଇ ୭ରେ ହାଇକୋର୍ଟ ପୂର୍ବ ରାୟକୁ କାଏମ ରଖିଥିଲେ ଏବଂ ସ୍ଥଗିତ ରଖିବା ପାଇଁ ଆବେଦନକୁ ନାମଞ୍ଜୁର କରିଥିଲେ। ୨୦୨୩ ଅଗଷ୍ଟ ୪ରେ ସୁପ୍ରିମକୋର୍ଟ ମାମଲାର ବିଚାର କରି ୨ ବର୍ଷ ଦଣ୍ଡାଦେଶ କରିବା ନେଇ ନିମ୍ନ ଅଦାଲତର କ୍ଷମତା ଉପରେ ପ୍ରଶ୍ନ ଉଠାଇଥିଲେ, ଯାହା ରାହୁଲଙ୍କୁ ୨୦୨୩ ଅଗଷ୍ଟ ୭ରେ ସାଂସଦ ପଦବୀ ପୁନଃପ୍ରାପ୍ତି କରିବାକୁ ସକ୍ଷମ କରିଥିଲା।
ଦ୍ୱିତୀୟ ମାମଲା ହେଉଛି ରାଫାଲେ ଅବମାନନା ମାମଲା। ୨୦୧୯ ଏପ୍ରିଲ ୧୦ରେ, ରାହୁଲ ଗାନ୍ଧି ଏକ ନିର୍ବାଚନୀ ସଭାରେ କହିଥିଲେ “ଚୌକିଦାର ଚୋର”। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ଷେପ କରି ଏହା କୁହାଯାଇଥିଲା। ରାଫାଲେ କିଣା ମାମଲାରେ ସୁପ୍ରିମେକାର୍ଟ ଏହି ରାୟ ଦେଇଛନ୍ତି ବୋଲି ସେ କହିଥିଲେ। ବିଜେପି ସାଂସଦ ମୀନାକ୍ଷୀ ଲେଖୀ ଏହାକୁ ଅବମାନନା ଦର୍ଶାଇ ଏକ ପିଟିସନ ଦାୟର କରିଥିଲେ।
୨୦୧୯ ଏପ୍ରିଲ ୧୫ରେ, ସୁପ୍ରିମକୋର୍ଟ ଗାନ୍ଧିଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲେ। ଗାନ୍ଧି ଏପ୍ରିଲ ୨୨ରେ ଏକ ଆଫିଡେଭିଟ ଦାଖଲ କରି ଦାବି କରିଥିଲେ ଯେ ତାଙ୍କ ବୟାନ ସତ୍ୟ ବିଶ୍ୱାସରେ ଆଧାରିତ। ୨୦୧୯ ନଭେମ୍ବର ୧୪ରେ, ସୁପ୍ରିମକୋର୍ଟ ଅବମାନନା ମାମଲା ବନ୍ଦ କରିଥିଲେ କିନ୍ତୁ ଗାନ୍ଧିଙ୍କୁ ଭବିଷ୍ୟତରେ ଅଧିକ ସତର୍କ ରହିବାକୁ ଚେତାବନୀ ଦେଇଥିଲେ।
ତୃତୀୟରେ ଗଲୱାନ ଉପତ୍ୟକା ଘଟଣାକୁ ନେଇ ମାନହାନି ମାମଲା । ୨୦୨୦ରେ, ରାହୁଲ ଗାନ୍ଧି ସୋସିଆଲ ମିଡ଼ିଆ ଏବଂ ଜନସଭାରେ ଚୀନର ଗଲୱାନ ଉପତ୍ୟକା ଅଞ୍ଚଳରେ ଅନୁପ୍ରବେଶ ସମ୍ପର୍କରେ ବୟାନ ଦେଇଥିଲେ, ଦାବି କରିଥିଲେ ଯେ ଚୀନ ଭାରତୀୟ ଭୂଖଣ୍ଡର ୨,୦୦୦ ବର୍ଗ କିଲୋମିଟର ଅଧିକାର କରିଛି। ଏହା ଭାରତୀୟ ସେନାକୁ ହତୋତ୍ସାହିତ କରୁଛି ବୋଲି ଅଭିଯୋଗ କରି ଏକ ମାନହାନି ମାମଲା ଦାୟର ହୋଇଥିଲା। ନିକଟରେ ଅର୍ଥାତ୍ ୨୦୨୫ ଅଗଷ୍ଟ ୪ରେ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ ମାମଲାର କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଥିଲେ, କିନ୍ତୁ ଗାନ୍ଧିଙ୍କ ଦେଶପ୍ରେମକୁ ପ୍ରଶ୍ନ କରି ମୌଖିକ ମନ୍ତବ୍ୟ ଦେଇଥିଲେ, ଯାହା ବିବାଦୀୟ ହୋଇଥିଲା।
ଚତୁର୍ଥ ବୟାନ ଥିଲା ସାବରକରଙ୍କୁ ନେଇ। ୨୦୨୨ ନଭେମ୍ବରରେ ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲ ଗାନ୍ଧି ମହାରାଷ୍ଟ୍ରର ଆକୋଲାରେ ଏକ ଜନସଭାରେ ବୀର ସାବରକରଙ୍କ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ମାନହାନି ମାମଲା ଦାୟର ହୋଇଥିଲା।
ଏନେଇ ୨୦୨୫ ଜୁଲାଇ ୨୫ରେ, ସୁପ୍ରିମକୋର୍ଟ ଗାନ୍ଧିଙ୍କୁ ଜାରି ହୋଇଥିବା ସମନକୁ ସ୍ଥଗିତ ରଖିଥିଲେ।
ଏମିତି ଅନେକ ମାମଲା ରହିଛି। ହେଲେ ଆଉ ଗୋଟିଏ ଅର୍ଥାତ୍ ୫ମ ମାମଲା ଆପଣଙ୍କ ଆଗରେ ରଖୁଛି। ଏହା ହେଉଛି ଅମିତ ଶାହ ମାନହାନି ମାମଲା । ୭ବର୍ଷ ହେଲା ଏ ମାମଲା ଚାଲିଥିଲା। ୨୦୧୮ରେ, ଝାଡ଼ଖଣ୍ଡର ଚାଇବାସାରେ ଏକ ଭାଷଣରେ ରାହୁଲ ଗାନ୍ଧି କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ “ହତ୍ୟା ଅଭିଯୁକ୍ତ” ବୋଲି ଅଭିଯୋଗ କରିଥିଲେ, ଯାହା ଫଳରେ ଏକ ମାନହାନି ମାମଲା ଦାୟର ହୋଇଥିଲା।
୨୦୨୫ ଜାନୁଆରୀ ୨୧ରେ ସୁପ୍ରିମକୋର୍ଟ ଟ୍ରାଏଲ କୋର୍ଟର କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଥିଲେ। ଏହା ରାଜନୈତିକ ବୟାନର ସୁରକ୍ଷା ଏବଂ ତୃତୀୟ ପକ୍ଷ ଦ୍ୱାରା ମାନହାନି ମାମଲାର ଅପବ୍ୟବହାରକୁ ଉଜାଗର କରିଥିଲା।
ରାହୁଲ ଗାନ୍ଧିଙ୍କର ଏସବୁ ବୟାନ ବିଶେଷତଃ ରାଜନୀତିକ ସଭା ବା ନିର୍ବାଚନ ସମୟର। ହେଲେ ଏବେ ଏପରି ଏକ ସଭୟରେ ରାହୁଲ ଗାନ୍ଧି ବିଜେପିକୁ ଆକ୍ରମଣ କରିବାକୁ ଯାଇ ସାମ୍ବିଧାନିକ ସଂସ୍ଥାକୁ ବ୍ୟବହାର କରିଛନ୍ତି। ଏହା ଦେଶର ସମ୍ବିଧାନ ଓ ସମ୍ବିଧାନଦ୍ୱାରା ସୃଷ୍ଟି ସ୍ୱାଧୀନ ସଂସ୍ଥା ଉପରେ ଆକ୍ରମଣ ବୋଲି ବିଚାର କରାଯାଉଛି। ଏଭଳି ପରିସ୍ଥିତିରେ ଆଇନ କଠୋର ହୋଇପାରେ। ରାହୁଲ ଅନ୍ୟ ଉପାୟ ପାଇ ନ ପାରନ୍ତି। ହୁଏତ ଏ ଦମ୍ଭରେ ନିର୍ବାଚନ କମିଶନ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି। ଆଉ ଏଥିରେ ହୁଏତ ଭୟଭୀତ ହୋଇପାରନ୍ତି ରାହୁଲ ଗାନ୍ଧି।
Also readhttps://purvapaksa.com/whose-property-is-naveen/
